ଏକ୍ଲା ରହୁଛନ୍ତି ମିମି

କୋଲକାତା (ଓଟି): ସେ ସବୁବେଳେ ବ୍ୟସ୍ତ। ତାଙ୍କୁ ଦେଖିବାକୁ ବି ପ୍ରଶଂସକଙ୍କ ଠେଲାପେଲା। ହେଲେ ଭିଡ଼ ଭିତରେ ବାରି ହୋଇପଡୁଥିବା କେହିଜଣେ ଏକା ଏକା ରହିବାକୁ କଣ ଭଲ ପାଇବ? ଭଲ ପାଆନ୍ତୁ କି ନପାଆନ୍ତୁ ବିଦେଶରୁ ଫେରିବା ପରେ ସେମିତି ଜଣେ ଚର୍ଚ୍ଚିତ ଚେହେରାଙ୍କୁ ଏକ୍ଲା ରହିବାକୁ ପଡ଼ିବ। କେବେ ଶୁଟିଂ ତ କେବେ ସାଂସଦ ଭାବେ ବ୍ୟସ୍ତ ଜୀବନଚଳଣି ବିତାଉଥିବା ସେହି ଜଣଙ୍କ ହେଉଛନ୍ତି ୩୧ ବର୍ଷୀୟା ମିମି ଚକ୍ରବର୍ତ୍ତୀ। ହଁ, କରୋନା ଭାଇରସ ଭୟ ପାଇଁ ମିମିଙ୍କୁ ୭ ଦିନ ପାଇଁ ହୋମ କ୍ୱାରେଣ୍ଟାଇନ୍‌ରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଅର୍ଥାତ୍‌ ଏକ୍ଲା ରହିବେ ସୁନ୍ଦରୀ ବଙ୍ଗାଳୀ ଅଭିନେତ୍ରୀ ତଥା ତ୍ରୁଣମୃଳ କଂଗ୍ରେସର ସାଂସଦ ମିମି ଚକ୍ରବର୍ତ୍ତୀ।

ସୂଚନା ଅନୁସାରେ ମିମି ଲଣ୍ଡନ ଗସ୍ତରୁ ବୁଧବାର ଫେରିଛନ୍ତି। ସେପଟେ ବ୍ରିଟେନରେ ମାତିଛି କରୋନା। ୭୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ତେଣୁ କରୋନାରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କାରଣରୁ ସେ ୭ଦିନ ପାଇଁ ହୋମ କ୍ୱାରେଣ୍ଟାଇନ୍‌ରେ ରହିବେ। ତେବେ ଫେରିବାବେଳକୁ ଏୟାରପୋର୍ଟରେ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା ଓ ମିମି ସୁସ୍ଥ ଥିବା ଜଣାପଡ଼ିଥିଲା। ତଥାପି ସଚେତନତା ଦୃଷ୍ଟିରୁ  ସେ ୭ ଦିନ ପାଇଁ ଏକାକୀ ଗୋଟିଏ ରୁମରେ ରହିବେ ବୋଲି ତାଙ୍କ ପ୍ରେସ ସେକ୍ରେଟାରୀ ଅନିର୍ବାଣ ଭଟ୍ଟାଚାର୍ଯ୍ୟ ସୂଚନା ଦେଇଛନ୍ତି।

ମିମି ଲଣ୍ଡନରେ ଫିଲ୍ମ ଶୁଟିଂ ପାଇଁ ଯାଇଥିଲେ ଏବଂ ସେଠାରେ ନିୟମିତ ମାସ୍କ ବ୍ୟବହାର କରିବା ସହ ସାନିଟାଇଜରରେ ସଫାସୁତରା ହେଉଥିଲେ। ସେଠାରୁ ଦୁବାଇ ଦେଇ ଭାରତ ଫେରିଥିବା ଜଣାପଡ଼ିଛି।

Leave a Reply

Your email address will not be published.