ଇଟାଲୀରୁ ଫେରିଲେ ୨୬୩ ଛାତ୍ରଛାତ୍ରୀ
ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ତଥା କୋବିଡ୍-୧୯ ଆତଙ୍କରେ ବିଶ୍ଵ ଥରହର। ଏଭଳି ସ୍ଥିତିରେ ବିଦେଶରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଜାରି ରହିଛି। ନିଜ ନାଗରିକଙ୍କୁ ବିପଦରୁ ଉଦ୍ଧାର କରିବା ପାଇଁ ସରକାର ସମସ୍ତ ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଇଟାଲୀରେ ଫସିଥିବା ୨୬୩ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆଜି ଫେରାଇ ଅଣାଯାଇଛି।
ସୂଚନା ଅନୁସାରେ ଇଟାଲୀରେ କରୋନା ଆତଙ୍କ ମଧ୍ୟରେ ମଧ୍ୟରେ ଫସି ରହିଥିବା ୨୬୩ ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଭାରତ ଅଣାଯାଇଛି। ଏୟାର ଇଣ୍ଡିଆର ଏକ ସ୍ଵତନ୍ତ୍ର ବିମାନ ଯୋଗେ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇ ରବିବାର ଦିଲ୍ଲୀ ଫେରାଇ ଅଣାଯାଇଛି। ଇଟାଲୀରେ ଦିନକୁଦିନ କରୋନା ଭାଇରସ କାୟା ବିସ୍ତାର କରିଚାଲିଥିବାବେଳେ କେବଳ ଗୋଟିଏ ଦିନରେ ୭୯୩ ଲୋକଙ୍କ ମୃତ୍ୟୁ ହୋଇଛି।
ସମ୍ପ୍ରତି ସାରା ବିଶ୍ଵରେ କରୋନା ଭାଇରସ ସଂକ୍ରମଣ ଯୋଗୁଁ ୧୩ ହଜାରରୁ ଅଧିକ ପ୍ରାଣ ଚାଲିଗଲାଣି।