#Lockdown: ଯେଉଁଠି ଆକ୍ରାନ୍ତ ସେଇଠି ସୀମିତ ରହୁ
ଏଣୁ ମାରିଲେ ଗୋ ହତ୍ୟା, ତେଣୁ ମାରିଲେ ବ୍ରହ୍ମହତ୍ୟା’- ଓଡ଼ିଶା ଲୋକଙ୍କ ପାଖରେ ଏହା ଏକ ବହୁ ପରିଚିତ ପ୍ରବାଦ। ଯେତେବେଳେ ମୌଣସି ବ୍ୟକ୍ତି କୌଣସି ଏକ ବିଷୟକୁ ନେଇ ଦ୍ଵନ୍ଦ୍ଵରେ ପଡ଼େ ସେତେବେଳେ ଏହି ପ୍ରବାଦଟି ମନକୁ ଆସେ। ଠିକ୍ ସେହିଭଳି ପରିସ୍ଥିତି ସୃଷ୍ଟି ହୋଇଛି ସମଗ୍ର ଭାରତବର୍ଷରେ। ଭାରତରେ ତାଲାବନ୍ଦୀ ବା #Lockdown (ଲକ୍ଡାଉନ୍) ସମୟ ଯେତିକି କମି କମି ଆସୁଛି ସେତିକି ଦ୍ଵନ୍ଦ୍ଵ ଭିତରେ ପ୍ରବେଶ କରୁଛନ୍ତି ଜନତା ଓ ସରକାର। କ’ଣ ହେବ? ୨୧ ଦିନ ପରେ ଲକ୍ଡାଉନ୍ ଉଠିବ ନା ଆହୁରି ବଢ଼ିବ… ଏମିତି। ଏଭଳି ଏକ ପରିସ୍ଥିତିରେ ଭାରତ କିପରି ଲକ୍ଡାଉନ୍ ଉଠାଇବା ଯେତିକି ଜରୁରୀ ପରିସ୍ଥିତିକୁ ଆୟତ୍ତ କରିବା ସେତିକି ଜରୁରୀ। ଏଯାଏଁ ଯାହା ଅନୁଭୁତି ଆମର ରହିଛି ରୋଗି କିଛି ନିର୍ଦିଷ୍ଟ ଅଞ୍ଚଳରେ ସୀମିତ ରହିଛି। ଦେଶର ମାତ୍ର ୩୦ଟି ଜିଲ୍ଲା ଏଥିରେ ପ୍ରଭାବିତ। ପୁଣି ମେଟ୍ରୋ ସହର ଓ କିଛି ନିର୍ଦିଷ୍ଟ ସହରର କିଛି ନିର୍ଦିଷ୍ଟ ଅଞ୍ଚଳରେ ହିଁ ରୋଗୀଙ୍କ ସଂଖା କେନ୍ଦ୍ରୀଭୂତ ରହିଛି। ଏପରି କ୍ଷେତ୍ରରେ ସାରା ଦେଶ କାହିଁକି ଲକ୍ଡାଉନ୍ ଦ୍ଵାରା ସବୁକିଛି ବନ୍ଦ କରିବେ? ଏଣୁ ଲୋକଙ୍କୁ ସତର୍କ ହୋଇ ଲକ୍ଡାଉନ୍ ଉଠାଇବାକୁ ହେବ। ଅବଶ୍ୟ କିଛଇ ଅମାନିଆ ବିଭ୍ରାନ୍ତ କରିବେ କିନ୍ତୁ କିଛି ଅମାନିଆଙ୍କ ଯୋଗୁ ଦେଶର ଅର୍ଥନୀତି ଓ ସାମାଜିକ ଅବସ୍ଥା କହିଁକି ବିଗିଡ଼ିବ?
ଆଉ ୫ଦିନ ରହିଲା, ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଘୋଷିତ ଲକ୍ଡାଉନ୍ ଉଠିବା ଲାଗି। ଏହି କଥା କହିବା କ୍ଷଣି ଅନେକ ଦିନ ହେଲା ନିଜର କାମଛାଡ଼ି ଘରେ ତାଲାବନ୍ଦୀଥିବା ଭାରତବାସୀ ଟିକେ ଉତ୍ସାହିତ ହୋଇପାରନ୍ତି, ତାଙ୍କ ମନରେ ଆଶାର ସୂର୍ଯ୍ୟ ଉଇଁପାରେ କିନ୍ତୁ ଟେଲିଭିଜନ୍ ପର୍ଦାରେ ପୁଣିଥରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି କଥା ଦେଖିବା ପରେ ମନ ମରିଯାଏ। ପୁଣି ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ଵାରା ଲକ୍ଡାଉନ୍ ଉପରେ ଆସ୍ଥା ଓ ବିଶ୍ଵାସ ଏବଂ ଏହି ଲକ୍ଡାଉନ୍କୁ ଆହୁରି ବଢ଼ାଇବା ଲାଗି କେନ୍ଦ୍ରକୁ ଅନୁରୋଧ ଦେଖିଲେ ମନ ଭିତରେ ଆଉ ଗୋଟିଏ ପ୍ରଶ୍ନ ଉଠେ ଯାହା ଆମ ଉତ୍ସାହ ଉପରେ ପାଣି ଫିଙ୍ଗିଦିଏ ତାହା ହେଲା: ଆମକୁ କ’ଣ ସରକାର ମାରିବା ପାଇଁ ତାଲା ଖୋଲିବେ?
କ’ଣ ପାଇଁ ତାଲାବନ୍ଦୀ
କିଏ ମାନନ୍ତୁ ବା ନ ମାନନ୍ତୁ ଏଯାଏ ସୋଶାଲ୍ ଡିଷ୍ଟାନ୍ସିଂ ହିଁ କରୋନା ଚିକିତ୍ସାର ମୂଳମନ୍ତ୍ର। ସେଥିଲାଗି ପ୍ରଧାନମନ୍ତ୍ରୀ ଗୋଟିଏ ଦିନ ଜନତା କର୍ଫ୍ୟୁ ପରେ ୨୧ ଦିନର ତାଲାବନ୍ଦୀ ଘୋଷଣା କରିଛନ୍ତି। ଦେଶର ସବୁ ରାଜନୀତିକ ଦଳ, ସବୁ ରାଜ୍ୟର ସରକାର ସର୍ବୋପରି ଜନତା ତାହାକୁ ସମର୍ଥନ କରିଛନ୍ତି। ଆଉ ୫ ଦିନ ଏଥିରେ ବାକି ରହିଲା। ଏହି ଲକ୍ଡାଉନ୍ ସମୟର ବିକଳ ପରିସ୍ଥିତିକୁ କେବେ ଭାରତର ପିଢ଼ି ଦେଖି ନଥିଲେ। ଇନ୍ଷ୍ଟାଣ୍ଟ ନୁଡୁଲ୍ ସମୟରେ ଘର କୋଣରେ ଦିନ ଦିନ ପଡ଼ି ରହିବେ ତାହାକେବେ ଭାବି ନଥିଲେ। କାହାକୁ ଛୁଇଁଦେଲେ ବା ଆକ୍ରାନ୍ତ ବ୍ୟକ୍ତି ଛୁଇଁଥିବା ସ୍ଥାନରେ ସ୍ପର୍ଶ କଲେ ଯେ ମୃତ୍ୟୁକୁ ଡାକିବା ସହ ସମାନ ହେବ ତାହା ବିଶ୍ଵାସ ବାହାରେ ଥିଲା। ତଥାପି ଆମେ ଆମେ ସେସବୁକୁ ସାମ୍ନା କରିଲେ। ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ଅଫିସ, ଦୋକାନ କର୍ମସ୍ଥଳ ପରେ ହାଟ ବଜାର ବାରଣ ହୋଇଛି। ପିଲାମାନେ ମାସ ମାସ ଘରେ ପଡ଼ି ରହିବେ ସେହି ବିଶ୍ଵାସକୁ ମନ ଭିତରେ ଗଣି ନେଲେଣି। ଏସବୁ ସମସ୍ୟା ଛଡ଼ା ଯେଉଁ ବିଷୟ ସବୁଠାରୁ ଗୁରୁତର ଭାବେ ପ୍ରଭାବିତ ହୋଇଛି ତାହା ହେଲା ଆମ କୃଷି, ଶିଳ୍ପ ଓ ଅର୍ଥନୀତି। ସେଥିରେ ବନ୍ଧା ପଡ଼ିଛି ଆମ ଜୀବୀକା ଓ ଜୀବନ।
ସରକାରୀ କଳ ପ୍ରଥମେ ଜୀବନ ଥିଲେ ତ ଜୀବୀକା କଥା ଚିନ୍ତା କରିବା କହି ଘରେ ରହିବାକୁ ସାହସ ଦେଇଛନ୍ତି। ହେଲେ ଜୀବୀକା ନଥିଲେ ଖାଇବା କ’ଣ, ଖାଇବା ନଥିଲେ ଜୀବନ ରହିବ କେମିତି? ଏଭିତରେ ଜାତିସଂଘ ରିପୋର୍ଟ ପ୍ରକାଶ କରିଛନ୍ତି ଯେ, ୪ କୋଟି ଦାଦନ, ଦିନମଜୁରିଆ, ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟକରୁଥିବା ବ୍ୟକ୍ତି ଏହି କରୋନା ଭୁତାଣୁ ମହାମାରୀ ପରବର୍ତ୍ତୀ ସମ୍ରରେ ପ୍ରଭାବିତ ହେବ। ସଂଗଠିତ ଏବଂ ସ୍ଵାଧୀନ ପ୍ରଫେସନାଲ୍ କେତେ ପ୍ରଭାବିତ ହେବ ତାହା ଏହି ଆକଳନରେ ନାହିଁ। ସରକାରୀ କଳ ଏବଂ କିଛି ବଦାନ୍ୟ ବ୍ୟକ୍ତି ଗରିବ ଦୁଃଖୀରଙ୍କିଙ୍କୁ ଖାଇବା ବ୍ୟବସ୍ଥା କରୁଛନ୍ତି ବୋଲି ପ୍ରଚାର ହେଉଛି କିନ୍ତୁ ତାହା କ’ଣ ସତରେ ଲୋକଙ୍କୁ ସହାୟ ହୋଇଛି ତାହା ଦୈନନ୍ଦିନ ମିଡିଆ ରିପୋର୍ଟକୁ ଦେଖିଲେ ସ୍ପଷ୍ଟ ହେଉଛି।
କ’ଣ ଫାଇଦା
ଅବଶ୍ୟ ଏହା କୁହାଯାଇପାରିବ ଯେ, ୨୧ ଦିନର ତାଲାବନ୍ଦୀ ସମୟରେ ସରକାରଙ୍କୁ ଅନେକ ଅବସର ମିଳିଛି ଏ ରୋଗ ନିୟନ୍ତ୍ରଣ ପାଇଁ ଆବଶ୍ୟକ ଯୋଜନା ପ୍ରସ୍ତୁତ କରିବେ ଏବଂ ତାହାକୁ ଲାଗୁ କରିବେ। ଏ କ୍ଷେତ୍ରରେ ଆମେ ସଂକ୍ରମିତ ଲୋକଙ୍କୁ ଠାବ କରିବା, ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନିବା ପ୍ରଭୃତି ପ୍ରମୁଖ। ଏଥିପାଇଁ ସ୍ଵାସ୍ଥ୍ୟ ଭିତ୍ତିଭୂମିକୁ ବଢ଼ାଇବାକୁ ହେବ। ପରୀକ୍ଷଣ କେନ୍ଦ୍ର, ନମୁନା ପରୀକ୍ଷା କିଟ୍, ଭେଣ୍ଟିଲେଟର, ହସ୍ପିଟାଲ୍ ଶଯ୍ୟା ବୃଦ୍ଧି ପ୍ରଭୃତି ବ୍ୟବସ୍ଥା ଆପଣାଇବାକୁ ହେବ। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କୋଭିଡ୍ ୧୯ ରୋଗର ନିୟନ୍ତ୍ରଣ ପାଇଁ ତିନୋଟି ପଦକ୍ଷେପରେ ଗୁରୁତ୍ଵ ଦେଇଛନ୍ତି ତାହା ହେଲା ଟେଷ୍ଟିଙ୍ଗ୍, ଟେଷ୍ଟିଙ୍ଗ୍ ଏବଂ ଟେଷ୍ଟିଙ୍ଗ୍। ଏହାକୁ ଯେତେ ବିଳମ୍ବ କରାଯିବ ଆମେ ସେତିକି ସଂକ୍ରମଣକୁ ପ୍ରସାର କରିବାରେ ସହାୟକ ହେବା। ଏବେ ଭୁତାଣୁ ୩୦ ପ୍ରତିଶତ ଜିଲ୍ଲାକୁ କାୟା ବିସ୍ତାର କରିଛି। କିନ୍ତୁ ତାହା ଅଧିକ ହୋଇପାରେ। ଏବେ ଭାରତରେ ୭୨୦ଟି ଜିଲ୍ଲା ରହିଛି। ଏଣୁ ଲକ୍ଡାଉନ୍ ଦ୍ଵାରା ଲୋକଙ୍କ ଯିବା ଆସିବା ଉପରେ ପ୍ରତିବନ୍ଧକ ଲାଗୁଥିବାରୁ ଆମର ଗୋଷ୍ଠୀ ସଂକ୍ରମଣର ଆଶଙ୍କା ନଥାଏ। ଏବଂ ଆମକୁ ରୋଗୀଙ୍କୁ ଠାବ କରିବା, ସୀମିତ ସଂସ୍ପର୍ଶକୁ ଚିହ୍ନଟ କରିବା ସେମାନଙ୍କୁ ଚିକିତ୍ସା କରିବାରେ ସହାୟକ ହୋଇଥାଏ। ଅର୍ଥାତ୍ ଆମେ ସ୍ଵାସ୍ଥ୍ୟ ବିପର୍ଯ୍ୟୟକୁ ରୋକିବା ଲାଗି ଏହା ଆବଶ୍ୟକ ହେବ। ଏଭିତରେ ଭାରତ ସରକାର ଏବଂ ଅନ୍ୟ ରାଜ୍ୟ ସରକାରମାନେ ସେମାନଙ୍କ ରାଜ୍ୟରେ ଚିକିତ୍ସା ପାଇଁ ପ୍ରସ୍ତୁତି ହେଲେଣି। ବିଶ୍ଵ ଅନୁଭୂତିରୁ ଭାରତରେ ସ୍ଵତନ୍ତ୍ର