ଦୀପାବଳି: କେଉଁଠି କେମିତି
ଆଲୋକର ପର୍ବ ଦୀପାବଳିର ମୁଖ୍ୟ ସନ୍ଦେଶ ହେଉଛି ଅନ୍ଧାର ଉପରେ ଆଲୋକର ବିଜୟ ବା ଅସତ୍ୟ ଉପରେ ସତ୍ୟର ଜୟ । ପ୍ରଭୁ ଶ୍ରୀ ରାମଚନ୍ଦ୍ର ୧୪ ବର୍ଷ ବନବାସ ଶେଷ କରି କାର୍ତ୍ତିକ ଅମାବାସ୍ୟାରେ ସ୍ୱରାଜ୍ୟ ଅଯୋଧ୍ୟାକୁ ଫେରିଥିଲେ । ତେଣୁ ରାମଚନ୍ଦ୍ରଙ୍କ ଆଗମନ ଖୁସିରେ ଅଯୋଧ୍ୟା ପୁରବାସୀ ସମସ୍ତଙ୍କ ଘରେ ପ୍ରଦୀପ ଜାଳି ରାମଙ୍କୁ ସ୍ୱାଗତ କରିଥିଲେ । ଏହି ପୌରାଣିକ କଥା ଅନୁଯାୟୀ ଦୀପାବଳି ପର୍ବ ହର୍ଷ ଉଲ୍ଲାସର ସହ ପାଳନ ହୋଇଆସୁଛି । କେବଳ ଏହି ଗୋଟିଏ ପୌରାଣିକ କଥା ନୁହେଁ, ଆହୁରି ଅନେକ ପୌରାଣିକ ଆଖ୍ୟାନକୁ ଦୀପାବଳି ସହିତ ଯୋଡ଼ା ଯାଇଛି । ଦୀପର ପର୍ବ ଦୀପାବଳିକୁ ବିଶ୍ୱସ୍ତରରେ ପାଳନ କରାଯାଉଛି । ବିଭିନ୍ନ ସ୍ଥାନରେ ଦୀପାବଳୀର ଭିନ୍ନ ନାମ ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ଦେଶରେ କେଉଁ ନାମରେ ଦୀପାବଳି ପାଳିତ ହେଉଛି ଏବଂ ସେମାନେ କିଭଳି ଏହାକୁ ପାଳନ କରୁଛନ୍ତି । –
ନେପାଳ –
ଦୀପାବଳିକୁ ନେପାଳରେ ‘ତିହାଡ଼୍’ ବା ‘ସ୍ୱାନ୍ତି’ ଉତ୍ସବ ଭାବେ ପାଳନ କରାଯାଏ । ସେଠାରେ ଏହି ଉତ୍ସବ ୫ଦିନ ପର୍ଯ୍ୟନ୍ତ ଚାଲେ । ପ୍ରଥମ ଦିନ ‘କାଗ୍ ତିହାର୍’ ଭାବେ କାଉ ମାନଙ୍କୁ ପରମାତ୍ମାଙ୍କ ଦୁତ ଭାବେ ପ୍ରସାଦ ଦିଆଯାଇଥାଏ । ଦ୍ୱିତୀୟ ଦିନ ବିଶ୍ୱାସର ପ୍ରତିକ ଭାବେ କୁକୁରମାନଙ୍କୁ ପୂଜା କରି ଖାଇବାକୁ ଦିଆଯାଏ । ତୃତୀୟ ଦିନ ‘ଗାଏ ତିହାର୍’ ଭାବେ ଗାଇ ଓ ବଳଦ ମାନଙ୍କ ପୂଜା କରାଯାଏ । ଏହି ୩ୟଦିନକୁ ବର୍ଷର ଶେଷ ଦିନ ଭାବେ ଗଣତି କରି ବ୍ୟବସାୟୀମାନେ ସେମାନଙ୍କର ପୁରୁଣା ଖାତାକୁ ବନ୍ଦ କରି ନୂଆ ଖାତା ପୂଜା କରିଥାନ୍ତି । ଘରକୁ ସଫା କରି ନୂଆ ଜିନିଷ ଅଣାଯାଏ । ଘରେ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଏ । ତେଲର ଦୀପକୁ କବାଟ ଓ ଝରକାରେ ରଖାଯାଏ । ଚତୁର୍ଥ ଦିନକୁ ବର୍ଷର ପ୍ରଥମ ଦିନ ଭାବେ ଗଣତି କରି ବିଭିନ୍ନ ସାଂସ୍କୃତିକ ଉତ୍ସବର ଆୟୋଜନ କରାଯାଏ । ୫ମ ଦିନ ‘ଭାଇଦୁଜ୍’ ଭାବେ ଭଉଣୀମାନେ ଭାଇଙ୍କ ପୂଜା କରିବା ସହ ନୂଆ ବସ୍ତ୍ର ଓ ସୁସ୍ୱାଦୁ ଭୋଜନ କରାଇଥାନ୍ତି ।
ଥାଇଲାଣ୍ଡ –
ଥାଇଲାଣ୍ଡରେ ଦୀପାବଳିକୁ ‘ଲମ୍ କ୍ରିୟଓଁଘ’ ନାମରେ ପାଳନ କରାଯାଏ । ଏହି ଉତ୍ସବରେ କଦଳୀପତ୍ରରେ ଦୀପ ପ୍ରସ୍ତୁତ କରି ସେଥିରେ ଗୋଟିଏ କଏନ୍ ରଖିବା ସହ ମହମବତୀ ଜଳାଇଥିବାର ପରମ୍ପରା ରହିଛି । ଏହାପରେ ସେହି ଦୀପକୁ ନଦୀରେ ଭସାଇ ଦିଆଯାଏ । ଏହାପରେ ସ୍ଥାନୀୟ ବାସିନ୍ଦା ପରସ୍ପରକୁ ଅଭିନନ୍ଦନ ଜଣାଇ ଭୋଜିର ଆୟୋଜନ କରିଥାନ୍ତି । ଥାଇଲାଣ୍ଡର ଏହି ପରମ୍ପରା ଓଡ଼ିଶାର କାର୍ତ୍ତିକ ପୂର୍ଣ୍ଣମୀ ଭଳି ମନେ ହୋଇଥାଏ । ଥାଇଲାଣ୍ଡ ଏଭଳି ଏକ ଦେଶ, ଯେଉଁଠି ବିଶ୍ୱର ବିଭିନ୍ନ ଉତ୍ସବକୁ ଏକ ନିଆରା ଢ଼ଙ୍ଗରେ ପାଳନ କରାଯାଏ ।
ମାଁମାର(ବର୍ମା) –
ଭାରତର ପୂର୍ବ ସୀମାରେ ଥିବା ମାଁମାରରେ ଭାରତୀୟ ପରମ୍ପରା ଅନୁଯାୟୀ ଗୋଟିଏ ଦିନ ଦୀପାବଳି ପାଳନ କରାଯାଏ । ସେହି ଦିନ ସମସ୍ତେ ଦୀପ ଲଗାଇ ଘରକୁ ଆଲୋକିତ କରିବା ସହିତ ସମସ୍ତଙ୍କ ଘରେ ମିଷ୍ଟାନ୍ନ ରୋଷେଇ ହୋଇଥାଏ । ମିଷ୍ଟାନ୍ନକୁ ପରସ୍ପର ସହିତ ବାଣ୍ଟିବା ସହିତ ସେଠାକାର ପାରମ୍ପରିକ ଲୋକଗୀତ ଓ ନାଚର ଆସର ମଧ୍ୟ ଜମିଥାଏ । ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସେହି ନୃତ୍ୟଗୀତର ମଜା ନେଇଥାନ୍ତି ।
ଜାପାନ-
