ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ  କାର୍ଯ୍ୟ ପାଇଁ ରାଷ୍ଟ୍ରୀୟ ସ୍ୱୟଂସିଦ୍ଧ ସମ୍ମାନ ପ୍ରଦାନ

ନୂଆଦିଲ୍ଲୀ, (ଓଟି): ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ (ଜେଏସ ପିଏଲ) ର ସାମାଜିକ ଉତ୍ତରଦାୟିତ୍ୱ ଶାଖା ଜେଏସ ପିଏଲ ଫାଉଣ୍ଡେସନ ପକ୍ଷରୁ ସାରା ଦେଶରେ ସାମାଜିକ କ୍ଷେତ୍ରରେ ଉଚ୍ଚକୋଟୀର ପାରଦର୍ଶିତା ପାଇଁ  ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନଙ୍କୁ ରାଷ୍ଟ୍ରୀୟ ସ୍ୱୟଂସିଦ୍ଧ ସମ୍ମାନ ରେ ସମ୍ମାନିତ କରାଯାଇଛି । ଏମାନଙ୍କ ଭିତରୁ ୧୦ ଜଣ ବ୍ୟକ୍ତି ବିଶେଷ ଏବଂ ୧୦ଗୋଟି ସଂସ୍ଥାଙ୍କୁ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ  ଏକ ଲକ୍ଷ ଲେଖାଏଁ ଟଙ୍କା ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା।  ସେହିପରି ଉଲ୍ଲେଖନୀୟ ଅବଦାନ ପାଇଁ ୫ଜଣ ବ୍ୟକ୍ତି ବିଶେଷ ଏବଂ ଗୋଟିଏ ସଂସ୍ଥାଙ୍କୁ  ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି।

ସହରାଞ୍ଚଳ ରେ ବନୀକରଣ ପାଇଁ ପ୍ରୋତ୍ସାହନ ତଥା ଏଥିପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଏସ ଜି ନେଗୀନହଲ ଙ୍କୁ ରାଷ୍ଟ୍ରୀୟ ସ୍ୱୟଂସିଦ୍ଧ ଜୀବନ ସମ୍ମାନ ରେ ସମ୍ମାନିତ କରାଯାଇଛି। ଏଥିପାଇଁ ତାଙ୍କୁ ନଗଦ ଏକ ଲକ୍ଷ ଟଙ୍କା ସହ ଏକ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି  ରବି ଶଙ୍କର ପ୍ରସାଦ, ସମାଜରେ ପରିବର୍ତନ ଆଣିବା ପାଇଁ ଚେଷ୍ଟିତ ଥିବା ବ୍ୟକ୍ତି ତଥା ସଂସ୍ଥାଙ୍କୁ ପ୍ରୋତ୍ସାହିତ କରୁଥିବା ଜେଏସ ପିଏଲ ଫାଉଣ୍ଡେସନ ର ଏହି କାର୍ଯ୍ୟ କୁ ଭୁରିୟସି ପ୍ରଶଂସା କରିଥିଲେ।  
ଏହି ଉତ୍ସବରେ ନବୀନ ଜିନ୍ଦଲ କହିଲେ, “ସମାଜରେ ପରିବର୍ତନ ଏବଂ ଉନ୍ନତି ଆଣିବା ପାଇଁ ଏହି ବ୍ୟକ୍ତି ମାନଙ୍କର ଅବଦାନ ବାସ୍ତବରେ ପ୍ରଶଂସନୀୟ। ସେମାନେ ଏକ ଭିନ୍ନ ତଥା ଅତୁଳନୀୟ ଶୈଳୀ ରେ ସମାଜ ତଥା ଦେଶ ଗଠନ ରେ ନିଜ କୁ ସାମିଲ କରିଛନ୍ତି। ମୋର ସମ୍ପୂର୍ଣ ବିଶ୍ୱାସ ଜେଏସ ପିଏଲ ଫାଉଣ୍ଡେସନ  ର ଏଭଳି କାର୍ଯ୍ୟ ବହୁ ଲୋକଙ୍କୁ ପ୍ରେରଣା ଯୋଗାଇବ।”

