୨୯୬ ଦିନରେ ଆଡ଼ଭାନୀ ସଂସଦରେ କହିଛନ୍ତି ମାତ୍ର ୩୬୫ ଶବ୍ଦ
ଅଗ୍ନିବର୍ଷୀ ଭାଷଣ ପାଇଁ ପରିଚିତ ବିଜେପିର ପ୍ରତିଷ୍ଠାତା ସଭ୍ୟ ତଥା ଲୋକସଭାର ସାଂସଦ ଲାଲକୃଷ୍ଣ ଆଡ଼ଭାନୀ ଗତ ପାଞ୍ଚ ବର୍ଷ ହେଲା ନୀରବ ହୋଇଯାଇଛନ୍ତି। ସେ ଶାସକ ଦଳ ପକ୍ଷରୁ ଲୋକସଭାରେ ପ୍ରଥମ ଧାଡ଼ିରେ ବସୁଛନ୍ତି। କିନ୍ତୁ ସେ ଦେଶର ବିଭିନ୍ନ ପ୍ରସଙ୍ଗରେ ମତ ଦେବା ପରିବର୍ତ୍ତେ ନୀରବ ରହିଛନ୍ତି।
ଆକ୍ରମଣାତ୍ମକ ଶୈଳୀରେ ଯୁକ୍ତି କରି ବିରୋଧି ଦଳର ସମସ୍ତ ପ୍ରଶ୍ନର ଉତ୍ତର ଦେଉଥିବା ବିଜେପି ବରିଷ୍ଠ ନେତା ଆଡ଼ଭାନୀଙ୍କ ଚେହେରା ଓ କାମ କରିବାର ଶୈଳୀ ଏବେ ସମସ୍ତ ମନରୁ ଲିଭିବାରେ ଲାଗିଲାଣି। ଲୋକସଭାର ସାଂସଦ ଥିବା ଆଡ଼ଭାନୀ ଗତ ୫ବର୍ଷ ଭିତରେ ସଂସଦରେ କହିଥିବା କମ୍ ଶୁଣିବାକୁ ମିଳିଥିଲା। ସମୟ ଥିଲା ବିଜେପିର ଏହି ନେତା ସଂସଦଠାରୁ ଆରମ୍ଭ କରି ଦଳୀୟ ନୀତି ନିର୍ଦ୍ଧାରଣ ସମୟରେ ଯାହା କହୁଥିଲେ ତାହା ବେଦର ଗାର ଭଳି ସମସ୍ତେ ମାନୁଥିଲେ। କିନ୍ତୁ ବିଡ଼ମ୍ୱନା ବିଷୟ ବିଗତ ୨୯୬ ଦିନ ମଧ୍ୟରେ ଆଡ଼ଭାନୀ ସଂସଦରେ ମାତ୍ର ୩୬୫ଟି ଶବ୍ଦ କହିଛନ୍ତି।

ବିଜେପିର ଲୌହପୁରୁଷ ଭାବେ ପରିଚିତ ଲାଲକୃଷ୍ଣ ଆଡ଼ଭାନୀ ସଂସଦରେ ହଟ୍ଟଗୋଳ ସତ୍ତ୍ୱେ ନିଜର କଥା ଗୃହରେ ଜୋରଦର ଢ଼ଙ୍ଗରେ ରଖିଥାନ୍ତି। ୨୦୧୨ ଅଗଷ୍ଟ ୮ ତାରିଖରେ ସଂସଦରେ ଆଡ଼ଭାନୀ ଯେଉଁ ଭାଷଣ ଦେଇଥିଲେ ତାହାକୁ ଅନେକ ଆଜି ବି ମନେ ରଖିଛନ୍ତି। ସେ ସମୟରେ ମନମୋହନ ସିଂହଙ୍କ ନେତୃତ୍ୱରେ ୟୁପିଏ ସରକାର କ୍ଷମତାରେ ଥିବାବେଳେ ଆଡ଼ଭାନୀ ବିରୋଧି ଦଳ ନେତା ଥିଲେ। ସେ ଦିନ ଆସାମରେ ବହୁ ସଂଖ୍ୟାରେ ହେଉଥିବା ଅନୁପ୍ରବେଶ ଉପରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହେଉଥିଲା। ଏହି ପ୍ରସଙ୍ଗକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହେଉଥିବାବେଳେ ମନମୋହନ ସିଂହଙ୍କ ସରକାର ପ୍ରସ୍ତାବକୁ ନାକଚ କରିବାକୁ ଚେଷ୍ଠା କରୁଥିଲେ। ଗୃହରେ ହଟ୍ଟଗୋଳ ପରିସ୍ଥିତି ସତ୍ତ୍ୱେ ବି ଆଡ଼ଭାନୀ ନିଜ କଥା ଜୋରଦାର ଢ଼ଙ୍ଗରେ କହିଥିଲେ, ଯାହାକି ଆଜି ପର୍ଯ୍ୟନ୍ତ ସମସ୍ତେ ମନେ ରଖିଥିବେ। ଏହା କେବଳ ଗୋଟିଏ ଉଦାହରଣ। ଏମିତି ଅନେକ ଘଟଣା ରହିଛି।
ଅଗ୍ନିବର୍ଷୀ ଭାଷଣ ପାଇଁ ପରିଚିତ ବିଜେପିର ପ୍ରତିଷ୍ଠାତା ସଭ୍ୟ ତଥା ଲୋକସଭାର ସାଂସଦ ଲାଲକୃଷ୍ଣ ଆଡ଼ଭାନୀ ଗତ ପାଞ୍ଚ ବର୍ଷ ହେଲା ନୀରବ ହୋଇଯାଇଛନ୍ତି। ସେ ଶାସକ ଦଳ ପକ୍ଷରୁ ଲୋକସଭାରେ ପ୍ରଥମ ଧାଡ଼ିରେ ବସୁଛନ୍ତି। କିନ୍ତୁ ସେ ଦେଶର ବିଭିନ୍ନ ପ୍ରସଙ୍ଗରେ ମତ ଦେବା ପରିବର୍ତ୍ତେ ନୀରବ ରହିଛନ୍ତି। ଗତ ୨୦୧୮ ଫେବୃଆରି ୮ ତାରିଖରେ ପୁଣି ଥରେ ଗୃହରେ ହଟ୍ଟଗୋଳ ହୋଇଥିଲା। ସେଦିନ ଏନଡ଼ିଏ ସରକାର ପକ୍ଷରୁ ନାଗରିକତା ସଂଶୋଧନ ବିଲ ସଂସଦରେ ଆଗତ କରାଯାଇଥିଲା। ଏହି ସମୟରେ ଆଡ଼ଭାନୀ ଗୃହରେ ଉପସ୍ଥିତ ଥିଲେ ବି ଗୋଟିଏ ଶବ୍ଦ କହିନାହାନ୍ତି।