ଆଇଆଇଏଏମ୍ସିରେ ଆକାଶବାଣୀର ପ୍ରସାରକ ଅଖିଳ ମିତ୍ତଲ: ‘ରେଡି଼ଓର ରୂପ ବଦଳିଛି, ଲୋପ ପାଇନି’
ଢେଙ୍କାନାଳ: ଯେତେବେଳେ ଟେଲିଭିଜନ ଆସିଲା, ସମସ୍ତେ କହିଲେ ରେଡି଼ଓ ଲୋପ ପାଇଯିବ । କାରଣ ଟେଲିଭିଜନରେ ଶୁଣିବା ସହ ଚିତ୍ର ଦେଖିହେଲା । ଯାହା ରେଡି଼ଓରେ ଅସମ୍ଭବ । ହେଲେ ରେଡି଼ଓର ଭବିଷ୍ୟତକୁ ନେଇ ଯେଉଁ ଆଶଙ୍କା କରାଯାଉଥିଲା, ତାହା ଭୁଲ ପ୍ରମାଣିତ ହୋଇଛି । ରେଡି଼ଓ ଆଜି ବି ବଞ୍ଚିଛି, ଭବିଷ୍ୟତ ମଧ୍ୟ ଉଜ୍ଜ୍ୱଳ । -ଆକାଶବାଣୀ ଦିଲ୍ଲୀର ବିଶିଷ୍ଟ ପ୍ରସାରକ ଅଖିଲ ମିତ୍ତଲ ସ୍ଥାନୀୟ ଭାରତୀୟ ଜନ ସଂଚାର ସଂସ୍ଥାନରେ ରେଡି଼ଓ ସମ୍ପର୍କରେ ଏଭଳି ମତବ୍ୟକ୍ତ କରିଛନ୍ତି ।
‘ସମ୍ବାଦ ପାଇଁ ରେଡି଼ଓ ଏକ ମାଧ୍ୟମ’ ଶୀର୍ଷକରେ ସାମ୍ବାଦିକ ଛାତ୍ରଛାତ୍ରୀଙ୍କୁ ନିଜ ଅଭିଜ୍ଞତାରୁ ବହୁ ଉପାଦେୟ କଥା କହିଥିଲେ । ବିଦ୍ୟୁତ ନଥିଲେ ଟେଲିଭିଜନ ଚାଲିବ ନାହିଁ । ସେହିପରି ଟେଲିଭିଜନକୁ ଧରି କୌଣସି ସ୍ଥାନକୁ ଯାଇହେବ ନାହିଁ । ଏହି ଦୃଷ୍ଟିରୁ ରେଡି଼ଓ ଅପ୍ରତିଦ୍ୱନ୍ଦ୍ୱୀ ମାଧ୍ୟମ । ବିଦ୍ୟୁତ ନ ଥିଲେ ବି ଚାଲିପାରିବ । ପୁଣି କେହି କୌଣସି ସ୍ଥାନକୁ ମଧ୍ୟ ନେଇପାରିବେ । କୌଣସି କାମ କରିବା ସମୟରେ ଟେଲିଭିଜନ ଦେଖିବା ସମ୍ଭବ ନୁହଁ, ହେଲେ ରେଡ଼ିଓ ଶୁଣିବାରେ କୌଣସି ଅସୁବିଧା ନାହିଁ । ଏବେ ଗାଡି଼ମୋଟର ଯିବାଆସିବା ବେଳେ ଲୋକମାନେ ଏଫ୍ଏମ୍ ରେଡି଼ଓ ଶୁଣୁଛନ୍ତି । ବହୁ ଲୋକ ମୋବାଇଲ ଜରିଆରେ ରେଡି଼ଓ ଶୁଣୁଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ବେଳେ ତ ଖବର ପାଇବା ପାଇଁ ରେଡି଼ଓ ଉପରେ ସମସ୍ତେ ନିର୍ଭରଶୀଳ । ହେଲେ ପୂର୍ବର ରେଡି଼ଓ ଯନ୍ତ୍ରଟି ଏବେ କ୍ଷଦ୍ର ଆକାର ନେଇଛି । ମୋବାଇଲରେ ମଧ୍ୟ ବାଜିପାରୁଛି । ଏହି ରୂପଗତ ପରିବର୍ତ୍ତନ ହୋଇଥିଲେ ହେଁ ଆଲୋଚନା ପାଇଁ ରେଡି଼ଓ ଏକ ସୁନ୍ଦର ମାଧ୍ୟମ ବୋଲି କହିଛନ୍ତି ଶ୍ରୀ ମିତ୍ତଲ ।

କାର୍ଯ୍ୟକ୍ରମରେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ. ମୃଣାଳ ଚାଟାର୍ଜୀ ଅଧ୍ୟକ୍ଷତା କରି କହିଥିଲେ, ଦିନ ଥିଲା ରେଡି଼ଓ ସମସ୍ତଙ୍କର ପ୍ରିୟ ଥିଲା । ୭୦ରୁ ୮୦ ଦଶକ ରେଡ଼ିଓ ପାଇଁ ଥିଲା ସୁବର୍ଣ୍ଣ ସମୟ । ଲୋକମାନେ ରେଡି଼ଓରୁ ହିଁ ଦେଶର ବଡ଼ ବଡ଼ ଖବର ଜାଣିବାକୁ ପାଉଥିଲେ । ହେଲେ ଆଜି ବି ରେଡି଼ଓ ଗୁରୁତ୍ୱ ହରାଇନାହିଁ । ଇଣ୍ଟରନେଟ ଜରିଆରେ ଏକ ନୂଆ ରୂପରେ ରେଡି଼ଓ ପରିପ୍ରକାଶ ହେଉଥିବାବେଳେ ଗଣମାଧ୍ୟମ ଦୁନିଆଁରେ ତାର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି ବୋଲି ଡ. ଚାଟାର୍ଜୀ କହିଥିଲେ । କାର୍ଯ୍ୟକ୍ରମରେ ସାମ୍ବାଦିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ରେଡି଼ଓ ଜରିଆରେ ଖବର ପଠନ, ସାକ୍ଷାତକାର, ଧାରାବିବରଣୀ ସମ୍ପର୍କରେ ପ୍ରଶ୍ନ ପଚାରି ବୁଝିଥିଲେ ।