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ୟୋକ୍ତା ଶାଲୁ ଜିନ୍ଦଲ କହିଲେ, “ଆମ ଦେଶରେ ଅନେକ ବ୍ୟକ୍ତି ଏବଂ ସଂସ୍ଥା ଅଛନ୍ତି ଯେଉଁମାନେ ଅଦମ୍ୟ ସାହସ, ଅସାଧାରଣ ଉଦ୍ୟମ ଏବଂ ଭିନ୍ନ ଧରଣର ଆବିଷ୍କାର ଦ୍ୱାରା ସାଧାରଣ ଲୋକଙ୍କ ଜୀବନରେ ସୁଧାର ଆଣି ପାରିଛନ୍ତି।  ସବୁଠାରୁ ଆଶ୍ଚର୍ଯ୍ୟ ର ବିଷୟ ଯେ ସେମାନଙ୍କ ମଧ୍ୟରେ ଏଭଳି କିଛି ଲୋକ ଅଛନ୍ତି, ଯେଉଁ ମାନେ ଲୋକଲୋଚନ କୁ ଏପର୍ଯ୍ୟନ୍ତ ଆସି ନାହାନ୍ତି। ଏଭଳି ବ୍ୟକ୍ତି ବିଶେଷ ମାନଙ୍କୁ ଚିହ୍ନଟ ତଥା ସମ୍ମାନିତ କରି ସେମାନଙ୍କ ସଫଳତାକୁ ଶ୍ରେୟ ଦେବା ହିଁ ରାଷ୍ଟ୍ରୀୟ ସ୍ୱୟଂସିଦ୍ଧ ସମ୍ମାନ ର ମୂଳ ଉଦ୍ଦେଶ୍ୟ। ଏହି ସମ୍ମାନ ର ତୃତୀୟ ସଂସ୍କରଣ ରେ ନିଜ ନିଜ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରି ଲୋକମାନଙ୍କ ଜୀବନ ଜୀବିକା ପ୍ରଭାବିତ କରିଥିବା ବହୁ ବ୍ୟକ୍ତି ତଥା ସଂସ୍ଥା ମାନଙ୍କ ଠାରୁ ଆଶାତୀତ ଆବେଦନ ପାଇଥିଲୁ । ପ୍ରଥମେ ଆଞ୍ଚଳିକ  ଏବଂ ସର୍ବ ଶେଷରେ ରାଷ୍ଟ୍ରୀୟ  ବିଚାରକ ମଣ୍ଡଳୀ ମାନଙ୍କ ଦ୍ୱାରା ୨୭ ଜଣ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ଯେଉଁ ଦଶ ଗୋଟି ବିଭାଗରେ ପୁରସ୍କୃତ କରାଗଲା ସେଗୁଡିକ ହେଲା,- କଳା ଏବଂ ସଂସ୍କୃତି, ଶିକ୍ଷା, ପରିବେଶ, ଜୀବିକା, ସ୍ୱାସ୍ଥ୍ୟ, ଉଦ୍ଭାବନ ଏବଂ ଟେକ୍ନୋଲୋଜି, ଲୋକସେବା, କୃଷି ଏବଂ ଗ୍ରାମ୍ୟ ଉନ୍ନୟନ, ଖେଳ ଏବଂ ମହିଳା ସଶକ୍ତିକରଣ। ଜନସେବା ପ୍ରତି ନିଜ ଜୀବନକୁ ଉତ୍ସର୍ଗ କରିଥିବା ବ୍ୟକ୍ତିଙ୍କୁ ରାଷ୍ଟ୍ରୀୟ ସ୍ୱୟଂସିଦ୍ଧ ଜୀବନ ସମ୍ମାନରେ ସମ୍ମାନିତ କରାଯାଇଛି।
ଏହି କାର୍ଯ୍ୟକ୍ରମ ଶେଷରେ ଭେଙ୍କଟେଶ ଜିନ୍ଦଲ ଧନ୍ୟବାଦ ଅର୍ପଣ କରିଥିଲେ।

ପୁରସ୍କାର ବିଜୟୀ ବ୍ୟକ୍ତି ମାନଙ୍କ କାର୍ଯ୍ୟ ଏବଂ ସାମାଜିକ ଅବଦାନ ଅନ୍ୟମାନଙ୍କ ପାଇଁ  ପ୍ରେରଣାଦାୟୀ। ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଗଙ୍ଗାଧର ରାଉତ ଜଣେ ପ୍ରାଣୀଧନ ଟେକନିସିଆନ ଭାବରେ କାର୍ଯ୍ୟରୁ ଅବସର ଗ୍ରହଣ ପରେ ନିଜ ସଂଚିତ ଜମାରାଶି ତଥା ପେନସନ ମିଶି ୧୨ ଲକ୍ଷ ଟଙ୍କା ଖର୍ଚ କରି ନିଜ ଗାଁ ରେ ୨୭୦ ଫୁଟ ବିଶିଷ୍ଟ ଏକ ପୋଲ ନିର୍ମାଣ କରିଛନ୍ତି। ଗ୍ରାମ୍ୟ ବିକାଶ ବିଭାଗରେ ସେ ଏହି ପୁରସ୍କାର ଲାଭ କରିଛନ୍ତି।

