କରୋନା: ମିଡିଆ ଉପରେ ସେନ୍ସର ଜାରି
ଭୁବନେଶ୍ଵର, (ଓଟି): ବିଶ୍ଵରେ ଆତଙ୍କ ସୃଷ୍ଟି କରିଛି କରୋନା। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଏହାକୁ ମହାମାରୀ ଆଖ୍ୟା ଦିଆଯାଇଥିବା ବେଳେ ରାଜ୍ୟ ସରକାର ଏହାକୁ ‘ବିପତ୍ତି’ ଆଖ୍ୟା ଦେଇଛନ୍ତି। ଏହାର ମୁକାବିଲା ପାଇଁ ବିଭିନ୍ନ ସ୍ତରରେ ଅଧିକାରୀଙ୍କୁ କ୍ଷମତାପନ୍ନ କରିଥିବା ବେଳେ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି। ଏହିକ୍ରମରେ ଏକ ସ୍ଵତନ୍ତ୍ର ଓଡ଼ିଶଶ କୋଭିଡ୍-୧୯ ନିୟମ’ ପ୍ରଣୟନ କରାଯାଇଛଇ, ଯାହାକୁ ରାଜ୍ୟ କାବିନେଟ୍ ମଧ୍ୟ ଗ୍ରହଣ କରିଛନ୍ତି। ଏହି ନିୟମ ଅନୁସାରେ ସ୍ଵାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ, ଡିଏମ୍ଇଟି, ଓ ଜିଲ୍ଲାପାଳ କରୋନା ମୁକାବିଲା ଲାଗି ସମସ୍ତ କ୍ଷମତାର ଅଧିକାରୀ। ହେଲେ ଯେଉଁ ଗଣମାଧ୍ୟମ କରୋନା ଏବଂ ତତ୍ ପରବର୍ତ୍ତୀ ସ୍ଥିତି ବାବଦରେ ଜନସାଧାରଣଙ୍କ ପାଖରେ ସୂଚନା ପହଞ୍ଚାଏ ,ଲୋକଙ୍କୁ ସୂଚନା ଦିଏ ତାହା ଉପରେ ଅଙ୍କୁଶ ଲଗାଯାଇଛି। ରାଜ୍ୟ ସରକାରଙ୍କ ସ୍ଵତନ୍ତ୍ର କୋଭିଡ୍-୧୯ ନିୟମ ବଳରେ ଏହି ସେନ୍ସର କାର୍ଯ୍ୟକାରୀ ହୋଇଛି ।
ଧାରା-୬
ମହାମାରୀ ଆଇନ୧୮୯୭କୁ ଲାଗୁ କରିବାକୁ ଯାଇ ରାଜ୍ୟ ସରକାର ସ୍ଵତନ୍ତ୍ର ‘ଓଡ଼ିଶା କୋଭିଡ୍-୧୯ ନିୟମାବଳୀ’ ପ୍ରଣୟନ କରିଛନ୍ତି। ଏହି ଆଇନର ବିଭିନ୍ନ ଧାରାରେ ଲୋକଙ୍କ ଚିକିତ୍ସା ଏବଂ ବ୍ୟବସ୍ଥାକୁ ପରିଚାଳନା ବାବଦରେ ବିଭିନ୍ନ ଅଧିକାରୀଙ୍କୁ କ୍ଷମତାପନ୍ନ କରାଯାଇଥିବା କୁହାଯାଇଛି। ଯେମିତି କୋଭିଡ୍-୧୯ ଭୁତାଣୁକୁ ନିୟନ୍ତ୍ରଣ କରାଯାଇପାରିବ ସେଥିଲାଗି ଅବାଶ୍ୟକ ପଦକ୍ଷେପ ନେବାକୁ ଡିଏଚ୍ଏସ୍, ଡିଏମ୍ଇଟି, ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ୍ କମିଶନରଙ୍କୁ ଦାୟିତ୍ଵ ଦିଆଯାଇଛି।
ଏଥିରେ କୁହାଯାଇଛି ଯେ, ପ୍ରତି ହସ୍ପିଟାଲ୍ ସେ ସରକାରୀ ହେଉ ବା ଘରୋଇ ସମସ୍ତ ହସ୍ପିଟାଲ୍ରେ ଏକ ସ୍ଵତନ୍ତ୍ର କୋଭିଡ୍-୧୯ ସେଲ୍ ସ୍ଥାପନ କରାଯିବ। ବିଗତ ୧୪ ଦିନ ଭିତରେ କରୋନା ପ୍ରଭାବିତ ଅଞ୍ଚଳକୁ ଗସ୍ତ କରି ଫେରିଥିବା କୌଣସି ଯାତ୍ରୀ ବା ନାଗରିକ ଯଦି କାଶ, ଜ୍ବର ପରି ଲକ୍ଷ୍ୟଣ ଦେଖାନ୍ତି ତେବେ ତାଙ୍କୁ ଚିହ୍ନଟ କରାଯାଇ ଯାଞ୍ଚ ବ୍ୟବସ୍ଥା କରାଯିବ। ତାଙ୍କର ଆବଶ୍ୟକ ନମୁନା ପରୀକ୍ଷଣ ପାଇଁ ପଠାଇବା ସହ ରାଜ୍ୟ ସମନ୍ବିତ ରୋଗ ପ୍ରଦକ୍ଷଣ ୟୁନିଟ୍କୁ ସୂଚନା ଦେବେ। ଜିଲ୍ଲାପାଳ, ମ୍ୟୁନିସିପାଲିଟି ଏ ବିଷୟରେ ତତ୍କ୍ଷଣାତ୍ ଖବର ଦିଆଯିବ। ପ୍ରଦକ୍ଷଣ ୟୁନିଟ୍ରେ ଆବଶ୍ୟକ ପରୀକ୍ଷଣ ପରେ ଯଦି ତାହା ପଜିଟିଭ୍ ଆସିଲା ତେବେ ସମ୍ପୃକ୍ତ ରୋଗୀଙ୍କୁ ଅଲଗା ରଖିବାର ବ୍ୟବସ୍ଥା କରାଯିବ। ଏହି ଚିକିତ୍ସା ବ୍ୟବସ୍ଥା କିପରି ହେବ, ମ୍ୟୁନିସିପାଲିଟି ପକ୍ଷରୁ କରୋନା ପ୍ରଭାବିତ ଅଞ୍ଚଳରେ କିପରି ବ୍ୟବସ୍ଥା ଗ୍ରହଣ କରାଯିବ ସେ ବାବଦରେ ସମସ୍ତ ବିବରଣୀ ଏହି ନିୟମାବଳୀରେ ଉଲ୍ଲେଖ ରହିଛି। ମାତ୍ର ଧାରା୬ରେ ଯେଉଁ ବ୍ୟବସ୍ଥା ରହିଛି ତାହା ସାଂଘାତିକ। ଏହାକୁ ଅଘୋଷିତ ସେନ୍ସର ବୋଲି କୁହାଯାଇପାରେ।
ଜିଲ୍ଲାପାଳଙ୍କୁ ପଚାରି ଛପିବ ଖବର
ଓଡ଼ିଶା କୋଭିଡ୍-୧୯ ନିୟମାବଳୀର ଧାରା-୬ରେ କୁହାଯାଇଛଇ ଯେ, କୌଣସି ବ୍ୟକ୍ତି, ସଂସ୍ଥା ବା ସଂଗଠନ ପ୍ରିଣ୍ଟ ହେଉ ବା ଇଲେକ୍ଟ୍ରୋନିକ୍ ଅଥବା ସୋଶାଲ୍ ମିଡିଆକୁ କୋଭିଡ୍-୧୯ ସମ୍ବନ୍ଧୀୟ ସୂଚନା ପ୍ରକାଶ ପାଇଁ ବ୍ୟବହାର କରିପାରବେ ନାହିଁ। ଏଭଳି ସୂଚନା ପ୍ରକାଶ କରିବାକୁ ହେଲେ ଆବଶ୍ୟକ ତଥ୍ୟକୁ ଯାଞ୍ଚ କରିବେ ଏବଂ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ବାଧ୍ୟ। ଜିଲ୍ଲାପଳ ନହେଲେ ଡିଏମ୍ଇଟି, ଡିପିଏଚ୍, ଡିଏଚ୍ଏସ୍ଙ୍କ ଅନୁମୋଦନ ଅବାଶ୍ୟକ।
ସରକାର ଏହି ବ୍ୟବସ୍ଥାକୁ ଆପଣାଇବା ପଛରେ ଏକ ଯୁକ୍ତି ରହିଛି ବୋଲି ଏହି ଧାରାରରେ ଉଲ୍ଲେଖ କରିଛନ୍ତି। ଏଥିରେ କୁହାଯାଇଛଇ ଯେ, ଗୁଜବ, ଅଣ ଅଧିସ୍ଵୀକୃତୀ ମୂଳକ ତଥ୍ୟକୁ ଦୂରେଇବା ଲାଗି ଏହି ବ୍ୟବସ୍ଥା ଅପରିହାର୍ଯ୍ୟ। ପୁଣି ଯଦି କୌଣସି ବ୍ୟକ୍ତି ଏହି ନିୟମକୁ ଅମାନ୍ୟ କରନ୍ତି ତେବେ ଏହାକୁ ଦଣ୍ଡମୂଳକ ଅପରାଧ ବୋଲି ଗ୍ରହଣ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଗୁଜବ ଆଳରେ ସରକାର ଏହି ଧାରାରେ ଗଣମାଧ୍ୟମ ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି। ଅର୍ଥାତ୍ କରୋନା ମୁକାବିଲା ସମ୍ବନ୍ଧରେ ସରକାରୀ ସୂତ୍ରରୁ ଯାହା ଖବର ଆସିବ ତାହାକୁ ହିଁ ପ୍ରସାର କରାଯାଇ ପାରିବ!