ଦିଲ୍ଲୀ ଦୌଡ଼: କଂଗ୍ରେସର ପୁନଶ୍ଚ ପରାଜୟ

ନୂଆଦିଲ୍ଲୀ(ଓଟି): ଗଣତି ଚାଲିଛି; ତେବେ ଦିଲ୍ଲୀରେ କଂଗ୍ରେସର ପୁନଶ୍ଚ ପରାଜୟ ସ୍ପଷ୍ଟ ହେବାରେ ଲାଗିଛି। ଏପରିକି ପୂର୍ବଥର ଭଳି ଖାତା ଖୋଲିବ କି ନାହିଁ- ସେନେଇ ଆଶଙ୍କା ସୃଷ୍ଟି ହୋଇଛି। କାରଣ ଦୌଡ଼ରେ ଆପ୍‌ ୫୮ ଓ ବିଜେପି ୧୨ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ କୌଣସି ଆସନରେ ଆଗୁଆ ରହିନାହିଁ।

ଫଳାଫଳକୁ ଦୃଷ୍ଟିରେ ରଖି କଂଗ୍ରେସ ଦିଲ୍ଲୀ ପରାଜୟକୁ ମାନିନେବା ସହ ହ୍ୟାଟ୍ରିକ୍‌ କରିବାକୁ ଯାଉଥିବା ଆପ୍‌କୁ ଅଭିନନ୍ଦନ ଜ୍ଞାପନ କରିସାରିଛି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ କହିବା ଅନୁସାରେ କଂଗ୍ରେସ ପାଇଁ ଦିଲ୍ଲୀରେ କିଛି ବି ନାହିଁ। ବିଜେପିର ସାମ୍ପ୍ରଦାୟିକ ଏଜେଣ୍ଡା ବିପକ୍ଷରେ ଆପ୍ର ବିଜୟ ହୋଇଛି ବୋଲି କହିବା ସହ ସେ ଅରବିନ୍ଦ କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ସ୍ଥିତିକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ସୂଚନା ମିଳିଛି।

କଣ ଥିଲା ଏକ୍‌ଜିଟ୍ ପୋଲ୍‌?

ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟି ପୁଣିଥରେ ରେକର୍ଡ ବିଜୟ ହାସଲ କରିବ। ବିଜେପି ୧୦ଟି ଆସନ ମଧ୍ୟରେ ସୀମିତ ରହିବ ଓ କଂଗ୍ରେସ ଖାତା ଖୋଲିପାରିବନି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ଅନୁଯାୟୀ, ଆପ୍‌ ୭୦ଟି ବିଧାନସଭା ଆସନରୁ ୫୯ରୁ ୬୮, ବିଜେପି ୨ରୁ ୧୧, ଅନ୍ୟାନ୍ୟ ଦଳ ୪ରୁ ୬ଟି ଆସନ ଜିତିବେ ବୋଲି କୁହାଯାଇଥିବାବେଳେ କଂଗ୍ରେସ କୌଣସି ଆସନରେ ବିଜୟୀ ହୋଇପାରିବ ନାହିଁ ବୋଲି ଆକଳନ କରିଥିଲା।

ସେହିପରି ଟାଇମ୍ସ ନାଓର ସର୍ଭେ ରିପୋର୍ଟ ଅନୁଯାୟୀ ଆପ୍ ୪୪ଟି ଓ ବିଜେପି ୨୬ ଏବଂ କଂଗ୍ରେସ ଅନ୍ୟ ଦଳ କୌଣସି ଆସନରେ ଜିତି ପାରିବେ ନାହିଁ ବୋଲି କୁହାଯାଇଥିଲା। ରିପବ୍ଲିକ ଟିଭି ଜନ କି ବାତର ରିପୋର୍ଟ ଅନୁଯାୟୀ ଆପ୍ ୪୮ରୁ୬୧, ବିଜେପି ୯ରୁ୨୧ ଓ କଂଗ୍ରେସ ଗୋଟିଏ ଆସନରେ ଜିତିବ ବୋଲି ଆକଳନ କରାଯାଇଥିଲା। ନ୍ୟୁଜ ଏକ୍ସ ପୋଲଷ୍ଟାର୍ଟର ରିପୋର୍ଟ ଅନୁଯାୟୀ ଆପ୍ ୫୦-୫୬ଟି ଓ ବିଜେପି ୧୦-୧୪ଟି ଆସନ ଜିତିବେ ବୋଲି କୁହାଯାଇଥିବାବେଳେ କଂଗ୍ରେସ ଏବଂ ଅନ୍ୟାନ୍ୟ ପ୍ରାର୍ଥୀମାନେ କୌଣସି ଆସନରେ ଜିତିପାରିବେ ନାହିଁ ବୋଲି ଆକଳନ କରାଯାଇଥିଲା।

Leave a Reply

Your email address will not be published. Required fields are marked *