ଉତ୍ତରାଖଣ୍ଡ ର ଫୋଟୋଜର୍ଣ୍ଣାଲିଷ୍ଟ ଆନନ୍ଦ ଶଙ୍କର ନିଜ ସହର ଏବଂ ଚାକିରୀ ଛାଡି ଅପହଞ୍ଚ ଟୋନସ ଉପତ୍ୟକାରେ ଏକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲି ଜନସେବା ରେ ନିଜକୁ ନିୟୋଜିତ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗରେ (ବ୍ୟକ୍ତି ବିଶେଷ ) ତାଙ୍କୁ ପୁରସ୍କୃତ କରାଯାଇଛି। ଜନ ସେବା (ସଂସ୍ଥା) ବିଭାଗରେ ପୁରସ୍କାର ଲାଭ କରିଥିବା ହାସିରୁ ଦାଲା ୧୦ ହଜାର ବର୍ଜ୍ୟବସ୍ତୁ ସଂଗ୍ରହକାରୀ ମାନଙ୍କ ଜୀବନକୁ ପ୍ରଭାବିତ କରିପାରିଛନ୍ତି। ତାଙ୍କ ସଂସ୍ଥା ୨୦ ଜଣ ଉଦ୍ୟୋଗୀ ଙ୍କୁ ନିର୍ମାଣ କରିପାରିଛି ଯେଉଁମାନେ ଏବେ ଆୟକର ଦେଉଛନ୍ତି।

କଳା ଏବଂ ସଂସ୍କୃତି ପାଇଁ ପୁରସ୍କାର ଲାଭ କରିଥିବା ମାଧବ ସହଶ୍ରବୁଦ୍ଧେ ସ୍କୁଲ, କଲେଜ ତଥା ଦେଶର ବିଭିନ୍ନ ସ୍ଥାନ ବୁଲି ତନ୍ତ ବୁଣା କୁ ପ୍ରୋତ୍ସାହିତ କରୁଛନ୍ତି। ଡ଼ଃ କ୍ରିତି ଭାରତୀ ରାଜସ୍ଥାନ ରେ ବାଲ୍ୟ ବିବାହ ପ୍ରଥା କୁ ପ୍ରତିରୋଧର କରି ଜନସେବା କ୍ଷେତ୍ରରେ ପୁରସ୍କାର ଲାଭ କରିଛନ୍ତି।

ରାଷ୍ଟ୍ରୀୟ ସ୍ୱୟଂସିଦ୍ଧ ସମ୍ମାନର ତୃତୀୟ ସଂସ୍କରଣରେ ଓ ପି ଜିନ୍ଦଲ ୟୁନିଭର୍ସିଟି ନଲେଜ ପାର୍ଟନର ଭାବରେ ଚୟନ ପ୍ରକ୍ରିୟା ସହ ବିଚାରକ ମଣ୍ଡଳୀର ମୂଲ୍ୟାଙ୍କନ ରେ ସକ୍ରିୟ ତଥା ମୁଖ୍ୟ ଭୂମିକା ଗ୍ରହଣ କରିଥିଲା।  ଏହି ପୁରସ୍କାର ପାଇଁ ସାରା ଦେଶରୁ ଆବେଦନ କରିଥିବା ପ୍ରତିଯୋଗୀ ମାନଙ୍କୁ ପ୍ରଥମେ ଏକ ନିର୍ଦିଷ୍ଟ ମାପଦଣ୍ଡ ଭିତ୍ତିରେ ବଛା ଯାଇଥିଲା। ଏହା ପରେ ସେମାନଙ୍କୁ ଚାରୋଟି ଆଞ୍ଚଳିକ ବିଚାରକ ମଣ୍ଡଳୀ ବିଭିନ୍ନ ପର୍ଯ୍ୟାୟରେ ଚୟନ କରି, ଶେଷରେ ରାଷ୍ଟ୍ରୀୟ  ବିଚାରକ ମଣ୍ଡଳୀ  ବିଜେତାମାନଙ୍କୁ ଚୟନ କରିଥିଲେ। ଆଞ୍ଚଳିକ ବିଚାରକ ମଣ୍ଡଳୀ ରେ ସଦସ୍ୟ ଭାବରେ ଶିକ୍ଷା, ବ୍ୟବସାୟ ଏବଂ ସମାଜ କଲ୍ୟାଣ ରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ସାମିଲ ଥିଲେ। ଏହି ପୁରସ୍କାର ନିମନ୍ତେ ଆଞ୍ଚଳିକ ଏବଂ ଜାତୀୟ ସ୍ତରର ଚୟନ ପ୍ରକ୍ରିୟାକୁ   ଜେଏସପିଏଲର ଗ୍ରୁପ ସିଏସଆର ମୁଖ୍ୟ ପ୍ରଶାନ୍ତ ହୋତା ପରିଚାଳନା କରିଥଲେ।

