ବନ୍ଦ ହେଲା ‘ଆହାର’, ମେଡିକାଲ୍‌ରେ ଖୋଲା

ଭୁବନେଶ୍ୱର (ଓଟି): ଗରିବ ଲୋକଙ୍କ ପାଇଁ ଓଡ଼ିଶା ସରକାରଙ୍କ ‘ଆହାର’ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଏହାଦ୍ଵାରା ଅନେକ ଲୋକ ଉପକୃତ ହେଉଥିଲେ। ତେବେ ମହାମାରୀ କରୋନା ସଂକ୍ରମଣ ଭୟ ଯୋଗୁ ଏହି ଜନହିତକର ଯୋଜନାରେ ବାଧା ଉପୁଜିଛି। ପ୍ରଥମ ପର୍ଯ୍ୟାୟରେ ଆହାର କେନ୍ଦ୍ର ଗୁଡ଼ିକରେ ଭିଡ଼ କମାଇବା ପାଇଁ ସକାଳ ୧୦ଟାରୁ ୪ ପର୍ଯ୍ୟନ୍ତ ଖୋଲା ରଖିବାକୁ ସରକାର ଆଦେଶ ଦେଇଥିଲେ। ତେବେ କରୋନାର ଭୟବହତା ଦୃଷ୍ଟିରୁ ସମ୍ପ୍ରତି ଆହାର କେନ୍ଦ୍ର ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ସୂଚନା ଅନୁସାରେ କରୋନା ମୁକାବିଲା ପାଇଁ ମାର୍ଚ୍ଚ ୨୯ ଯାଏଁ ସମସ୍ତ ଆହାର କେନ୍ଦ୍ର ବନ୍ଦ ରଖାଯିବ। ଏନେଇ ରାଜ୍ୟର ସବୁ ଜିଲ୍ଲାପାଳମାନଙ୍କୁ ଚିଠି ହୋଇଛି। ତେବେ ମେଡିକାଲ ପରିସରରେ ଥିବା ଆହାର କେନ୍ଦ୍ର ଖୋଲା ରହିବ। ଅନ୍ୟପକ୍ଷରେ ରାଜ୍ୟରେ ଥିବା ସମସ୍ତ ସର୍ବସାଧାରଣ ପାର୍କ ମଧ୍ୟ ବନ୍ଦ କରିବାକୁ ଘୋଷଣା କରାଯାଇଛି।

ଉଲ୍ଲେଖଯୋଗ୍ୟଯେ ଓଡ଼ିଶାରେ ଦ୍ୱିତୀୟ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାର ରାଜ୍ୟକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ିଦେଲେ ସବୁଦୋକାନ ବଜାର ବନ୍ଦ ରହିଛି। ସେହିପରି କେନ୍ଦ୍ର ସରକାର ମଧ୍ୟ କଡ଼ା କଟକଣା ଜାରି କରିଛନ୍ତି ଏବଂ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତି ୮ଟାରେ ଦେଶବାସୀଙ୍କୁ ବାର୍ତ୍ତା ପ୍ରଦାନ କରିବା କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published.