ନିର୍ବାଚନ ପୂର୍ବରୁ ଅଖିଳେଶ ଯାଦବ ପରାଜିତ!
୨୦୧୯ ନିର୍ବାଚନରେ ଭୋଟ ପୂର୍ବରୁ ଯଦି କିଏ ପରାଜିତ ହୋଇଥାଏ ସେ ହେଉଛନ୍ତି ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ଯାଦବ। ଏହି ପରାଜୟ ମଇ ୨୩ ତାରିଖରେ ପ୍ରକାଶ ପାଇବାକୁ ଥିବା ନିର୍ବାଚନ ଫଳାଫଳ ସହିତ କୌଣସି ସମ୍ପର୍କ ନାହିଁ।
ସମାଜବାଦୀ ପାର୍ଟିର ପିତୃପୁରୁଷ ମୁଲାୟମ ସିଂହ ଯାଦବଙ୍କୁ କାହିଁକି ରାଗ ଆସେ ବୋଲି ଯେଉଁମାନେ ଚିନ୍ତା କରୁଛନ୍ତି ସେମାନଙ୍କ ପାଇଁ ଉତ୍ତରଟି ବହୁତ ସରଳ। କାରଣ ମୁଲାୟମ ଦେଖୁଛନ୍ତି ତାଙ୍କ ପୁତ୍ର ଅଖିଳେଶ ଯାଦବ ତାଙ୍କ ଦ୍ୱାରା ନିର୍ବାଣ କରାଯାଇଥିବା ରାଜନୈତିକ ଦୁର୍ଗକୁ ଭାଙ୍ଗିବାରେ ଲାଗିଛନ୍ତି।
ଏହା ପରେ ବି ଅଖିଳେଶ ଆଶ୍ୱସ୍ତ ରହିବା ସହିତ ରାଜନୈତିକ ଦୃଷ୍ଟିକୋଣରୁ ଦୃଢ ରହିଛନ୍ତି। ଚଳିତ ସପ୍ତାହରେ ଅଖିଳେଶ ତାଙ୍କ ବାପା ମୁଳାୟମଙ୍କ ସଂସଦୀୟ କ୍ଷେତ୍ର ମୈନପୁରୀରେ ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀଙ୍କ ସହିତ ନିର୍ବାଚନ ରାଲିରେ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି। ବିଏସପିକୁ ଅଧା ଆସନ ଦେଇ ଏସପିକୁ ଦୁର୍ବଳ କରାଗଲା ବୋଳି ମୁଲାୟମଙ୍କ ଭର୍ତ୍ସନାର ତିନି ସପ୍ତାହ ପରେ ଏହି ରାଲି ହେଉଛି। ଏ ସମ୍ପର୍କରେ ମୁଲାୟମଙ୍କ ମତାମତ ଦେଖିବାକୁ ମିଳିବ। କିନ୍ତୁ ସେ ଏବେ ସହମତ ହେବା ବ୍ୟତୀତ ଅନ୍ୟ ରାସ୍ତା ନାହିଁ।
ଏସପି-ବିଏସପି ମେଣ୍ଟ ବିଜେପିକୁ ହରାଇବା ସକ୍ଷମ ହେଲେ
ଏ ସମ୍ପର୍କରେ ପ୍ରଥମେ ସକାରାତ୍ମକ ଆଲୋଚନା କରାଯାଇପାରେ। କିଛି ସମୟ ପାଇଁ ଚିନ୍ତା କରନ୍ତୁ ଏସପି-ବିଏସପି ମେଣ୍ଟ ଉତ୍ତରପ୍ରଦେଶରେ ବିଜେପି ନିର୍ବାଚନରେ ସମ୍ପୁର୍ଣ୍ଣ ହରାଇ ମୋଦିଙ୍କୁ କ୍ଷମତାଚ୍ୟୁତ କରି ଦେଉଛନ୍ତି। ଏକଥାକୁ ମାନି ନିଆଯାଇପାରେ ଉତ୍ତରପ୍ରଦେଶ ସହିତ ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡରେ ମଧ୍ୟ ଏସପି-ବିଏସପି ମେଣ୍ଟ ସଫଳତା ଲାଭ କରି ମାୟାବତୀ ପ୍ରଧାନମନ୍ତ୍ରୀ ପଦବୀ ପର୍ଯ୍ୟନ୍ତ ପହଞ୍ଚି ଯାଆନ୍ତି,ଏଥିରେ ଅଖିଳେଶଙ୍କୁ କ’ଣ ମିଳିବ?

