କୋଇଲା ପାଇଁ ଘରୋଇ ସଂସ୍ଥାଙ୍କୁ ମିଳିବ ଅନୁମତି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବହୁ ପ୍ରଭାବୀ ଯୋଜନା ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ ନୂତନ ଅଧ୍ୟାଦେଶ ଜାରି କରାଯାଇଛି । ଏହି ଅଧ୍ୟାଦେଶ ଅନୁଯାୟୀ ଏଣିକି କୋଇଲା ଖନନ କ୍ଷେତ୍ରରେ ଘରୋଇ ସଂସ୍ଥାମାନଙ୍କୁ ଅନୁମତି ମିଳିବ । ପୂର୍ବରୁ ଘରୋଇ ସଂସ୍ଥାମାନଙ୍କୁ କୋଇଲା ଖନନ ପାଇଁ ଅନୁମତି ଦିଆଯାଉନଥିବା ବେଳେ ଏହି ଅଧ୍ୟାଦେଶ ଜାରି କରାଯିବା ଦ୍ୱାରା ଏ କ୍ଷେତ୍ରରେ ରହିଥିବା ସମସ୍ତ ପ୍ରତିବନ୍ଧକ ହଟିଯିବ । ଫଳରେ ଖଣିଜ ଆଇନ ସଂଶୋଧିତ ଅଧ୍ୟାଦେଶ-୨୦୨୦ ଅନୁସାରେ ଏଣିକି ଘରୋଇ ସଂସ୍ଥାମାନେ ସେମାନଙ୍କ ଆବଶ୍ୟକତା ଅନୁଯାୟୀ କୋଇଲା ଖନନ କରିପାରିବେ ।

କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବିଭିନ୍ନ ଶିଳ୍ପ କ୍ଷେତ୍ର ପାଇଁ ବର୍ଦ୍ଧିତ କୋଇଲା ଚାହିଦାକୁ ଦୃଷ୍ଟିରେ ରଖି ରାଷ୍ଟ୍ରାୟତ୍ତ ଉଦ୍ୟୋଗ କୋଲ୍ ଇଣ୍ଡିଆ ଲିଃ(ସିଆଇଏଲ୍) ୨୦୨୩-୨୪ ସୁଦ୍ଧା ୧୦୦ କୋଟି ଟନ୍ କୋଇଲା ଉତ୍ପାଦନ କରିବା ନେଇ ଲକ୍ଷ୍ୟଧାର୍ଯ୍ୟ କରିଥିଲା । ଏଥିନେଇ ଦେଶର ବିଭିନ୍ନ ଭାଗରେ କୋଇଲା ଖନନ ପାଇଁ କମ୍ପାନୀକୁ କୋଇଲା ବ୍ଲକ୍ ଆବଣ୍ଟନ କରାଯାଇଥିଲା । କିନ୍ତୁ ଇସ୍ପାତ ଶିଳ୍ପ କ୍ଷେତ୍ର ପାଇଁ କୋଇଲାର ଚାହିଦା ବୃଦ୍ଧି ପାଉଥିବାରୁ ଏହାକୁ ମେଣ୍ଟାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପରୋକ୍ତ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି । ଘରୋଇ ଉଦ୍ୟୋଗମାନଙ୍କ ଦ୍ୱାରା ଅଧିକ ପରିମାଣରେ କୋଇଲା ଉତ୍ପାଦନ କରାଯାଇପାରିଲେ ଏହା ଇସ୍ପାତ କ୍ଷେତ୍ର ପାଇଁ ସୁଲଭ ହେବା ସହିତ ଇସ୍ପାତ ମୂଲ୍ୟ ମଧ୍ୟ ହ୍ରାସ କରାଯାଇପାରିବ । ଫଳରେ ଦେଶର ଭିତ୍ତିଭୂମି ଉନ୍ନୟନ ପାଇଁ ଜାରି ରହିଥିବା ବିଭିନ୍ନ ପ୍ରକଳ୍ପଗୁଡିକୁ ତ୍ୱରାନ୍ୱିତ କରାଯାଇପାରିବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର୍ କହିଛନ୍ତି । ସାଂପ୍ରତିକ ସ୍ଥିତିରେ ବିଶ୍ୱସ୍ତରରେ ସର୍ବାଧିକ କୋଇଲା ଗଚ୍ଛିତ ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତର ସ୍ଥାନ ଚତୁର୍ଥ ରହିଛି । ଏହାସତ୍ତେ୍ୱ ବିଭିନ୍ନ କ୍ଷେତ୍ରର ଉପଯୋଗ ପାଇଁ ଭାରତ ବିଭିନ୍ନ ରାଷ୍ଟ୍ରରୁ ବାର୍ଷିକ ୨୩୫ ନିୟୁତ ଟନ୍ କୋଇଲା ଆମଦାନୀ କରୁଛି । ବିଦେଶରୁ ଅଧିକ କୋଇଲା ଆମଦାନୀ ନକରିବା ଉଦ୍ଦେଶ୍ୟରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି ବୋଲି ଜାଭଡେକର୍ କହିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ଶିଳ୍ପଗୋଷ୍ଠୀ ପକ୍ଷରୁ ସ୍ୱାଗତ କରାଯାଇଥିବା ବେଳେ ଦେଶର ସାଂପ୍ରତିକ ଆର୍ଥିକ ମାନ୍ଦାବସ୍ଥା ମୁକାବିଲା କରିବା ଦିଗରେ ଅନେକାଂଶରେ ସହାୟକ ହେବ ବୋଲି ବହୁ ଉଦ୍ୟୋଗପତି କହିଛନ୍ତି । ପ୍ରତିବର୍ଷ ବିଦେଶରୁ ପ୍ରାୟ ୧୫୦୦ କୋଟି ଡଲାର ମୂଲ୍ୟର କୋଇଲା ଆମଦାନୀ କରାଯାଉଛି ।

ବର୍ତ୍ତମାନ ଆନ୍ତର୍ଜାତିକ ବଜାରରେ ପେଟ୍ରୋଲିୟମ ମୂଲ୍ୟ ଅସ୍ଥିର ରହିଥିବା ବେଳେ ବିଭିନ୍ନ ଉଦ୍ୟୋଗ ପାଇଁ ସମସ୍ୟା ସୃଷ୍ଟି କରିଛି । ତେବେ କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ୱାରା ବିଦେଶରୁ କୋଇଲା ଆମଦାନୀ ହ୍ରାସ ପାଇବା ସହିତ କୋଇଲା ଆବଶ୍ୟକତା ମେଣ୍ଟାଇବା ଦିଗରେ ବିଭିନ୍ନ ଶିଳ୍ପ ସଂସ୍ଥା ନିଜକୁ ସ୍ୱାବଲମ୍ବୀ କରିପାରିବେ ବୋଲି ଜେଏସ୍ଡବ୍ଲ୍ୟୁର ପରିଚାଳନା ନିର୍ଦ୍ଦେଶକ ସଜ୍ଜନ ଜିନ୍ଦଲ କହିଛନ୍ତି । ଏହାଦ୍ୱାରା ମେକ୍ ଇନ୍ ଇଣ୍ଡିଆ ଯୋଜନା ଅଧିନ ବହୁ ଶିଳ୍ପ ସଂସ୍ଥା ମଧ୍ୟ ସେମାନଙ୍କ କୋଇଲା ଆବଶ୍ୟକତାକୁ ନେଇ ଆଉ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ବୋଲି ମଧ୍ୟ ସରକାରୀସ୍ତରରେ କୁହାଯାଇଛି ।

Leave a Reply

Your email address will not be published. Required fields are marked *