ଭୁଲ୍ କଲା ପାସ୍ପୋର୍ଟ, ମାଡ଼ ଖାଉଛି ରାସନକାର୍ଡ!
ଭୁବନେଶ୍ୱର, (ବିମଳ ପ୍ରସାଦ) ଲକ୍ଡାଉନ୍କୁ କଡ଼ାକଡ଼ି ପାଳନ କରି ଓଡ଼ିଶା ବେଶ୍ ସଫଳତା ପାଇଥିବା ବେଳେ କୋଭିଡ୍-୧୯ ପ୍ରସଙ୍ଗରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଛି। ଯେଉଁ ସ୍ୱାସ୍ଥ୍ୟଜ୍ଞାନକୁ ୟୁରୋପୀୟ, ଆମେରିକୀୟ ରାଷ୍ଟ୍ର ବୁଝିପାରିନାହାନ୍ତି, ତାହାକୁ ଭାରତ ଭଳି ଏକ ଅର୍ଧଶିକ୍ଷିତ ଦେଶରେ ବୁଝାଇବା-ବୁଝିବା ପୂର୍ବରୁ ଲକ୍ଡାଉନ୍କୁ ମାନିବାକୁ ଲୋକଙ୍କୁ ବାଧ୍ୟ କରାଯାଉଛି। ଏହି କ୍ରମରେ ପୁଲିସ୍ର ଅଘୋଷିତ ଲାଠିଚାଳନାର ଶିକାର ହୋଇଥିବା କିଛି ବସ୍ତିବାସୀଙ୍କ ଠାରୁ ଏଭଳି ଚର୍ଚ୍ଚା ଶୁଣିବାକୁ ମିଳିଛି- ଭୁଲ୍ କଲା ପାସ୍ପୋର୍ଟ, ମାଡ଼ ଖାଉଛି ରେସନକାର୍ଡ।
ବ୍ୟାଖ୍ୟା ଅନାବଶ୍ୟକ ଯେ ବିଦେଶରୁ ବିମାନରେ ଆସିଥିବା କିଛି ଲୋକଙ୍କ ଅସାବଧାନତା ଯୋଗୁ କରୋନା ବ୍ୟାପିଥିବା ବେଳେ ଲକ୍ଡାଉନ୍ ନାମରେ ଅଳ୍ପ ଅବଗତ ବା ଅବଗତିବିହୀନ କିଛି ଲୋକ ପୁଲିସ୍ ଠାରୁ ମାଡ ଖାଇଛନ୍ତି। ଯେଉଁମାନେ କେବେ ହେଲେ ବିମାନରେ ଉଡ଼ିନାହାନ୍ତି କି ବିମାନରେ ବିଦେଶ ଭ୍ରମଣର ସ୍ୱପ୍ନ ବି ଦେଖିନାହାନ୍ତି। ସାଇକେଲ, ସ୍କୁଟର, ମଟରସାଇକେଲରେ ଯାଉଥିବା ଲୋକ, ଏପରିକି ଚାଲିଚାଲି ଯାଉଥିବା ଲୋକ ମଧ୍ୟ ଲାଠି ପାହାର ଖାଇଛନ୍ତି। କରୋନା ବିରୋଧରେ ଲମ୍ବା ଯୁଦ୍ଧ ପାଇଁ ତିନି ମାସର ରେସନ୍ ଯଥା ଚାଉଳ, ଗହମ ବଣ୍ଟାଯାଉଥିବାରୁ ଡିଲର ପାଖକୁ ଯାଉଥିବା କିଛି ହିତାଧିକାରୀ ମଧ୍ୟ ଲାଠିପାହାରର ଶିକାର ହୋଇଥିବା ଅଭିଯୋଗ ହେଉଛି। ତଥାପି ରାଜ୍ୟବାସୀ ଅଭୂତପୂର୍ବ ଜନସମର୍ଥନ ଜଣାଇଛନ୍ତି ଲକ୍ଡାଉନ୍କୁ ଏବଂ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ। ଓଡ଼ିଶାର ସବୁ ଜିଲ୍ଲାରେ ସବୁ ଗାଆଁର ସମସ୍ତ ପ୍ରବେଶପଥରେ ଯେଉଁ ବାଉଁଶ ଧଡ଼ା ପଡିଛି, ତାହା ସାରା ବିଶ୍ୱରେ ଏକ ଅନନ୍ୟ ଉଦାହରଣ। ବିନା ପୁଲିସ୍ ବିନା ଲାଠିରେ ସମସ୍ତେ ନିଜ ଘରେ ନିଜ ଗାଆଁରେ ନିଜକୁ ବନ୍ଦୀ କରିନେଇଛନ୍ତି। କେବଳ ଯାହା ସଂକଟର କାରଣ ପାଲଟିଛି ସହର ଓ ସହରାଞ୍ଚଳ।
