ଜାନୁୟାରୀ ୪ରୁ ଶିଶିର ସରସ: ୨୫ ରାଜ୍ୟ, ୩୦୦ ଷ୍ଟଲ
ଭୁବନେଶ୍ୱର, (ଓଟି): ଆସନ୍ତା ଜାନୁଆରୀ ୪ ତାରିଖରୁ ସ୍ଥାନୀୟ ଇଡ୍କୋ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେବ ଶିଶିର ସରସ ମେଳା । ଏହି ମେଳାରେ ଦେଶର ୨୫ ରାଜ୍ୟ ଅଂଶଗ୍ରହଣ କରୁଥିବାବେଳେ ୩୦ଟି ଜିଲ୍ଲାରୁ ୩୦୦ରୁ ଅଧିକ ଷ୍ଟଲ ସ୍ଥାନ ପାଇବ ବୋଲି ପଚାଂୟତିରାଜ ଓ ପାନୀୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।
ଆଜି ଏଠାରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା କହିଛନ୍ତି ଯେ ଗ୍ରାମୀଣ ଉତ୍ପାଦକମାନଙ୍କ ସାମଗ୍ରୀ ଗୁଡିକୁ ବିପଣନ ସୁବିଧା ଯୋଗାଇ ଦେବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ମେଳା ଭୁବନେଶ୍ୱରରେ ଆୟୋଜନ ହେଉଛି । ସରକାରଙ୍କ ଦାରିଦ୍ର୍ୟ ଦୂରୀକରଣ ଯୋଜନା ଅନ୍ତର୍ଗତ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀମାନଙ୍କୁ, ସେମାନଙ୍କ ଉତ୍ପାଦ ବା ସାମଗ୍ରୀ ବିକ୍ରିବଟା କରିବା ତଥା ପ୍ରଦର୍ଶନୀ ପାଇଁ ଏହି ଜାତୀୟସ୍ତରୀୟ ମେଳା ଏକ ଭଲ ମାଧ୍ୟମ ପାଲଟିଛିା ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ତ ଓରମାସ ଏହି ମେଳା ଆୟୋଜନ କରିଆସୁଛି । ତେବେ ମେଳାକୁ ଆସୁଥିବା ବ୍ୟବସାୟୀମାନେ ଗ୍ରାହକମାନଙ୍କ ଠାରୁ ଯେଭଳି ଉଚିତ୍ ଦର ନେବେ ତାହା ଉପରେ ଚଳିତବର୍ଷ କର୍ତ୍ତୃପକ୍ଷ ନଜର ରଖିବେ ବୋଲି ମନ୍ତ୍ରୀ କହିଛନ୍ତି ।
ଏଥର ମେଳାରେ ମୋଟ ୩୦୦ଟି ଷ୍ଟଲ ସ୍ଥାନ ପାଇବ । ଏଥିସହ ମେଳା ପରିସରକୁ ପରିଷ୍କାର ରଖିବା, ପ୍ଲାଷ୍ଟିକ-ପଲିଥିନ ମୁକ୍ତ କରିବା, ପାନୀୟ ଜଳ ସୁବିଧା, ସୁରକ୍ଷା, ଆଲୋକ ସୁବିଧା ସହ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ମିନି ଇଣ୍ଡିଆ ବଜାର ସଦୃଶ ଏହି ମେଳାରେ ଏଥର ଦେଶର ୨୫ଟି ରାଜ୍ୟ ଅଂଶଗ୍ରହଣ କରୁଛନ୍ତି । ଯେଉଁଥିରେ ଉତର-ପୂର୍ବ ରାଜ୍ୟର ବାଉଁଶ ଶିଳ୍ପ ସାମଗ୍ରୀ, ଘରସଜ୍ଜା ଫୁଲ ଓ ଫୁଲଦାନୀ, ଶୀତ ପୋଷାକ, ଉତର ପ୍ରଦେଶର ହସ୍ତତନ୍ତ, ସିଲ୍କ ଏବଂ ରଟ୍ ଆଇରନ ସାମଗ୍ରୀ, ମଧ୍ୟପ୍ରଦେଶ ଏବଂ ଛତିଶଗଡର ଟସର କପଡା ଓ ଲୁଗା, ରାଜସ୍ଥାନ, ଗୁଜୁରାଟ ଏବଂ ମହାରାଷ୍ଟ୍ରର ଖାଦ୍ୟ, ଆନ୍ଧପ୍ରଦେଶ ଓ ତାମିଲନାଡୁର ହସ୍ତତନ୍ତ ଓ ଘରକରଣା ସାମଗ୍ରୀ, ପଞ୍ଜାବର ଫୁଲକରୀ ପୋଷାକ ସହତି ଜମ୍ମୁ ଓ କଶ୍ମୀରର ଶୀତ ପୋଷାକ ମେଳାର ପ୍ରମୁଖ ଆକର୍ଷଣ ରହିବ । ଗତ ବର୍ଷ ପ୍ରାୟ ୧୪ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ଚଳିତ ବର୍ଷ ୧୫ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହେବ ବୋଲି ଆଶା କରାଯାଉଛି ।
