ବିବାଦୀୟ ବାବରୀ ଢାଞ୍ଚା ଭାଙ୍ଗିବା ନେତୃତ୍ୱ ନେଇଥିବା ଆଡ଼ଭାନୀ,ଯୋଶୀ,ଉମାଙ୍କୁ ସଂସଦରେ ଦେଖିବାକୁ ମିଳିବ ନାହିଁ
ଦୀର୍ଘ ୩୦ବର୍ଷ ପରେ ରାମ ମନ୍ଦିର ଆନ୍ଦୋଳନରେ ଜଡିତ ଥିବା ଓ ବାବରୀ ଢ଼ାଞ୍ଚାକୁ ଭାଙ୍ଗିବା ଦିଗରେ ଷଡଯନ୍ତ୍ର କରିଥିବା କୌଣସି ନେତା ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ ଲଢ଼ୁନାହାନ୍ତି। ସେମାନଙ୍କ ମଧ୍ୟରେ ବିଜେପିର ପ୍ରତିଷ୍ଠାତା ଲାଲକୃଷ୍ଣ ଆଡ଼ଭାନୀ, ବରିଷ୍ଠ ନେତା ମୂରଲୀ ମନୋହାର ଯୋଶୀ ଓ ଉମା ଭାରତୀ ଅଛନ୍ତି। ଏହି ନେତାମାନେ ନିର୍ବାଚନ ରାଜନୀତିରୁ ଦୂରେଇ ରହିବା ଘଟଣା ଲମ୍ୱା ରାଜନୀତିର ଏକ ଘଟଣା ବହୁଳ ଅଧ୍ୟାୟ ହୋଇ ରହିବ।

୧୯୯୨ ପରେ ପ୍ରଥମ ଥର ପାଇଁ ବିବାଦିତ ଢ଼ାଞ୍ଚା ଭାଙ୍ଗିବା ଅଭିଯୁକ୍ତ ଆଗାମୀ ଲୋକସଭାରେ ସଦସ୍ୟ ହେବେ ନାହିଁ। ଗତ ଲୋକସଭାରେ ଲାଲକୃଷ୍ଣ ଆଡ଼ଭାନୀ, ମୂରଲୀ ମନୋହର ଯୋଶୀ ଓ ଉମା ଭାରତୀ ସଦସ୍ୟ ଥିଲେ। ଚଳିତ ନିର୍ବାଚନରେ ଏହି ତିନି ଜଣ ଲଢୁନାହାଁନ୍ତି। ଅପର ପକ୍ଷରେ ରାଜ୍ୟସଭାରେ ମଧ୍ୟ ବିବାଦିତ ଢ଼ାଞ୍ଚା ଭାଙ୍ଗିବା କୌଣସି ଅଭିଯୁକ୍ତ ସଦସ୍ୟ ନାହାଁନ୍ତି।
୧୯୮୦ରେ ବିଜେପି ଗଠନ ସମୟରୁ ରାମ ଜନ୍ମ ଭୂମି ପ୍ରମୁଖ ପ୍ରସଙ୍ଗ ରହିଆସିଛି। ଏଥର ମଧ୍ୟ ନିର୍ବାଚନ ଘୋଷଣାପତ୍ର ଏହି ପ୍ରସଙ୍ଗ ସ୍ଥାନ ପାଇବ ବୋଲି ଆଶା କରାଯାଉଛି। ବିବାଦିତ ଢ଼ାଞ୍ଚା ଭାଙ୍ଗିବା ଷଡଯନ୍ତ୍ରରେ ଅଭିଯୁକ୍ତ ହୋଇ ଅଦାଲତରେ ପହଞ୍ଚିବା ପରେ ଲାଲକୃଷ୍ଣ ଆଡ଼ଭାନୀ, ମୂରଲୀ ମନୋହର ଯୋଶୀ, ଉମା ଭାରତୀ ଓ ବିନୟ କଟିୟାରଙ୍କ ଭଳି ନେତାମାନେ ସଂସଦର ସଦସ୍ୟ ହୋଇଛନ୍ତି।