#IndiaFightsCorona: ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା

ଭୁବନେଶ୍ୱର,(ଓଟି):ଦିଲ୍ଲୀରେ କରୋନା ସଂକ୍ରମଣ ଚିକିତ୍ସା କ୍ଷେତ୍ରରେ ଏବେ ବଡ଼ ଅନ୍ତରାୟ ଦେଖା ଦେଇଛି । ଦେଶର ରାଜଧାନୀ ଦିଲ୍ଲୀ ଏବେ କରୋନା ସଂକ୍ରମଣର କେନ୍ଦ୍ରସ୍ଥଳ ପାଲଟିଥିବା ବେଳେ ଏଠାରେ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀମାନେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ଦିଲ୍ଲୀରେ ଗତ ଏକ ମାସ ମଧ୍ୟରେ ୨୪ ଜଣ ଡାକ୍ତର, ନର୍ସ ଓ ପରିମଳ କର୍ମଚାରୀ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

ଉତ୍ତରପୂର୍ବ ଦିଲ୍ଲୀର ମୋହଲା କ୍ଲିନିକରେ କାର୍ଯ୍ୟରତ ଦୁଇ ଡାକ୍ତର ପତି-ପତ୍ନୀ ଚିକିତ୍ସା କରୁଥିବା କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବାବେଳେ ସଫଦରଜଙ୍ଗ ଡାକ୍ତରଖାନାର ମଧ୍‍ୟ ଜଣେ ଡାକ୍ତର ଚିକିତ୍ସା କରୁଥିବା ଜଣେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ସେହିପରି ଦିଲ୍ଲୀର ଏମସ ଓ ରାଜ୍ୟ କ୍ୟାନସର ଇନଷ୍ଟିଚ୍ୟୁଟରେ କାର୍ଯ୍ୟରତ ଦୁଇ ଜଣ ଡାକ୍ତର ଓ ୬ ଜଣ ନର୍ସ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି । ତେବେ ଏମାନେ କିପରି ସଂକ୍ରମିତ ହେଲେ ତାହା ସ୍ପଷ୍ଟ ହୋଇନାହିଁ ।

ସାର୍‍ ଗଙ୍ଗାରାମ ହସପିଟାଲର ୧୦୮ ଜଣ କକର୍ମଚାରୀ ୨ ଜଣ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନେ ଏବେ କ୍ୱାରେଂଟାଇନରେ ରହିଛନ୍ତି । ସେହିପରି ମହାରାଜା ଉଗ୍ରସେନ ହସପିଟାଲରେ ୨ ଜଣ କରୋନା ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହେବାରୁ ସେଠାରେ କାର୍ଯ୍ୟରତ ୮୧ ଜଣ ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ଏବେ କ୍ୱାରୋଂଟାଇନରେ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଡାକ୍ତର, ୩ ଜଣ ନର୍ସ ଓ ଜଣେ ହାଉସକିପିଙ୍ଗ କର୍ମଚାରୀ କରୋନା ସଂକ୍ରମିଣର ଶୀକାର ହୋଇଥିବା ଜଣାପଡ଼ିଛନ୍ତି । ଦିଲ୍ଲୀରେ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀମାନେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହେଉଥିବାରୁ ଦିଲ୍ଲୀର ଡାକ୍ତରଖାନା ଓ କ୍ଲିନିକକୁ ଚିକିତ୍ସା ପାଇଁ ଆସୁଥିବା ଯେକୌଣସି ରୋଗୀଙ୍କର ଡାକ୍ତରଖାନା ପକ୍ଷରୁ ଜ୍ୱର, କାଶ, କଫର ପରୀକ୍ଷା କରାଯିବା ସହ ତାଙ୍କ ପରିଭ୍ରମଣ ଇତିହାସ ଯାଞ୍ଚ କରାଯାଉଛି ।

ଏବେ ଦିଲ୍ଲୀରେ ଯେତେ କରୋନା ସଂକ୍ରମିତ ରୋଗୀ ଚିକିତ୍ସିତ ହେଉଛନ୍ତି ତାଙ୍କ ମଧ୍ୟରୁ ଅଧିକାଂଶ ନିଜାମୁଦ୍ଦିନ ଧର୍ମସଭାରେ ଯୋଗ ଦେଇଥିବା ଜଣାପଡ଼ିଛି । ସେମାନେ ଦିଲ୍ଲୀ ଲକ୍ ଡାଉନ ସମୟରେ ମଧ୍ୟ ବାହାରକୁ ବାହାରି ବୁଲାବୁଲି କରୁଥିବା ଅନୁମାନ କରାଯାଉଛି । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ରୋଗିଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା ଓ କ୍ଲିନିକ ଯାଉଛନ୍ତି ଏବଂ ସେମାନେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଥିବା ଅନୁମାନ କରାଯାଉଛି ।
ଦିଲ୍ଲୀରେ ପ୍ରାୟ ୨୦ ପ୍ରତିଶତରୁ ୩୦ ପ୍ରତିଶତ ଲୋକ ଅଛନ୍ତି, ଯେଉଁମାନଙ୍କର କରୋନା ଲକ୍ଷଣ ଦେଖାଯାଉନଥିଲେ ବି ତାଙ୍କ ଠାରୁ ଭୂତାଣୁ ସଂକ୍ରମମିତ ହେବାର ଆଶଙ୍କା ରହିଛି ବୋଲି ସଫଦରଜଙ୍ଗ ଡାକ୍ତରଖାନାର ଭେଷଜ ବିଶେଷଜ୍ଞ ଡାକ୍ତର ଯୁଗଲ କିଶୋର କହିଛନ୍ତି ।

