କୃଷିଋଣ ଛାଡ଼ ବେନାହିଁ : ଅର୍ଥମନ୍ତ୍ରୀ

ଭୁବନେଶ୍ୱର,(ଓଟି): ଓଡ଼ିଶାର ଚାଷୀମାନଙ୍କର କୃଷି ଋଣ ଛାଡ଼ କରାଯିବନାହିଁ। ଏଭଳି ରୋକଠୋକ ନିଷ୍ପତ୍ତି ଶୁଣାଇଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା। କାଳିଆ ଯୋଜନା ପରେ ଏହି ପ୍ରସ୍ତାବ ସମ୍ପୂର୍ଣ୍ଣ ମଉଳି ଯାଇଛି ବୋଲି ଅର୍ଥମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି। କାଳିଆ ଯୋଜନା ଘୋଷଣା ହେବା ପରେ ଚାଷୀ ଆଶା ରଖିଥିଲେ ଯେ, ସରକାରଙ୍କ ମନ ପରିବର୍ତ୍ତନ ହେବ ଓ ସେମାନଙ୍କୁ ଋଣ ଛାଡ଼ ସୁଯୋଗ ମିଳିବ। କିନ୍ତୁ ରାଜ୍ୟ ଅର୍ଥମନ୍ତ୍ରୀଙ୍କ ମନ୍ତବ୍ୟ କୃଷିଋଣ ଛାଡ଼ ନେଇ ଆଶା ବାନ୍ଧିଥିବା ସମସ୍ତ ଚାଷୀଙ୍କୁ ନିରାଶ କରିଛି।

ଦେଶର ତିନିଟି ହିନ୍ଦିଭାଷୀ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିବାର ଦୁଇ ଦିନ ମଧ୍ୟରେ କୃଷି ଋଣଛାଡ କରାଯାଇଥିଲା। ଏହା ପରେ ଆଞ୍ଚଳିକ ଦଳ ବିଜେଡ଼ି ଉପରେ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପିଙ୍କ ସମେତ ଚାଷୀ ସଙ୍ଗଠନ ଓଡ଼ିଶାରେ କୃଷି ଋଣ ଛାଡ଼ କରିବା ନେଇ ଚାପ ପକାଇଥିଲେ। ମାତ୍ର କୃଷିଋଣ ଛାଡ଼ କରିବା ପରିବର୍ତ୍ତେ ରାଜ୍ୟ ସରକାର ଚାଷୀଙ୍କ ଆର୍ଥିକ ସହାୟତା ପାଇଁ କାଳିଆ ଯୋଜନା ଆରମ୍ଭ କରିଥିଲେ। ଏହାକୁ କ୍ୟାବିନେଟ୍ ମଞ୍ଜୁରି ଦିଆଯିବା ପରେ ରାଜ୍ୟରେ କୃଷିଋଣ ଛାଡ଼ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଥିଲା। ତେବେ କୃଷି ଋଣ ଛାଡ଼ ନେଇ ଆଜି ରାଜ୍ୟ ସରକାର ମତ ସମ୍ପୂର୍ଣ୍ଣ ରୂପେ ମତ ସ୍ପଷ୍ଟ କରିଛନ୍ତି।

ମନ୍ତ୍ରୀ ଶ୍ରୀ ବେହେରା ଆଜି ଗଣମାଧ୍ୟମକୁ କହିଛନ୍ତି ଯେ, କୃଷିଋଣ ଛାଡ଼ ନେଇ ରାଜ୍ୟ ସରକାରଙ୍କ ମତ ଅତ୍ୟନ୍ତ ସ୍ପଷ୍ଟ। ଚାଷୀମାନଙ୍କୁ ଋଣ ଛାଡ଼ ନୁହେଁ, କୃଷି ସହାୟତା ଦରକାର। ସରକାର ଯଦି କୃଷି ଋଣ ଛାଡ଼ କରିବେ ତେବେ ମାତ୍ର ୮ ପ୍ରତିଶତ କୃଷକ ସହାୟତା ପାଇବେ। ଏ କ୍ଷେତ୍ରରେ ରାଜ୍ୟର ସବୁ କୃଷକମାନଙ୍କ ହିତ ଦୃଷ୍ଟିରୁ ସେମାନଙ୍କୁ ସହାୟତା କରିବା ପାଇଁ ଓ ଆଥିର୍କମାନଦଣ୍ଡ ବଢ଼ାଇବା ପାଇଁ ପଦକ୍ଷେପ ନିଆଯାଇଛି।

କାଳିଆ ଯୋଜନାରେ ଚାଷୀମାନଙ୍କୁ ସବୁ ପ୍ରକାର ସହାୟତା ମିଳିପାରିବ। ସବୁ ପ୍ରକାର ଚାଷୀ ଏହି ଯୋଜନାରେ ଉପକୃତ ହୋଇପାରିବେ। ଚାଷ କରିବା ପାଇଁ ଆର୍ଥିକ ସହାୟତାର ମଧ୍ୟ ବ୍ୟବସ୍ଥା କରାଯାଇଛି। ବିନା ସୁଧରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ବ୍ୟବସ୍ଥା ହୋଇଛି । ଚାଷୀଙ୍କ ପାଇଁ ବିମା ସୁବିଧା ମଧ୍ୟ କରାଯାଇଛି। ଖାଲି କୃଷିଋଣ ଛାଡ଼କଲେ ସମସ୍ୟାର ସମାଧାନ ହେବ ନାହିଁ ବୋଲି ସେ କହିଛନ୍ତି। ସେମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ସରକାର ଉଦ୍ୟମ କରିଛନ୍ତି ବୋଲି ଅର୍ଥମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି।

କିନ୍ତୁ କଂଗ୍ରେସ ଓ ବିଜେପି କୃଷି ଋଣ ଛାଡ଼ ସପକ୍ଷରେ ଅଛନ୍ତି। ସରକାର ଚାଷୀଙ୍କ ଋଣ ଛାଡ଼ କରିବା ପାଇଁ ସେମାନେ ଦାବି କରୁଛନ୍ତି। ଏପରି କି ଉଭୟ ଦଳ କ୍ଷମତାକୁ ଆସିଲେ ଋଣ ଛାଡ଼ କରିବେ ବୋଲି ଏବେଠାରୁ ଘୋଷଣା କରିସାରିଲେଣି। ଚାଷୀଙ୍କୁ କିଏ କିଭଳି ଭାବରେ ପ୍ରଭାବିତ କରିବ ସେଥିନେଇ ମଧ୍ୟ ବିରୋଧୀଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି।

ଅଧିକ ଖବର ପାଇଁ କ୍ଲିକ୍ କରନ୍ତୁ :

Leave a Reply

Your email address will not be published. Required fields are marked *