ଭିଲିଆନ୍ ଅଜୟ

ପ୍ରଶଂସକ ମହଲରେ ଆକ୍ସନ୍ କିଙ୍ଗ୍ ବୋଲାଉଥିବା ଅଜୟ ଦେବଗନ୍ ୧୯୯୧ରେ ଜଣେ ରୋମାଣ୍ଟିକ୍ ବୟ ଭାବେ ନିଜ ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିଲେ । ଏହାର ୧୧ ବର୍ଷ ପରେ ୨୦୦୨ରେ ରିଲିଜ୍ ହୋଇଥିଲା ‘ଦିବାନଗି’ । ଏଥିରେ ଅଜୟଙ୍କୁ ରୋମାଣ୍ଟିକ୍ ଅବତାରର ସମ୍ପୂର୍ଣ୍ଣ ବିପରୀତ ଭିଲିଆନ୍ ଭୂମିକାରେ ଦେଖିବାକୁ ମିଳିଥିଲା । ହିରୋ ଭଳି ଭିଲିଆନ୍ ଭୂମିକାରେ ମଧ୍ୟ ସେ ନିଜ ଅଭିନୟ ଦକ୍ଷତାର ପ୍ରମାଣ ଦେଇଥିଲେ ଏବଂ ଏହି ଭୂମିକା ପାଇଁ ତାଙ୍କୁ ‘ବେଷ୍ଟ୍ ଭିଲିଆନ୍’ ଭାବେ ଫିଲ୍ମଫେୟାର୍ ଆୱାର୍ଡ଼ ମିଳିଥିଲା । ଏବେ ପୁଣିଥରେ ଅଜୟ ଭିଲିଆନ୍ ଭୂମିକାରେ ଦର୍ଶକଙ୍କ ସାମନାକୁ ଆସିବେ ବୋଲି ଚର୍ଚ୍ଚା ହେଉଛି ।

ନିର୍ଦ୍ଦେଶକ ଅନିସ୍ ବଜମି ‘ଦିବାନଗି’ର ସିକ୍ୱେଲ୍ ନିର୍ମାଣ ପାଇଁ ମନସ୍ଥ କରିଛନ୍ତି । ଏ ସମ୍ପର୍କରେ ଅନିସ୍ କହିଛନ୍ତି ଯେ -’ ଅଜୟ ଓ ମୁଁ ଏହାର ସିକ୍ୱେଲ୍ ନିର୍ମାଣ କରିବାକୁ ଆଗ୍ରହୀ । ପୂର୍ବ ଭଳି ଏହାର କାହାଣୀ ମଧ୍ୟ ସ୍ଲିପ୍ଟ ପର୍ସନାଲିଟି ଉପରେ ଆଧାରିତ । କାରଣ ପ୍ରଥମ ଭାଗରେ କାହାଣୀ ସମ୍ପୂର୍ଣ୍ଣ ଶେଷ ହୋଇନଥିଲା । ତେଣୁ ବିଗତ କିଛି ବର୍ଷ ପରେ ଆଜିର ସମୟରେ କାହାଣୀର ନାୟକ ଆହୁରି କ୍ରୁର ହୋଇଯାଇଥିବା ଦର୍ଶକ ଦେଖିବାକୁ ପାଇବେ’ । ପ୍ରଥମ ଭାଗରେ ନଜର ଆସିଥିବା ଅକ୍ଷୟ ଖାନ୍ନା ଓ ଉର୍ମିଳା ମାତୋଙ୍ଗର୍ ମଧ୍ୟ ସିକ୍ୱେଲରେ ନଜର ଆସିପାରନ୍ତି । କିନ୍ତୁ ଏ ସମ୍ପର୍କିତ କୌଣସି ଫାଇନାଲ୍ ଖବର ମିଳିନାହିଁ ।

Leave a Reply

Your email address will not be published. Required fields are marked *