କୋଭିଡ୍ ହସ୍ପିଟାଲ୍ ନିର୍ମାଣ ହୋଇଛି। ଚିକିତ୍ସକଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା ହୋଇଛି। ଯେହେତୁ ରୋଗର ଚିକିତ୍ସା ପାଇ କୌଣସି ନିର୍ଦିଷ୍ଟ ଔଷଧ, ଟୀକା ବା ବ୍ୟବସ୍ଥା ନାହିଁ ଆମକୁ ରୋଗୀଙ୍କୁ ଅଲଗା କରି ୧୪ ଦିନ ରଖିବା ଓ ସାଧାରଣ ମେଡିସିନ୍ ବ୍ୟବସ୍ଥା କରିବାକୁ ପଡ଼ୁଛି। କିଛି ଅଧିକ ଆକ୍ରାନ୍ତଙ୍କ ବ୍ୟତୀତ ଅନ୍ୟମାନଙ୍କ ପାଇଁ ଜରୁରୀକାଳୀନ ଆଇସିୟୁ, ଭେଣ୍ଟିଲେଟର ସେବା ଆବଶ୍ୟକ ନାହିଁ।
ଏବେ ଏହି ସଂକ୍ରମଣ କିଛି ସହରାଞ୍ଚଳରେ ସୀମିତ ରହିଛି। କିନ୍ତୁ ଆଗକୁ ତାହା ଗ୍ରାମାଞ୍ଚଳକୁ ଯିବ। ଏଣୁ ଏହି ମୁହୂର୍ତ୍ତରେ ଗ୍ରାମାଞ୍ଚଳ ସ୍ଵାସ୍ଥ୍ୟ ପ୍ରତିନିଧିଙ୍କୁ ଆବଶ୍ୟକ ତାଲିମ ପ୍ରଦାନ କରିବାକୁ ହେବ ଯାହାଦ୍ଵାରା ଯେମାନେ କରୋନା ଲକ୍ଷଣ ଥିବା ରୋଗୀଙ୍କ ବାବଦରେ ସ୍ଥାନୀୟ ଅଧିକାରୀଙ୍କୁ ସୂଚନା ପହଞ୍ଚାଇବେ। ଏହିପରି ରିପୋର୍ଟ ପ୍ରସ୍ତୁତି ଏବେଠାରୁ ଆରମ୍ଭ ହୋଇଯିବା ଦରକାର। କାରଣ କିଏ ଏ ଭିତରେ ସଂକ୍ରମିତ ତାହା ଜାଣିବା କଷ୍ଟକର।
ଏଣୁ ଆମକୁ ନିମ୍ନ ସତର୍କତା ଆପଣାଇ ଲକ୍ଡାଉନ୍ ଉଠାଇବା ଆବଶ୍ୟକ।
ସାମାଜିକ ଦୂରତ୍ଵ
ଯେଉଁ ସାମାଜିକ ଏବଂ ଶରିରୀକ ଦୂରତ୍ଵକୁ ଆମେ ଗୁରୁତ୍ଵ ଦେଉଛୁ ତାହା ବାସ୍ତବରେ ସମ୍ପୂଣ୍ଣ ଭାବେ ସମ୍ଭବ ନୁହେଁ। ସବୁ କ୍ଷେତ୍ରରେ ସାମାଜିକ ଓ ଶାରିରୀକ ଦୂରତ୍ଵ ରକ୍ଷା କରା ନଯିବା ଆମେ ଅନେକ ସଂଖ୍ୟାରେ ଦେଖୁଛୁ। ନିକଟରେ ସହରାଞ୍ଚଳକୁ ଜୀବୀକା ସନ୍ଧାନରେ ଆସିଥିବା ଶ୍ରମିକମାନେ ନିଜ ନିଜ ଗାଁକୁ ଫେରିବା ପାଇଁ ରାଜରାସ୍ତାରେ ଚାଲୁଥିବା ବିଷୟରେ ଆମେ ସାକ୍ଷୀ ହୋଇଛୁ। କିନ୍ତୁ ସେମାନେ କେହି ସାମାଜିକ ଦୂରତ୍ଵ ରକ୍ଷା କରୁ ନଥିଲେ। ମୁମ୍ବାଇ ଭଳି ସହରରେ ଯେଉଁଠି ଛୋଟ ଛୋଟ ଘରେ ୫ରୁ ୧୦ ଲୋକ ଏକାଠି ରହିବାକୁ ପଡ଼ିଥାଏ ସେଠାରେ ଜଣେ ଅନ୍ୟଠୁ ଦୂରରେ ରହିବା ବାସ୍ତବରେ ସମ୍ଭବ ନୁହେଁ।
ଏବେ ରୋଜଗାର ଓ ଜୀବୀକା ବିଷୟ।
