ଏୟାର ଇଣ୍ଡିଆ ବିମାନ ଅପହରଣ ଧମକ

ଭାରତୀୟ ବିମାନ ଅପହରଣ କରି ପାକିସ୍ତାନ ନିଆଯିବ ବୋଲି ଧମକ ଆସିବାରେ ବିମାନ କମ୍ପାନୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟ ହୋଇଛି। ପାକିସ୍ତାନୀ ଆତଙ୍କବାଦୀମାନେ ଏୟାର ଇଣ୍ଡିଆର ଏକ ବିମାନ ଅପହରଣ କରିପାରନ୍ତି ବୋଲି ଏକ ଧମକ ମିଳିବା ପରେ ଦେଶବ୍ୟାପୀ ଥିବା ବିଭିନ୍ନ ଏୟାରପୋର୍ଟରେ ସୁରକ୍ଷାବ୍ୟବସ୍ଥାକୁ କଡାକଡି କରାଯାଇଛି । ଏ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସତର୍କତା ଜାରି କରାଯାଇଛି । ପୂର୍ବରୁ କାନ୍ଦାହାର ଘଟଣା ଏବେବି ମନରୁ ଲିଭିନଥିବାବେଳେ ପୁଲ୍‌ୱାମା ଆକ୍ରମଣ ପରେ ଏଭଳି ଧମକକୁ ଗମ୍ଭୀରତାର ସହିତ ନେଇଛନ୍ତି ସରକାର।

ମୁମ୍ବାଇରେ ଏୟାରଲାଇନ୍ସର ଅଫିସକୁ ଏକ ଫୋନ କରି ଏହି ଧମକ ଦିଆଯାଇଛି । ଇଣ୍ଡିଆନ ଏୟାରଲାଇନ୍ସ (ଏୟାର ଇଣ୍ଡିଆର ପୂର୍ବତନ ଏକ ଶାଖା କମ୍ପାନି ଯାହାକି କେବଳ ଦେଶମଧ୍ୟରେ ସେବା ଯୋଗାଉଥିଲା )ର ଏକ ବିମାନକୁ ହାଇଜାକ କରି ପାକିସ୍ତାନ ନିଆଯିବ ବୋଲି କେହି ଜଣେ ଧମକ ଦେଇଛି । ପୁଲିସ ଏ ସଂପର୍କରେ ତଦନ୍ତ ଚଳାଇଥିବାବେଳେ ଏୟାରପୋର୍ଟଗୁଡ଼ିକର ସୁରକ୍ଷାକୁ ବଢାଇଦିଆଯାଇଛି । ସିଆଇଏସଏଫକୁ ସତର୍କ ରହିବାକୁ କୁହାଯାଇଛି । ବିମାନ ସେବା ପରିଚାଳନା ପାଇଁ ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକ୍ୟୁରିଟି ପକ୍ଷରୁ କେତେକ ସତର୍କତା ଗାଇଡଲାଇନ ଜାରି କରାଯାଇଛି । ବିମାନ ନିକଟକୁ ଯାଉଥିବା ବ୍ୟକ୍ତି, ଯାତ୍ରୀ, କାର୍ଗୋ ଗାଡି ଆଦିର ସବିଶେଷ ଯାଞ୍ଚ କରିବାକୁ କୁହାଯାଇଛି । ବିମାନବନ୍ଦରର ପ୍ରବେଶ ସ୍ଥାନରେ ଯାତ୍ରୀ, କର୍ମଚାରୀ, ବ୍ୟାଗ୍‌, କାର୍ଗୋ ଏବଂ କ୍ୟାଟରିଂ ଆଦି ମଧ୍ୟ ଯାଞ୍ଚ କରାଯିବ। କ୍ୱିକ୍‌ରିଆକ୍‌ସନ୍‌ଟିମ୍‌ନିୟୋଜିତ କରାଯିବା ସହିତ ପ୍ରାଥମିକ ସ୍ତରର ସୁରକ୍ଷା ମଧ୍ୟ କଡ଼ାକଡ଼ି ହେବ।

ଯଦିଓ ଏହା ମିଛ ଧମକ ହୋଇଥାଇପାରେ, ସୁରକ୍ଷା ସଂସ୍ଥା ଏସବୁକୁ ହାଲୁକାରେ ନିଅନ୍ତି ନାହିଁ ଏବଂ କୌଣସି ପ୍ରକାର ସୁଯୋଗ ଦିଆଯିବନି। ପୁଲ୍‌ୱାମା ଆକ୍ରମଣ ପରଠାରୁ ହିଁ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସ୍‌ଏଫ୍‌) ବିମାନ ବନ୍ଦରରେ ସୁରକ୍ଷା କଡ଼ାକଡ଼ି କରିଦେଇଥିଲା। ଏବେକାର ଧମକ ସୁରକ୍ଷାବଳୟକୁ ଆହୁରି ବଢ଼ାଇଦେଇଛି। ବିସିଏଏସ୍‌ପକ୍ଷରୁ ଜାରି କରାଯାଇଥିବା ଏକ ନୋଟ୍‌ରେ ଏୟାର ପୋର୍ଟ ସିକ୍ୟୁରିଟି ୟୁନିଟ୍‌, ଆଭିଏସନ୍‌ସିକ୍ୟୁରିଟି ଗ୍ରୁପ୍‌ଏବଂ ସମସ୍ତ ବିମାନ କର୍ତ୍ତୃପକ୍ଷଙ୍କ ପାଇଁ ୮ଟି ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *