ତାଲିବାନ ଦେବ କି ଶାନ୍ତି, ମହିଳାଙ୍କୁ ମିଳିବ କି ମୁକ୍ତି?

ନୂଆଦିଲ୍ଲୀ (ଓଟି): କାତାର ରାଜଧାନୀ ଦୋହାରେ ଆମେରିକା ଓ ତାଲିବାନ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷର ହୋଇଯାଇଛି। ଆମେରିକା ଓ ତା’ର ସହଯୋଗୀ ଦେଶଗୁଡ଼ିକର ସୈନିକମାନେ ଆଫଗାନିସ୍ତାନରୁ ପ୍ରତ୍ୟାହୃତ ହେବେ। ଚୁକ୍ତି ଅନୁସାରେ ଚରମପନ୍ଥୀମାନେ ନିଜ ଅଞ୍ଚଳକୁ ଅଲ୍‌-କାଏଦା ଅଥବା ଅନ୍ୟ କୌଣସି ଆତଙ୍କବାଦୀ ସଙ୍ଗଠନକୁ ଆସିବାକୁ ଦେବେ ନାହିଁ। ସେହିପରି ଆମେରିକା ସୈନ୍ୟ ଆସନ୍ତା ୧୪ ମାସ ମଧ୍ୟରେ ଆଫଗାନିସ୍ତାନ ଛାଡ଼ିବେ ବୋଲି ମିଳିତ ଘୋଷଣା କରାଯାଇଛି। ଫଳରେ ଆଫଗାନିସ୍ତାନରେ ଦୀର୍ଘ ୧୮ ବର୍ଷ ସଂଘର୍ଷର ଅବସାନ ଘଟିବ ବୋଲି ଅଶା କରାଯାଉଛି। ତେବେ ସତରେ କଣ ତାଲିବାନ ମାନସିକତାରେ ପରିବର୍ତ୍ତନ ଘଟିଛି? ଏଭଳି ଆଶଙ୍କା ଦେଖାଦେଇଛି ବିଶ୍ଵର ବିଭିନ୍ନ ଦେଶରେ। ଏପରିକି ଆଫଗାନ୍‌ର ମହିଳାମାନେ ମଧ୍ୟ ଦ୍ଵନ୍ଦ୍ଵ ତଥା ଆଶଙ୍କାରେ ପଡ଼ି ଭୟଭୀତ ହୋଇଥିବା ସୂଚନା ମିଳିଛି।

କଣ ଥିଲା ତାଲିବାନ ଶାସନ?

ମହିଳାଙ୍କୁ ଶିକ୍ଷା କିମ୍ବା କୌଣସି କାମରେ ନିୟୋଜିତ ହେବାକୁ ଦିଆଯାଉନଥିଲା। ମହିଳାମାନେ ଏକପ୍ରକାର ପରାଧୀନ ଜୀବନ ବିତାଉଥିଲେ। ଦୀର୍ଘ ୫ବର୍ଷ ଧରି ତାଲିବାନ ଶାସନରେ ମହିଳାମାନେ ତ୍ରାହି ତ୍ରାହି ଡାକୁଥିଲେ। ଶିରିଆ ଆଇନ ଅନୁଯାୟୀ ମହିଳାମାନଙ୍କୁ କଏଦୀ ଭଳି ରଖାଯାଉଥିଲା। ତେବେ ୨୦୦୧ରେ ଆମେରିକା ସେନା ନିୟୋଜିତ ହେବା ପରେ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆସିଥିଲା। ସମ୍ପ୍ରତି ସେମାନେ ବିଭିନ୍ନ ବୃତ୍ତିଗତପେଶାରେ ନିୟୋଜିତ ଥିବାବେଳେ ତାଲିବାନ କ୍ଷମତାକୁ ଫେରି ପୂର୍ବ ଭଳି ସ୍ଵେଚ୍ଛାଚାର ଶାସନ କଲେ ସେମାନଙ୍କ ଜୀବନ ନଷ୍ଟ ହୋଇଯିବ ବୋଲି ମହିଳାମାନେ ଆତଙ୍କିତ ହୋଇପଡ଼ିଛନ୍ତି।

