ବଜେଟ୍ -୨୦୨୦ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ମିଳିବନି ଅତିରିକ୍ତ ପାଣ୍ଠି!
ନୂଆଦିଲ୍ଲୀ: ଫେବୃଆରୀ ପହିଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ସାଂପ୍ରତିକ ଅର୍ଥନୀତି ସ୍ଥିତିକୁ ଦୃଷ୍ଟିରେ ରଖି ଏହି ବଜେଟ୍ ଗୁରୁତ୍ୱପୂର୍ଣ୍ଣ ରହିବା ସହ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଦ୍ୱିତୀୟ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବାକୁ ନେଇ କେନ୍ଦ୍ର ମନ୍ତ୍ରୀ ନିର୍ମଳାଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିବ । କାରଣ ଶିଳ୍ପ କ୍ଷେତ୍ର ଠାରୁ ଆରମ୍ଭ କରି ସାଧାରଣ ବ୍ୟବସାୟୀ , ଉଦ୍ୟୋଗୀ ଏବଂ ଟିକସଦାତା ଏହି ବଜେଟ୍ରେ ଅନେକ କିଛି ଆଶା କରୁଥିବା ବେଳେ ବିତ୍ତୀୟ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ନେଇ ମଧ୍ୟ ନିର୍ମଳା କେତେକ ପଦକ୍ଷେପ ନେଇପାରନ୍ତି ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି । ଏହିକ୍ରମରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ବଜେଟ୍ରେ ଅତିରିକ୍ତ ପାଣ୍ଠି ବ୍ୟବସ୍ଥା କରାଯାଇପାରେ ବୋଲି ଆଶା କରାଯାଉଥିଲା । ହେଲେ ଆଗାମୀ ବଜେଟ୍ରେ ଏଭଳି କିଛି ଦେଖିବାକୁ ମିଳିବ ନାହିଁ ବୋଲି ଏକ ନିର୍ଭରଯୋଗ୍ୟ ସୂତ୍ରରୁ କୁହାଯାଇଛି । ବ୍ୟାଙ୍କମାନଙ୍କୁ ଅତିରିକ୍ତ ପାଣ୍ଠି ନଯୋଗାଇ ସେମାନଙ୍କୁ ବଜାରରୁ ଅଧିକ ଋଣ ଉଠାଇବା ଏବଂ ଅନାଦାୟ ଋଣ ସଂଗ୍ରହ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ଦିଗରେ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରିପାରନ୍ତି ବୋଲି କୁହାଯାଇଛି । ବିଶେଷକରି ଏନ୍ସିଏଲଟି ଏବଂ ଅଣ- ଏନ୍ସିଏଲ୍ଟି ଅନ୍ତର୍ଭୁକ୍ତ ଋଣ କେସ୍ଗୁଡିକର ତୁରନ୍ତ ଫଇସଲା କରି ବଜାରରୁ ଅଧିକ ପରିମାଣର ଋଣ ଉଠାଇବାକୁ କେନ୍ଦ୍ର ସରକାର ବ୍ୟାଙ୍କମାନଙ୍କୁ କହିପାରନ୍ତି ବୋଲି କୁହାଯାଉଛି । ଏହିକ୍ରମରେ ଦେଶର ସର୍ବବୃହତ ବ୍ୟାଙ୍କିଙ୍ଗ ସଂସ୍ଥା ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହାର ଦୁଇ ପ୍ରମୁଖ ସହଯୋଗୀ ଉଦ୍ୟୋଗ ଏସ୍ବିଆଇ କାର୍ଡସ୍ ଆଣ୍ଡ ପେମେଣ୍ଟ ସର୍ଭିସେସ୍ ଲିଃ ଏବଂ ୟୁଟିଆଇ ଫଣ୍ଡରୁ ଅଂଶଧନ ପତ୍ୟୋହାର ପାଇଁ ଉଦ୍ୟମ ଆରମ୍ଭ କରିଛି । ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଅନ୍ତର୍ଭୁକ୍ତ ଏହାର ୧.୦୧ ପ୍ରତିଶତ ଶେୟାର ଭାବେ ମୋଟ ୫ ନିୟୁତ ଶେୟାର ବିକ୍ରି ପାଇଁ ଏସ୍ବିଆଇ ଉଦ୍ୟମ କରିବା ସହିତ ବଜାରରୁ ଋଣ ଉଠାଇବାକୁ ଯୋଜନା କରିଥିବା କୁହାଯାଇଛି । ଚଳିତ ଆର୍ଥିକ ବର୍ଷରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ମୋଟ ୭୦,୦୦୦ କୋଟି ଟଙ୍କା ଯୋଗାଇ ଦେବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବାବେଳେ ସମ୍ପ୍ରତି ୬୮,୮୫୫ କୋଟି ଯୋଗାଣ ହୋଇସାରିଛି । ଗତ ଅଗଷ୍ଟ ମାସରେ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କ ମିଶ୍ରଣକୁ ନେଇ ସେମାନଙ୍କ ଆର୍ଥିକ ବ୍ୟବସ୍ଥାରେ ଉନ୍ନତି ଆଣିବା ନେଇ ଏହି ପରିମାଣର ପାଣ୍ଠି ଯୋଗାଇ ଦିଆଯାଇଛି । ଏହା ସତ୍ତେ୍ୱ ସାଂପ୍ରତିକ ଆର୍ଥିକ ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାର ଆଗାମୀ ବଜେଟ୍ରେ ପୁଣିଥରେ ଅତିରିକ୍ତ ପାଣ୍ଠି ବ୍ୟବସ୍ଥା କରିପାରନ୍ତି ବୋଲି କେତେକ ମହଲରେ ଆଶା କରାଯାଉଥିଲା । ହେଲେ ଏଭଳି କିଛିର ସମ୍ଭାବନା ନାହିଁ ବୋଲି ଅର୍ଥନୀତିଜ୍ଞମାନେ ମତ ଦେଇଛନ୍ତି ।