ପ୍ରଶାସନ ଡରିଗଲା: ସମସ୍ତଙ୍କୁ ମିଳିବ ରଥଯାତ୍ରା ସିଧା ପ୍ରସାରଣ ଅଧିକାର
ଭୁବନେଶ୍ଵର, (ଓଟି): ରଥଯାତ୍ରା ସିଧା ପ୍ରସାରଣ ମାମଲାରେ ପଛଘୁଞ୍ଚା ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ପୂର୍ବ ଭଳି ଯିଏ ଚାହିଁଲା ସେ ରଥଯାତ୍ରା ସିଧା ପ୍ରସାରଣ କରିପାରିବ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର।
ଶ୍ରୀ ମହାପାତ୍ର କହିଛନ୍ତି, ‘ସିଧା ପ୍ରସାରଣ ବ୍ୟବସ୍ଥାକୁ ଅକ୍ସନ କରିବାର ଲକ୍ଷ୍ୟ ଥିଲା ଶ୍ରୀମନ୍ଦିର ପାଇଁ ପାଣ୍ଠି ଯୋଗାଡ଼ କରିବା। କିନ୍ତୁ ଏବେ ସେ ପ୍ରକ୍ରିୟା ରଦ୍ଦ ହୋଇଛି। ଏବେ ଆଗ୍ରହୀ ଚ୍ୟାନେଲ୍ଙ୍କୁ ଏ ଅଧିକାର ମିଳିବ। କିନ୍ତୁ ଏଥିପାଇଁ କିଛି ସ୍ଵତନ୍ତ୍ରସର୍ତ୍ତ ରଖାଯିବ’।
ଏହି ପଛଘୁଞ୍ଚାରୁ ସ୍ପଷ୍ଟ ହେଉଛି ଯେ, ଗଲି କିଛିଦିନ ଧରି ପ୍ରଶାସନ ବିରୋଧରେ ଯେଉଁ ଅଦେଖା ବ୍ୟବସାୟୀଙ୍କ ଚକ୍ରାନ୍ତ ଚାଲିଥିଲା ସେଥିରେ ପ୍ରଶାସନ ଡରି ଯାଇଛି। ଏହି ବ୍ୟବସାୟୀଙ୍କ ପ୍ରଚ୍ଛନ ହାତରେ ଶ୍ରୀମନ୍ଦିରର ରାଜସ୍ଵ ସଂଗ୍ରହ ଉଦ୍ଦେଶ୍ୟକୁ ବ୍ୟମବସାୟିକ ବୋଲି ଚିତ୍ରଣ କରାଯାଇଛି। କିନ୍ତୁ ବାସ୍ତବରେ କୋଟି କୋଟି ଟଙ୍କାର ବିଜ୍ଞାପନ ସଂଗ୍ରହ, ଓ ଶ୍ରୀ ଜଗନ୍ନାଥଙ୍କ ଭିଡିଓକୁ ବିକ୍ରି କରୁଥିବା ଚ୍ୟାନେଲ୍ଗୁଡ଼ିକର ଉଦ୍ଦେଶ୍ୟ ନିରନ୍ତର ଭାବେ ମହତ୍ତ୍ଵ ରହିଛି।
ଓଡ଼ିଶାଟାଇମ୍ ପକ୍ଷରୁ ୨୦୧୭ ମସିହାରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଟେଲିଭିଜନ୍ ଚ୍ୟାନେଲ୍ମାନେ ଲାଇଭ୍ ଅଧିକାର ପାଇ ମଧ୍ୟ ଲାଇଭ୍ କରିପାରୁ ନାହାନ୍ତି ବରଂ ଅନ୍ୟ ଚ୍ୟାନେଲ୍ଠୁ ଫିଡ୍ କିଣୁଛନ୍ତି ବୋଲି ଆମେ ଦର୍ଶାଇଥିଲୁ। ଏହା ଏକ ଭଲ ବ୍ୟବସାୟ ହୋଇଛି ଏବଂ ଏଥିରୁ ଟେଲିଭଜନ୍, ଏଫଏମ୍, ୟୁଟ୍ୟୁବ୍ ପ୍ରସାରଣକାରୀମାନେ ଯଥେଷ୍ଟ ଲାଭ ଅର୍ଜନ କରୁଥିବା ମଧ୍ୟ ଉଲ୍ଲେଖ ଥିଲା। ଏହାବାଦ୍ ଟେଲିଭିଜନ୍ ସିଧା ପ୍ରସାରଣ ଏକ ସ୍ଵେଚ୍ଛାକୃତ ନୁହେଁ ବରଂ ବ୍ୟବସାୟ ହୋଇଥିବାରୁ ଶ୍ରୀମନ୍ଦିର ପାଖ ଆଖ ସମସ୍ତ କୋଠା ଏଥିରେ ଲାଭବାନ ହେଉଥିବାବେଳେ ଶ୍ରୀମନ୍ଦିରକୁ କିଛି ଅର୍ଥ ମିଳୁ ନଥିବା ଆମେ ଦର୍ଶାଇଥିଲୁ। ଏବେ ଶ୍ରୀମନ୍ଦିର ପ୍ରଶାସନ ଟେଲିଭିଜନ୍ମାନଙ୍କ ବିଜ୍ଞାପନ ରାଜସ୍ଵରେ ଅଂଶୀଦାର ହେବାକୁ ଚାହିଁଛି ପ୍ରଶାସନ।
ପ୍ରଶାସନିକ ସର୍ତ୍ତସବୁ କ’ଣ
ସର୍ତ୍ତଭିତରେ ମୁଖ୍ୟ ହେଉଛି ଟେଲିଭିଜନ୍ ସିଧା ପ୍ରସାରଣକାରୀଙ୍କଠାରୁ ଅର୍ଥ ସଂଗ୍ରହ। ସୂଚନା ଅନୁସାରେ, ଯେଉଁ ଟେଲିଭିଜନ୍ ଚ୍ୟାନେଲ୍ ବା ପ୍ରସାରଣକାରୀ ଏହି ସିଧା ପ୍ରସାରଣ ବେଳେ ବ୍ୟବସାୟିକ ବିଜ୍ଞାପନ ପ୍ରସାରଣ କରିବେ ସେମାନଙ୍କୁ ଏଥିଲାଗି କିଛି ଅଂଶ ଦେବାକୁ ହେବ। ଏହା କେତେ ହେବ ତାହାକୁ ପ୍ରଶାସନ ସ୍ପଷ୍ଟ କରିନାହାନ୍ତି। କିନ୍ତୁ ଯେଉଁମାନେ ବିଜ୍ଞାପନ ପ୍ରସାରଣ କରୁନାହାନ୍ତି ସେମାନଙ୍କ ପାଇଁ ପ୍ରସାରଣ ଅଧିକାର ମାଗଣା ରହିବ।
ବର୍ତ୍ତମାନର ସ୍ଥିତି
ବର୍ତ୍ତମାନ ଓଡ଼ିଶାର ଦୁଇରୁ ତିନୋଟି ଚ୍ୟାନେଲ୍ ସିଧା ପ୍ରସାରଣ ପାଇଁ ପୁରୀରେ କ୍ୟାମେରା ଲଗାଇ ଫିଡ୍ ସଂଗ୍ରହ କରୁଛନ୍ତି। ଅନ୍ୟସମସ୍ତ ସଂସ୍ଥା ଏଇମାନଙ୍କଠାରୁ ଫିଡ୍ କିଣିଥାଆନ୍ତି। ଏହି ସିଧା ପ୍ରସାରଣକାରୀଙ୍କ ଭିତରେ ଓଟିଭି, ନ୍ୟୁଜ୍ୱଲ୍ଡ ଓଡ଼ିଶା ଅନ୍ୟତମ। ଓଟିଭି ତାହାର ପ୍ରସାରଣ ତିନୋଟି