ଦୀପାବଳିରେ ଜାପାନର ଲୋକମାନେ ଦୀପ ବଦଳରେ ନିଜ ବାଡ଼ି ବଗିଚାରେ ଥିବା ଗଛକୁ ରଙ୍ଗୀନ୍ ଲାଇଟରେ ସଜାଇଥାନ୍ତି । କାରୁକାର୍ଯ୍ୟପୂର୍ଣ୍ଣ ବିଭିନ୍ନ ମ୍ୟାଟେରିଆଲର ଲଣ୍ଠନ ଓ କାଗଜ ପଟି ଦ୍ୱାରା ଘର ଓ ଗଛକୁ ସଜାଯାଇଥାଏ । ସେମାନେ ଆକାଶକୁ ଏକ ଉଡ଼ନ୍ତା ଦୀପ ଛାଡ଼ିଥାନ୍ତି, ଯାହାକି ବେଶ୍ ସୁନ୍ଦର । ତେଣୁ ଦୀପାବଳିରେ ଘର ସହିତ ଆକାଶ ମଧ୍ୟ ଆଲୋକମାଳାରେ ସଜ୍ଜିତ ହେବା ଭଳି ମନେ ହୁଏ । ଏହାପରେ ରାତିରେ ସମସ୍ତେ ନିଜ ବନ୍ଧୁବର୍ଗ ଓ ସାଙ୍ଗସାଥିଙ୍କ ସହିତ ମିଶି ଭୋଜି ଓ ନାଚଗୀତର ଆସରର ଆୟୋଜନ କରିଥାନ୍ତି । ଏହି ଉତ୍ସବକୁ ସେମାନେ ଆନନ୍ଦର ଉତ୍ସବ ଭାବେ ପାଳନ କରିଥାନ୍ତି ।
ଇଣ୍ଡୋନେସିଆ –
ଇଣ୍ଡୋନେସିଆର ବାଲି ଦ୍ୱୀପରେ ସୁବଠାରୁ ଅଧିକ ଚମକଦାର୍ ଦୀପାବଳି ଦେଖିବାକୁ ମିଳେ । ଭାରତୀୟ ପରମ୍ପରା ଅନୁଯାୟୀ ସେଠାରେ ଦୀପାବଳିକୁ ମନାଯାଏ । ଏହା ସହିତ ରାମଲୀଳାର କଥାବସ୍ତୁକୁ ସେଠାକାର ସ୍ଥାନୀୟ ପୋଷାକ, ନୃତ୍ୟ ଓ ଗୀତ ଅନୁଯାୟୀ ମଞ୍ଚସ୍ଥ କରାଯାଏ । ଇଣ୍ଡୋନେସିଆ ସଂସ୍କୃତି ଅନୁଯାୟୀ ରାମଲୀଳା ଦେଖିବା ବେଶ୍ ମନ ମୁଗ୍ଧକର ।
ମାଲେସିଆ –
‘ଓପନ୍ ହାଉସେସ୍ ମାଲେସିଆଇ ହିନ୍ଦୁ’ ପକ୍ଷରୁ ଦୀପାବଳିକୁ ଜାକଜମକରେ ପାଳନ କରାଯାଏ । ସେଠାରେ ‘ଗ୍ରୀନ୍ ଦୀପାବଳି’ ଭାବେ ଏହି ଉତ୍ସବକୁ ପାରମ୍ପାରିକ ରୀତିନୀତି ଅନୁଯାୟୀ ପାଳନ କରାଯାଏ । ଦୀପାବଳି ଦିନ ଭୋରରୁ ଉଠି ପାଣି ଓ ତେଲ ମିଶାଇ ସ୍ନାନ କରାଯାଏ । ମନ୍ଦିର ଓ ଘରେ ଦେବଦେବୀଙ୍କ ପୂଜାର୍ଚ୍ଚନା କରିବା ପରେ ସନ୍ଧ୍ୟା ସମୟରେ ଦୀପ ଲଗାଇ ବିଭିନ୍ନ ସ୍ଥାନରେ ନୃତ୍ୟଗୀତର ଆସରର ଆୟୋଜନ ହୁଏ । ମାଲେସିଆରେ ବାଣ ଫୁଟାଇବା ନିଷିଦ୍ଧ । ତେଣୁ ଏହି ଦିନ ସେଠାରେ ଥିବା ଭାରତୀୟ ମାଲେସିଆ ବାସିନ୍ଦାଙ୍କୁ ନିମନ୍ତ୍ରଣ କରି ଭୋଜିର ଆୟୋଜନ କରିଥାନ୍ତି । ମାଲେସିଆରେ ଦୀପାବଳିକୁ ମିତ୍ରତା ଓ ସଦଭାବନାର ପ୍ରତୀକ ଭାବେ ପାଳନ କରାଯାଏ ।
ମରିସସ୍ –
