ପ୍ରଶାସନିକ ସେବା କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହିବ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଜାତୀୟ ରାଜଧାନୀର ପ୍ରଶାସନିକ ସେବା କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହିବ ବୋଲି ଆଜି କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କ ବିବାଦ ସମ୍ବନ୍ଧୀୟ ମାମଲାରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ।
ସୁପ୍ରିମକୋର୍ଟ କହିଛନ୍ତି, ଗଣତାନ୍ତ୍ରିକ ସରକାରରେ, ପ୍ରଶାସନର ବାସ୍ତବ କ୍ଷମତା ସରକାରଙ୍କ ନିର୍ବାଚିତ ଶାଖା ଉପରେ ନ୍ୟସ୍ତ ରହିବା ଆବଶ୍ୟକ। ତେଣୁ, ପ୍ରଶାସନିକ ସେବା କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ଅବଶ୍ୟ ରହିବ । ଉପରାଜ୍ୟପାଳ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି ମାନିବାକୁ ବାଧ୍ୟ ।
ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଇ ଥିବା ରାୟରେ କହିଛନ୍ତି ଯେ, ଦିଲ୍ଲୀ ବିଧାନସଭା ଏବଂ ନିର୍ବାଚିତ ସରକାରଙ୍କ ପ୍ରଶାସନିକ କ୍ଷମତାରେ ହସ୍ତକ୍ଷେପ କରିବା ଲାଗି ଉପରାଜ୍ୟପାଳଙ୍କର କ୍ଷମତା ନାହିଁ । ଅନ୍ୟ ରାଜ୍ୟମାନଙ୍କରେ ଚାଲିଥିବା ଶାସନ ଭଳି ଦିଲ୍ଲୀର ଶାସନ ଚାଲୁଥିବାରୁ ଦିଲ୍ଲୀ ସରକାରଙ୍କ ପରାମର୍ଶ ମାନିବାକୁ ଉପରାଜ୍ୟପାଳ ବାଧ୍ୟ ଅଟନ୍ତି ।
ସୂଚନାଯୋଗ୍ୟ, ପ୍ରଶାସନିକ ସେବା କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କ କ୍ଷମତା ସ୍ପଷ୍ଟରୂପେ ଦର୍ଶାଇବା ପାଇଁ ‘ଆପ୍’ ନେତୃତ୍ୱାଧୀନ ଦିଲ୍ଲୀ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।
ଚଳିତ ବର୍ଷ ଜାନୁଆରି ମାସରେ ଏହି ମାମଲାର ୪ ଦିନ ଶୁଣାଣି କରିବା ପରେ ପ୍ରଧାନ ବିଚାରପତି ଡି. ୱଇ. ଚନ୍ଦ୍ରଚୂଡ଼, ବିଚାରପତି ଏମ୍. ଆର୍. ଶାହ, କୃଷ୍ଣ ମୁରାରୀ, ପି. ଏସ୍. ନରସିଂହ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ ।