ତ୍ରୁଟିପୂଣ୍ଣ ଆଣ୍ଟିବଡି କିଟ୍‌ ଫେରସ୍ତ ହେବ, ଏଯାଏ ପଇସା ଦେଇ ନାହାନ୍ତି ସରକାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶରେ ସଂକ୍ରମଣ ସ୍ଥିତି କିପରି ରହିଛି। କେତେ ଲୋକ କରୋନା ଭୁତାଣୁକୁ ଜାଣତରେ ବା ଅଜାଣତରେ ଛୁଇଁଛନ୍ତିି, ଅବା କେଉଁମାନେ ରୋଗାଗ୍ରସ୍ତ ହେବାର ଆଶଙ୍କା ରହିଛି, ଏସବୁ ତୁରନ୍ତ ଜାଣିବା ଲାଗି ସରକାରଙ୍କ ପକ୍ଷରୁ ଆଣ୍ଟିବଡି ଦ୍ରୁତ ପରୀକ୍ଷଣ ବ୍ୟବସ୍ଥା ଦେଶରେ ଆରମ୍ଭ କରାଯାଇଛି। ବିଦେଶର ଅନ୍ୟ କିଛି ଦେଶଙ୍କ ଭଳି ଏଠାରେ ଏହି ଦ୍ରୁତ ପରୀକ୍ଷଣ ପାଇଁ ସରକାର ଦେଶରୁ ଓ ବିଦେଶରୁ ପରୀକ୍ଷଣ କିଟ୍‌ ଆଣିଛନ୍ତି। କିନ୍ତୁ ସେଥିରୁ କିଛି କିଟ୍‌ ତ୍ରୁଟିପୂଣ୍ଣ ବୋଲି ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଦୃଷ୍ଟିରେ ରଖି ସରକାରଙ୍କ ଆଇସିଏମ୍‌ଆର୍‌ ଗୋଟିଏ ଦିନ ଏପରି ଟେଷ୍ଟକୁ ସ୍ଥଗିତ ରଖିବା ପରେ ପୁଣି ଚାଲୁ କରିଛନ୍ତି। ତେବେ ଯେଉଁ କିଟ୍‌ଗୁଡ଼ିକ ଖରାପ ପଡ଼ୁଛି ସେଗୁଡ଼ିକୁ ସରକାର ସମ୍ପୃକ୍ତ କମ୍ପାନୀକୁ ଫେରସ୍ତ କରିଦେବେ ବୋଲି କହିଛନ୍ତି ।

କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ରାଜ୍ୟ ସ୍ଵାସ୍ଥ୍ୟମନ୍ତ୍ରୀମାନଙ୍କ ସହ କଥା ହେବା ବେଳେ କହିଛନ୍ତି ଯେ, ପୃଥିବୀର ଯେଉଁ ଦେଶରୁ ଏହି କିଟ୍‌ ଅଣାଯାଇଛି ସେଗୁଡ଼ିକୁ ଫେରସ୍ତ କରାଯିବ। ଏଥିରେ ଚୀନ୍‌ ବି ଅନ୍ତର୍ଭୁକ୍ତ। ଏହି କିଟ୍‌ ପାଇଁ ସରକାର ଏଯାଏ କୌଣସି ପଇସା ଖର୍ଚ କରିନାହାନ୍ତି ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଗଲା ସାଢ଼େ ତିନିମାସ ହେଲା ଭାରତ କରୋନା ଭୁତାଣୁ ସହ ସଫଳତାର ସହ ଲଢ଼ି ଚାଲିଛି। ସମସ୍ତ ରାଜ୍ୟ ସରକାରଙ୍କ ଏଥିରେ ଗୁରୁତ୍ଵପୂଣ୍ଣ ଭୂମିକା ରହିଛି। ଦେଶରେ ଏ ଭିତରେ ସାଢ଼େ ପାଞ୍ଚ ଲକ୍ଷ ନମୁନା ପରୀକ୍ଷଣ ହୋଇଛି। କିନ୍ତୁ ଏଥିରେ ପଜିଟିଭ୍‌  ସଂଖ୍ୟା ୪ ପ୍ରତିଶତରୁ ବଢ଼ି ନାହିଁ।

ଯେଉଁଠାରେ କେନ୍ଦ୍ରର ସହାୟତା ଆବଶ୍ୟକ ପଡ଼ୁଛି ସେଠରେ ସେଇ ସୁବିଧା ସରକାର ଯୋଗଉଛନ୍ତି। କେନ୍ଦ୍ର ଯେଉଁ ଡାକ୍ତରୀ ଟିମ୍‌ ପଠାଉଛନ୍ତି ତାହା ରାଜ୍ୟମାନଙ୍କୁ ସହାୟତା ଯୋଗାଇବା ଲାଗି ସେମାନଙ୍କ କାର୍ଯ୍ୟକୁ ମନିଟର କରିବା ଲାଗି ନୁହେଁ ବୋଲି ସେ କହିଛନ୍ତି।

ଆମେ ଏଯାଏ ତୃତୀୟ ପର୍ଯ୍ୟାୟ ସଂକ୍ରମଣକୁ ପ୍ରବେଶ କରି ନାହୁଁ ବୋଲି ସେ ସୂଚନା ଦେଇଛନ୍ତି।

Leave a Reply

Your email address will not be published.