ଏଣିକି ୧୦ଟାରୁ ୪ଟା ମିଳିବ ‘ଆହାର’

ଭୁବନେଶ୍ଵର (ଓଟି): ସମ୍ପ୍ରତି ଚାରିଆଡ଼େ କରୋନା ଭୂତାଣୁ ଆତଙ୍କ। ଏଥିପାଇଁ ରାଜ୍ୟ ସରକାର କଡ଼ା କଟକଣା ସବୁ ଲାଗୁ କରିଛନ୍ତି। ଏଥିସହ ସତର୍କ ଓ ସଚେତନତା କରାଉଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର ଆହାର କେନ୍ଦ୍ର ଗୁଡ଼ିକ ପାଇଁ ନୂଆ ନିଷ୍ପତ୍ତି ନିଆଯାଇଛି। ଗହଳି ଅଧିକ ନହେବାକୁ ବା ଭିଡ଼ କମାଇବା ଉଦ୍ଦେଶ୍ୟରେ ଆହାର କେନ୍ଦ୍ର ପୂର୍ବାହ୍ଣ ୧୦ଟାରୁ ୪ଟା ଯାଏଁ ଖୋଲା ରହିବ ବୋଲି ସରକାରୀ ଭାବେ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଏ କ୍ଷେତ୍ରରେ କେତେକ ପରାମର୍ଶ ମାନିବାକୁ ହେବ।

 ସୂଚନା ଅନୁସାରେ ରାଜ୍ୟର ସବୁ ଆହାର କେନ୍ଦ୍ର ୬ଘଣ୍ଟା ଖୋଲା ରହିବ ବୋଲି ଗୃହ ଏବଂ ନଗର ଉନ୍ନୟନ ବିଭାଗ ସଚିବ ସୂଚନା ଦେଇଛନ୍ତି। ସେଥିପାଇଁ ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି ।

ଗାଇଡ୍‌ ଲାଇନ୍‌ କଣ?

  • ଆହାର କେନ୍ଦ୍ରରେ ଅନାବଶ୍ୟକ ଭିଡ଼ ହେବାକୁ ଦିଆଯିବନି।
  • ଆହାର କେନ୍ଦ୍ରରେ ଲୋକେ ପରସ୍ପରଠାରୁ ଦେଢ଼ ମିଟର ଦୂରତାରେ ଧାଡ଼ିରେ ଠିଆ ହୁଅନ୍ତୁ।
  • କେନ୍ଦ୍ରରେ ଶୃଙ୍ଖଳା ଲାଗି ପୁଲିସର ସହାୟତା ନିଆଯିବ।
  • କେନ୍ଦ୍ର ବାହାର ପ୍ରବେଶ ପଥରେ ହାତ ଧୋଇବା ଲାଗି ସାବୁନ ବା ଲିକ୍ଵିଡ୍‌ ସାନିଟାଇଜର୍‌ ରଖାଯିବ।
  • ଧାଡ଼ିରେ ଠିଆ ହେବା ଆଗରୁ ଲୋକେ ନିଜ ହାତ ଭଲକରି ଧୋଇବେ।
  • ଆବଶ୍ୟକ ହେଲେ ଖାଦ୍ୟ ପ୍ଲେଟ୍ ଧରି ଲୋକେ କେନ୍ଦ୍ର ବାହାରକୁ ଯାଇପାରିବେ।
  • ଖାଦ୍ୟ ଟୋକନ୍ ନେବା ଲାଗି ଲୋକେ ହାତକୁ ଟଙ୍କା ନଦେଇ ବାକ୍ସରେ ଟଙ୍କା ପକାଇବେ।
  • ଡଷ୍ଟବିନ୍ ରହିବ କେନ୍ଦ୍ର ବାହାରେ।
  • କେନ୍ଦ୍ର ବାହାରେ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରାଯିବ।
  • କେନ୍ଦ୍ରକୁ ପରିଷ୍କାର ପରିଚ୍ଛନ୍ନ ପାଇଁ ନିୟମିତ ଭାବେ କୀଟାଣୁନାଶକ ବ୍ୟବହାର କରାଯିବ।

ଆହାର କେନ୍ଦ୍ର କର୍ମଚାରୀ ମଧ୍ୟ ଗାଇଡଲାଇନ ସମ୍ପର୍କରେ ଖୁବ୍‌ ସତର୍କ ଓ ସଚେତନ ରହିବା ଆବଶ୍ୟକ ବୋଲି ସ୍ପଷ୍ଟ କରାଯାଇଛି। ତେଣୁ ସାଧାରଣରେ ସମସ୍ତେ ଏଥିପ୍ରତି ଧ୍ୟାନ ଦେଇ ଆହାର କେନ୍ଦ୍ରରେ ଶୃଙ୍ଖଳା ମାନିବାକୁ ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *