ଲୁଚିଛପି ନିର୍ବନ୍ଧ କଲେ ‘ଖତରୋଁ କେ ଖିଲାଡ଼ି୪’ର ବିଜୟିନୀ ଆରତୀ
‘ଖତାରୋଁ କେ ଖିଲାଡ଼ି’ ସିଜିନ୍ ୪ରେ ବିଜୟିନୀର ମୁକୁଟ ପିନ୍ଧିଥିବା ଆରତୀ ଛାବରିଆ ଲୁଚିଛପି ନିର୍ବନ୍ଧ କରିଥିବାର ଚର୍ଚ୍ଚା ଏବେ ଚାରିଆଡ଼େ । ମିଡିଆ ରିପୋର୍ଟ ଅନୁଯାୟୀ ଆରତୀ ମୁମ୍ବାଇର ଜଣେ ନାମୀ ବିଜନେସମ୍ୟାନ୍ ବିଶାରଦ୍ ବିଡେସିଙ୍କ ସହିତ ନିର୍ବନ୍ଧ କରିଛନ୍ତି । ଏହି ରିଙ୍ଗ୍ ସେରିମନି କିଛିଦିନ ତଳେ ମୋରିସସରେ ଅନୁଷ୍ଠିତ ହୋଇଥିଲା । ବିବାହ ପରେ ଏହି ଯୋଡ଼ି ମୁମ୍ବାଇରେ ହିଁ ରହିବେ । ଆଜିକାଲି ଆରତୀ ତାଙ୍କର ବିବାହ ସପିଙ୍ଗ୍ରେ ବ୍ୟସ୍ତ ଥିବାବେଳେ ତାଙ୍କର ପରିବାର ମେହେନ୍ଦୀ, ସଙ୍ଗୀତ ସେରିମନି ଓ ବିବାହର ପୂର୍ବ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ଆସନ୍ତା ମାସରେ ଆରତୀଙ୍କ ବିବାହ ହେବ ବୋଲି ଅନୁମାନ କରାଯାଉଛି । ଆରତୀ ଓ ବିଶାରଦଙ୍କ ଜଣେ କମନ୍ ଫ୍ରେଣ୍ଡଙ୍କ ଜରିଆରେ ନିର୍ବନ୍ଧ ଖବର ସୋସିଆଲ୍ ମିଡିଆକୁ ଆସିଥିଲା । ଏ ସମ୍ପର୍କରେ ଆରତୀ କହିଛନ୍ତି ଯେ ସେ ଏବେ ଖୁବ୍ ବ୍ୟସ୍ତ ଅଛନ୍ତି ଏବଂ ଟିକେ ଫୁରସତ୍ ମିଳିଲେ, ଏହି ଖୁସି ଖବରକୁ ସେ ନିଶ୍ଚୟ ଭାବେ ତାଙ୍କ ପ୍ରଶଂସକଙ୍କ ସହିତ ସେୟାର୍ କରିବେ । ‘ଆୱାରା ପାଗଲ୍ ଦିୱାନା’, ‘ତୁମସେ ଆଛା କୌନ୍’, ‘ସୁଟ୍ ଆଉଟ୍ ଆଟ୍ ଲୋଖଣ୍ଡୱାଲା’ ଭଳି ଅନେକ ଫିଲ୍ମରେ ଆରତୀ ତାଙ୍କ ଦକ୍ଷ ଅଭିନୟର ପ୍ରମାଣ ଦେଇଛନ୍ତି ।