ସମସ୍ତ ଆବେଦନ ପତ୍ର ଗୁଡ଼ିକମଧ୍ୟରୁ ବଛାଯାଇଥିବା ପତ୍ର ଗୁଡିକୁ ରାଷ୍ଟ୍ରୀୟ ବିଚାରକ ମଣ୍ଡଳୀ ସମ୍ମୁଖରେ ପୁରସ୍କାର ଚୟନ ପାଇଁ ସେପ୍ଟେମ୍ବର ମାସରେ ରଖା ଯାଇଥିଲା।  ରାଷ୍ଟ୍ରୀୟ ବିଚାରକ ମଣ୍ଡଳୀ ର ସଦସ୍ୟ ଭାବରେ  ଓସୱାଲ ଗ୍ରୁପ ଅଧ୍ୟକ୍ଷା  ଅରୁଣ ଓସୱାଲ, ଜେଏସ ପିଏଲ ଫାଉଣ୍ଡେସନ ଅଧ୍ୟକ୍ଷା ଶାଲୁ ଜିନ୍ଦଲ, ଓ ପି ଜିନ୍ଦଲ ୟୁନିଭର୍ସିଟି କୁଳପତି ପ୍ରଫେସର ସି ରାଜ କୁମାର, ୟୁଏନ ଗ୍ଲୋବାଲ କମ୍ପାକ୍ଟ ନେଟୱର୍କ ଇଣ୍ଡିଆ ମୁଖ୍ୟ କମାଲ ସିଂ, ସିଏସଆଇଆର ଆଇଜିଆଇବି ନିର୍ଦେଶକ ଡ଼ଃ  ଅନୁରାଗ ଅଗ୍ରୱାଲ, ପବ୍ଲିକ ରିଲେସନ ସୋସାଇଟି ଆଫ ଇଣ୍ଡିଆର ଜାତୀୟ ସଭାପତି ଡ଼ଃ ଅଜିତ ପାଠକ ଏବଂ ପ୍ଲାନ ଇଣ୍ଡିଆ ର ନିର୍ଦେଶିକା ପିଙ୍କି ପ୍ରଧାନ ଏହି ପୁରସ୍କାର ଚୟନ କରିଥିଲେ ।

ତୃଣମୂଳ ସ୍ତରରେ କାର୍ଯ୍ୟକରୁଥିବା ସାମାଜିକ ଉଦ୍ଭାବକ ତଥା ସମାଜ ପରିବର୍ତନକାରୀ ମାନଙ୍କୁ ଚିହ୍ନଟ କରି ସେମାନଙ୍କ କାର୍ଯ୍ୟକୁ ଲୋକଲୋଚନକୁ ଆଣିବା ସହ ପ୍ରୋତ୍ସାହନ କରିବା ପାଇଁ ୨୦୧୫ ମସିହାରେ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ରାଷ୍ଟ୍ରୀୟ ସ୍ୱୟଂସିଦ୍ଧ ସମ୍ମାନ ସ୍ଥାପିତ  ହୋଇଥିଲା।

୨୦୧୫ ଏବଂ ୧୦୧୭ରେ ଅନୁଷ୍ଠିତ ଏହି ସମ୍ମାନରେ ବିଭିନ୍ନ ବିଭାଗରେ ୫୦ ଜଣଙ୍କୁ ସମ୍ମାନିତ କରାଯାଇଥିଲା ଯେଉଁମାନେ ଏବେ ସମାଜରେ ପରିବର୍ତନ ଆଣିବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସ୍ରୋତ ପାଲଟିଛନ୍ତି   

Leave a Reply

Your email address will not be published.