#OdishaFightsCorona: ବଡ଼ ଜଟିଳ କରୋନା ସଂକ୍ରମଣ, ୨୯ ଦିନ ପରେ ପଜିଟିଭ୍‌

ଭୁବନେଶ୍ଵର, (ଓଟି): କରୋନା ସଂକ୍ରମଣ କେତେଦିନପରେ ଜଣାପଡ଼େ?  ବିଶ୍ଵସ୍ଵାସ୍ଥ୍ୟ ସଂଗଠନଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ କରୋନା ବିପର୍ଯ୍ୟୟ ପରିଚାଳନା କମିଟିର ମୁଖପାତ୍ରଙ୍କ ଯାଏ ସମସ୍ତେ ୧୪ ଦିନ ବୋଲି ଗ୍ରହଣ କରୁଛନ୍ତି। ଏଥିପାଇଁ କୌଣସି ସଂକ୍ରମଣ ଆଶଙ୍କା କରି ସରକାରଙ୍କ ପକ୍ଷରୁ ବିଦେଶ ଫେରନ୍ତା ବା ସଂକ୍ରମିତ ରାଜ୍ୟରୁ ଫେରନ୍ତା ମାନଙ୍କୁ ୧୪ ଦିନର ହୋମ୍‌ କ୍ଵାରେଣ୍ଟାଇନ୍‌ ବା ଗୃହ ଆବଦ୍ଧ ପାଇଁ ନିର୍ଦେଶ ଦିଆଯାଉଛି। ହେଲେ କରୋନା ଚିହ୍ନଟ ୨୯ ଦିନ ପରେ। ଆପଣଙ୍କ ମନକୁ ଏହା ଝଟକା ଦେଇପାରେ କିନ୍ତୁ ରାଜ୍ୟ ସରକାରଙ୍କ ପାଖରେ ଏମିତି ଗୋଟିଏ କାହାଣୀ ନୁହେଁ ଅନେକ କାହାଣୀ ରହିଛି, ଯେଉଁ ଗୁଡ଼ିକ ଗବେଷକଙ୍କୁ ଅଧିକ ଗବେଷଣା ପାଇଁ ଖୋରାକି ଦେଉଛି ବା ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ପ୍ରଶ୍ରୟ ଦେଉଛି।

ସଂକ୍ରମଣ ୨୯ ଦିନପରେ ଚିହ୍ନଟ ମହିଳା

ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ଦିଆଯାଇଥିବା ତଥ୍ୟ ଅନୁସାରେ କରୋନା ରୋଗୀ ସଂଖ୍ୟା ୪୩ ଯାହାଙ୍କ ନମୁନାରୁ ଆଜି କରୋନା ପଜିଟିଭ୍‌ ଭୁତାଣୁ ଚିହ୍ନଟ କରାଯାଇଛି, ସେ ବଡ଼ ରହସ୍ୟମୟ ସୂଚନା ଦେଇଛନ୍ତି। ଏ ରୋଗୀଜଣକ ହେଉଛନ୍ତି ରାଜ୍ୟର ପ୍ରଥମ ମହିଳା କରୋନା ରୋଗୀ। ସେ ନିଜାମୁଦ୍ଦିନ୍‌ ଯାଇ ନଥିଲେ। କିନ୍ତୁ ନିଜାମୁଦ୍ଦିନ୍ ଯାଇଥିବା ଜଣେ କରୋନା ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିଲେ। ତାହା ପୁଣି ମାର୍ଜ ୧୦ରୁ ୧୭ ତାରିଖ ଭିତରେ ଅର୍ଥାତ୍‌ ଆଜିକୁ ତାହା ୨୯ ଦିନ ବିତିଛି। ହେଲେ ଭୁତାଣୁ ଚିହ୍ନଟ ହୋଇଛଇ ଆଜି। ଏହା ପରୋକ୍ଷରେ ସୂଚନା ଦେଉଚଇ ଯେ, ଆପଣଙ୍କୁ ସଂକ୍ରମଣ ହେବାର ୧୪ ଦିନ ନୁହେଁ ମାସେ ପରେ ବି କରୋନା ଭୁତାଣୁ ସକ୍ରିୟ ହୋଇପାରେ! ତାଙ୍କ ତଥ୍ୟ ଅନୁସାରେ ସେ ୧୮ ତାରିଖରୁ ୨ ତାରିଖ ଯାଏ ଢେଙ୍କାନାଳରେ ତାଙ୍କ ଘରେ ରହୁଥିଲେ। ବିନା କୌଣସି ପ୍ରତିବନ୍ଧକରେ। ୩ ତାରିଖରେ ତାଙ୍କୁ ପ୍ରଶାସନିକ କ୍ଵାରେଣ୍ଟାଇନ୍‌ ଶିବିରକୁ ଅଣାଯାିଥିଲା।  ଅର୍ଥାତ୍‌ ଏହି ୧୬ ଦିନ ସେ ଅବାଧରେ ବିଚରଣ କରିଛନ୍ତି। ଅନେକ ଲୋକଙ୍କୁ ମିଶିଛନ୍ତି। ବା ପରୋକ୍ଷରେ ସଂକ୍ରମଣର ବାହକ ବି ହୋଇପାରଥାଆନ୍ତି। ଏଥିରୁ ସ୍ପଷ୍ଟ ଯେ ରାଜ୍ୟରେ ଆଉ କିଛି  ତାଙ୍କ ଦ୍ଵାରା ସଂକ୍ରମିତ ହୋଇ ଆସିପାରନ୍ତି।

