#କରୋନାରେ ମୃତ୍ୟୁ: ଦେଶରେ କାହିଁକି ବଢ଼ୁଛି ସଂଖ୍ୟା?
ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ସଂକ୍ରମଣରେ ଭାରତରେ ମୃତ୍ୟୁ ସଂଖ୍ୟା ସାଢ଼େ ୭୦୦ ଛୁଇଁଲାଣି। କେନ୍ଦ୍ର ସରକାରଙ୍କ କହିବା ଅନୁସାରେ କରୋନା ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯାଉଥିବା ଚିକିତ୍ସା ସେବା ମଧ୍ୟ ମାସକ ମଧ୍ୟରେ ସାଢ଼େ ୩ ଗୁଣା ବୃଦ୍ଧି ହୋଇଛି। ତେବେ କାହିଁକି ବଢୁଛି ସଂକ୍ରମଣ ଆଉ ସଂକ୍ରମିତ ସଂଖ୍ୟା? ଗୋଟିଏ ପରେ ଗୋଟିଏ ଜୀବନ ଯାଉଛି କାହିଁକି? ଏଭଳି ପ୍ରଶ୍ନ ସାଧାରଣରେ ଉଠୁଛି। କିନ୍ତୁ ଏଥିପାଇଁ ଆମେ ସମସ୍ତେ ଊଣାଅଧିକେ ପରୋକ୍ଷ ବା ପ୍ରତ୍ୟେକ୍ଷ ଦାୟୀ ବୋଲି କୁହାଯାଉଛି। ତେବେ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଏନେଇ ବିଶେଷ ମତ ଦେଇଛନ୍ତି।
ଡାକ୍ତର ଗୁଲେରିଆଙ୍କ କହିବା ହେଲା ଉଭୟ ଆକ୍ରାନ୍ତ ଓ ତାଙ୍କ ପରିବାର ସଦସ୍ୟଙ୍କ ଭିତରେ କରୋନାକୁ ନେଇ ରହିଥିବା ଭ୍ରାନ୍ତ ଧାରଣା ଏଥିପାଇଁ ଦାୟୀ।
ରୋଗୀ ବିଳମ୍ବରେ ହସ୍ପିଟାଲ ଆସୁଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଜଟିଳ ହୋଇପଡୁଛି। ଶ୍ୱାସକ୍ରିୟା ଜନିତ ଗମ୍ଭୀର ସମସ୍ୟା କାରଣରୁ ଅନେକ ସମୟରେ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି। କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ କେବଳ ସାମାନ୍ୟ ସ୍ୱାସ୍ଥ୍ୟସେବାରେ ଠିକ୍ ହୋଇପାରିବେ। କେବଳ ୨୦ ପ୍ରତିଶତଙ୍କୁ ଅଧିକ ଯତ୍ନର ଆବଶ୍ୟକ ରହିଥିବାବେଳେ ମାତ୍ର ୫ ପ୍ରତିଶତ ହିଁ ଭେଣ୍ଟିଲେଟର ଆବଶ୍ୟକ କରିଥାନ୍ତି। ତେଣୁ ୯୦ରୁ ୯୫ ପ୍ରତିଶତ କରୋନା ଆକ୍ରାନ୍ତ ଚିକିତ୍ସା ପରେ ଠିକ୍ ହୋଇପାରୁଥିବାବେଳେ ଏହାକୁ ନେଇ ରହିଥିବା ଭ୍ରାନ୍ତ ଧାରଣା ଯୋଗୁଁ ହିଁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ବୋଲି ଡାକ୍ତର ଗୁଲେରିଆ ମତ ଦେଇଛନ୍ତି।