ନାଗରିକତ୍ଵ ବିବାଦ: ଦୋଛକିରେ ନବୀନ ସରକାର
ଭୁବନେଶ୍ଵର, (ଓଡ଼ିଶା ଟାଇମ୍)
ପ୍ରଥମେ ସମର୍ଥନ କରି ତା’ ପରେ ପରିଣାମକୁ ସହ୍ୟ ନକରିବାର ଆଉ ଏକ ସଙ୍କଟଜନକ ମୁହୁର୍ତ୍ତ ଏବେ ଓଡ଼ିଶା ସରକାରଙ୍କ ପାଖରେ ଉଭା ହୋଇଛି । ରାଜନୀତିକ ଦୃଷ୍ଟିକୋଣରୁ ଏହା ବିମୁଦ୍ରାକରଣଠାରୁ ବି ଅଧିକ ଗୁରୁତ୍ଵପୂଣ୍ଣ। ଅବଶ୍ୟ ଏହା ଠିକ୍ ଯେ, ଓଡ଼ିଶାର ରାଜନୀତି କେବେ ଧର୍ମ ବା ସମ୍ପ୍ରଦାୟଭିତ୍ତିକ ହୋଇ ନାହିଁ, କିନ୍ତୁ ୨୦୦୮ରୁ ଓଡ଼ିଶାର ରାଜନୀତିରେ ଅଙ୍କୁରିତ ହୋଇଥିବା ସାମ୍ପ୍ରଦାୟିକ ଅସୂୟା ଭାବ ୨୦୨୪ରେ ଯେ ଏକ ନୂଆ ସମୀକରଣ ଆଡ଼କୁ ନମୁହାଁଇବ ତାହା କିଏ କହିବ?
ଜାତୀୟ ନାଗରିକ ପଞ୍ଜିକା ଓ ନାଗରିକତ୍ଵ ସଂଶୋଧନ ଆଇନକୁ ଏହି ପ୍ରସଙ୍ଗ ଭିତ୍ତିକରିଛି । କେହି କେହି ଏହି ପ୍ରସଙ୍ଗ ମୋଦି ସରକାରଙ୍କର ଦେଶବାସୀଙ୍କୁ ବିଭ୍ରାନ୍ତ କରିବାର ଆଉ ଏକ ଉଦ୍ୟମ ବୋଲି ଅଭିଯୋଗ କରୁଛନ୍ତି। ଅପରପକ୍ଷେ ଅନ୍ୟ କେହି ଏଥିରେ ଦେଶଭକ୍ତି, ଦେଶ ଗଠନ ଓ ଭବିଷ୍ୟତର ଏକ ବଡ଼ ସମସ୍ୟାକୁ ଏଡ଼ାଇବାର ବଡ଼ ପଦକ୍ଷେପ ବୋଲି ଅଭିହିତ କରୁଛନ୍ତି। ପୁଣି ଏଥିରେ ସୁପ୍ରିମ୍କୋର୍ଟ ଓ ହାଇକୋର୍ଟଙ୍କୁ ଯୋଡ଼ି ଏପରି ଏକ କାନୁନ୍ର ଆବଶ୍ୟକ ରହିଥିବା ମଧ୍ୟ ଯୁକ୍ତି ବାଢ଼ୁଛନ୍ତି। କିଛିଦିନ ପୂର୍ବରୁ ଓଡ଼ିଶା ହାଇକୋର୍ଟଙ୍କ ଦ୍ଵାରା ନିଯୁକ୍ତ ସ୍ଵତନ୍ତ୍ର ଦୂତ ମୋହିତ ଅଗ୍ରୱାଲ୍ ମଧ୍ୟ ଭିତରକନିକାର ଆଦ୍ରଭୂମି ସୁରକ୍ଷା ଲାଗି ଜାତୀୟ ନାଗରିକ ପଞ୍ଜିକା ଲାଗୁ କରିବା ପାଇଁ ଯୁକ୍ତି ବାଢ଼ିଥିବା ଆଲୋଚନା ହୋଇଛି। ଏପରିକି ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଏଥିଲାଗି କେନ୍ଦ୍ରକୁ ସୁପାରିସି କରିଥିବା ନେଇ ମଧ୍ୟ ଖବର ପ୍ରକାଶ ପାଇଛି। ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକରେ ବିଶେଷକରି କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ବାଂଲାଦେଶୀମାନେ ଅନୁପ୍ରବେଶ କରି ଏଠାରେ ବଳପୂର୍ବକ ବସବାସ କରିବା ଓ ଜୀବୀକା ଉପାର୍ଜନ କରିବା ଓ ରାଜନୀତିକ ବାହୁଛାୟା ପାଇବା ମଧ୍ୟ ଉଦ୍ବେଗର ବିଷୟ ବୋଲି ପ୍ରକାଶ ପାଇବା ପରେ ସଂସଦରେ ସତବେଳର ଗୃହମନ୍ତ୍ରୀ ଶ୍ରୀପ୍ରକାଶ ଜୟସୱାଲ କେବଳ କେନ୍ଦ୍ରାପଡ଼ା ଜିଲ୍ଲାରେ ୩୦ହଜାର ୮୫୦ ଜଣ ବାଂଲାଦେଶୀ ବଳପୂର୍ବକ ବସବାସ କରୁଥିବା ମଧ୍ୟ ସୂଚନା ଦେଇଛନ୍ତି। ୧୫ ବର୍ଷ ଅତିକ୍ରାନ୍ତ ହେବା ପରେ ଏ ସଂଖ୍ୟା ଏବେ ଆହୁରି ଅଧିକ ହୋଇଥାଇପାରେ। ଏମାନଙ୍କ ଭିତରୁ ଏବେ ଅନେକ ଭାରତରେ ନାଗରିକଙ୍କ ଅଧିକାର ସ୍ଵରୂପ ଭୋଟ୍ ଦେଉଛନ୍ତି, ସ୍ଥାନୀୟ ଲୋକଙ୍କ ସହ ବନ୍ଧୁ ବାନ୍ଧିଛନ୍ତି ଆଉ କେତେକ ବଳପୂର୍ବକ ଭାବେ ଆମ ସମୁଦ୍ର ଉପରେ କବ୍ଜା କରି ମାଫିଆ ରାଜ୍ ଚଳାଇଛନ୍ତି। ପ୍ରଶ୍ନ ଉଠୁଛି ଆମେ ଏମାନଙ୍କୁ କାଢ଼ିଦେଇପାରିବା କି? କିମ୍ବା ଆମେ ଏମାନଙ୍କୁ ଦେଶର ନାଗରିକତ୍ଵ ଦେଇପାରିବା କି? ଶାନ୍ତି ପ୍ରିୟ ରାଜ୍ୟ ହିସାବରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶା ଭୂମିରେ ଯେତବେଳେ ଏକ ନିର୍ଦିଷ୍ଟ ସମ୍ପ୍ରଦାୟର କିଛି ଲୋକ ସେମାନଙ୍କ ଅସ୍ତିତ୍ଵ ବାବଦରେ ଭୟଭୀତ ହୋଇ ଶାସନ ସ୍ତମ୍ଭର ସହାୟତା ମାଗିବାକୁ ନେହୁରା ହେଉଛନ୍ତି ସତବଳେ ଏ ବିଷୟରେ ଛକବଜାରଠୁ ଆରମ୍ଭ କରି ସରକାରୀ ସ୍ତରରେ ଆଲୋଚନା କରିବା ନିହାତି ଜରୁରୀ। ପୁଣି ଯହେତୁ ପାକିସ୍ତାନଠାରୁ ଆରମ୍ଭ କରି ଜାପାନ, ବାଂଲାଦେଶ, ଆମେରିକା, ଇଂଲଣ୍ଡ ପ୍ରାୟ ସବୁ ଦେଶ ଏହି ପ୍ରସଙ୍ଗରେ ସେମାନଙ୍କ ନାଗରିକଙ୍କୁ ସତର୍କବାଣୀ ଶୁଣାଇଲେଣି ଆମେ ଆମ ଭବିଷ୍ୟତ ବିଷୟରେ ଚିନ୍ତା କରିବା ସ୍ଵଭାବିକ।
ସାମ୍ପ୍ରତିକ ସ୍ଥିତି
