ବଦଳିଲା ଠିକଣା: ଆଚାର୍ଯ୍ୟ ବିହାରରୁ ଏଜି ଛକ ହେଲା ଲୋକସେବା ମାର୍ଗ, ଅଭିମନ୍ୟୁଙ୍କୁ ଅଣଦେଖା
ଭୁବନେଶ୍ଵର, (ଓଟି): ରାଜ୍ୟ ସଚିବାଳୟର ନାମ ବଦଳିଲା ପରେ ରାଜ୍ୟ ସରକାର ଏବେ ଆଚାର୍ଯ୍ୟ ବିହାରରୁ ଏଜି ଛକ ଯାଏ ରାସ୍ତାର ନାମକରଣ ବଦଳାଇଛନ୍ତି। ୫ ଡିସେମ୍ବରରେ ପ୍ରକାଶିତ ଏକ ବିଜ୍ଞପ୍ତିରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଏହି ମାର୍ରଗ ନାମକୁ ଲୋକସେବା ମାର୍ଥ ଭାବେ ନାମିତ କରିଛନ୍ତି। ଏହା ସହ ପୂର୍ବରୁ ଏହି ମାର୍ଗର ନାଁ ଯାହା ବି ଥାଉ ନା କାହିଁକି ତାହାକୁ ରଦ୍ଦ କରିବାକୁ ବିଜ୍ଞପ୍ତି ଜାରି କରିଛନ୍ତି। ଏ ଭିତରେ କିନ୍ତୁ ରାଜ୍ୟ ସରକାର ବହୁତ ଦିନର ଏକ ଦାବିକୁ ଅଣଦେଖଶ କରିଥିବା ଜଣାପଡ଼ିଛି।
ଏହା ସହ ରାଜ୍ୟ ସଚିବାଳୟର ନାମକୁ ମଧ୍ୟ ଲୋକସେବା ଭବନରେ ପରିଣତ କରାଯାଇଥିବା ନେଇ ଏହି ବିଜ୍ଞପ୍ତିରେ କୁହାଯାଇଛି। ଏହା ପୂର୍ବରୁ ଜୁଲାଇ ୩୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସଚିବାଳୟର ନାଁକୁ ବଦଳାଇ ଲୋକସେବା ଭବନ କରାଯାଇଥିବା ପ୍ରକାଶ କରିଥିଲେ। ଏହା ସହ ସଚିବାଳୟର ନାମ ଫଳକକୁ ମଧ୍ୟ ବଦଳାଯାଇ ଲୋକସେବା ଭବନ ଭାବେ ପ୍ରକାଶ କରାଯାଇଛି।
ରାଜ୍ୟ ସରକାରଙ୍କ ଏହି ନାମକରଣରେ କିନ୍ତୁ ବହୁଦିନର ଦାବି ଚାପି ହୋଇ ଯାଇଛି। ସତ୍ୟ ନଗର ଚର୍ଚ ଛକରୁ ବିଗ୍ବଜାର ମାର୍ଗକୁ ପୂର୍ବରୁ ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ନାମରେ ନାମିତ ଥିବାବେଳେ ହଠାତ୍ ରାତା ରାତି ତାହାକୁ ମଦର ତେରେସାଙ୍କ ନାମରେ ନାମକରଣ କରାଯିବା ପ୍ରସଙ୍ଗକୁ ବୁଦ୍ଧିଜୀବୀମାନେ ବିରୋଧ କରିଥିଲେ ମଧ୍ୟ ସେଥିପ୍ରତି ସରକାର ଧ୍ୟାନ ଦେଇ ନାହାନ୍ତି। ଫଳରେ ଓଡ଼ିଆ ଭାଷାର ସୁଯୋଗ ଦାୟାଦ ବିଦଗ୍ଧ ଚିନ୍ତାମଣି ଅଭିମନ୍ୟୁଙ୍କ ପ୍ରତି ଏହା ଏକ ଅପମାନ ବୋଲି ଚର୍ଚା ହୋଇଛି।
