ଓଡ଼ିଶା ପରେ ପଞ୍ଜାବ ଓ ରାଜସ୍ଥାନରେ #LockDown

ଭୁବନେଶ୍ଵର, (ଓଟି): କୋଭିଡ୍‌୧୯ କରୋନା ଭୁତାଣୁର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶାସନର ଦୃଢ଼ ପଦକ୍ଷେପ ଅନ୍ୟ ରାଜ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଛି। ମୁଖ୍ୟମନ୍ତ୍ରୀ ଶନିବାରଦିନ ଓଡ଼ିଶାର ସଂକ୍ରମଣ ସମ୍ବେଦନଶୀଳ ୫ ଜିଲ୍ଲା ଓ ୮ ଗୁରୁତ୍ଵପୂଣ୍ଣ ସହରରେ #lockdown ଘୋଷଣାକରିଥିଲେ।  ଆଜି ରାଜସ୍ଥାନ ଓ ପଞ୍ଚାବ ସରକାର ରାଜ୍ୟରେ ସମ୍ପୂଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। 

ପଞ୍ଜାବରେ ଏଯାଏ ୧୪ ଜଣ ସନ୍ଦିଗ୍ଧ ସଂକ୍ରମିତଙ୍କ ଦେହରେ କୋଭିଡ୍‌୧୯ ଭୁତାଣୁ ଚିହ୍ନଟ କରାଯାଇଛି। ଏଣୁ ଭୁତାଣୁ ସଂକ୍ରମଣର ଭୟାବହତାକୁ ଦେଖି ସମ୍ପୂଣ୍ଣ ରାଜ୍ୟରେ ଲକ୍‌ଡାଉନ୍‌ ଆଦେଶ ଜାରି କରାଯାଇଛି। ଜନସାଧାରଣଙ୍କୁ ଘରେ ନିରାପଦରେ ରହିବାକୁ ଅନୁରୋଧ କରାଯାଇଛି। 

ଠିକ୍‌ ସେହିପରି ରାଜସ୍ଥାନରେ ଅଶୋକ ଗେହଲଟ୍‌ଙ୍କ ସରକାର ମଧ୍ୟ ରବିବାର ଲକ୍‌ଡାଉନ୍‌ ଆଦେଶ ଦେଇଛନ୍ତି। ସାରା ରାଜ୍ୟରେ ଏହି ଆଦେଶ କାର୍ଯ୍ୟକାରୀ ହେବ। ଦେଶରେ ସଂକ୍ରମଣର ଭୟାବହତାକୁ ଆଶଙ୍କା କରି ବିଶ୍ଵ ସ୍ଵାସ୍ଥ୍ୟସଂଗଠନର ନିୟମାବଳୀକୁ ଅନୁଧ୍ୟନ କରି ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯେହେତୁ କୌଣସି ନିର୍ଦ୍ଧାରିତ ଓଷଧ ବା ଟୀକା ଏଥିନେଇ ଆବିଷ୍କାର କରାଯାଇ ନାହିଁ, ଏଣୁ ନିଜକୁ ସୁରକ୍ଷିତ କରିବା ଲାଗି ନାଗରିକଙ୍କୁ ଘର ଭିତରେ ନିରାପଦ ରହିବାକୁ ଅନୁରୋଧ କରାଯାଇଛି। 

ଏହା ପୂର୍ବରୁ ମହାରାଷ୍ଟ୍ର, ଗୋଆ, ପଶ୍ଚିମବଙ୍ଗ, ବିହାର ମିଜୋରାମ ପ୍ରଭୃତି ରାଜ୍ୟ ୨୨ ତାରିଖରୁ ନିଜ ସୀମା ସିଲ୍‌ କରିଛନ୍ତି। ବାହାର ରାଜ୍ୟର କୌଣସି ଯାନବାହାନକୁ ରାଜ୍ୟ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉ ନାହିଁ। ଏହିସବୁ ରାଜ୍ୟରୁ ମଧ୍ୟ କୌଣସି ଯାନବାହାନକୁ ପ୍ରସ୍ଥାନ ପାଇଁ ଅନୁମତି ନାହିଁ। 

ଓଡ଼ିଶା ସରକାର ଦୁଇଜଣ ସଂକ୍ରମିତଙ୍କ ଦେହରେ କରୋନା ଭୁତାଣୁ ଚିହ୍ନଟ କରିବା ପରେ ପ୍ରଥମ କରି ଦୃଢ଼ ପଦକ୍ଷେପ ଗ୍ରହଣ କରିଥିଲେ।  ଶନିବାର ଜାରି ଆଦେଶ ଅନୁସାରେ ଆଜିଠାରୁ ୭ ଦିନ ଯାଏ ଅର୍ଥାତ୍‌ ୨୯ ମାର୍ଚ ଯାଏ ରାଜ୍ୟର ୫ ଜିଲ୍ଲାରେ ଲକ୍‌ଡାଉନ୍‌ ଆଦେଶ ଦିଆଯାଇଚି। ପୁଲିସ ପ୍ରଶାସନ ପକ୍ଷରୁ ଏହି ଆଦେଶକୁ ପାଳନ କରାଯାଉଛି। କୌଣସି ଅଞ୍ଚଳରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ଗାଡ଼ିମୋଟର ଚଳାଚଳକୁ ଅନୁମତି ଦିଆଯାଉ ନାହିଁ। ସେହିପରି ରାଜ୍ୟର ବିଭିନ୍ନ ଦୋକାନବଜାର, ଶପିଂ ମଲ୍‌କୁ ବନ୍ଦ କରାଯାଇଛି। କେବଳ ପନିପରିବା, ଔଷଧ, ରେଷ୍ଟୁରାଣ୍ଟରେ ହୋମ୍‌ ଡେଲିଭରୀ ପାଇଁ ଅନୁମତି ରହିଛି। 

Leave a Reply

Your email address will not be published.