ଏହି ବିପଦରୁ କେବଳ ଆତ୍ମସୁରକ୍ଷା ଜ୍ୟାକେଟ ଡାକ୍ତରମାନଙ୍କୁ ସୁରକ୍ଷିତ କରିପାରିବ ବୋଲି ଡାକ୍ତର ଜାକବ ଜନ୍‍ ମତ ଦେଇଛନ୍ତି । ଡାକ୍ତରଙ୍କ ଠାରୁ ରୋଗୀଙ୍କ ପର୍ଯ୍ୟନ୍ତ ସମସ୍ତେ ମାସ୍କ ପରିଧାନ କରିବା ଆବଶ୍ୟକ ଓ ଡାକ୍ତରମାନେ କରୋନା ଭାଇରସରୁ ସୁରକ୍ଷା ପାଇବାକୁ ଉଦ୍ଦିଷ୍ଟ ଜ୍ୟାକେଟ ପରିଧରନ କରି ରୋଗୀଙ୍କୁ ଚିକିତ୍ସା କରିବା ଦରକାର ବୋଲି ମଧ୍ୟ ସେ ମତ ଦେଇଛନ୍ତି । କେବଳ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଥିବା ଲୋକନାୟକ ହସପିଟାଲରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି ଓ ସେଠାରେ କାର୍ଯ୍ୟରତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ସୁରକ୍ଷା ଜ୍ୟାକେଟ ପରିଧାନ କରୁଥିବାରୁ ସେଠାରେ କୌଣସି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଏବେ ସୁଦ୍ଧା କରୋନା ସଂକ୍ରମମିତ ହୋଇନଥିବା ଲୋକନାୟକ ହସପିଟାଲର ନିର୍ଦ୍ଦେଶକ ଡାକ୍ତର ଜେସି ପାସେ ସୂଚନା ଦେଇଛନ୍ତି ।

କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକକର୍ମୀମାନଙ୍କ ପାଇଁ ଡାକ୍ତରଖାନା କ୍ୟାମ୍ପସରେ ଥିବା ହଷ୍ଟେଲ ଓ ଷ୍ଟାର ହୋଟେଲର ସ୍ୱତନ୍ତ୍ର କୋଠାରୀରେ ୧୪ ଦିନ ରହିବାକୁ ଦିଲ୍ଲୀ ସରକାର ବ୍ୟବସ୍ଥା କରିଛନ୍ତି । ତେଣୁ ତାଙ୍କ ଦ୍ୱାରା କରୋନା ଭୂତାଣୁ ସଂକ୍ରମଣ ହେବାରେ ସମ୍ଭାବନା ନଥିବା ଦିଲ୍ଲୀ ସରକାରଙ୍କ ପକ୍ଷରୁ କୁହାଯାଇଛି । ସେହିପରି କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସଫଦରଜଙ୍ଗ ଡାକ୍ତରଖାନା ଓ ରାମ ମନୋହାର ଲୋହିଆ ଡାକ୍ତରଖାନାରେ ସ୍ୱତନ୍ତ୍ର କରୋନା ୱାର୍ଡ ଖୋଲାଯାଇଛି ଓ ସେଠାରେ କାର୍ଯ୍ୟରତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ଦିଲ୍ଲୀ ଏମସରେ କାର୍ଯ୍ୟରତ ଜଣେ ୨୮ ବର୍ଷୀୟ ଯୁବ ଡାକ୍ତର ଓ ତାଙ୍କ ପତ୍ନୀ କରୋନା ସଂକ୍ରମିତ ହୋଇଥିବା ବେଳେ ସେଠାରେ କାର୍ଯ୍ୟରତ ଜଣେ ପରିମଳ କର୍ମଚାରୀ ଓ ତାଙ୍କ ପତ୍ନୀ ମଧ୍ୟ ସଂକ୍ରମିତ ହୋଇଛନ୍ତି ।

କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଉଦ୍ଦିଷ୍ଟ ଉପଯୁକ୍ତ ମାସ୍କ, ଜ୍ୟାକେଟ, ଗ୍ଲୋଭ୍‌ସ ଓ ଜୋତାର ଅଭାବ ଏବେ ଦିଲ୍ଲୀରେ ପରିଲକ୍ଷିତ ହେଉଥିବାରୁ କରୋନା ବ୍ୟାପିବା ପ୍ରତିହତ କରିବାରେ ଅନ୍ତରାୟ ସୃଷ୍ଟି କରିଛି ଓ ଏସବୁର ଅଭାବ ଯୋଗୁ ଦିଲ୍ଲୀ ସହରରେ ନିମ୍ନମାନର ମାସ୍କ, ଜ୍ୟାକେଟ, ଗ୍ଲୋବ୍ସ ଆଦି ବିକ୍ରି ହେଉଛି । ଏବେ ୨ ଲକ୍ଷ କରୋନା ସୁରକ୍ଷା କିଟ ପ୍ରଦାନ ପାଇଁ ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କୁ କହିଛନ୍ତି ଓ ସେଂଟ୍ରାଲ ପ୍ରୋକ୍ୟୁରମେଂଟ ଏଜେନ୍ସି ୧ ଲକ୍ଷ ୨୦ ହଜାର ସୁରକ୍ଷା କିଟ ପାଇଁ ଟେଣ୍ଡର କରିଥିବା ସୂଚନା ମିଳିଛି ।

Leave a Reply

Your email address will not be published.