ନିକଟ ଅତୀତରେ ଆସାମରେ ଜାତୀୟ ନାଗରିକତ୍ଵ ପଞ୍ଜିକା ଲାଗୁ ଏବଂ ଏହାର ଗଣନା ପରେ ସ୍ଥିତି ଉଦ୍ବେଗପୂଣ୍ଣ ହୋଇଛି। ଶରଣ ପାଇଥିବା ବଙ୍ଗୀୟଭାଷାଭାଷୀଙ୍କୁ ତୁରନ୍ତ ଦେଶରୁ ବାହାର କରିବା ପାଇଁ ଏଠାର ନାଗରିକମାନେ ଦାବି କରି ଆସୁଛନ୍ତି। ନାଗରିକତ୍ଵ ସଂଶୋଧନ ବିଲ୍ ( ସିଏବି) ଆଇନରେ ପରିଣତ ହେବା ପରେ ଏହି ଆନେ୍ଦୋଳନ ଆହୁରି ଉଗ୍ର ହୋଇଛି। ସାରା ଉତ୍ତର ପୂର୍ବାଞ୍ଚଳ ଜଳୁଛି ବୋଲି ଗଣମାଧ୍ୟମ ରିପୋର୍ଟ କରୁଛି। ଏମାନଙ୍କ ଦାବି ହେଉଛି ଯେଉଁ ଲୋକ ବିଦେଶୀ ସେମାନେ ଆମ ଦେଶକୁ ଆସି ଆମ ପାଣିପବନ, ସୁବିଧା ସୁଯୋଗକୁ କାହିଁକି ଉପଭୋଗ କରିବେ? ଯଦି ପୂର୍ବରୁ ସରକାର ଓ କୋର୍ଟ ଏହି ବିଦେଶୀ ନାଗରିକଙ୍କୁ ବାଛି ସେମାନଙ୍କ ଦେଶକୁ ପଠାଇବାର ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେଉଥିଲେ ଏବେ କାହିଁକି ତାହା ଓଲଟିଲା? ଏହା ଏକ ଧୋକା। ବାସ୍ତବରେ ଏନ୍ଆର୍ସି ଲାଗୁ ପରେ ଯେଉଁ ପ୍ରାୟ ୧୯ ଲକ୍ଷ ଲୋକଙ୍କ ନାଗରିକତ୍ଵ ଉପରେ ପ୍ରଶ୍ନବାଚୀ ଉଠାଯାଇଛି ସେମାନଙ୍କ ଭିତରୁ ପ୍ରାୟ ୧୩ଲକ୍ଷ ହିନ୍ଦୁ ଧର୍ମାବଲମ୍ବୀ ହୋଇଥିବା ଜଣାପଡ଼ିବା ପରେ ପରିସ୍ଥିତିକୁ ବଦଳାଇବା ଲାଗି ସରକାର ଚାହିଁଛନ୍ତି। ଯେହେତୁ ପଡ଼ୋଶୀ ଦେଶଗୁଡ଼ିକ ମୁସ୍ଲିମ୍ ଅଧିକୃତ ଏବଂ ସେଠାରେ ହିନ୍ଦୁ ତଥା ଅଣ ମୁସଲ୍ମାନ୍ମାନେ ଉତ୍ପୀଡ଼ିତ ଏଣୁ ସେହି ଶରଣାର୍ଥୀଙ୍କୁ ନାଗରିକତ୍ଵ ପ୍ରଦାନ କରିବାକୁ ସରକାର ଚାହଁଛନ୍ତି। ଏହିକ୍ରମରେ ନାଗରିକତ୍ଵ ସଂଶୋଧନ ବିଲ୍ ଅନୁମୋଦିନ ହୋଇଛି।
ଓଡ଼ିଶା ପରି ଅନ୍ୟ ରାଜ୍ୟଗୁଡ଼ିକରେ କିନ୍ତୁ ସମସ୍ୟା ଏହାର ବିପରୀତ। ଏଠାରେ କାହାକୁ ନାଗରିକତ୍ଵ ପ୍ରଦାନ କରିବା ପ୍ରସଙ୍ଗ ଏଯାଏ ଠିନାହିଁ ବରଂ ଏଠାରେ ନାଗରିକତ୍ଵ ଚାଲିଯିବାର ଭୟ ସୃଷ୍ଟି ହୋଇଛି। ଏହିଭଳି ୬ଟି ରାଜ୍ୟ କେରଳ, ପଶ୍ଚିମବଙ୍ଗ, ପଞ୍ଜାବ, ମହାରାଷ୍ଟ୍ର, ଛତିଶଗଡ଼, ଓ ମଧ୍ୟପ୍ରଦେଶରେ ସମସ୍ୟା ସୃଷ୍ଟି ହୋଇଥିବାରୁ ସେମାନେ ନୂତନ ଭାବେ ସଂଶୋଧିତ ଆଇନକୁ ଲାଗୁ ନକରିବାପାଇଁ ନିଷ୍ପତ୍ତି