ଦୁଃଖ ଶୁଣିଲେ ହାଇକୋର୍ଟ: ଲୋକଙ୍କ ଉପରେ ବୋଝ ନହେବାକୁ ସରକାରଙ୍କୁ ପରାମର୍ଶ

ଭୁବନେଶ୍ଵର, (ଓଡ଼ିଶାଟାଇମ୍‌): କରୋନା ମୁକାବିଲା ପାଇଁ ଯେଉଁ ନିୟମ ଲାଗୁ ହୋଇଛି, ତାହାଦ୍ଵାରା ଲୋକେ ଅତ୍ୟନ୍ତ କଷ୍ଟରେ ଅଛନ୍ତି। ତଥାପି ଆଇନକୁ ସମ୍ମାନ ଦେଉଛନ୍ତି। ହେଲେ ସରକାରଙ୍କ କିଛି ଏଜେନ୍ସୀ ଲୋକଙ୍କ ଉପରେ ଦିନକୁ ଦିନ ବୋଝ ଲଦି ଚାଲିଛନ୍ତି। ଯାହାଫଳରେ ଲୋକଙ୍କ କଷ୍ଟ ବଢ଼ୁଛି। ଏଣୁ ଆଉ ସେ କଷ୍ଟ ବଢ଼ାନ୍ତୁ ନାହିଁ ବରଂ ମାନବିକତା ରକ୍ଷା କରନ୍ତୁ ବୋଲି ରାଜ୍ୟ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ସଞ୍ଜୁ ପଣ୍ଡା। ଏକ ଦୁଇ ପୃଷ୍ଠା ସମ୍ବଳିତ ଅନୁଭବ ଓ ଆଦେଶରେ କୋର୍ଟ କହିଛନ୍ତି ସରକାର ଲୋକଙ୍କ ପାଇଁ ଆବଶ୍ୟକ ସୁବିଧା ଉପଲବ୍ଧ କରାଇବା ବଦଳରେ ସେମାନଙ୍କ ଉପରେ ଦାଉ ସାଧୁଛନ୍ତି। ଏଣୁ ଡଜି ପୁଲିସ ଓ ସମ୍ପୃକ୍ତ ବିଭାଗ ଏ ବାବଦରେ ଯତ୍ନବାନ ହୁଅନ୍ତୁ।

ବଜାର ହାଟରେ ପୁଲିସ ଯେଉଁଭଳି ଭାବେ ଲୋକଙ୍କୁ ମାଡ଼ ମାରୁଛି ଏବଂ ସେମାନେ ଆଣିଥିବା ମୋଟର ଯାନକୁ ଉଠାଇ ନେଉଛି ତାହାକୁ କୋର୍ଟ ସମାଲୋଚନା କରିଛନ୍ତି। ହାଇକୋର୍ଟ ଅନୁଭବ କରିଛନ୍ତି ଯେ, ଏଯାଏ ପ୍ରଶାସନ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇପାରି ନାହିଁ। ସେଥିଲାଗି ଲୋକେ ସେମାନଙ୍କ ଦୈନନ୍ଦିନ ଆବଶ୍ୟକତା ଯେମିତି ସଉଦା, ପନିପରିବା ଏବଂ ଔଷଧ କିଣିବାକୁ ବଜାରକୁ ଆସୁଛନ୍ତି। ପୁଣି ଏହା ତାଙ୍କ ଘରଠାରୁ ଦୂର ହୋଇଥିବାରୁ ବାଧ୍ୟ ହୋଇ ସେମାନଙ୍କୁ ଦୁଇଚକିବା ଗାଡ଼ି ନେଇ ଆସିବାକୁ ହେଉଛି। ହେଲେ ପୁଲିସ ତାହାକୁ ବ୍ରୋଇନ ଦର୍ଶାଇ ଟେକି ନେଉଛି। ଫଳରେ ଲକ୍‌ଡାଉନ୍‌ ଏବଂ ସରକାରୀ ନିୟମ ଯୋଗୁ ଯେଉଁ କଷ୍ଟ ସାଧାରଣ ନାଗରିକଟିଏ ଭୋଗୁଛି ତାହା ଦ୍ଵିଗୁଣିତ ହୋଇଛି। ଏହାକୁ ଦୂର କରିବାକୁ ସରକାରଙ୍କୁ ଆଦେଶମୂଳକ ପରାମର୍ଶ ଦେଇଛନ୍ତି କୋର୍ଟ।

ଏହି ଆଦେଶର ପ୍ରଥମ ଧାଡ଼ିରେ ରହିଛି ସରକାର ଅତ୍ୟାବଶ୍ୟକ ସାମଗ୍ରୀସବୁ ଲୋକଙ୍କ ଘର ପାଖରେ  ଉପଲବ୍ଧ କରାନ୍ତୁ ଯାହାଫଳରେ ସେମାନଙ୍କୁ ବଜାରକୁ ଯିବାକୁ ପଡ଼ିବ ନାହିଁ। ସେମାନେ ଘର ପାଖରେ ଯଦି ଜିନିଷ ପାଇବେ ତେବେ ଆଉ ଗାଡ଼ି ବ୍ୟବହାର କରିବେ ନାହିଁଁ।