ଲୋକଙ୍କ କ୍ଷେତ୍ରରେ ଯେଉଁ ଅସୁବିଧା ସୃଷ୍ଟି ହୋଇଛି ସେଥିନେଇ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି। ଅବଶ୍ୟ ସ୍ଵାସ୍ଥ୍ୟ କ୍ଷେତ୍ରର ବିପର୍ଯ୍ୟୟ ଆଶଙ୍କାକୁ ରୋକିବା ଲାଗି ଲକ୍ଡାଉନ୍ ଆବଶ୍ୟକ ହୋଇଥାଇପାରେ କିନ୍ତୁ ଜୀବନଜୀବୀକା ଉପରେ ଏହାର ପ୍ରଭାବ ଯଥେଷ୍ଟ ପଡ଼ିବ। ଅନେକ ଅର୍ଥନୀତିଜ୍ଞ ଏହା ବି କହିଛନ୍ତି ଯେ ୨୧ ଦିନ ପରେ ଆଉ ଲକ୍ଡାଉନ୍ ସ୍ଥିତିକୁ ବଢ଼ାଯିବା ଉଚିତ ନୁହେଁ। ଏହା ହେଲେ ଦେଶର ଅନେକ ଲୋକ କର୍ମ ସଂସ୍ଥାନ ହରାଇବେ। ଜୀବୀକା ନପାଇ ଅନେକ ଜୀବନ ହରାଇବେ। ଏହା କରୋନା ଭୁତାଣୁ ସଂକ୍ରମଣଜନିତ ମୃତ୍ୟୁଠୁ ଅଧିକ ହୋଇପାରେ।
କୃଷି
ପ୍ରଥମେ କୃଷି କ୍ଷେତ୍ରରେ ପ୍ରଭାବକୁ ଅନୁଶୀଳନ କରିବା। ଯେହେତୁ ଅଧିକ ସଂଖ୍ୟାରେ ଜନସଂଖ୍ୟା କୃଷି ଉପରେ ନିର୍ଭରଶୀଳ ଏହି ବିଷୟକୁ ପ୍ରଥମେ ଅବଲୋକନ କରିବା ଜରୁରୀ। ଏ ପର୍ଷ ଆମେ ରେକର୍ଡ ସଂଖ୍ୟାରେ କୃଷି ଉତ୍ପାଦନ ହାସଲ କରିଛୁ। ଏହାର ପରିମାଣ ପ୍ରାୟ ୨୯୨ ମିଲିୟନ୍ ଟନ୍ ହେବ। ଉଦ୍ୟାନ କୃଷିରେ ମଧ୍ୟ ସେହିଭଳି ଭଲ ଉତ୍ପାଦନ ହୋଇଥିଲା। କରୋନା ମହାମାରୀ ପୂର୍ବରୁ ଆମେ ଆଶା ରଖିଥିଲୁ ସଯ ଆସନ୍ତା ରବି ଋତୁରେ ମଧ୍ୟ ଭଲ ଫସଲ ହେବ। କିନ୍ତୁ ଲକ୍ଡାଉନ୍ ହେତୁ ଅନେକ କିଛି ପ୍ରଭାବିତ ହୋଇଛି। ଯୋଗାଣ ଶୃଙ୍ଖଳଟି ସମ୍ପୂଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ୨୧ ଦିନ ଏବଂ ତା ପରବର୍ତ୍ତୀ ଅବସ୍ଥା ଆଗକୁ ଆହୁରି ପ୍ରଭାବ ପକାଇପାରେ। ଇନ୍ପୁଟ୍ ବଣ୍ଟନ, ଅମଳ, ପରି ବହୁ ପ୍ରତିବନ୍ଧକ, କୃଷି ବଜାର ପ୍ରଭୃତି ଏଥିରେ ଖରାପ ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି।
କିନ୍ତୁ ଏହି ନିର୍ଦେଶାବଳୀକୁ ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଉ ନାହିଁ। ଫଳରେ ଚାଷୀ ପାଖରେ ଜିନିଷ ପଡ଼ି ରହୁଛି। ଦୋକାନୀ ପାଖରେ ଗରାଖ ରହିଛନ୍ତି କିନ୍ତୁ ଖାଉଟୀ ପାଖରେ ଖାଦ୍ୟ ନାହିଁ। ଫଳରେ ଦରଦାମ ବଢ଼ି ଚାଲିଛି। ଏହା ଅଧିକ ଦିନ ଜାରି ରହିଲେ ଦେଶରେ ଖାଦ୍ୟସଙ୍କଟ ଉତ୍କଟ ହେବା ଆଶଙ୍କା ଜୋର। ଏଣୁ ସରକାରଙ୍କୁ ତୁରନ୍ତ ଓ ଜରୁରୀକାଳୀନ ଭିତ୍ତିରେ ଏହି ପରିସ୍ଥିତିରେ ହସ୍ତକ୍ଷେପ କରିବା ଜରୁରୀ।
