#Indiafightscorona: ଟିବି ଟେଷ୍ଟ ମସିନ୍, ମ୍ୟାଲେରିଆ ଔଷଧ
ଭୁବନେଶ୍ଵର, (ଓଟି): ମ୍ୟାଲେରିଆ ଔଷଧରେ ଆମେରିକା ଯେମିତି କରୋନା ରୋଗୀଙ୍କୁ ଚିକିତ୍ସା କରିବାଲାଗି ଚାହିଁଛି ଠିକ୍ ସେହିପରି ଭାରତ ଏବଂ ଅନ୍ୟ କିଛି ଦେଶ କରୋନା ସନ୍ଦିଗ୍ଧଙ୍କ ସାମ୍ପଲ୍ ପରୀକ୍ଷଣ ପାଇଁ ଟିବି ନମୁନା ପରୀକ୍ଷଣ ପାଇଁ ବ୍ୟବହୃତ ଯନ୍ତ୍ରକୁ ଉପଯୋଗ କରିବାକୁ ଯାଉଛନ୍ତି। ଭାରତୀୟ ଭେଷଜ ଗବେଷଣା ପରିଷଦ ( ଆଇସିଏମଆର୍) ଏହାକୁ ଅନୁମୋଦନ କରିଛନ୍ତି। ଏହାଦ୍ଵାରା ଭାରତରେ କରୋନା ସନ୍ଦିଗ୍ଧଙ୍କ ଚିହ୍ନଟ ପ୍ରକ୍ରିୟା ତ୍ଵରାନ୍ବିତ ହେବ ବୋଲି ସରକାର ବିଶ୍ଵାସ କରିଛନ୍ତି।
ଏବେ ୧୩୨ ସରକାରୀ ଏବଂ ୫୨ ଘରୋଇ ଲ୍ୟାବ୍ରେ କୋଭିଡ୍୧୯ ଭୁତାଣୁ ପରୀକ୍ଷା କରାଯାଉଛି। ସମୁଦାୟ ଦିନକୁ ୧୦ହଜାର ସାମ୍ପଲ୍ ପରୀକ୍ଷା କରାଯାଇପାରୁଛି। ଏହାକୁ ପ୍ରତିଦିନ ୨୦ହଜାରକୁ ବୃବଦ୍ଧି କରିବା ଲାଗି ଆଇସିଏମ୍ଆର୍ ନେଇଥିବା ଦୃଢ଼ ପଦକ୍ଷେପ ଗୁଡ଼ିକ ଭିତରେ ଟିବି ନମୁନା ପରୀକ୍ଷଣ ମସିନ୍ ବ୍ୟବହାର ଅନ୍ୟତମ।
ସରକାରୀ ସୂତ୍ର ଅନୁସାରେ କୋଭିଡ୍୧୯ ପରୀକ୍ଷଣ ଲାଗି ୨୫୦ ଟ୍ରୁନାଟ୍ ଏବଂ ୨୦୦ ସିବିନାଟ୍ ମସିନ୍ ବ୍ୟବହାର କରାଯିବ। ଏସବୁ ମସିନ୍ରେ ସାମ୍ପଲ୍ ଭାବେ ଗଳା ଏବଂ ନାଶାର ନମୁନା ବ୍ୟବହାର ହେବ ନାହିଁ। ବରଂ ସନ୍ଦିଗ୍ଧଙ୍କ ରକ୍ତ ନମୁନାରେ ଏହି ପରୀକ୍ଷଣ କରାଯାଇପାରିବ। ଏହି ପରୀକ୍ଷଣ ଅତ୍ୟନ୍ତ ସରଳ ଏବଂ ଏହାକୁ ପିଚ୍ସି ସ୍ତରରେ ବ୍ୟବହାର କରାଯାଇପାରିବ ବୋଲି ଜଣାପଡ଼ିଛି। ତେବେ ଏହି ମସିନ୍ ପରୀକ୍ଷଣ ସର୍ବେଚ୍ଚ ହେବ ନାହିଁ। ଯଦି ଏହି ମସିନ୍ରେ ଆପଣଙ୍କ ସାମ୍ପଲ୍ ନେଗେଟିଭ୍ ଆସୁଛି ତେବେ ଆପଣ ମୁକ୍ତ ହେବେ ନାହିଁ । ବରଂ ଆପଣଙ୍କୁ ୧୪ ଦିନ କ୍ଵାରେଣ୍ଟାଇନ୍ରେ ରଖାଯିବ ଏବଂ ୧୦ ଦିନ ପରେ ଆଉ ଥରେ ସାମ୍ପଲ୍ ପରୀକ୍ଷା କରାଯିବ। ଏହି ସାମ୍ପଲ୍ ନେଗେଟିଭ୍ ଆସିଲେ ପୁଣି ଏକ ସାମ୍ପଲ୍ ଆଇସିଏମ୍ଆର୍ ଲ୍ୟାବ୍ରେ ଆର୍ଟି-ପିସିଆର୍ ପଦ୍ଧତ୍ତିରେ ପରୀକ୍ଷଣ କରାଯିବ। ଏହି ପରୀକ୍ଷଣର ବିଶ୍ଵସନୀୟତାକୁ ନେଇ ଏଯାଏ ପ୍ରଶ୍ନ ଉଠିନାହିଁ।