ପୁଲିସ ଯେଉଁ ଦୁଇଚକିଆ ଯାନକୁ ଜବତ କରିଛି ତାହା ତୁରନ୍ତ ସମ୍ପୃକ୍ତ ମାଲିକଙ୍କୁ ଫେରାଇ ଦିଆଯାଉ। ଏହା ବିପକ୍ଷରେ ଏକ ଅଣ୍ଡରଟେକିଂ ଗ୍ରହଣ କରାଯାଉ। କିନ୍ତୁ ଏଥିଲାଗି କୌଣସି ଜୋରିମାନା ଲାଗୁ ନକରାଯାଉ। ଏହିଭଳି ଗୋଟିଏ  ଅଣ୍ଡଟେକିଂରେ ତିନିଥର ଗାଡ଼ିକୁ ବିନା ଜୋରିମାନାରେ ଛଡ଼ାଯାଇପାରେ।

ଲୋକେ ଯେପରି ଚାଲି ଆସି ଆବଶ୍ୟକ ଜିନିଷ ନିକଟସ୍ଥ ଅଞ୍ଚଳରୁ ପାଇପାରିବେ ତାହାକୁ ନିଶ୍ଚିତ କରିବା ଲାଗି ନିର୍ଦେଶାବଳୀ ପ୍ରସ୍ତୁତ କରାଯାଉ।

ଏପରି ଜରୁରୀ ବ୍ୟବସ୍ଥା ନକରି ରାଜ୍ୟ ସରକାର ସୋଶାଲ୍‌ ଡିଷ୍ଟାନ୍‌ସିଂ ନାଁରେ ଲୋକଙ୍କୁ ବଜାର ହାଟକୁ ଗାଡ଼ି ଆଣିବାକୁ ବାରଣ କରିଥିଲେ। ବଜାର ହାଟରେ ଲୋକଙ୍କ ଗାଡ଼ିକୁ କ୍ରେନ୍‌ ଦ୍ଵାରା ଟେକି ନେଇଥିଲେ। ଫଳରେ ଅନେକ ବରିଷ୍ଠ ନାଗରିକ ଏବଂ ସାଧାରଣ ଲୋକ ହଇରାଣ ହୋଇ ହାଇକୋର୍ଟଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ରାଜ୍ୟ ସରକାର ଏଥିରେ ତାଙ୍କ ମତାମତ ମଧ୍ୟ ରଖିଥିଲେ। ହେଲେ ରାଜ୍ୟ ସରକାରଙ୍କ ମତରେ କୋର୍ଟ ସନ୍ତୋଷ ନ ହୋଇ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

କୋର୍ଟ ଏହା କହିଛନ୍ତି ଯେ, ରାଜ୍ୟ ସରକାରଙ୍କ କିଛି କର୍ତ୍ତୃପକ୍ଷ କିଛି ଆଦେଶ ଜାରି କରି ଲୋକଙ୍କ ଗାଡ଼ି ଜବତ କରୁଛନ୍ତି। ଯେତେବେଳେ କୌଣସି ଜଣେ ବ୍ୟକ୍ତି ଚାଲିଯାଇପାରୁଥିବା ଦୂରତାରେ  ତାହାର ଅତ୍ୟାବଶ୍ୟକ ଜିନିଷକୁ ସରକାର ଉପଲବ୍ଧ କରାଇପାରୁ ନାହାନ୍ତି ସେତେବେଳେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି। ଏଣୁ ନିଜ ପାଇଁ ଆବଶ୍ୟକ ପରିବାପତ୍ର, ମେଡିସିନ୍‌ ଓ ସଉଦା ଆଣିବା ଲାଗି ଲୋକେ ମୋଟରଗାଡ଼ି ବ୍ୟବହାର କରୁଛନ୍ତି। ଏ ପରିସ୍ଥିତିରେ ତାଙ୍କର ଗାଡ଼ି ଜବତ କରିବା ଅମାନବୀୟ ବୋଲି କୋର୍ଟ ଅନୁଣଶୀଳନ କରିଛନ୍ତି।

ଅଧିକ ନ୍ୟୁଜ୍‌ ପାଇଁ କ୍ଲିକ୍‌ କରନ୍ତୁ

ବଡ଼ ଜଟିଳ କରୋନା ସଂକ୍ରମଣ, ୨୯ ଦିନ ପରେ ପଜିଟିଭ୍‌

ଓଡ଼ିଶାରେ ଅନ୍‌ଲାଇନ୍ ପାଠପଢ଼ା କେତେ ବାସ୍ତବ ?

Leave a Reply

Your email address will not be published.