ରାମାୟଣକୁ ଏକ ଭିନ୍ନ ଢ଼ଙ୍ଗରେ ଉପସ୍ଥାପନ କରିବାର ଯେଉଁ କଳା ରହିଛି, ତାହା ମରିସସ୍ରେ ଦୀପାବଳି ଦିନ ଦେଖିବାକୁ ମିଳେ । ସେଠାକାର ବାସିନ୍ଦା ଏହାକୁ ଶ୍ରୀକୃଷ୍ଣଙ୍କ ପୌରାଣିକ ଆଖ୍ୟାନ ସହିତ ଯୋଡ଼ି ରଖିଛନ୍ତି । ଦୀପାବଳି ଦିନ ଶ୍ରୀକୃଷ୍ଣ ନରକାସୁର ନାମକ ଏକ ରାକ୍ଷସକୁ ବଦ୍ଧ କରିଥିଲେ ବୋଲି ବିଶ୍ୱାସ ରହିଛି । ସେଠାରେ ଥିବା ଭାରତୀୟମାନେ ଏହି ପୌରାଣିକ କଥାକୁ ଉଜ୍ଜିବିତ କରି ରଖିବା ପାଇଁ ଦୀପାବଳି ମନାଇଥାନ୍ତି ।
ଶ୍ରୀଲଙ୍କା –
ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳେ । ଦୀପାବଳୀ ଦିନ ସେଠାକାର ବାସିନ୍ଦା ମାଟି ଦୀପ ବଦଳରେ ଚାଇନାମାଟି ଦୀପ ଲଗାଇଥାନ୍ତି । ଘରକୁ ଆଲୋକିତ କରିବା ପରେ ସେମାନେ ସାଙ୍ଗ ସାଥି କିମ୍ବା ବନ୍ଧୁବର୍ଗଙ୍କ ଘରକୁ ଯାଇ ମିଠା ଦେବା ସହ ଭୋଜିର ଆୟୋଜନ କରିଥାନ୍ତି । ଏହିଦିନ ପରସ୍ପରକୁ ନୂଆ ବସ୍ତ୍ର ଦେବାର ପରମ୍ପରା ମଧ୍ୟ ରହିଛି ।
ସିଙ୍ଗାପୁର –
‘ସେରଙ୍ଗୁ’ ନାମକ ରୋଡ୍ ଦୀପାବଳି ପାଇଁ ସିଙ୍ଗାପୁର୍ ବେଶ୍ ପ୍ରସିଦ୍ଧ । ଏହି ସ୍ଥାନକୁ ଲିଟିଲ୍ ଇଣ୍ଡିଆ ମଧ୍ୟ କୁହାଯାଉଛି । ଏହି ସ୍ଥାନରେ ସମସ୍ତ ଭାରତୀୟ ଏକତ୍ରିତ ହୋଇ ବିନା ବାଣରେ କେବଳ ଦୀପ ଲଗାଇ ଦୀପାବଳି ପାଳନ କରିଥାନ୍ତି । ଏହି ଉତ୍ସବର ବିଶେଷତା ହେଉଛି ଏଥିରେ ଭାରତୀୟଙ୍କ ସହିତ ସିଙ୍ଗାପୁରବାସୀ ମଧ୍ୟ ଦୀପାବଳିକୁ ହର୍ଷଉଲ୍ଲାସର ସହିତ ପାଳନ କରିଥାନ୍ତି । ସିଙ୍ଗାପୁରରେ ଅଧିକ ହିନ୍ଦୁ ରହିଥିବାରୁ ସେଠାରେ ୧୮ଟି ମନ୍ଦିର ରହିଛି । ତେଣୁ ଏହି ଦିନ ମନ୍ଦିରମାନଙ୍କର ସଜ୍ଜିତ ରଙ୍ଗବିରଙ୍ଗି ଆଲୋକମାଳାର ଦୃଶ୍ୟ ମନ ମୋହି ନେଇଥାଏ ।
ଅଷ୍ଟ୍ରେଲିଆ –
