ବିଚିତ୍ର ସ୍ମାର୍ଟ ସିଟି: ବେକାର ବଢ଼ୁଛନ୍ତି ୨ବର୍ଷ ହେଲା କିଓସ୍କ ପଡ଼ିଛି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ଏକଦା ନମ୍ବର ୱାନ୍‌ ବୋଲାଇଥିବା ଭୁବନେଶ୍ଵର ସ୍ମାର୍ଟସିଟି ଏବେ ବେକାର୍‌। କରୋନା କାଳରେ ଏହା ଲୋକଙ୍କୁ କାମ ଦେବାରେ ବିଫଳ  ହୋଇଛି। ଆଗକୁ ଭାରତ ସରକାର ଲୋକଙ୍କୁ ଆତ୍ମ ନିର୍ଭରଶୀଳ କରାଇବା ତଥା ସ୍ଥାନୀୟ ସ୍ତରରେ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ଗୁରୁତ୍ଵ ଦେଉଥିବା ବେଳେ ଭୁବନେଶ୍ଵର ମହାନଗର ନିଗମ ଓ ସ୍ମାର୍ଟସିଟି ଭିତରେ ଟଣା ଓଟରା ହେତୁ ଦୁଇବର୍ଷ ହେଲା ଫମ୍ପା ପଡ଼ିଛି ଉଠାଦୋକା ବା  ସ୍ମାର୍ଟସିଟି କିଓସ୍କ। 

ବାଣୀବିହାରଠାରୁ ଶିଶୁଭବନ ଛକ ଯାଏ ରାଜଧାନୀର ରାସ୍ତାକୁ ସ୍ମାର୍ଟ ଜନପଥରେ ପରିଣତ କରିବାକୁ ସରକାର ସ୍ଵପ୍ନ ଦେଖିଛନ୍ତି। ଏହିକ୍ରମରେ ମାଷ୍ଟରକ୍ୟାଣ୍ଟିନ୍‌ର ବିକାଶ, ରାସ୍ତାର ଓସାରୀକରଣ ଓ ସୌନ୍ଦର୍ଯ୍ୟକରଣ ଉଲ୍ଲେଖନୀୟ। ଏଥିଲାଗି ଅନେକ ଭଙ୍ଗାରୁଜା ହୋଇଛି ସେଥିରେ ଅଶୋକା ମାର୍କେଟ୍‌ ଓ ମାଷ୍ଟର କ୍ୟାଣ୍ଟିନ୍‌ରେ ଶୋଭା ପାଉଥିବା ବୀର ପୁରୁଷଙ୍କ ପ୍ରତିମୂର୍ତ୍ତି ବି  ହଜି ଯାଇଛନ୍ତି।  ଏ ଭିତରେ ଦୁଇବର୍ଷ ବିତିଲାଣି ହେଲେ କିଛି ବି ସୌନ୍ଦର୍ଯ୍ୟକରରଣ ଶେଷ ହୋଇପାରି ନାହିଁ। ରାସ୍ତାଘାଟରେ କିଛି ଏଲ୍‌ଇଡି ଲାଇଟ୍‌ ଲାଗିଛି, ଭିଡିଓ୍‌ ଡିସ୍‌ପ୍ଲେ ବୋର୍ଡ ତିଆରି ହୋଇଛି ହେଲେ ସ୍ଥାନୀୟ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟରେ ନିର୍ମିତ ୧୨୬ ସ୍ମାର୍ଟ କିଓସ୍କ ଏବେ ଫମ୍ପା ପଡ଼ିଛି।

ଏ ବିଷୟରେ ସହରର ବୁଦ୍ଧିଜୀବୀ ମହଲ ବିଏମ୍‌ସି ଓ ସ୍ମାର୍ଟ ସିଟିକୁ ପ୍ରଶ୍ନ ପଚାରିଛନ୍ତି। ହେଲେ ସହର କର୍ତ୍ତୃପକ୍ଷ ପରସ୍ପର ଆଡ଼କୁ ଆଙ୍ଗୁଳି ଦେଖାଇ ଖସିଯିବାକୁ ଚାହିଁଛନ୍ତି। କୋର୍ଟକୁ ବି ଭିଡ଼ା ହୋଇଛନ୍ତି ତଥାପି ବେଧଡ଼କ ଶୋଇଛନ୍ତି।

