ଆଳୁ ବଢୁଛି, ପିଆଜ ହସୁଛି, ଗ୍ରାହକ କାନ୍ଦୁଛି
ଆଳୁ ଦର ବଢିବାରେ ଲାଗିଛି, ପିଆଜ ଦର ଖସିବାରେ ଲାଗିଛି ଆଉ ଗ୍ରାହକ କାନ୍ଦିବାରେ ଲାଗିଛି । ଅବଶ୍ୟ ପିଆଜ ଯେଉଁ ପରିମାଣରେ ବଜାର ଦର ନେଇକ୍ତି ତାହା ଆଖିରୁ ଲୁହ ଖସାଉଛି । ଯେଉଁ ଆଳୁ କିଛିଦିନ ତଳେ ୨୬ ଟଙ୍କାରେ ବିକ୍ରି ହେଉଥିଲା ତାହା ଏବେ ପହଂଚିଲାଣି ୩୨ଟଙ୍କାରେ । କହିବାକୁ ଗଲେ ପିଆଜ ପରେ ଏବେ ଆଳୁର ପାଳି ପଡିଛି । ଯେତେବେଳେ ପିଆଜ କିଲୋ ଶହେ ଟପିଲା, ପିଆଜର ବଜାର ସ୍ଥିତିକୁ ନେଇ ଅନେକ ତର୍କ ବିତର୍କ ଆରମ୍ଭ ହୋଇଗଲା । କାହିଁକି ବଢିଲା ପିଆଜ ଦର ଏହାକୁ ନେଇ ଆସିଲା ନାନା ମତ । ରାଜ୍ୟ ସରକାର କହିଦେଲେ, ଇଜିପ୍ଟରୁ ପିଆଜ ଆସିଗଲେ, ଡିସେମ୍ବର ଶେଷ ସପ୍ତାହ ସୁଦ୍ଧା ପିଆଜ ୩୦ରୁ ୪୦ଟଙ୍କାରେ ବିକ୍ରି ହେବ ଅର୍ଥାତ ଶସ୍ତା ହୋଇଯିବ । କିନ୍ତୁ ସ୍ଥିତିରେ ସେମିତି କିଛି ସୁଧାର ଆସି ନାହିଁ ।
ଆଜି ବି ପିଆଜ କେଜି ୭୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି । ଚାଷକୁ ଦୋଷ ଦିଆଗଲା, ଶୀତଳ ଭଣ୍ଡାରରେ ପିଆଜ ନ ରହିବାକୁ ଦୋଷ ଦିଆଗଲା । ଏପରିକି ଖୁଚୁରା ବେପାରୀଙ୍କ ଉପରକୁ ମଧ୍ୟ ଦୋଷ ଠେଲି ଦିଆଗଲା । ବିଚରା ଗ୍ରାହକ ହଇରାଣ ହେଲେ । କାରଣ ଦରବୃଦ୍ଧି ଯୋଗୁଁ ସେ ତ ପିଆଜ ଖାଇବା ବନ୍ଦ କରିପାରିବନି । ବାଧ୍ୟ ହୋଇ ପିଆଜ କିଣିଲା; ହଁ ଏହା କହିପାରିବେ ପରିମାଣ କିନ୍ତୁ କମେଇ ଦେଲା । କେବଳ ଭଗବାନ ହିଁ ଜାଣନ୍ତି ପିଆଜ ଦର କେବେ ସାମାନ୍ୟ ହେବ ।
ଏବେ ଆଳୁକୁ ଆସିବା । ହଠାତ ଆଳୁ ଦରରେ ନିଆଁ ଲାଗିବା ପଛରେ କାରଣ କ’ଣ ହୋଇପାରେ । ବଜାରକୁ ନୂଆ ଆଳୁ ଆସିବା ସତ୍ତେ୍ୱ ଦର ବଢି ଚାଲିଛି । ଆଉ ଏଥିପାଇଁ ଦାୟୀ କରାଯାଉଛି ବଡ ବଡ ବ୍ୟବସାୟୀମାନଙ୍କୁ । କାରଣ ଶୀତଳ ଭଣ୍ଡାରରେ ଆଳୁ ଗଚ୍ଛିତ ରଖି ଏମାନେ ଖାଉଟିଙ୍କୁ ଅସୁବିଧାରେ ପକାଉଛନ୍ତି ବୋଳଇ ଅଭିଯୋଗ ହେଉଛି । ଦରବୃଦ୍ଧି ବାହାନା ଦେଖାଇ ଖୁଚୁରା ବେପାରୀମାନେ ଗ୍ରାହକଙ୍କୁ ଲୁଟିବା ଆରମ୍ଭ କରିଦେଇଛନ୍ତି । ପାଇକାରୀ ଦର ୨୨ଟଙ୍କାରେ କିଣୁଛନ୍ତି ଏବଂ ୩୨ରୁ ୩୫ଟଙ୍କାରେ ଗ୍ରାହକମାନଙ୍କୁ ବିକ୍ରି କରୁଛନ୍ତି । ପ୍ରଶ୍ନ ଉଠୁଛି ଏହା ଉପରେ ସରକାରୀ ବ୍ୟବସ୍ଥା ଅନୁସାରେ କାହାର ନଜର ରହିବା କଥା । ଯୋଗାଣ ବିଭାଗ ମଧ୍ୟ ମୁଣ୍ଡ ଖେଳାଉନାହିଁ । ଦର କାହିଁକି ବଢିଲା, ଏହା ପଛର ଅସଲ କାରଣ କ’ଣ ହୋଇପାରେ ସେନେଇ ବିଭାଗ କୌଣସି ଖୋଳତାଡ଼ କରୁନି । କୁମ୍ଭକର୍ଣ୍ଣ ନିଦ୍ରାରେ ଯୋଗାଣ ବିଭାଗ ଶୋଇଛି କହିଲେ ବି ଭୁଲ ହେବ ନାହିଁ । ପାଇକାରୀ ବ୍ୟବସାୟୀ କହୁଛନ୍ତି, ବଜାରକୁ ନୂଆ ଆଳୁ ଆସିଗଲାଣି ତେଣୁ ପୁରୁଣା ଆଳୁ ଦର କମିଯିବା କଥା । କିନ୍ତୁ କମିବ ବି କେମିତି । କାରଣ ବଡ ବଡ ବ୍ୟବସାୟୀମାନେ ଚାଲାକିର ସହିତ ଆଳୁକୁ ସାଇତି ରଖିଛନ୍ତି । ବର୍ଷା ଆଶଙ୍କା କରି ଚାଷୀ ଆଳୁ ଅମଳକୁ କିଛି ସମୟ ପାଇଁ ସ୍ଥଗିତ ରଖିଦେଇଛନ୍ତି ।
ବାସ୍ ଏହାକୁ ଦେଖି ବଡ ବଡ ବ୍ୟବସାୟୀମାନେ ପୁରୁଣା ଆଳୁ ଯେତିକି ମାତ୍ରାରେ ଯୋଗାଉଥିଲେ ତାର ପରିମାଣ କମାଇଦେଲେ । ଏହାର ପରିଣାମ ସ୍ୱରୁପ ବଜାରରେ ଦେଖାଦେଲା ଆଳୁର କୁତ୍ରିମ ଅଭାବ । ଆଉ ଦର ବଢିଚାଲିଲା । କିଛି ଦିନର କଥା । କିନ୍ତୁ ମାଲାମାଲ ହୋଇଗଲେ ବଡ ବ୍ୟବସାୟୀ । ଆଉ ସବୁଠାରୁ ଯଦି କିଏ ଅଧିକ ଦହଗଞ୍ଜ ହେଉଛି, ସେ ହେଉଛି ନିରୀହ ଗ୍ରାହକ । ଆଳୁ ଭଳି ଅତ୍ୟାବଶ୍ୟକୀୟ ପରିବାର କ୍ଷେତ୍ରରେ ଯଦି ଏପରି ଉପାୟରେ ଦରବୃଦ୍ଧି ଘଟେ ତେବେ ଗ୍ରାହକ କରିବ ତ କଣ କରିବ, କାହା ପାଖକୁ ଯିବ । ତା ଗୁହାରି ଶୁଣିବ କିଏ । ତେଣୁ ଏବେ ଆଳୁ ବଢୁଛି, ପିଆଜ ହସୁଛି ଆଉ ଗ୍ରାହକ କାନ୍ଦୁଛି କହିବା ହିଁ ଉଚିତ ହେବ ।