ବିଦେଶରୁ ବା ବାହାର ରାଜ୍ୟରୁ ଭ୍ରମଣ କରି ଆସୁଥିବା ଲୋକଙ୍କୁ ଯାଞ୍ଚ କରିବାର ବ୍ୟବସ୍ଥାରେ ଢିଲାପଣ ଯୋଗୁ ଏବେ ଯେଉଁ ମହାମାରୀ ପରିସ୍ଥିତି ଉପୁଜିଛି, ତାହାର ଅନେକ ଦିଗକୁ ଏବେ ବି ରାଜ୍ୟ ପ୍ରଶାସନ ଅଣଦେଖା କରିଛି। ରାଜ୍ୟ ବାହାରେ ଅଟକି ରହିଥିବା ଓଡ଼ିଆମାନେ (ଓଡ଼ିଶାର ବାସିନ୍ଦା) ସୁରକ୍ଷିତ ଅଛନ୍ତି ବୋଲି ବାରମ୍ବାର ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଉଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କେତେ ଜଣ କରୋନା ଆକ୍ରାନ୍ତ ବା ସନ୍ଦିଗ୍ଧ, ସେହି ତଥ୍ୟ ପ୍ରକାଶ ପାଉ ନାହିଁ। ତେଣୁ ରାଜ୍ୟ ବାହାରକୁ କାମଧନ୍ଦା ପେଟପାଟଣା ପାଇଁ ଯାଇଥିବା ଓଡ଼ିଆଙ୍କ ପ୍ରତି ଓଡ଼ିଶା ପ୍ରଶାସନ ବେଫିକର ଥିବା ସ୍ପଷ୍ଟ ହେଉଛି। କାରଣ ଏ ଛଅ ମାସର ଯୁଦ୍ଧ (ପ୍ରଶାସନର ଭାଷାରେ) ଭିତରେ ଦିନେ ନା ଦିନେ ସେମାନେ ରାଜ୍ୟକୁ ବାହୁଡ଼ିବେ, ସେତେବେଳେ ସ୍ୱାସ୍ଥ୍ୟ ବିବରଣୀ ସଂଗ୍ରହ କରିବାଟା ବିମାନଯାତ୍ରୀଙ୍କ ପ୍ରତି ଅବହେଳାର ପୁନରାବୃତ୍ତି ହେବ ନାହିଁ କି? କରୋନା ମୁକାବିଲା ପାଇଁ ଅଟକି ରହିଥିବା ଗରିବ ଶ୍ରେଣୀୟ ଲକ୍ଷ ଲକ୍ଷ ଲୋକଙ୍କ ଧୈର୍ଯ୍ୟଚ୍ୟୁତି ହୁଏତ ଏ ଗ୍ରୀଷ୍ମକାଳରେ ହୃଦ୍ଘାତର କାରଣ ହୋଇପାରେ। ଏହାପ୍ରତି ତଥାକଥିତ ବିଶେଷଜ୍ଞମାନେ ସଚେତନ ଅଛନ୍ତି ତ? କୃଷି କାର୍ଯ୍ୟ ସ୍ୱାଭାବିକ ଚାଲିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ ସୁଦ୍ଧା ଅକ୍ଷିତୃତୀୟା(୨୬ ଏପ୍ରିଲ୍) ପୂର୍ବରୁ ଅଟକଥିବା ଯାତ୍ରୀମାନଙ୍କୁ ନଆଣିବାକୁ ଲକ୍ଡାଉନ୍କୁ ୩୦ ଏପ୍ରିଲ୍ ପର୍ଯ୍ୟନ୍ତ ଘୁଞ୍ଚାଇଛନ୍ତି। ସମ୍ଭବତଃ ସରକାର ବୁଝିନେଇଛନ୍ତି ଯେ ବିନା ରୋଜଗାରରେ କେବଳ ଖାଇବା ରହିବା ହୋଇଗଲେ ବି ଓଡ଼ିଆମାନେ ଆଉ କିଛି ଖୋଜିବେନି!