ମେ’ ମାସ ୨୮ ତାରିଖ ୨୦୧୮ ମସିହା। ଆଉ କିଛିଦିନ ପରେ ଦୁଇବର୍ଷ ପୂରିବ, ସେଦିନ ଦକ୍ଷିଣ -ପଶ୍ଚିମ ଜୋନ୍‌ର ବିଏମ୍‌ସି ଅଧିକାରୀ ଏହି କିଓସ୍କଗୁଡ଼ିକ ଭିତରୁ ୯୬ ଟି ଶୁଶୁ ଭବନଠାରୁ ମାଷ୍ଟର କ୍ୟାଣ୍ଟିନ୍‌ ଯାଏ ଏବଂ ୩୦ଟି ମାଷ୍ଟର କ୍ୟାଣ୍ଟିନ୍‌ଠୁ ରାମ ମନ୍ଦିର ଯାଏ ପକାଯାଇଥିବା ସୂଚନା ଦେଇଥିଲେ। ଏହା କାହାକୁ ବଣ୍ଟାଯିବ, କେମିତି ବଣ୍ଟାଯିବ, ସେ ବାବଦରେ କିନ୍ତୁ କେହି କିଛି କହିଲେ ନାହିଁ। ପରେ ଏ ବିଷୟକୁ ନେଇ ସୂଚନା ଅଧିକାର ଆଇନ ବଳରେ ଅପିଲ୍‌ କରାଯାଇଥିଲା। ଏହା ପରେ ୧୨ ମାର୍ଚ ୨୦୧୯ ତାରିଖରେ ଅତିରିକ୍ତ କମିଶନର ଏକ ତାଲିକା ପ୍ରସ୍ତୁତ କରିଥିଲେ। କିନ୍ତୁ ସେ ତାଲିକାରେ କାହା ନାଁ ରହିଛି, କିଏ ସେ ଦୋକାନ ପାଇବ ତାହା କାହାକୁ  ଲୁଚା ଯାଇଛି। ଏହା ସ୍ପଷ୍ଟ ଭାବେ କିଛି ବେଆଇନ ତଥା ତୋଷମଦ କାରବାରକୁ ପ୍ରଶ୍ରୟ ଦେଉଥିବା ଇଙ୍ଗିତ ଦେଉଛି।

ଏବେ ସେ ତାଲିକାକୁ ୧୪ ମାସ ସମୟ ବିତିଲାଣି କିନ୍ତୁ କିଓସ୍କ ଅବ୍ୟବହୃତ ହୋଇ ସେମିତି ପଡ଼ି ରହିଛି। କେଉଁଠି ତାହା ଭାଙ୍ଗିରୁଜି ବି ଗଲାଣି। ବାରମ୍ବାର ସ୍ମାର୍ଟ ସିଟିରେ ଉଚ୍ଛେଦର ଶିକାର ହେଉଥିବା ଉଠା ଦୋକାନୀଟିଏ ଏହି କିଓସ୍କ ବା ସରକାରୀ ସ୍ଵିକୃତୀପ୍ରାପ୍ତ ଉଠା ଦୋକାନକୁ ଅପେକ୍ଷା କରୁଛି, ହୁଏତ ତା’ ଭାଗ୍ୟରେ ସେଥିରୁ ଗୋଟିଏ ମିଳିବ? କିନ୍ତୁ କେମିତି?

ଲକ୍ଷାଧିକ ଟଙ୍କା ଖର୍ଚ ହୋଇ ଲୋକଙ୍କୁ ଆତ୍ମ ନିଯୁକ୍ତି ଦେବାର ପ୍ରୟାସ ଏମିତି ଫାଙ୍କା ପଡ଼ିବା ପ୍ରଧାନମନ୍ତ୍ରୀଙ୍କ ଆତ୍ମ ନିଯୁକ୍ତି ପ୍ୟାକେଜ୍‌କୁ ଦିନ ଦି ପ୍ରହରେ ଡିବିରି ଦେଖାଇବା ସଦୃଶ। ଯେଉଁଠି ୮୦ କୋଟି ୯୭ ଲକ୍ଷ ଟଙ୍କାର ସ୍ମାର୍ଟ ସିଟି ପ୍ରକଳ୍ପ କୁ ଠିକଣା ରୂପ ଦେବାରେ ପ୍ରଶାସନ ସକ୍ଷମ ହୋଇପାରୁ ନାହିଁ ସେଠାରେ ୨୦ ଲକ୍ଷ କୋଟିର ଭାଗ୍ୟ ଯାହା ଘଟିବ, ସେବାବଦରେ କେବଳ ଆଶଙ୍କା ଛଡ଼ା ଆଉ କିଛି ଦୃଶ୍ୟମାନ ହୋଇ ନପାରେ!