ଯଦି ଆପଣଙ୍କ ସାମ୍ପଲ୍ ରକ୍ତ ପରୀକ୍ଷାରେ ପଜିଟିଭ୍ ଆସିଲଳ ତେବେ ବି ଆପଣଙ୍କୁ ପଜିଟିଭ୍ ରୋଗୀ ଭାବେ ଗ୍ରହଣ କରାଯିବ ନାହିଁ। ଆପଣଙ୍କର ଆଉଥରେ ପରୀକ୍ଷା କରାଯିବ। ଏଥିଲାଗି ଆଇସିଏମ୍ଆର୍ ସରକାରୀ ଲ୍ୟାବ୍କୁ ବ୍ୟବହାର କରାଯିବ।
ରକ୍ତ ପରୀକ୍ଷାର ଦାମ୍ ୧୨୦୦ରୁ ୧୫୦୦ ଟଙ୍କା
ଏହି ରକ୍ତ ପରୀକ୍ଷା ଅତ୍ୟନ୍ତ ଶସ୍ତା ରହିବ। ଏହା ୧୨ଶହରୁ ୧୫ଶହ ଟଙ୍କା ଭିତରେ ଖର୍ଚ ହେବ ବୋଲି କ୍ଵିଣ୍ଟ ପ୍ରକାଶ କରିଛି। ଏହି ମସିନ୍ଗୁଡ଼ିକ ଲାଗି ଆବଶ୍ୟକ କିଟ୍ ଯୋଗାଣ ଏକ ପ୍ରମୁଖ ବିଷୟ ହୋଇଥିବା ବେଳେ ଭାରତ ସରକାର ଏଥିଲାଗି ଉଦ୍ୟମ ଆରମ୍ଭ କରିଛନ୍ତି। ଦେଶର ଆବଶ୍ୟକତାକୁ ଦେଇ ୧୫୦ରୁ ଅଧିକ ଫାର୍ମା କମ୍ପାନୀ ଟେଷ୍ଟ କିଟ୍ ପ୍ରସ୍ତୁତ ଲାଗି ଆଗେଇ ଆସିଛନ୍ତି। କିନ୍ତୁ ସେଥିରୁ ୭ଟି କମ୍ପାନୀକୁ ଆଇସିଏମ୍ଆର୍ ଅନୁମତି ଦେଇଥିବା ଜଣାଯାଇଛି। ଏମାନେ ଆସନ୍ତା ସପ୍ତାହରୁ କିଟ୍ ଯୋଗାଇପାରନ୍ତି।
ଶସ୍ତାରୁ ହୀନସ୍ତା
ଆଜିଯାଏ ସରକାରୀ ବ୍ୟବସ୍ଥା ଅନୁସାରେ କରୋନା ଭାଇରସ୍କୁ ଚିହ୍ନଟ କରିବା ପାଇଁ ସାର୍ସ କରୋନା ଭୁତାଣୁ ପରୀକ୍ଷଣ ପ୍ରକ୍ରିୟା ଆପଣା ଯାିଛି। ଏହା ଏକ ସମୟସାପେକ୍ଷ ବ୍ୟବସ୍ଥା। ଗୋଟିଏ ପରୀକ୍ଷଣ ପାଇଁ ୫ ଘଣ୍ଟା ସମୟ ଲାଗୁଥିବା ବେଳେ ଏହି ନୂତନ ରକ୍ତ ନମୁନା ପରୀକ୍ଷଣ ପାଇଁ ୫ ମିନିଟ୍ରୁ ଏକ ଘଣ୍ଟା ସମୟ ଲାଗିବ ବୋଲି ଆଶା କରାଯାଇଛି। ଏଣୁ ସରକାର ରୋଗୀ ସଂସ୍ପର୍ଶରେ ଆସିଥିବା ରୋଗୀଙ୍କ ଦେହରେ ଭୁତାଣୁ ଆକ୍ରମଣ କରିଛି କି ନା ତାହା ଜାଣିବା ଲାଗି ଏହି ବ୍ୟବସ୍ଥା ଆପଣା ଯାଉଛି। ହେଲେ ଏହାର ବିଶ୍ଵସୀୟତା ନେଇ ପ୍ରଶ୍ନ ଉଠିଛି। କାରଣ ୟୁରୋପୀୟ ଦେଶଗୁଡ଼ିକରେ ଏହିଭଳି ତୁରନ୍ତ ପରୀକ୍ଷଣ ଟେଷ୍ଟ କୀଟ୍ଗୁଡ଼ିକ ଠିକ୍ କାମ ଦେଉ ନାହିଁ ବୋଲି ଅଭିଯୋଗ ହୋଇଛି। ଚୀନଠାରୁ ନେଇଥିବା କିଟ୍କୁ ସ୍ପେନ୍ ଭଳି ରାଷ୍ଟ୍ର ଫେରାଇ ଦେଇଛନ୍ତି। ଏଭଳି ପରିସ୍ଥିତିରେ ଏହି ପରୀକ୍ଷାର ଗୁଣାତ୍ମକ ଦିଗ ମଧ୍ୟ ସମସ୍ୟାରେ ରହିଛି।