ତିନିଦିନ ତଳେ ରାଜ୍ୟ ସରକାରଙ୍କ ଜଣେ ମୁଖପାତ୍ର କହିଲେ ଯେ ସାମ୍ବାଦିକଙ୍କ ସବୁ ପ୍ରଶ୍ନର ଉତ୍ତର ଦେବାକୁ ସେ ବାଧ୍ୟ ନୁହନ୍ତି ଏବଂ ପ୍ରଶ୍ନ ପଚାରିବାକୁ ଏମାନେ କିଏ? ୬ ମାସର ଲଢେଇ ପାଇଁ ଉଦ୍ଘୋଷଣା କରୁଥିବା ବେଳେ ୬ ସପ୍ତାହ ନପୂରୁଣୁ ନିଜର ଧୈର୍ଯ୍ୟଚ୍ୟୁତିର ଉଦାହରଣ ରାଜ୍ୟବାସୀଙ୍କ ସାମ୍ନାରେ ରଖି ଏବେ ବି ରାଜ୍ୟ ପ୍ରଶାସନ ବାସ୍ତବରେ ଅପ୍ରସ୍ତୁତ ବୋଲି ସୂଚାଇଦେଇଛନ୍ତି। ସାମ୍ବାଦିକେ ପ୍ରଶ୍ନ ପଚାରିବା ମାଧ୍ୟମରେ ହିଁ ବ୍ୟବସ୍ଥାକୁ ସଜାଡ଼ିବାର ପ୍ରୟାସ କରିଥାଆନ୍ତି। କିନ୍ତୁ ‘‘ତୁଣ ଅସୁଆଦେ ଡଙ୍କିକୁ ମା’ରେ, ସୁନ୍ଦରୀ ବହୂକୁ କହି ନପାରେ’’ ଭଳି ସମସ୍ୟାରେ ପଡ଼ିଥିବା ପ୍ରତୀତ ହେଉଛି। ଏଣୁ ତୁରନ୍ତ ସର୍ବସାଧାରଣରେ କ୍ଷମା ନମାଗିଲେ, ଏବେ ସୁଦ୍ଧା ସହଯୋଗ କରି ଆସୁଥିବା ରାଜ୍ୟବାସୀଙ୍କ ଭିତରେ ଏକ ନକାରାତ୍ମକ ବାର୍ତ୍ତା ଖେଳିଯିବ।
ରାଜ୍ୟ ପ୍ରଶାସନର ସବୁଠୁ ବଡ଼ ଅବହେଳା ହେଉଛି, ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ, ଭିଡିଓ ସାମ୍ବାଦିକ ବା କ୍ୟାମେରା ସାମ୍ବାଦିକମାନଙ୍କୁ ଆଦୌ କୃତଜ୍ଞତା ଜଣାଇନାହିଁ। କାରଣ ଏଇମାନଙ୍କ ଯୋଗୁ ସବୁ ବାର୍ତ୍ତା ସାଧାରଣଲୋକଙ୍କ ପାଖରେ ପହଞ୍ଚିପାରିଛି। ଏହି ଦାୟିତ୍ୱ ସଂପାଦନ କରୁଥିବା ବେଳେ ଟିଭି ଚ୍ୟାନେଲ୍ମାନଙ୍କୁ କୌଣସି ଅନୁଦାନ ବା ବିଜ୍ଞାପନ ନଦେଇ ମାଗଣାରେ ଫାଇଦା ମାରିନେଇ ବିଶ୍ୱର ଶ୍ରେଷ୍ଠ କରୋନା ପରିଚାଳନା ପୁରସ୍କାର ହାତେଇବ। ସେହିଭଳି ଅନ୍ୟ ୱେବ୍ମିଡିଆ, ଇପେପର ଓ ଖବରକାଗଜ ସଂସ୍ଥା ମଧ୍ୟ ଲୋକଙ୍କ ପାଖରେ ଏ ବିପତ୍ତି କାଳରେ ଯେଉଁ ବାର୍ତ୍ତା ପହଞ୍ଚାଇଛନ୍ତି, ଏସବୁ ସମ୍ଭବ ହୋଇଛି ସାମ୍ବାଦିକମାନଙ୍କ ପାଇଁ। ମାତ୍ର ଏକ ଅକୃତଜ୍ଞ ପ୍ରଶାସନ ଯେଉଁ ଆଚରଣ ଦେଖାଇଛି, ତାହା ଗଣତନ୍ତ୍ରକୁ ମଧ୍ୟ ତାଚ୍ଛଲ୍ୟ କରିବାର ଦୃଷ୍ଠାନ୍ତ ପାଲଟିଛି।
(ଲେଖକ ଜଣେ ସ୍ଵାଧୀନ ସ୍ତମ୍ଭକାର। ଏହି ସନ୍ଦର୍ଭରେ ରଖାଯାଇଥିବା ମତ ତାଙ୍କ ନିଜସ୍ଵ ଅନୁଶୀଳନ ଉପରେ ଆଧାରିତ। ତାଙ୍କୁ 9937353293 ମୋବାଇଲ୍ ନମ୍ବରରେ ଯୋଗାଯୋଗ କରିହେବ। )