ସ୍ମାର୍ଟସିଟି ଓ ବିଏମ୍‌ସି କର୍ତ୍ତୃପକ୍ଷ ଯେଉଁ ପ୍ରକାରେ ତଥ୍ୟ ଲୁଚାଉଛନ୍ତି ତାହା ଅନେକ ସନ୍ଦେହ ଉପୁଯାଉଛି। ସେହି ଦୋକାନଗୁଡ଼ିକୁ ଯଦି ବେକାରୀଙ୍କୁ ବଣ୍ଟା ଯାଆନ୍ତା ତେବେ ଅତିକମ୍‌ରେ ୧୨୬ ପରିବାରରେ ଆତ୍ମ ବିଶ୍ଵାସ ବଢ଼ନ୍ତା ବୋଲି କହନ୍ତି ଆଇନଜୀବୀ ବିଜୟ କୁମାର ପଣ୍ଡା।

 

ବିଳମ୍ବରେ ହେଲେ ବି ପ୍ରଧାନମନ୍ତ୍ରୀଙ୍କ ଆତ୍ମ ନିର୍ଭରଶୀଳ ଭାରତ ଯୋଜନରେ କେନ୍ଦ୍ର ଅର୍ଥମନ୍ତ୍ରୀ ଉଠା ଦୋକାନୀଙ୍କ ପାଇଁ ୧୦ ହଜାର ଟଙ୍କା ଋଣ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଯେଉଁ ଦୋକାନୀକୁ ବାରମ୍ବାର ଉଚ୍ଛେଦ ହେବାକୁ ପଡ଼ୁଛି ତାକୁ ଋଣ ମିଳିବ ତ? ପୁଣି ମିଳିଲେ ବି ତାକୁ ସେ ଶୁଝିବ କେମିତି? ଯାହା ମନରେ ବାରମ୍ବାର ଉଚ୍ଛେଦର ଭୟ ଉଙ୍କି ମାରୁଛି ତା’ ପାଇଁ ଏ ପ୍ୟାକେଜ୍‌ ମୂଲ୍ୟହୀନ ବୋଲି କହନ୍ତି ରାଜମହଲ ଛକରେ ଚାଟ ବ୍ୟବସାୟ କରୁଥିବା ଶରତ ସାହୁ।

୮୦ ଦଶକରୁ ସେ ଏହି ଅଞ୍ଚଳରେ ବ୍ୟବସାୟ କରୁଛନ୍ତି। ସେ ତାଙ୍କ ଆଖରେ ୨୦ ଥର ଉଚ୍ଛେଦ ସହିଛନ୍ତି। ୧୯୯୬ ମସିହାରେ ଯେତେବେଳେ ରାଜମହଲ ଛକରୁ ଉଚ୍ଛେଦ ହେଲା ସେ ସେଥିରେ ଶିକାର ହୋଇଥିଲେ। ତାଙ୍କୁ କିଓସ୍କ ଖଣ୍ଡେ ମିଳିବ ବୋଲି ଆଶା କରିଥିଲେ। କିନ୍ତୁ ୭୭ ଦୋକାନୀଙ୍କଠୁ ୨୫ଜଣଙ୍କୁ ଦୋକାନ ମିଳିଲା। ଆଉ ୫୨ଜଣ ଏଯାଏ ବାର ଦୁଆର ବୁଲୁଛନ୍ତି।

ଏ ମାମଲାକୁ ବାପୁଜୀନଗର କ୍ଷୁଦ୍ର ବ୍ୟବସାୟୀ ସଂଘ ପକ୍ଷରୁ କୋର୍ଟଙ୍କ ନିକଟକୁ ନିଆଯାଇଥିଲା। ସେଠାରେ ଜଷ୍ଟିସ୍‌ ପିକେ ନାୟକ ଏବଂ ବିଏନ୍‌ ଦାସଙ୍କ କୋର୍ଟରେ ବିଏମ୍‌ସି ସତ୍ୟପାଠ କରିଥିଲେ ଯେ, ଏହି କ୍ଷୁଦ୍ର ବ୍ୟବସାୟୀଙ୍କୁ ଶୀଘ୍ର ଥଇଥାନ କରାଯିବ କିନ୍ତୁ ୨୪ ବର୍ଷ ପରେ ସେମାନେ ସେଇ ଅବସ୍ଥାରେ ପଡ଼ିଛନ୍ତି।

ଏଭଳି ପରିସ୍ଥିତିରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି କ୍ୟାବିନ୍‌ଗୁଡ଼ିକର ଭାଗ୍ୟ କ’ଣ ହେବ ତାହା ସହଜେ ଅନୁମେୟ।

Leave a Reply

Your email address will not be published.