କମିକ୍ସ ରୂପରେ ଆସିବ ‘ତାନାଜୀ: ଦ ଅନସଙ୍ଗ୍ ୱାରିୟର୍’
ଆକ୍ସନ୍ କିଙ୍ଗ୍ ଅଜୟ ଦେବଗନଙ୍କ ଅପକମିଙ୍ଗ୍ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ୍ ୱାରିୟର୍’ର ନିର୍ମାତା କୁନି ଦର୍ଶକଙ୍କ ପାଇଁ ଶିଶୁ ଦିବସରେ ଏକ ବିଶେଷ ଘୋଷଣା କରିଛନ୍ତି । ଆଗାମୀ କିଛି ଦିନ ମଧ୍ୟରେ ଏହି ଫିଲ୍ମର କାହାଣୀ କମିକ୍ସ ଭାବେ ଶିଶୁଙ୍କ ପାଖରେ ପହଞ୍ଚି । ବି ଟାଉନର ଦକ୍ଷ ଅଭିନେତ୍ରୀ କଜୋଲ୍ ଇନଷ୍ଟାଗ୍ରାମରେ ଗୋଟିଏ ଭିଡିଓ ସେୟାର୍ କରି ଏହି ସୂଚନା ଦେବା ସହ କମିକ୍ସର କଭର୍ ପେଜର ଏକ ଫଟୋ ମଧ୍ୟ ସେୟାର୍ କରିଛନ୍ତି । ମିଡିଆ ସୂଚନା ଅନୁଯାୟୀ ଫିଲ୍ମର ନିର୍ମାତା ଅଜୟ ଓ ଟିସିରିଜ୍ କମ୍ପାନୀ ‘ଅମର ଚିତ୍ରକଥା’ ସଂସ୍ଥା ସହିତ ହାତ ମିଳାଇଛନ୍ତି ।
ସୂଚନାଯୋଗ୍ୟ ଏହା ୧୯୬୭ ମସିହାରେ ଅସ୍ତିତ୍ୱ ପ୍ରକାଶ କରିଥିଲା । ଆଜିପର୍ଯ୍ୟନ୍ତ ଏହି ସଂସ୍ଥା ପକ୍ଷରୁ ୨୦ଟି ଭାଷାରେ ୧୦୦ ମିଲିୟନରୁ ଊଦ୍ଧ୍ୱର୍ କମିକ୍ସ ବିକ୍ରି ହୋଇସାରିଛି । ‘ତାନାଜୀ: ଦ ଅନସଙ୍ଗ୍ ୱାରିୟର୍’ ପୂର୍ବରୁ ‘ବାହୁବଳୀ ୨’ ଏବଂ ଚିରଞ୍ଜିବୀ ଓ ବିଗ୍ ବିଙ୍କ ଅଭିନୀତ ‘ସାଇରା ନରସିଂହା ରେଡ୍ଡି’ ମଧ୍ୟ କମିକ୍ସ ତାଲିକାରେ ସାମିଲ୍ ହୋଇସାରିଛି । ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଟ୍ରେଲର୍ ଆସନ୍ତା ୧୯ ତାରିଖରେ ରିଲିଜ୍ କରାଯିବ । ଏହି ଫିଲ୍ମ ସହିତ ଅଜୟ ମନୋରଞ୍ଜନ ଦୁନିଆରେ ସେଞ୍ଚୁରୀ କରିବାକୁ ଯାଉଛନ୍ତି । ଅଜୟଙ୍କ ଅଭିନୀତ ୧୦୦ତମ ଫିଲ୍ମ ଭାବେ ‘ତାନାଜୀ: ଦ ଅନସଙ୍ଗ୍ ୱାରିୟର୍’ର କାହାଣୀ ୧୬୭୦ ମସିହାର ‘ସିଂହଗଡ଼’ ଯୁଦ୍ଧ ଉପରେ ଆଧାରିତ । ଅଜୟଙ୍କ ସହିତ ସୈଫ୍ ଅଲ୍ଲୀ ଖାନ୍ ମଧ୍ୟ ଏହି ଐତିହାସିକ ଫିଲ୍ମରେ ଉଦୟଭାନ୍ ଭୂମିକାରେ ନଜର ଆସିବେ ।