ଏହି ସମୟରେ ଯେଉଁ ସବନିମ୍ନ ସହାୟକ ମୂଲ୍ୟ ଦେଇ ଫସଲ କିଣିବା ପ୍ରକ୍ରିୟା ଗୁରୁତ୍ଵପୂଣ୍ଣ। ଏଥିଲାଗି ଫସଲ କିଣାକୁ ବିକେନ୍ଦ୍ରୀକରଣ କରିବା ଜରୁରୀ। ଅବଶ୍ୟ ଓଡ଼ିଶା, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ପରି ରାଜ୍ୟଙ୍କ ପାଖରେ ଗ୍ରାମାଞ୍ଚଳରେ କେନ୍ଦ୍ର ମାଧ୍ୟମରେ ଫସଲ ସଂଗ୍ରହର ଭିତ୍ତିଭୂମି ରହିଛି। ଯେଉଁ ରାଜ୍ୟରେ ଏପରି ସୁବିଧା ନାହିଁ ସେଠାରେ ରାଜ୍ୟମାନେ ସ୍ଵୟଂସହାୟକ ଗୋଷ୍ଠୀ, ପ୍ରଥମିକ କୃଷି ସମବାୟ ସମିତି ଦ୍ଵାରା ଅମଳ କିଣିବା ବ୍ୟବସ୍ଥା କରିପାରିବେ।
ବଣ୍ଟନ ବ୍ୟବସ୍ଥାରେ କଡ଼ା ନଜର
ଅବଶ୍ୟ ଏହା ଠିକ୍ ଯେ, ବର୍ତ୍ତମାନ ପରିସ୍ଥିତିରେ ଚାଷୀ ଏବଂ ନିଯୁକ୍ତ ଏଜେନ୍ସୀ କର୍ମକର୍ତ୍ତାଙ୍କୁ ଆବଶ୍ୟକ ପ୍ରତିଶେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ହେବ। ଯେମିତି ଗୋଦାମଘରକୁ ବିଶୋଧନ କରାଯିବା, ଯେଉଁମାନେ ସେଠାରେ କାମ କରୁଛନ୍ତି ସେମାନଙ୍କ ସୁରକ୍ଷା ଲାଗି ଆବଶ୍ୟକ ସୁବିଧା ଉପଲବ୍ଧ କରାଇବା ପ୍ରଭୃତି ଏଥିରେ ଅନ୍ୟତମ। ଏହା ସହ ଯେଉଁମାନେ ଉତ୍ପାଦନ କରୁଛନ୍ତି ଏବଂ ଉତ୍ପାଦନ-ଯୋଗାଣ ଚେନ୍ରେ ଜଡ଼ିତ ଅଛନ୍ତି ସେମାନେ ମଧ୍ୟ ଆସ୍ଥା ପାଇବା ଦରକାର ଯେ, ସେମାନେ ମହାମାରୀ କରୋନାଠୁ ସୁରକ୍ଷିତ ରହିଛନ୍ତି। ସେମାନେ ଲକ୍ଡାଉନ୍ର ଶିକାର ହୋଇ ନାହାନ୍ତି। ଏଥିଲାଗି ତାଙ୍କ ଗାଁକୁ ବା ଅଞ୍ଚଳକୁ ଆସୁଥିବା ପ୍ରତିଟି ଶ୍ରମିକଙ୍କ ଆବଶ୍ୟକ ନମୁନା ପରୀକ୍ଷଣ କରାଯିବା ଆବଶ୍ୟକ। ସେମାନଙ୍କୁ ବ୍ୟବସ୍ଥାଠୁ ଅଲଗା କରିବା ଅନୁଚିତ। ଏଭଳି କିଛି ପନ୍ଥାକୁ ଆପଣାଇଲେ ସରକାରଙ୍କୁ ଖାଦ୍ୟ ଉତ୍ପାଦନ-ଯୋଗାଣ ଶୃଙ୍ଖଳକୁ ପୁଣିଥରେ ନିୟମକିତ କରିବା ଅସୁବିଧା ହେବ ନାହିଁ। କିନ୍ତୁ ଏହା ନକଲେ ଏହାର ପରିଣାମ ଉତ୍କଟ ହେବ।
ଶ୍ରମିକଙ୍କ ହାତରେ ଅର୍ଥ