ଅଷ୍ଟ୍ରେଲିଆର ମେଲବର୍ଣ୍ଣଠାରେ ଦୀପାବଳିକୁ ଏକ ସପ୍ତାହରୁ ଊଦ୍ଧ୍ୱର୍ ଦିନ ଧରି ପାଳନ କରାଯାଉଛି । ‘ସେଲିବ୍ରେଟ୍ ଇଣ୍ଡିଆ ଇଡ଼କର୍ପୋରେସନ୍’ ଦ୍ୱାରା ୨୦୦୬ ମସିହାରେ ମେଲବର୍ଣ୍ଣର ପ୍ରତିଷ୍ଠିତ ଫେଡରେସନ୍ ସ୍କ୍ୱାଏର୍ ଠାରେ ପ୍ରଥମ ଥର ପାଇଁ ଦୀପାବଳି ଉତ୍ସବର ଶୁଭାରମ୍ଭ କରାଯାଇଥିଲା । ଏବେ ଏହି ଉତ୍ସବ ମେଲବର୍ଣ୍ଣର କଳାସଂସ୍କୃତିର ଏକ ଅଭିନ୍ନ ଅଙ୍ଗ ପାଲଟି ଯାଇଛି । ଏହି ଉତ୍ସବରେ ଲାଇଭ୍ ସଙ୍ଗୀତ, ପାରମ୍ପରିକ କଳା, ଶିଳ୍ପ ଓ ନୃତ୍ୟ ସହିତ ଆତସବାଜିର ଆସର ଜମିଥାଏ । ଗତବର୍ଷ ଏହି ଉତ୍ସବରେ ୫୬.୦୦୦ରୁ ଊଦ୍ଧ୍ୱର୍ ଲୋକ ସାମିଲ୍ ହୋଇଥିବାର ରେକର୍ଡ଼ ରହିଛି । ଏହି ଉତ୍ସବର ପୂର୍ବ ପ୍ରସ୍ତୁତି ଭାବେ ସହରର ବିଭିନ୍ନ ମୁଖ୍ୟ ସ୍ଥାନଗୁଡ଼ିକୁ ରଙ୍ଗୀନ୍ ଆଲୋକମାଳାରେ ସଜା ଯାଇଥାଏ ।
ଆମେରିକା –
୨୦୦୩ରେ ପ୍ରଥମ ଥର ପାଇଁ ହ୍ୱାଇଟ୍ ହାଉସରେ ଦୀପାବଳୀ ଉତ୍ସବର ଶୁଭାରମ୍ଭ କରାଯାଇଥିଲା । ପୂର୍ବ ରାଷ୍ଟ୍ରପତି ଜର୍ଜ ବୁଶଙ୍କ ଦ୍ୱାରା ୨୦୦୭ରେ ଏହି ଉତ୍ସବକୁ ଔପଚାରିକ ସିକୃତି ମିଳିଥିଲା । ୨୦୦୯ରେ ବାରାକ୍ ଓବାମା ବ୍ୟକ୍ତିଗତ ଭାବେ ହ୍ୱାଇଟ୍ ହାଉସରେ ଦୀପାବଳି ଉତ୍ସବ ପାଳନ କରିବାର ପ୍ରଥମ ରାଷ୍ଟ୍ରପତି ଭାବେ ଯଶ ଅର୍ଜନ କରିଥିଲେ ।
ବ୍ରିଟେନ୍ –
୨୦୦୯ ପରଠାରୁ ପ୍ରତିବର୍ଷ ଦୀପାବଳି ଉତ୍ସବକୁ ବ୍ରିଟିଶ୍ ପ୍ରଧାନମନ୍ତ୍ରୀଙ୍କ ବାସସ୍ଥାନ ‘୧୦ ଡାଉନିଙ୍ଗ୍ ଷ୍ଟ୍ରିଟ୍’ ଠାରେ ପାଳନ କରାଯାଉଛି । ଏଥିରେ ମୁଖ୍ୟ ଆକର୍ଷଣ ହେଉଛି ଆତସବାଜି ଓ ସାଂସ୍କୃତିକ ନୃତ୍ୟର ବିଭିନ୍ନ ଝଲକ । ଏହି ଉତ୍ସବରେ ସେଠାରେ ରହୁଥିବା ଭାରତୀୟଙ୍କ ସହିତ ସ୍ଥାନୀୟ ବାସିନ୍ଦା ମଧ୍ୟ ସାମିଲ୍ ହୋଇ ଆନନ୍ଦ ଉପଭୋଗ କରିଥାନ୍ତି । ୨୦୧୩ ମସିହାରେ ପ୍ରଧାନମନ୍ତ୍ରୀ ଡେଭିଡ୍ କ୍ୟାମରେନ୍ ଓ ତାଙ୍କ ପତ୍ନୀ ବ୍ରିଟେନରେ ଥିବା ହିନ୍ଦୁ ମନ୍ଦିରରେ ଆୟୋଜିତ ଦୀପାବଳି ଉତ୍ସବରେ ସାମିଲ୍ ହୋଇଥିଲେ । ସେଠାରେ ଥିବା ସ୍ୱାମୀ ନାରାୟଣ ମନ୍ଦିରରେ ହେଉଥିବା ଉତ୍ସବରେ ପ୍ରିନ୍ସ ଚାର୍ଲସ୍ ଯୋଗ ଦେଇଥିବାର ସୂଚନା ମଧ୍ୟ ରହିଛି ।