ନେଇଛନ୍ତି। ହେଲେ ଓଡ଼ିଶା ସରକାର ସଂସଦରେ ଏହି ବିଲ୍କୁ ସମର୍ଥନ ଦେଇଥିବା ବଳେ ଏବେ ଦୋଛକିରେ ପଡ଼ିଯାଇଛନ୍ତି। ନା ଏଠାରେ ସଂଖ୍ୟା ଲଘୁ ସମ୍ପ୍ରଦାୟଙ୍କ ଲାଗି କୌଣସି ଶାଣିତ ମତ ରଖିପାରୁଛନ୍ତି ନା ଏହି ଆଇନ ସମର୍ଥନରେ ଜନମତ ସୃଷ୍ଟି କରିପାରୁଛନ୍ତି। ଅର୍ଥାତ୍ ଓଡ଼ିଶା ସରକାରଙ୍କ ପାଇଁ ଏହା ଏକ ଘଡ଼ିସନ୍ଧି ମୁହୂର୍ତ୍ତ ସୃଷ୍ଟି କରିଛି। ଯେମିତି ସ୍ଥିତି ବିମୁଦ୍ରାକରଣ ସମୟରେ ସୃଷ୍ଟି ହୋଇଥିଲା ଠିକ୍ ସେହିଭଳି। ଆଶଙ୍କା କରାଯାଉଛି ଯେ, ସରକାର ଏବେ ସେମିତି କିଛି ପଦକ୍ଷେପ ଏଠାରେ ଗ୍ରହଣ କରିପାରନ୍ତି। ନହଲେ ଏହା ଭୋଟ୍ବ୍ୟାଙ୍କ୍ ରାଜନୀତିକୁ ପ୍ରଭାବିତ କରିପାରେ। କିନ୍ତୁ ଯେଉଁ ରାଜ୍ୟରେ ସରକାର ନିଜର ସ୍ଵଚ୍ଛ ଓ ସାଲିସ ବିହୀନ ଭାବମୂର୍ତ୍ତି ପାଇଁ ବାରମ୍ବାର ନିର୍ବାଚିତ ହୋଇ ଆସୁଛି, ସେ କ୍ଷେତ୍ରରେ ନିଷ୍ପତ୍ତି ବଦଳାଇବାର ଆଭିମୁଖ୍ୟ ନକରାତ୍ମକ ପ୍ରଭାବ ପକାଇପାରେ। ଏହାବାଦ୍ ଦେଶର ସ୍ଵାର୍ଥ ଓ ନାଗରିକଙ୍କ ସୁରକ୍ଷା ଲାଗି ସାଲିସ କରିଲେ ଆଗାମୀ ସମୟରେ ଆତଙ୍କରାଜ ଓ ଅସାମାଜିକ କାର୍ଯ୍ୟକଳାପ ପାଇଁ ଓଡ଼ିଶା ଏକ କ୍ରୀଡ଼ାଭୂମି ହୋଇପାରେ!
ଓଡ଼ିଶାରେ ସିଏବି
ନାଗରିକତ୍ଵ ସଂଶୋଧନ ବିଲ୍କୁ ଓଡ଼ିଶାର ଶାସକ ଦଳ (ବିଜେଡି) ଏକ ଗୁରୁତ୍ଵପୂଣ୍ଣ ଅଂଶୀଦାର ଭାବେ ସଂସଦରେ ସମର୍ଥନ କରିଛି। ଏଣୁ ଏହାକୁ ଲାଗୁ ନକରିବା ଦଳ ପାଇଁ ନକରାତ୍ମକ ପରିସ୍ଥିତି ତଥା ବିଚଳିତ ମନୋଭାବ ଧାରୀ ବୋଲି ପ୍ରମାଣିତ କରିବ। ପୁଣି ଏହା ପୂର୍ବରୁ ରାଜ୍ୟରେ ଜାତୀୟ ନାଗରିକତ୍ଵ ପଞ୍ଜିକା ପ୍ରଚଳନ ପାଇଁ ରାଜ୍ୟ କେନ୍ଦ୍ରକୁ ନିଜର ପ୍ରସ୍ତୁତି ଜଣାଇଛି। ଅର୍ଥାତ୍ କିଛିଦିନ ଭିତରେ ରାଜ୍ୟରେ ଏହି ପଞ୍ଜିକା ଲାଗୁ କରାଯିବାର ସମ୍ଭାବନା ରହିଛି। ଏଣୁ ୨୦୧୪ ନିର୍ବାଚନରେ ଓଡ଼ିଶା ରାଜନୀତି ଏକ ଧାର୍ମିକ ଓ ସାମ୍ପ୍ରଦାୟିକ ଯୁଦ୍ଧ ଦେଖିବା ନିଶ୍ଚିତ।