ରୋଗୀ ସଂଖ୍ୟା ୨୦

ରାଜ୍ୟର କରୋନା ରୋଗୀ ସଂଖ୍ୟା ୨୦ ବାବଦରେ ଆଜି ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। କାହିଁକି ଏତେ ଦିନ ଲୁଚାଇଥିଲେ ତାହା ଅଜଣା। ସେ ଜଣେ ୨୯ ବର୍ଷୀୟ ଯୁବକ। ବାହାରିନ୍‌ରୁ ୧୭ରେ ବାହାରିଥିଲେ। ସେଠାରୁ ଦିଲ୍ଲୀ, ହାଇଦ୍ରାବାଦ୍‌ ଗୁଣ୍ଟୁର, ରାୟଗଡ଼ା, କେସିଙ୍ଗା ଦେଇ ନିଜ ଘର ଗଳାହାଣ୍ଡିରେ ୧୯ ତାରିଖରେ ପହଞ୍ଚିଛନ୍ତି। ସରକାରୀ ହିସାବ ଅନୁସାରେ ସେ ସେହିନଠାରୁ କ୍ଵାରେଣ୍ଟାଇନ୍‌ରେ ଥିଲେ। କିନ୍ତୁ ଚିହ୍ନଟ ହେଲେ ୪ ଏପ୍ରିଲ୍‌ରେ । ଅର୍ଥାତ୍‌ ପ୍ରଶାସନିକ ଓ ଡାକ୍ତରୀ ନଜରରେ ସେ ନିଜ ଘରେ ୨୦ ଦିନ ରହିଛନ୍ତି। ସଂକ୍ରମଣ ଯଦି ବିଦେଶରୁ ହୋଇଥାଏ ତେବେ ଏହା ଆଉ ଦୁଇଦିନ ଅଧିକ। ଅର୍ଥାତ୍‌ ୨୨ ଦିନ ପରେ ସେ କରୋନା ଜଣାପଡ଼ୁଛନ୍ତି। ଏଣୁ ଏଠାରେ ବି ରାଜ୍ୟ ସରକାରଙ୍କ ୧୪ ଦିନ ତତ୍ତ୍ଵ ଫେଲ୍‌ ମାରିଛି।

ରୋଗୀ ସଂଖ୍ୟା ୪୦

ୟେ ହେଉଛନ୍ତି ୩୨ ବର୍ଷୀୟ ଯୁବକ, ଦୁବାଇ ଫେରନ୍ତା। ସରକାରୀ ହିସାବ ଅନୁସାରେ ସେ ଦୁବାଇରୁ ଦିଲ୍ଲୀ ଫେରିଛନ୍ତି।  ଦିଲ୍ଲୀରୁ ଭୁବନେଶ୍ଵର ଆଉ ଭୁବନେଶ୍ଵରରୁ ନିଜ ଗାଁ କେନ୍ଦ୍ରାପଡ଼ା। ଏଠାରେ ସେ ୨୪ ତାରିଖରୁ ଡାକ୍ତର ଓ ପ୍ରଶାସନର କଡ଼ା ନଜରରେ ରହିଛନ୍ତି। ଲକ୍ଷଣ  ଅନୁସାରେ ତାଙ୍କୁ ୬ ତାରିଖରେ ପରୀକ୍ଷଣ କରାଯାଇଥିଲା। ପଜିଟିଭ୍‌ ଜଣାପଡ଼ିଛନ୍ତି। ଏ ଭିତରେ ତାଙ୍କର ବିଦେଶ ଫେରିବା ୧୫ ଦିନ ବିତିଗଲାଣି।

ଏସବୁ ଉଦାହରଣ ଏଠାରେ ରଖିବାର କାରଣ ହେଉଛି ଆପଣ ଯଦି ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି ତେବେ କେବେ ବି ଆପଣଙ୍କ ଶରୀରରେ ଲକ୍ଷଣ ଦେଖା ଦେଇପାରେ। ଏଣୁ ଘର ଭିତରେ ରହନ୍ତୁ। ଅନ୍ୟମାନଙ୍କୁ ସଂକ୍ରମଣରୁ ବଞ୍ଚାନ୍ତୁ। ହେଲେ ରାଜ୍ର ସରକାର ବି ଏହିପରି ହୋମ୍‌ କ୍ଵାରେଣ୍ଟାଇନ୍‌ଙ୍କ   ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପଜିଟିଭ୍‌ ଚିହ୍ନଟ ପରେ ନୁହେଁ ପୂର୍ବରୁ ଚିହ୍ନଟ କରି ତାଙ୍କୁ ଆବଶ୍ୟକ ପ୍ରତିକାର ପାଇଁ ଆଦେଶ ଦିଅନ୍ତୁ।

 

Leave a Reply

Your email address will not be published. Required fields are marked *