ହରର୍ ଥ୍ରୀଲର୍ ‘ଦୁର୍ଗାବତି’ର ଘୋଷଣା କଲେ ଅକି
ଷ୍ଟାର୍ ପ୍ରେଜେଣ୍ଟର ଭାବେ ଖିଲାଡ଼ି କୁମାର ଅକ୍ଷୟ ତାଙ୍କର ଅପକମିଙ୍ଗ୍ ଫିଲ୍ମ ‘ଦୁର୍ଗାବତୀ’ର ଘୋଷଣା କରିଛନ୍ତି । ସେ ଟ୍ୱିଟର୍ ମାଧ୍ୟମରେ ଏହି ଖବର ସହିତ ଗୋଟିଏ ଫଟୋ ମଧ୍ୟ ସେୟାର୍ କରିଥିଲେ । ଏହି ଫଟୋରେ ଫିଲ୍ମ ସହିତ ଜଡ଼ିତ ଥିବା ମୁଖ୍ୟ ୫ଜଣଙ୍କୁ ଦେଖିବାକୁ ମିଳିଛି । ଭୂମି ପେଡନେକର୍ ଲିଡ୍ ଲେଡି ଭାବେ ଥିବାବେଳେ ଅକ୍ଷୟଙ୍କ ସହିତ ଭୂଷଣ କୁମାର ଫିଲ୍ମର ପ୍ରେଜେଣ୍ଟ୍ର ଭାବେ ଅଛନ୍ତି । ବିକ୍ରମ ମାଲହୋତ୍ରା ପ୍ରଯୋଜନା ଦାୟିତ୍ୱ ନେଇଥିବାବେଳେ ଅଶୋକ ଏହାର ନିର୍ଦ୍ଦେଶନା ଦେବେ ।
କହିରଖୁଛୁ ତେଲୁଗୁ ହରର୍ ଥ୍ରୀଲର୍ ‘ଭାଗମତି’ର ହିନ୍ଦି ରିମେକ୍ ଭାବେ ଏହା ପ୍ରସ୍ତୁତ କରାଯାଉଛି । ୨୦୧୮ ଜାନୁଯାୟୀ ୨୬ ତାରିଖରେ ରିଲିଜ୍ ହୋଇଥିବା ‘ଭାଗମତି’ରେ ଅନୁଷ୍କା ସେଟ୍ଟି, ଉନି ମୁକୁନ୍ଦନ୍, ଜୟରାମ, ଉଷା ସରତ ଓ ବିଦ୍ୟୁଲେଖା ରମନ୍ ମୁଖ୍ୟ ଭୂମିକାରେ ଥିଲେ । ହରର୍ ଥ୍ରୀଲର୍ ‘ଦୁର୍ଗାବତି’କୁ ନେଇ ଉତ୍ସାହିତ ଜଣାପଡ଼ୁଥିବା ଭୂମି ମଧ୍ୟ ଏହି ଖବରକୁ ପ୍ରଶଂସକଙ୍କ ସହିତ ସେୟାର୍ କରିବା ସହିତ ବିଶେଷ ଭାବେ ଫିଲ୍ମଟିମକୁ ଧନ୍ୟବାଦ ଜଣାଇଛନ୍ତି । ଆସନ୍ତା ବର୍ଷ ଜାନୁୟାରୀ ମାସରେ ଏହି ଫିଲ୍ମ ସିନେମାଘରକୁ ଆସିବ ବୋଲି ଟିମ୍ ପକ୍ଷରୁ ସୂଚନା ମିଳିଛି ।