ସେହିପରି ଓଡିଶାର ୩୦ ଜିଲ୍ଲାରୁ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ମେଳାରେ ସାମିଲ ହେବୋ ବାଲେଶ୍ୱର, ବଲାଙ୍ଗିର, କେନ୍ଦୁଝର, ସୁବର୍ଣପୁରର ଟେରାକୋଟା ସାମଗ୍ରୀ, ରାୟଗଡା, କନ୍ଧମାଳ ଓ ନୂଆପଡାର ଖାଦ୍ୟ ଓ ମସଲା, ବରଗଡ, ସୁବର୍ଣପୁର ଓ ବଲାଙ୍ଗିରର ହସ୍ତତନ୍ତ ସାମଗ୍ରୀ, କୋରାପୁଟ, ମୟୂରଭଞ୍ଜ, ମାଲକାନଗିରି ଓ କଳାହାଣ୍ଡିର ବନଜାତ ଦ୍ରବ୍ୟ, କେନ୍ଦ୍ରପଡାର କାଇଁଚରୁ ପ୍ରସ୍ତୁତ ସାମଗ୍ରୀ ଏବଂ ମୟୂରଭଞ୍ଜର ସବାଇ ଘାସରୁ ପ୍ରସ୍ତୁତ ଘରକରଣା ସାମଗ୍ରୀ ଓ କାଠ ଜିନିଷ ମଧ୍ୟ ମେଳାରେ ଉପଲବଧ ହେବ । ଏଥର ମେଳାରେ ପ୍ରଥମ ଥର ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀମାନଙ୍କ ଉତ୍ପାଦ ଗୁଡିକର ଉଦ୍ୟୋଗ ଆଧାର ଓ ଏରଗ ପଞ୍ଜୀକରଣ ପାଇଁ ବ୍ୟବସ୍ଥା କରାଯାଇଛିା ଚଳିତବର୍ଷ ମେଳାରେ ୧୨ଟି ଷ୍ଟଲକୁ ନେଇ ଫୁଡ କୋର୍ଟ ରହିବ । ନିଜ ରାଜ୍ୟଠାରୁ ଦୂରରେ ରହୁଥିବା ବାହାର ରାଜ୍ୟର ଲୋକମାନଙ୍କ ଦ୍ୱାରା ଏହି ଫୁଡ କୋର୍ଟ ବେଶ ଆଦୃତ ହେବ ବୋଲି ଆଶା ରଖିଛନ୍ତି ଆୟୋଜକା ଏଥିରେ ୮ଟି ରାଜ୍ୟ ଯଥା ବିହାର, ଗୁଜୁରାଟ, ମହାରାଷ୍ଟ୍ର, ତେଲେଙ୍ଗାନା, ଛତିଶଗଡ, ଝାଡଖଣ୍ଡ, ହରିୟାଣା ଓ କେରଳର ଖାଦ୍ୟ ସହ ଓଡିଶାର ପାରମ୍ପରିକ ଖାଦ୍ୟ ସାମଗ୍ରୀ ମିଳିବା ଯେଉଁଥିରେ ବାରିପଦାର ମୁଢି-ମାଂସ ସହ କେନ୍ଦ୍ରାପଡାର ରସାବଳି, ଖୋର୍ଦ୍ଧା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ତିଆରି ପାରମ୍ପରିକ ଓଡିଆ ପିଠା ଓ ମିଲେଟ ମିଶନ ଦ୍ୱାରା ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ବିକ୍ରି ହେବ ।
ସେହିପରି ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରଚଳିତ ପୋଷାକ ଏବଂ ହସ୍ତଶିଳ୍ପ ସାମଗ୍ରୀ ନେଇ ଏକ ଫ୍ୟାସନ ସୋ ଆୟୋଜନ କରାଯିବ । କେବଳ ବିକ୍ରିବଟା ନୁହେଁ, ମେଳାକୁ ବୁଲି ଆସୁଥିବା ଦର୍ଶକ ଏବଂ ଗ୍ରାହକଙ୍କ ମନୋରଞ୍ଜନ ପାଇଁ ପ୍ରତି ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛିା ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତ ସହ ପାରମ୍ପରିକ ନୃତ୍ୟ, ଓଡିଆ ଓ ହିନ୍ଦୀ ସଙ୍ଗୀତ କାର୍ଯ୍ୟକ୍ରମ ଏବଂ ବ୍ୟଙ୍ଗ କଳାକାର ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ କରିବୋ ଏହି ମେଳାରେ ଓରମାସ ସହ ପ୍ରମୁଖ ସହଯୋଗୀ ସଂସ୍ଥା ଭାବେ ମିଶନ ଶକ୍ତି, ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ, ହସ୍ତଶିଳ୍ପ ଓ ଲଘୁ ଉଦ୍ୟୋଗ ନିର୍ଦ୍ଦେଶାଳୟ ସହ ସରକାରଙ୍କ ବିଭିନ୍ନ ସଂସ୍ଥା ସାମିଲ ହେଉଛନ୍ତିା ଏହି ସାମ୍ବାଦିକ ସମ୍ମିଳନୀରେ ଓରମାସର ସିଇଓ ଏସ ଆର ପ୍ରଧାନ, ଯୁଗ୍ମ ସଚିବ ସ୍ୱୟଂ ପ୍ରଭା ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ । ମେଳାର ଆୟୋଜନ ଲାଗି ମନ୍ତ୍ରୀ ଶ୍ରୀ ଜେନା ଆଜି ପୁଲିସ୍, ସ୍ୱାସ୍ଥ୍ୟ ଅଧିକାରୀ, ବିଏମ୍ସି, ଅଗ୍ନିଶମ ଆଦି ଅଧିକାରୀଙ୍କୁ ନେଇ ସମୀକ୍ଷା କରିଥିଲେ । ଏହି ଅବସରରେ ମନ୍ତ୍ରୀ ଜେନା ନୂତନ ଡାଇରୀ ଓ କ୍ୟାଲେଣ୍ଡରକୁ ଉନ୍ମୋଚନ କରିଥିଲେ ।