ଅଣ ସଂଗଠିତ ଶ୍ରମିକ ଏବଂ ଦାଦନ ଶ୍ରମିକଙ୍କ ଉପରେ କରୋନା ଭୁତାଣୁ ସଂକ୍ରମଣର ବ୍ୟାପକ କୁପ୍ରଭାବ ପଡ଼ିଛି। କୌଣସି ପୂର୍ବପ୍ରସ୍ତୁତି ବିନା ଏହି ଲକ୍ଡାଉନ୍କୁ ଲାଗୁ କରାଯାଇଛି। ସରକାର ୨୧ ଦିନର ଏହି ଲକ୍ଡାଉନ୍ ସମୟରେ ପ୍ରଭାବିତ ଲୋକଙ୍କ ସହାୟକ ହେବା ଲାଗି ୧.୭ ଲକ୍ଷ କୋଟି ଅର୍ଥାତ୍ ଜିଡିପିର ୦.୮ ପ୍ରତିଶତ ପରିମାଣ ବିଶିଷ୍ଟ ଏକ ପ୍ୟାକେଜ୍ ଘୋଷଣା କରିଛନ୍ତି। ପୁଣି ଏମ୍ଏସ୍ଏମ୍ଇ ଓ କର୍ପୋରେଟ୍ ସେକ୍ଟରକୁ ସହାୟକ ହେବା ଲାଗି ଆଉ କିଛି ଅଧିକ ଘୋଷଣା କରିପାରନ୍ତି। କିନ୍ତୁ ଏହି ଘୋଷଣା ଓ ସହାୟତା ଯେ କ୍ଷତି ତୁଳନାରେ ଯଥେଷ୍ଟ ନଗଣ୍ୟ ତାହା ସ୍ପଷ୍ଟ। ଏଣୁ ।ଲୋକଙ୍କ ହାତକୁ ଅର୍ଥ ପହଞ୍ଚାଇବା ଲାଗି ଅଧିକ ସରକାରଙ୍କ ପକ୍ଷରୁ ଯଥାସମ୍ଭବ ସାମାଜିକ ଟ୍ରାନ୍ସଫର ଯୋଜନା ପରିଚାଳନା କରିବା ଆବଶ୍ୟକ ଥିଲା। ସେମାନଙ୍କ ମତରେ ସରକାର ଏବେ ଲୋକଙ୍କୁ ଯାହା ପ୍ରଦାନ କରିଛି ତାହା ଛୋଟ ଛୋଟ ଆଳୁ ଭଳି। ଯଦି ସେମାନଙ୍କୁ ତାଙ୍କ କାର୍ଯ୍ୟ ବନ୍ଦ କରି ଘରେ ରହିବାକୁ ହେବ ତେବେ ଏହି ପରିମାଣ ଆହୁରି ବଢ଼ାଇବା ଉଚିତ।
କଥା ହେଲା ସରକାରଙ୍କ ଦ୍ଵାରା ଘୋଷଣା କରାଯାଇଥିବା ପ୍ୟାକେଜ୍ର ଉଦ୍ଦେଶ୍ୟ ଠିକ୍ ରହିଛି କିନ୍ତୁ ତାହାର ପରିମାଣ ଯଥେଷ୍ଟ କମ୍। ଯୁକ୍ତରାଷ୍ଟ୍ର ଆମେରିକା ଏହି ପରିସ୍ଥିତିରେ ୨ ଟ୍ରିଲିୟନ୍ ଡଲାର ସହାୟତା ଘୋଷଣା କରିଛି, ଯାହା ତାଙ୍କ ସମୁଦାୟ ବଜେଟ୍ର ୧୦ ପ୍ରତିଶତ। ଏହାପରେ ଆମେରିକା ଆହୁରି ୧ ଟ୍ରିଲିୟନ୍ ଟଙ୍କା ପ୍ରୋତ୍ସାହନ ରାଶି ଘୋଷଣା କରିବାକୁ ଯାଉଛି। ଏହା ମିଶିଲେ ସମୁଦା୍ର ଜିଡିପିର ୧୫ ପ୍ରତିଶତ ସେମାନେ ଲୋକଙ୍କ ଅର୍ଥନୀତିକୁ ସମ୍ଭାଳିବା ଲାଗି ଖର୍ଚ କରିବାକୁ ଯାଉଛନ୍ତି। ଲୋକେ ଆଶା କରୁଛନ୍ତି ଯେ, ଯେଉଁ ପ୍ରୋତ୍ସାହନ ରାଶି ଆମେରିକା ଘୋଷଣା କରିବାକୁ ଯାଉଛି ତାହା ୨୦୦୮ର ଅର୍ଥନୀତିକ ବିପର୍ଯ୍ୟୟ ପରେ ଯେଉଁ ପ୍ୟାକେଜ୍ ଘୋଷଣା କରାଯାଇଥିଲା ତାହାଠୁ ଅଧିକ ହେବା ଆବଶ୍ୟକ। ଅନ୍ୟପକ୍ଷରେ କହିବାକୁ ଗଲେ ଆମେରିକା ଦେଉଥିବା ପ୍ରୋତ୍ସାହନ ଭାରତ ତୁଳନାରେ ୧୦ ଗୁଣା ଅଧିକ। ୟୁରୋପର ଅନେକ ରାଷ୍ଟ୍ର ମଧ୍ୟ ଅର୍ଥନୀତି ଓ ଉତ୍ପାଦନକୁ ସୁଧାରିବା ଲାଗି ସେହିପରି ପ୍ରୋତ୍ସାହନ ଦେଉଛନ୍ତି। ଏଣୁ ଭାରତକୁ ଯେଉଁ ଶିକ୍ଷା ମିଳୁଛି ତାହା ସ୍ପଷ୍ଟ ।