ଚ୍ୟାନେଲ୍ରେ କରିବା ସହ ବାହାର ଚ୍ୟାନେଲକୁ ଫିଡ୍ ବା ସଜୀବ ଦୃଶ୍ୟ ( ଲାଇଭ୍ ଭିଜୁଆଲ୍) ଦେବାରେ ସହାୟକ ହୋଇଥାଏ। ସେହିଭଳି ନ୍ୟୁଜ୍ ୱଲ୍ଡ ଓଡ଼ିଶା ଏବଂ ଓଡ଼ିଶା ବାହାରର ବିଭିନ୍ନ ସଂସ୍ଥାକୁ ଫିଡ୍ ଭଡ଼ା ସୂତ୍ରରେ ଦେଇଥାଏ। ଯେହେତୁ ପୁରୀରେ କ୍ୟାମେରା ରଖିବା ଏବଂ ସେଠାରୁ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଦୃଶ୍ୟ ସଂଗ୍ରହ କରିବା ଏକ ଶ୍ରମ ଓ ଖର୍ଚ ବ୍ୟପାର ଏଥିଲାଗି ଅନେକ ଏପରି ଲାଇଭ୍ ଫିଡ୍ ପୁଲ୍ ବ୍ୟବସ୍ଥାକୁ ସମର୍ଥନ କରିଥାଆନ୍ତି।
ଏଥିରେ ବ୍ୟବସାୟ
ପ୍ରତ୍ୟକ୍ଷ ବା ପରୋକ୍ଷ ସୂତ୍ରରୁ ଫିଡ୍ ପାଇବା ପରେ ଚ୍ୟାନେଲ୍ଗୁଡ଼ିକ ତାହାକୁ ମୂଲ୍ୟଯୁକ୍ତ କରାଇଥାଆନ୍ତି। ଅର୍ଥାତ୍ କିଏ ସେଥିରେ ଆଲୋଚନା ଉପଯୋଗ କରେ ତ କିଏ ବିଶେଷଜ୍ଞଙ୍କ ପ୍ରବଚନକୁ ପ୍ରୟୋଗ କରି ଲୋକଙ୍କୁ ଆକର୍ଷିତ କରିଥାଆନ୍ତି। ଏହି ଦର୍ଶକ ଆକର୍ଷଣ ତାଙ୍କୁ ବିଜ୍ଞାପନ ସଂଗ୍ରହରେ ସହାୟକ ହୁଏ। ବିଭିନ୍ନ ବାଣିଜ୍ୟିକ ବିଜ୍ଞାପନ ଏଥିରୁ ମିଳେ। ଏପରିକି ସାଧାରଣ ଦରଠାରୁ ଏହା ଅଧିକ ହୋଇଥାଏ। ଏହାଛଡ଼ା ଲାଇଭ୍ ଫିଡ୍କୁ ଅନ୍ୟ ପ୍ରସାରଣକାରୀଙ୍କୁ ବିକ୍ରି କରି ବି ଅନେକ ଅର୍ଜନ କରାଯାଇଥାଏ। ଏହିକ୍ରମରେ ଓଡ଼ିଶାର ଟେଲିଭିଜନ୍ ବଜାରରେ ୨୫ କୋଟିରୁ ଅଧିକ ଅର୍ଥ କାରବାର ହୁଏ। ଅର୍ଥାତ୍ ଗୋଟିଏ ଦିନର ଲାଇଭ୍ରେ ୨୫ କୋଟିର ବ୍ୟବସାୟ। ଏହି ଅର୍ଥ ଏବେ ଜଗନ୍ନାଥ ମନ୍ଦିର ପାଇଁ ବି ଆକର୍ଷଣ ହୋଇଛି। ଅର୍ଥାତ୍ ଜଗନ୍ନାଥ ମାଗଣା ନୁହନ୍ତି ବରଂ ତାଙ୍କୁ ବି ଏହି ଅର୍ଥରୁ କିଛି ରାଜସ୍ଵ ମିଳିବା ଜରୁରୀ ବୋଲି ପ୍ରଶାସନ ଅନୁଭବ କରିଛି।