ସେ ବିଶ୍ୱାସ କରି ପାରନ୍ତି, ଏଭଳି ସ୍ଥିତିରେ ‘ବୁଆ’ ଅଖିଳେଶଙ୍କୁ ଧନ୍ୟବାଦ ଦେବାକୁ ଆସିବେ ଓ ପୁତୁରାକୁ ୨୦୨୨ରେ ମୁଖ୍ୟମନ୍ତ୍ରୀ ପଦବୀ ଛାଡିବାକୁ ପ୍ରସ୍ତାବ ଦେବେ। ଏ ଚିନ୍ତାଧାରା ସେତେବେଳେ ସମ୍ଭବ କିନ୍ତୁ ବର୍ତ୍ତମାନ ଏସପି ପ୍ରମୁଖ ସ୍ୱପ୍ନ ଦୁନିଆଁରେ ହଜି ଯାଇଛନ୍ତି।
ମାୟାବତୀ ବାସ୍ତବିକ ଦୁନିଆଁରେ ରହୁଛନ୍ତି। ସେ ଅଖିଳେଶଙ୍କ ସହିତ ମେଣ୍ଟ କରି ବରିଷ୍ଠ ସହଯୋଗୀ ଭୂମିକା ହାସଲ କରିବାରେ ସଫଳ ହୋଇଛନ୍ତି। ଏସପି ୩୭ଟି ଆସନ ଓ ବିଏସପି ୩୮ଟି ଆସନରେ ନିର୍ବାଚନ ଲଢିବ। ୨୦୦୭ ବିଧାନସଭା ନିର୍ବାଚନ ପରଠାରୁ ବିଏସପିର ଲୋକପ୍ରିୟତା ନିରନ୍ତର ହ୍ରାସ ପାଇବା ପରେ ବି ବରିଷ୍ଠ ସହଯୋଗୀର ମାନ୍ୟତା ପାଇଛି। ଯେତେବେଳେ ବିଏସପି କ୍ଷମତାକୁ ଆସିଥିଲା ସେତେବେଳେ ୩୦.୪୩ ପ୍ରତିଶତ ଭୋଟ ପାଇଥିଲା। ଏହାପରେ ୨୦୧୨ରେ ବିଏସପିର ଭୋଯ ହାର ୨୫.୯୫ ପ୍ରତିଶତକୁ ଓ ୨୦୧୭ରେ ୨୨.୨୩ ପ୍ରତିଶତକୁ ହ୍ରାସ ପାଇଥିଲା।
ଏହି ସମୟ ମଧ୍ୟରେ ଏସପିର ଭୋଟ ହାର ସ୍ଥିର ରହିଥିଲା। ୨୦୦୭ରେ ଏସପିର ଭୋଟ ହାର ୨୬.୦୭ ପ୍ରତିଶତ ଥିବାବେଳେ ୨୦୧୨ରେ ୨୯.୨୯ ପ୍ରତିଶତ ଓ ୨୦୧୭ରେ ୨୮.୩୨ ପ୍ରତିଶତ ଥିଲା। ୨୦୧୪ ଲୋକସଭା ନିର୍ବାଚନରେ ଏସପି ଉତ୍ତରପ୍ରଦେଶରେ ୨୨.୩୫ ପ୍ରତିଶତ ଭୋଟ ସହିତ ୫ଟି ଆସନରେ ବିଜୟୀ ହୋଇଥିଲା। ବିଏସପି ୧୯.୭୭ ପ୍ରତିଶତ ଭୋଟ ସହିତ ସମସ୍ତ ଆସନରେ ପରାଜିତ ହୋଇଥିଲା। ବିଏସପିର ଭୋଟ ହାର କମ୍ ହେବା ସହିତ ଦଳର ମୂଳ ସମର୍ଥକମାନଙ୍କର ମାୟାବତୀଙ୍କଠାରୁ ମୋହଭଙ୍ଗ ହେଲାଣି। ଦଳିତ କଲ୍ୟାଣ ଓ ସଶକ୍ତିକରଣ ପ୍ରତିଶ୍ରୁତି ୨୦୦୭ଭଳି ପ୍ରଭାବ ଆଉ ଏବେ ପକାଉନାହିଁ। ୨୦୧୪ ନିର୍ବାଚନରେ ଦଳିତ ମତଦାତାମାନେ ବିଜେପିକୁ ସମର୍ଥନ କରିଥିଲେ। ଏବେ ଭୀମ ଆର୍ମି ନେତା ଚନ୍ଦ୍ରଶେଖର ଆଜାଦ ମାୟାବତୀଙ୍କ ନିଦ ହଜାଇ ଦେଇଛନ୍ତି।
ଏବେ ପ୍ରଶ୍ନ ଉଠୁଛି, ମାୟାବତୀ ପ୍ରଧାନମନ୍ତ୍ରୀ ହେବାର ଯେଉଁ ଅଭିଳାଷ ରଖିଛନ୍ତି ତାହା ସଫଳ ହେବାରେ ଅଖିଳେଶ କ’ଣ ଉଦାରତା ଦେଖାଇବେ?

