‘ଭୁଲ୍ ଭୁଲେୟା ୨’ରୁ ଆଉଟ୍ ହେଲେ ଅକି!

୨୦୦୭ରେ ରିଲିଜ୍ ହୋଇଥିବା ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶିତ ହରର୍ କମେଡ଼ି ‘ଭୁଲ୍ ଭୁଲେୟା’ କୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଅକ୍ଷୟ କୁମାର, ବିଦ୍ୟା ବାଲାନ୍ ଓ ସାଇନି ଆହୁଜାଙ୍କ ଅଭିନୀତ ଏହି ଫିଲ୍ମ ବକ୍ସ ଅଫିସରେ ଧମାଲ୍ କରିଥିଲା । ଗତ ମାସରେ ଏହାର ଦ୍ୱିତୀୟ ସଂସ୍କରଣ ପ୍ରସ୍ତୁତ କରାଯିବ ବୋଲି ଘୋଷଣା କରାଯାଇଥିଲା, ଯାହାର ନିର୍ଦ୍ଦେଶନା ଦେବେ ଫରଦାହ୍ ସମଝି । ବର୍ତ୍ତମାନ ସେ ‘ହାଉସଫୁଲ୍ ୪’ର ନିର୍ଦ୍ଦେଶନାରେ ବ୍ୟସ୍ତ ଅଛନ୍ତି । ଫିଲ୍ମର ନିର୍ମାତା ଭୂଷଣ କୁମାରଙ୍କ ପକ୍ଷରୁ ଏହାର ଷ୍ଟାରକାଷ୍ଟ୍ ସମ୍ପର୍କିତ କିଛି ସୂଚନା ମିଳିଛି । ‘ଭୁଲ୍ ଭୁଲେୟା’ ପାର୍ଟ୨ରେ ଖିଲାଡ଼ି କୁମାରଙ୍କ ବଦଳରେ ରାଜକୁମାର ରାଓ, ବିକି କୌଶଲ କିମ୍ବା ଆୟୁଷ୍ମାନ୍ ଖୁରାନାଙ୍କ ଭଳି ରାଇଜିଙ୍ଗ୍ ଷ୍ଟାରଙ୍କୁ ସାଇନ୍ କରାଯାଇପାରେ ।

କାହାଣୀ ରଚନା ପ୍ରାୟ ଶେଷ ହୋଇ ସାରିଲାଣି । ତେଣୁ ଫିଲ୍ମଟିମ୍ ଷ୍ଟାରକାଷ୍ଟ୍ କାମ ଆରମ୍ଭ କରିବେ । ଗତ କିଛିଦିନ ତଳେ ଅକି ଓ ଭୂଷଣ କୁମାରଙ୍କ ମଧ୍ୟରେ କିଛି ତିକ୍ତତା ଆସିଥିବାର ଖବର ଶୁଣିବାକୁ ମିଳିଥିଲା । ଏହି କାରଣ ପାଇଁ ଅକିଙ୍କ ସ୍ଥାନରେ ମୁଖ୍ୟତଃ ଏହି ୩ଜଣ ଅଭିନେତାଙ୍କୁ ଆପ୍ରୋଚ୍ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଆଗାମୀ ଦିନରେ କେଉଁ ଅଭିନେତାଙ୍କୁ ଫାଇନାଲ୍ ସାଇନ୍ କରାଯିବ ତାହା କେବଳ ସମୟ ହିଁ କହିବ ।

Leave a Reply

Your email address will not be published.