ଅନ୍ଧ ଦେଶରେ ଦର୍ପଣ ବିକା; କେନ୍ଦ୍ରାପଡ଼ାରେ କୋଭିଡ୍ ମୁକାବିଲା ପ୍ରସ୍ତୁତିର ବିଭ୍ରାନ୍ତକର ଦୃଶ୍ୟ
କେନ୍ଦ୍ରାପଡ଼ା, (ପ୍ରଦୀପକୁମାର ଜେନା): ଅନ୍ଧ ରାଇଜରେ ଦର୍ପଣ ବିକିଲା ପରି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ କରୋନା ଭୁତାଣୁ ରୋଗ ( କୋଭିଡ୍) ମୁକାବିଲା ପାଇଁ ପ୍ରସ୍ତୁତି କରୁଛନ୍ତି। ଗଣମାଧ୍ୟମକୁ କୌଣସି ସୂଚନା ପ୍ରଦାନ କରାଯାଉ ନାହିଁ। ଏହାକୁ ଜରୁରୀକାଳୀନ ପରିସ୍ଥିତି ବୋଲି ଆଖ୍ୟା ଦିଆଯାଉଛି। ଆଉ ଏହାର ଫାଇଦା ନେଇ କିଛି କୁଚକ୍ରୀ ଅଧିକାରୀ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ଏମିତି କିଛି ବାସ୍ତବ ଚିତ୍ର ଆମର ହସ୍ତଗତ ହୋଇଛି, ଯାହାକୁ ଦେଖିଲେ ମନରେ ପ୍ରଶ୍ନ ଉଠିବା ସ୍ଵାଭାବିକ ଯେ, ଏହାକୁ ନେଇ କ’ଣ ଆମେ କରୋନା ପରି ମହାମାରୀ ସହ ଲଢ଼ିପାରିବା? ସତରେ ଗାଁ ଗାଁରେ କରୋନା ବ୍ୟାପିଲେ କ’ଣ ଏହି ସ୍ଵତନ୍ତ୍ର କୋଭିଡ୍ କକ୍ଷସବୁ କରୋନା ସଂକ୍ରମଣରୁ ରକ୍ଷା କରିବା ସମ୍ଭବ ହେବେ? ଯଦି ନା ତେବେ କାହିଁକି ଜିଲ୍ଲା ପ୍ରଶାସନ ଏଥିରୁ ନିବୃତ୍ତ ନ ହେଉଛି?
ସମଗ୍ର ବିଶ୍ୱରେ ଏବେ କରୋନା ଭୂତାଣୁ ସଂକ୍ରମଣ ଭୟାବହ ପରିସ୍ଥିତି ସୃଷ୍ଟି କରିଛି । ପୃଥିବୀର ୨୧୦ଦେଶକୁ କରୋନା ଭୂତାଣୁ ସଂକ୍ରମଣ ବ୍ୟାପି ସାରିଲାଣି । ଏବେ ପ୍ରତିଦିନ ଏକ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି ଆଉ କରୋନା ସଂକ୍ରମଣରେ ପ୍ରତିଦିନ ହଜାର ହଜାର ଲୋକଙ୍କର ପ୍ରାଣ ଯାଉଛି । କରୋନା ସଂକ୍ରମଣରୁ ଭାରତ ଓ ଓଡ଼ିଶାକୁ ରକ୍ଷା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାଣପଣେ ଲାଗିଛନ୍ତି । କରୋନା ଭୂତାଣର ଗଣସଂକ୍ରମଣରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ପ୍ରାକ୍ପ୍ରସ୍ତୁତି ସ୍ୱରୂପ ସମଗ୍ର ରାଜ୍ୟକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନ କରାଯିବା ସହ ସଂକ୍ରମିତ କରୋନା ରୋଗୀଙ୍କ ଚିକିତ୍ସା ହେଉଛି। ଏକାନ୍ତବାସ ପାଇଁ ପ୍ରତି ପଂଚାୟରେ ଅସ୍ଥାୟୀ କୋଭିଡ଼-୧୯ ଡାକ୍ତରଖାନା ଖୋଲାଯିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ସହ ଲକଡାଉନ ଯୋଗୁ ରୋଜଗାର ହରାଇଥିବା ଗରିବ ଲୋକଙ୍କୁ ମଧ୍ୟ ଖାଦ୍ୟ ଯୋଗାଇ ଦେବାକୁ ସରକାର ପ୍ରତି ପଂଚାୟତକୁ ୫ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ହେଲେ ଗାଁ ଗାଁରେ ଏହି ପଦକ୍ଷେପକୁ ସେତିକି ଗୁରୁତ୍ଵ ମିଳି ନାହିଁ।
ସ୍ଥିତି କ’ଣ
ଗରିବଙ୍କୁ ଖାଦ୍ୟ ଯୋଗାଇ ଦେବା ସହ ଅସ୍ଥାୟୀ କୋଭିଡ଼-୧୯ ଡାକକ୍ତରଖାନା ଖୋଲିବାକୁ ପଂଚାୟତ କର୍ତୃପକ୍ଷଙ୍କୁ ଦାୟିତ୍ୱ ଦିଆଯାଇଛି । ପ୍ରତି ପଂଚାୟତରେ ଥିବା ସ୍କୁଲ ଗୃହରେ ଅସ୍ଥାୟୀ କୋଭିଡ଼-୧୯ ଡାକ୍ତରଖାନା ଖୋଲିବାକୁ ସରକାର କହିଥିଲେ ବି କେନ୍ଦ୍ରାପଡ଼ା ଜିଲ୍ଲାର ଅନେକ ପଂଚାୟତରେ ଏପର୍ଯ୍ୟନ୍ତ ଡାକ୍ତରଖାନା ଖୋଲି ନାହିଁ । ଯେଉଁ ପଂଚାୟତରେ ଅସ୍ଥାୟୀ କେକାଭିଡ଼-୧୯ ଡାକ୍ତରଖାନା ଖୋଲିଛି ସେଗୁଡ଼ିକ ଅଧାପନ୍ତରିଆ ବା ନାମକୁ ମାତ୍ର ଖୋଲିଥିବା ଦେଖା ଯାଉଛି । କିନ୍ତୁ କୌଣସି କ୍ଷେତ୍ର ସମୀକ୍ଷା ହେଉ ନଥିବାରୁ ଏ ବାବଦରେ ପଞ୍ଚାୟତକୁ ମିଳୁଥିବା ୫ ଲକ୍ଷ ଟଙ୍କା ସହାୟତାକୁ ଏବେ ଚଳୁ କରିବାକୁ କିଛି ନେତା ସଜ ହୋଇଛନ୍ତି।
ଉଦାହରଣ
ଏମିତି ଏକ ବ୍ୟବସ୍ଥା ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକରେ ଖୋଲାଯାଇଥିବା କୋଭିଡ୍ ଏକାନ୍ତୀକରଣ ଶିବିର। ଏହି ବ୍ଲକର ବିଭିନ୍ନ ପଂଚାୟତରେ ନାମକୁ ମାତ୍ର କୋଭିଡ଼ ଡାକ୍ତରଖାନା ଖୋଲାଯାଇଛି । କେତେକ ପଂଚାୟତରେ ଥିବା ହାଇସ୍କୁଲରେ ସ୍ଥାନୀୟ ପଂଚାୟତ କର୍ତୃପକ୍ଷଙ୍କ ଦ୍ୱାରା ଅସ୍ଥାୟୀ କୋଭିଡ଼ ଡାକ୍ତରଖାନା ଖୋଲିଛି ସତ ହେଲେ ସ୍କୁଲ ଘରର ଚଟାଣରେ ବେଡ଼ ପଡ଼ିଛି । ବ୍ଲକର ଅନେକ ପଂଚାୟତରେ ଏପର୍ଯ୍ୟନ୍ତ କୋଭିଡ଼ ଡାକ୍ତରଖାନା ଖୋଲିନାହାନ୍ତି । ସେହିପରି କେନ୍ଦ୍ରାପଡ଼ା ବ୍ଲକର କେତେକ ସ୍କୁଲରେ ଥିବା ଡେସ୍କ, ବେଂଚ ଓ ଟେବୁଲ ଉପରେ ବେଡ଼ସିଟ ପକାଯାଇ କୋଭିଡ଼ ହସପିଟାଲ ଖୋଲାଯାଇଛି । କେନ୍ଦ୍ରାପଡ଼ା ବ୍ଲକର ବହୁ ପଞ୍ଚାୟତରେ ଏପର୍ଯ୍ୟନ୍ତ କୋଭିଡ଼ ଡାକ୍ତରଖାନା ଖୋଲିନାହିଁ । ଜିଲ୍ଲାର କୌଣସି ଗୋଟିଏ ବ୍ଲକରେ ଠିକଣା ଭାବେ ଅସ୍ଥାୟୀ କୋଭିଡ୍-୧୯ ଡାକ୍ତରଖାନା ଠିକ୍ ଭାବେ ଖୋଲିନଥିବା ଆଲୋଚନା ହେଉଛି ।
ସେହିପରି ଜିଲ୍ଲାର ଯେଉଁ କେତୋଟି ସ୍ଥାନରେ ଅସ୍ଥାୟୀ ଶିବିର ଖୋଲାଯାଇଛି ତାହାର ଉପଯୁକ୍ତ ପରିମଳ ବ୍ୟବସ୍ଥା କରାଯାଇନାହିଁ । ଏପରି ଅବସ୍ଥାରେ ରୋଗୀଙ୍କ ଉପଯୁକ୍ତ ଚିକିତ୍ସା କରାଯାଇପାରିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି କୌଣସି କାରଣ ବଶତଃ କରୋନା ଭୂତାଣୁର ଗଣସଂକ୍ରମଣ ହୁଏ ତା’ ହେଲେ ଏପରି ଅବସ୍ଥାରେ ଥିବା କୋଭିଡ଼ ଡାକ୍ତରଖାନା ଗୁଡ଼ିକରେ ରୋଗୀଙ୍କର ଚିକିତ୍ସା କିପରି ହୋଇପାରିବ ସେନେଇ ପ୍ରଶ୍ନ ଉଠୁଛି ।
ସେହିପରି ଲକଡାଉନ ସମୟରେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଗରିବ ଲୋକଙ୍କ ମଧ୍ୟରେ ଯେଉଁପରି ଭାବେ ରନ୍ଧା ଖାଦ୍ୟ ବଂଟନ କରାଯାଉଛି ଯଦି ସେପରି ଭାବେ ଖାଦ୍ୟ ବଣ୍ଟନ କରାଯାଏ ତେବେ କରୋନା ଭୂତାଣୁ ଗଣସଂକ୍ରମଣ ରୂପନେବାକୁ ବେଶୀ ସମୟ ଲାଗିବ ନାହିଁ । ଅପରିଷ୍କାର ପରିବେଶରେ ରୋଷେଇ କରାଯାଇ ରନ୍ଧାଖାଦ୍ୟକୁ ପଲିଥିନରେ ଭର୍ତ୍ତି କରାଯାଇ ଲୋକଙ୍କୁ ଦିଆଯାଉଥିବା ଦେଖାଯାଉଛି । ରୋଷେଇ ସମୟରେ ବା ଲେକଙ୍କ ମଧ୍ୟରେ ଖାଦ୍ୟ ବଣ୍ଟନ ସମୟରେ ସାମାଜିକ ଦୂରତ୍ୱ ରଖାଯାଉ ନଥିବାରୁ କରୋନା ଗଣସଂକ୍ରମଣ ହେବାର ସମ୍ଭାବନା ସୃଷ୍ଟି ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ ସତ୍ୱେ ପଂଚାୟତ କର୍ତୃପକ୍ଷ ନିଜ ପଂଚାୟତତରେ ଠିକ୍ ଭାବରେ କୋଭିଡ଼ ଡାକ୍ତରଖାନା ଖୋଲୁ ନଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସ୍କ୍ୱାଡ଼ ଗଠନ କରାଯାଇ କେଉଁ କେଉଁ ପଂଚାୟତରେ କୋଭିଡ଼ ଡାକ୍ତରଖାନା ଖୋଲାଯାଇଛି ଓ ସେଗୁଡ଼ିକର ଅବସ୍ଥା କିପରି ତାହା ତଦାରଖ କରାଯାଇ ପଦକ୍ଷେପ ନେବାକୁ ଜିଲ୍ଲାର ବୁଦ୍ଧିଜୀବୀମାନେ ଦାବି କରୁଛନ୍ତି ।