ସର୍ବ ପ୍ରଥମେ ବିରୋଧିଦଳମାନେ ଏନଡ଼ିଏକୁ ପରାଜିତ କରିବା ଦରକାର। ରାହୁଲ ଗାନ୍ଧୀ ଓ ଅନ୍ୟମାନେ ପ୍ରଧାନମନ୍ତ୍ରୀ ହେବାର ଦାବି ଛାଡିବାର ସମ୍ଭାବନା ବହୁତ କମ୍ ରହିଛି। ଏପରି ସ୍ଥିତିରେ ମାୟାବତୀଙ୍କ ପ୍ରଧାନମନ୍ତ୍ରୀ ହେବା ସମ୍ଭାବନା ବହୁତ କମ୍ ରହୁଛି। ଯଦି ସେ କୌଣସି କାରଣରୁ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ମାୟାବତୀଙ୍କ ଭଳି ଅତି ଚତୁର ନେତ୍ରୀ ସହଯୋଗୀ ଦଳକୁ କୃତଜ୍ଞତା ଜଣାଇବା ପରିବର୍ତ୍ତେ ନିଜ ପାର୍ଟିକୁ ଆହୁରି ମଜଭୂତ କରିବା ସହିତ ପରିସର ବଢାିବାକୁ ପଛଘୁଞ୍ଚା ଦେବେ ନାହିଁ।
ଦ୍ୱୀତିୟତଃ, ଯଦି କୌଣସି ପରିସ୍ଥିତିରେ ବିରୋଧି ମେଣ୍ଟ କେନ୍ଦ୍ରରେ କ୍ଷମତାକୁ ଆସେ; ପ୍ରମୁଖ ପଦବୀକୁ ନେଇ ଏସପି-ବିଏସପି ମଧ୍ୟରେ ବିବାଦ ଦେଖାଦିଏ ଏଭଳି ସ୍ଥିତିରେ ମାୟାବତୀ ଉତ୍ତରପ୍ରଦେଶରେ ନିଜର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜେପି ପରିବର୍ତ୍ତେ ଏସପି ମୁଖିଆ ଅଖିଳେଶଙ୍କୁ ବିଚାର କରିବେ।
ତୃତୀୟରେ ବିରୋଧି ଦଳର ବିଜୟରେ ଅଖିଳେଶ ଫାଇଦା କେବଳ ପଦପଦବୀରେ ସୀମିତ ରହିବ। ସେ ନିଜ ପାଇଁ ଦଳର ସହଯୋଗୀଙ୍କ ପାଇଁ କେବଳ ମନ୍ତ୍ରୀ ପଦ ପାଇପାରିବେ। ପ୍ରତିବଦଳରେ ଏସପିର ବୃଦ୍ଧିକୁ ରୋକିବା ସହିତ ଦଳିତ ଓ ମୁସଳମାନଙ୍କ ମଧ୍ୟରେ ବିଏସପିର ସ୍ଥିତି ବୃଦ୍ଧି ଦିଗରେ ସହାୟକ ହେବେ। ୨୦୦୭ରୁ ୨୦୧୨ ଭିତରେ ସମାଜବାଦୀ ପାର୍ଟି ରାଜ୍ୟରେ ଦଙ୍ଗାମୁକ୍ତ ଶାସନ ଦେଇଥିବାର ଦାବି କରୁଥିଲେ ହେଁ ମୁସଲମାନ ମତଦାତାମାନେ ବିଏସପିକୁ ନେଇ ଉତ୍ସାହିତ ଥିବା ପରିଲକ୍ଷିତ ହେଉଛି। ଏହା ହେଉଛି ଏସପି-ବିଏସପି ନେଇ ସକାରତ୍ମକ ଆଲୋଚନା
ଯଦି ଏସପି-ବିଏସପି ନିର୍ବାଚନରେ ବିଜେପିକୁ ହରାଇନପାରନ୍ତି?
ଏହି ସମ୍ଭାବନା ଉପରେ ଏବେ ବିଚାର କରାଯାଉ। ଯଦି ଏସପି-ବିଏସପି ଚଳିତ ନିର୍ବାଚନରେ ବିଜେପିକୁ ନିର୍ବାଚନରେ ରୋକି ନ ପାରନ୍ତି ତେବେ ବହୁ ପ୍ରଚାରିତ ଦଳିତ-ଯାଦବ-ମୁସଲିମ ଏକତା ପାଣିରେ ପଡିଯିବ। ଏହାହେଲେ ଏସପି ଭୋଟ ବିଏସପିକୁ ଆସିଲା ନାହିଁ ବୋଲି ମାୟାବତୀ ଅଖିଳେଶଙ୍କ ଉପରେ ଦୋଷ ଲଦିବେ। ଏହି କାରଣରୁ ଏସପି-ବିଏସପି ମେଣ୍ଟ ଭାଙ୍ଗିଯିବା ସହିତ ଅଖିଳେଶଙ୍କ ପାଦ ତଳୁ ମାଟି ଖସି ଯାଇଥିବ।
ମୁଲାୟମ ସିଂହ ଯାଦବଙ୍କ ଯେପରି ଯାଦବମାନଙ୍କ ସହିତ ସମ୍ପର୍କ ଥିଲା ଅଖିଳେଶଙ୍କର ନାହିଁ। ଆବଶ୍ୟକ ପଡିଲେ ଯାଦବ ମତଦାତାମାନେ ବିଜେପିକୁ ସମର୍ଥନ କରିପାରନ୍ତି। ମୁସଲମାନମାନଙ୍କ ପାଇଁ କଂଗ୍ରେସ ହିଁ ବିକଳ୍ପ ରହିଛି।
ଅଖିଳେଶଙ୍କ ରଣନୀତି

ବିରୋଧି ଦଳର ଅନ୍ୟ ନେତାମାନଙ୍କ ଭଳି ଅଖିଳେଶ ମୋଦି ବିରୋଧି ଭାବେ ଅଧିକ ଫାଇଦା ଉଠାଇବାକୁ ଚାହୁଛନ୍ତି। ପାର୍ଟିକୁ ନିଜ ନିୟନ୍ତ୍ରଣକୁ ଆଣି ଯେପରି ସେ ମୁଲାୟମଙ୍କୁ ଝଟକା ଦେଇଥିଲେ ସେହିପରି ନିଜ ନେତୃତ୍ୱକୁ ଏବେ ରାଜନେତା ଭାବେ ପ୍ରତିପାଦିତ କରିବାକୁ ଚାହୁଁଛନ୍ତି। ସେ ମୁସଲମାନ ଓ ଯାଦବ ଭୋଟ ବ୍ୟାଙ୍କକୁ ହାସଲ କରିବା ପାଇଁ ମୋଦିଙ୍କୁ ବିରୋଧ କରୁଛନ୍ତି। କିନ୍ତୁ ଯାଦବ ଭୋଟ ପାଇବାକୁ ହେଲେ ତାଙ୍କୁ ସେମାନଙ୍କର ବିଶ୍ୱାସ ଜିତିବାକୁ ହେବ।
ବିଜେପି ଅପେକ୍ଷା ଏସପି-ବିଏସପି ମେଣ୍ଟ କଂଗ୍ରେସକୁ ନେଇ ଅଧିକ ଚିନ୍ତିତ। କାରଣ କଂଗ୍ରେସ ସେମାନଙ୍କର ମୁସଲିମ ଭୋଟ ବ୍ୟାଙ୍କକୁ ନିଜ ସପକ୍ଷରେ ନେବା ପାଇଁ ଚେଷ୍ଠା କରୁଛି। ଅପର ପକ୍ଷରେ ମାୟାବତୀ ନିଜର ଦଳଳିତ ଭୋଟ ବ୍ୟାଙ୍କକୁ ନେଇ ଅଧିକ ଅସୁରକ୍ଷିତ ମନେ କରୁଛନ୍ତି। ଯଦି ଉତ୍ତରପ୍ରଦେଶରୁ କଂଗ୍ରେସ ସଫା ହୋଇଯିବ ତେବେ ତ୍ରିକୋଣୀୟ ଲଢେଇରେ ଏସପି-ବିଏସପି ମେଣ୍ଟ ବିଜୟୀ ହେବା ସହିତ ବିଜେପି ତୃତୀୟ ସ୍ଥାନକୁ ଖସିଯିବ।