ଏହାକୁ ଅର୍ଥନୀତିକୁ ନିରନ୍ତର ରଖିବାକୁ ହେଲେ ଯେଉଁ ପ୍ରୋତ୍ସହନ ରାଷି ଘେଶଷଣା କରାଯାଉଛି ତାହାର ୩ରୁ ୪ଗୁଣା ଅଧିକ ଖର୍ଚ କରିବାକୁ ହେବ। ଯଦି ଲକ୍ଡାଉନ୍ ଆହୁରି ଅଧିକ ସମୟ ଚାଲିବ ତେବେ ସ୍ଵାସ୍ଥ୍ୟ କ୍ଷେତ୍ର ଓ ଲୋକଙ୍କ ଜୀବନ ଜୀବୀକା ହରାଇବା ବାବଦକୁ ୭ରୁ ୮ ଲକ୍ଷ କୋଟି ଟଙ୍କା ଅଧିକ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ହେବ। ଉଦାହରଣ ସ୍ଵରୂପ ଅର୍ଥମନ୍ତ୍ରୀ ମହିଳା ଜନଧନ ଆକାଉଣ୍ଟଧାରୀଙ୍କ ଖାତାକୁ ୫୦୦ ଟଙ୍କା ଲେଖାଏ ତିନି ମାସ ଯାଏ ପ୍ରଦାନ କରିବାକୁ କହିଛନ୍ତି। ଆମେ କିନ୍ତୁ ପଅତି ମାସକୁ ୩ହଜାର ଟଙ୍କା ଲେଖାଏଁ ଆକାଉଣ୍ଟ ପିଛା ଲୋକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ ଅନୁଭବ କରୁଛୁ। ଏହା ସହ ଗରିବ ଶ୍ରମିକ, ସମ୍ବେଦନଶୀଳ ଗୋଷ୍ଠୀ, ପତିତଙ୍କୁ ଖାଦ୍ୟ ଯୋଗାଣ ହେବା ଦରକାର। ଏହାର ମୂଳ ଲକ୍ଷ୍ୟ ରହିବା ଦରକାର ଯେ, ଆସନ୍ତା ତିନିମାସ ଯାଏ ତାହାର ଆଥେିକ ସଙ୍କଟ ହୋଇଛି ବୋଲି ସେ ଭାବିବା ଅନୁଚିତ।
ଶେଷକଥା
କୋଭିଡ୍ ୧୯ ଏକ ଅପ୍ରତ୍ୟାଶିତ ବିପର୍ଯ୍ୟୟ ହୋଇପାରେ, କିନ୍ତୁ ଏହା ପୂର୍ବରୁ ଆମ ରାଷ୍ଟ୍ର ଅନେକ ବିପର୍ଯ୍ୟୟକୁ ଆଗରୁ ସମ୍ମୁଖୀନ ହୋଇଛୁ। ବସନ୍ତ, ପ୍ଲେଗ୍, ପୋଲିଓ ଏହାର ଉଦାହରଣ। ଏଣୁ ଆଗକୁ ଆଶା କରିବା ଏହି ମହାମାରୀ ପରବର୍ତ୍ତୀ ସମୟ ମଧ୍ୟ ସ୍ଵଭାବିକ ରହିବ। ଆସନ୍ତୁ ସମସ୍ତେ ନିଜ ଜୀବନକୁ ସୁରକ୍ଷିତ ରଖିବାର ଆତ୍ମ ବିଶ୍ଵାସ ଓ ରୋଜଗାର ଏବଂ ଜୀବୀକା ନିଶ୍ଚିତ ଫେରିପାଇବାର ଏକ ଆଶା ଜନ୍ମାଇବା। କିନ୍ତୁ ଯେଉଁ ଅଞ୍ଚଳରେ ରୋଗ ହୋଇଛଇ ସେଠାରେ କଡ଼ା ନଜର ରଖାଯାଉ। ଚିହ୍ନିତ ରୋକୀଙ୍କ ସଂସ୍ପର୍ଶକୁ ଚିହ୍ନଟ କରାଯାଉ। ଅଧିକରୁ ଅଧିକ ସନ୍ଦିଗ୍ଧଙ୍କୁ ଚିହ୍ନଟ କରି ଘରେ ରହିବା ନିଶ୍ଚିତ କରାଯାଉ।