ଦୃଶ୍ୟପଟ୍ଟ

ଆଫଗାନିସ୍ତାନରେ ଆମେରିକା ଓ ସହଯୋଗୀ ମେଣ୍ଟର ୧୩,୦୦୦ ସୈନ୍ୟ ମୁତୟନ ଥିବାବେଳେ ଚୁକ୍ତି ଅନୁଯାୟୀ ଆମେରିକା ୪ ମାସ ମଧ୍ୟରେ ୪,୪୦୦ ସୈନ୍ୟଙ୍କୁ ପ୍ରତ୍ୟାହାର କରିନେବ। ତାଲିବାନ ସର୍ତ୍ତ ଅନୁଯାୟୀ ପ୍ରତିଶ୍ରୁତି ରକ୍ଷା କଲେ ପୁଣି ୧୦ ମାସରେ ଅବଶିଷ୍ଟ ୮,୬୦୦ ସୈନ୍ୟଙ୍କୁ ଆମେରିକା ଫେରାଇନେବ। କିନ୍ତୁ ଚୁକ୍ତି ବିଫଳ ହେଲେ ତାଲିବାନ ଦୁଇଗୁଣା ଆକ୍ରମଣ କରିବ ବୋଲି ପୂର୍ବରୁ ସଂକେତ ଦେଇସାରିଛି।  ଏଠାରେ ସୂଚନାଯୋଗ୍ୟ ଯେ ୨୦୦୧ ସେପ୍ଟେମ୍ବର ୧୧ରେ ଆଫଗାନିସ୍ତାନର ଆତଙ୍କବାଦୀ ସଙ୍ଗଠନ ଅଲ୍‌-କାଏଦା ନ୍ୟୁୟର୍କସ୍ଥିତ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ଆକ୍ରମଣ କରିଥିଲା। ଏଥିରେ ପ୍ରାୟ ୩ ହଜାର ଜଣ ପ୍ରାଣ ହରାଇଥିଲେ। ଏହାପରେ ଅଲ୍‌-କାଏଦା ମୁଖ୍ୟ ଓସାମା ବିନ୍ ଲାଡେନ୍‌ଙ୍କୁ ତାଲିବାନ ଆଶ୍ରୟ ଦେଇଥିବା ଦର୍ଶାଇ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ ଆକ୍ରମଣ ନିର୍ଦ୍ଦେଶ ଦେଇଥିଲେ। ଆକ୍ରମଣରେ ଉଭୟ ପକ୍ଷର ହଜାର ହଜାର ସଂଖ୍ୟକ ମୃତାହତ ହୋଇଥିଲେ। ତେବେ ଆଫଗାନର ୪୦ ପ୍ରତିଶତ ଅଞ୍ଚଳ ତାଲିବାନ ନିୟନ୍ତ୍ରଣରେ ଥିବାବେଳେ ସେମାନଙ୍କୁ ହଟାଇବା ପାଇଁ ଆମେରିକା ୧୮ ବର୍ଷରେ ୭୫୦ ବିଲିୟନ ଡଲାର ଖର୍ଚ୍ଚ କରିସାରିଲାଣି। ଏଥିରେ ବିଫଳ ହେବା ପରେ ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଙ୍ଗଠନ ସହ ଶାନ୍ତି ସନ୍ଧି କରିବା ପାଇଁ ଆମେରିକା ବାଧ୍ୟ ହୋଇଥିବା କୁହାଯାଉଛି।

କୂଟନୀତିର ଖେଳ!

ଆସନ୍ତା ନଭେମ୍ବର ୩ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ। ସେହି ପରିପ୍ରେକ୍ଷୀରେ ଆମେରିକାରେ ଅଧିକ ସୈନ୍ୟ ଉପସ୍ଥିତ ରୁହନ୍ତୁ ବୋଲି ରାଷ୍ଟ୍ରପତି ଟ୍ରମ୍ପ୍ ବିଚାର କରୁଥିବା କୁହାଯାଉଛି। ଏଥିପାଇଁ ସେ ସ୍ୱତନ୍ତ୍ର ରାଷ୍ଟ୍ରଦୂତ ଜାଲମେ ଖାଲିଲଜାଦଙ୍କୁ ଦୋହାକୁ ପଠାଇଥିଲେ । ଆମେରିକା ପକ୍ଷରୁ ଖାଲିଲଜାଦ ଓ ତାଲିବାନ ତରଫରୁ ସଙ୍ଗଠନର ସହପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଗନି ବରାଦର ଏହି ବହୁପ୍ରତୀକ୍ଷିତ ଚୁକ୍ତିରେ ସ୍ୱାକ୍ଷର କରିଥିଲେ । ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିବାବେଳେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ପର ମଧ୍ୟ କାବୁଲରେ ପହଞ୍ଚି ସାରିଥିଲେ। ତେବେ ଆଶାପୂର୍ଣ୍ଣ ପଦକ୍ଷେପରେ ଆଗକୁ ରାସ୍ତା ସହଜ ନୁହେଁ ବୋଲି ସେ ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ୨୦୧୬ରେ ରାଷ୍ଟ୍ରପତି ନିର୍ବାଚନ ପ୍ରଚାରବେଳେ ଆମେରିକାର ସମସ୍ତ ସୈନ୍ୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଟ୍ରମ୍ପ୍ ପ୍ରତିଶ୍ରୁତି ଦେଇଥିଲେ। ଠିକ୍‌ ସେହିପରି ଏହି ଚୁକ୍ତିରୁ ଆଗାମୀ ନିର୍ବାଚନରେ ତାଙ୍କୁ ଫାଇଦା ମିଳିବା ଆଶା ନେଇ ଟ୍ରମ୍ପ୍‌ ତାଲିବାନ ସହ କୂଟନୀତିର ଖେଳ ରଚିଥିବା ବିଶ୍ଵ ବିଶେଷଜ୍ଞ ମହଲରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *