ଶାସ୍ତ୍ରରେ ହଜିଗଲା ଶାସ୍ତ୍ରୀୟ ମାନ୍ୟତା: ପରିହାସ କରୁଛନ୍ତି ସରକାର

ଭୁବନେଶ୍ୱର, (ଓଟି): ମାର୍ଚ୍ଚ୧୧, ୨୦୧୫ । ପ୍ରତିଟି ଓଡ଼ିଆଙ୍କ ପାଇଁ ଏକ ଗର୍ବ ଓ ଗୌରବର ଦିନ । ଏହିଦିନ ଓଡ଼ିଆ ଭାଷା ସାହିତ୍ୟର ଔଜ୍ଜଲ୍ୟମୟ ଅତୀତକୁ ସାରା ଭାରତବର୍ଷ ସ୍ୱୀକାର କଲା । ଭାରତର ଗେଜେଟ୍‍ରେ ଲିପିବଦ୍ଧ ହେଲା ଯେ ଓଡ଼ିଆ ଭାଷା ଆଜିର କି କାଲିର ନୁହେଁ, ଏହା ଅତି ପୁରୁଣା । ଏହାର ଲିପି, ସାହିତ୍ୟ କୌଣସି ଅଭ୍ୟାସ, ପ୍ରଥା ବା ପରମ୍ପରା ନୁହେଁ, ବରଂ ଶାସ୍ତ୍ର ସହ ତୁଳନୀୟ । ଅର୍ଥାତ୍‍ “ଓଡ଼ିଆ ଭାଷା’ ଏକ ଶାସ୍ତ୍ରୀୟ ଭାଷା ଭଳି । ଏଣୁ ଏହି ଭାଷାକୁ ସଂରକ୍ଷଣ କରିବା ଯେତିକି ଜରୁରୀ ଏହାର ପ୍ରସାର ଓ ପ୍ରଚାର ତଥା ଯୁଗୋପଯୋଗୀ ବିକାଶ ମଧ୍ୟ ସେତିକି ଜରୁରୀ । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏହି ଗୁରୁତ୍ୱକୁ ଉପଲବ୍ଧ କରି ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେଲେ ।
ହେଲେ ଏସବୁ ବିଷୟ ଆଜି କାହିଁକି ଆଲୋଚନା କରିବା? ଏ ପ୍ରଶ୍ନ ଉଠିବା ସ୍ୱଭାବିକ ।


ଉତ୍ତର ଏହା ଯେ, ଆମ ଭାଷା ଶାସ୍ତ୍ରୀୟ ହେବା ପରେ ଆମେ କେବଳ ମାର୍ଚ୍ଚ ୧୧ ତାରିଖ ଆସିଲେ ଭାଷା କଥା ଟିକେ ଚିନ୍ତା କରୁଛୁ । ସଭା ସମିତି ଆୟୋଜନ କରି ଲମ୍ବା ପ୍ରତିଶ୍ରୁତି ଶୁଣୁଛୁ । କିନ୍ତୁ ଅଉ ଅନ୍ୟସମୟରେ ଚିନ୍ତା କରୁନୁ ଯେ,
(୧) ଆମ ଭାଷା ଶାସ୍ତ୍ରୀୟ ହେଲା, ଆଉ ଏହାଦ୍ୱାରା ଅତିକମ୍‍ରେ ଏକ “ଭାଷା ଉକ୍ରର୍ଷ କେନ୍ଦ୍ର’ ନିର୍ମାଣ ହେବା କଥା ।
(୨)ଭାଷା ସାରଥି ହୋଇଥିବା କିଛି ମହାନ ସାଧକଙ୍କୁ ପ୍ରତି ବର୍ଷ ବୃତ୍ତି ଯୋଗାଇବା ବା ସମ୍ମାନିତ କରିବା ।
(୩) ପୁଣି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକୁ “ଓଡ଼ିଆ ଭାଷା’ ବାବଦରେ ସ୍ୱତନ୍ତ୍ର ଧ୍ୟାନ ଦେବା ଲାଗି ଚେୟାର ପ୍ରତିଷ୍ଠା କରିବା ଲାଗି ବିଶ୍ୱବିଦ୍ୟାଳୟ ମଞ୍ଜରୀ ଆୟୋଗଙ୍କୁ ନିବେଦନ କରିବା ଇତ୍ୟାଦି ।

ଆଜିକୁ ୪ ବର୍ଷ ୪ ମାସ ୧୯ ଦିନ ବିତିଛି । ନବୀନ ସରକାର ପୁଣିଥରେ ମନ୍ତ୍ରିମଣ୍ଡଳ ଗଢ଼ି ଶାସନଗାଦିକୁ ଦୃଢ଼ କରିସାରିଲେଣି । ଜଣେ ମନ୍ତ୍ରୀ ବଦଳି ନୂଆ ମନ୍ତ୍ରୀ ବି ନିଯୁକ୍ତ ହୋଇ ସାରିଲେଣି । କିନ୍ତୁ “ଶାସ୍ତ୍ରୀୟ ମାନ୍ୟତା’ ମିଳିବା ପରେ ଓଡ଼ିଆ ଭାଷା ପାଇଁ ଅତ୍ୟାବଶ୍ୟକୀୟ ଏବଂ ବିଧିଗତ ଜରୁରୀ ବ୍ୟବସ୍ଥାକୁ ଦୃଷ୍ଟି ଦିଆଯାଇ ନାହିଁ ।
ନା ଓଡ଼ିଶାରେ “ଓଡ଼ିଆ ଭାଷା ଉକ୍ରର୍ଷ କେନ୍ଦ୍ର’ ବୋଲି କିଛି ଖୋଲାଯିବାର ପରିକଳ୍ପନା ହୋଇଛି ନା କୌଣସି ଭାଷା ସାଧକଙ୍କୁ ପଣ୍ଡିତ ଭାବେ ସ୍ୱୀକାର କରାଯାଇଛି ।

ହଁ ଆମକୁ କିଛି ପ୍ରତିଶୃତି ମିଳିଛି, ତାହା ହେଲା ଓଡ଼ିଆ ବିଶ୍ୱବିଦ୍ୟାଳୟ, ଓଡ଼ିଆ ଭର୍ଚୁଆଲ୍‍ ଏକାଡେମୀ, ଜବାହରଲାଲ୍‍ ନେହରୁ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର । ଏ ଭିତରୁ କୌଣସିଟି ସମ୍ପୂଣ୍ଣ ସତ୍ୟ ନୁହେଁ ।

ଓଡ଼ିଆ ବିଶ୍ୱବିଦ୍ୟାଳୟ ଏକ ଅର୍ଦ୍ଧସତ୍ୟ ଅବ୍ୟବସ୍ଥା

“ଓଡ଼ିଆ ବିଶ୍ୱବିଦ୍ୟାଳୟ’ ପ୍ରତିଶୃତି ନିର୍ବାଚନ ପୂର୍ବରୁ ଯେଉଁ ସ୍ୱପ୍ନ ଦେଖାଇ “ଉକ୍ରଳମଣି’ଙ୍କୁ ଉସ୍‍କାଇଥିଲା, ତାହା ଏକ ଅର୍ଦ୍ଧସତ୍ୟ ଅବ୍ୟବସ୍ଥା ବୋଲି ପ୍ରମାଣିତ ହୋଇଛି । ଦିନେ ଏହି ବିଶ୍ୱବିଦ୍ୟାଳୟ ର କାନ୍ଥ ବାଲିଆ ପଥରରେ ନିର୍ମାଣ ହେବ, ତାହା ଅନ୍ୟ ବିଶ୍ୱବିଦ୍ୟାଳୟଠୁ ଭିନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରଚାର ହୋଇଥିଲା । ଆଜି ସେଇ ମୁଖ୍ୟମନ୍ତ୍ରୀ ପୁଣିଥରେ ଆସନାଳଂକୃତ ଏବଂ ସମ୍ପୃକ୍ତ ଅଧିକାରୀ ଅବସର ନେଇ ବି ସମାନ କ୍ଷମତାରେ ସ୍ଥାନୀତ କିନ୍ତୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ଫଳୁ ନାହିଁ । ଏଥିଲାଗି ଏକ ପ୍ରମୁଖ କାରଣ ଦର୍ଶାଯାଉଛି ଜମି ଅଧିଗ୍ରହଣ ସମସ୍ୟା ।

ପ୍ରଶ୍ନ ହେଉଛି: ଯଦି ରାଜ୍ୟବାସୀ ବାରମ୍ବାର ଏକ ସ୍ଥିର ସରକାର ପୂର୍ଣ୍ଣ ବହୁମତରେ ସୃଷ୍ଟି କରିପାରୁଛନ୍ତି ତେବେ ଏ ସାମାନ୍ୟ ଜମି ଅଧିଗ୍ରହଣ ସମସ୍ୟାକୁ କ’ଣ ସେଇ ସରକାର ସମାଧାନ କରିି ପାରିବ ନାହିଁ? ଏ ପ୍ରଶ୍ନ ଯେଉଁମାନେ ସେଦିନ ଭାଷା କମିଟିରେ ଥିଲେ ସେମାନେ ପଚାରୁଛନ୍ତି ।

ଓଡ଼ିଆ ଭର୍ଚୁଆଲ୍‍ ଏକାଡେମୀ ଏକ ଅପମାନ

ଓଡ଼ିଆ ଭର୍ଚୁଆଲ୍‍ ଏକାଡେମୀ କଥା କହିଲେ ନସରେ । ଏକ ଡିଜିଟାଲ୍‍ ଲାଇବ୍ରେରୀ ସୃଷ୍ଟି ଏ ଏକାଡେମୀର ଲକ୍ଷ୍ୟ । ବିଶ୍ୱର ଯେକୌଣସି କୋଣରେ ଓଡ଼ିଶା ସମ୍ବନ୍ଧୀୟ ସାହିତ୍ୟ, ଡକ୍ୟୁମେଣ୍ଟ, ବହି ପ୍ରଭୃତି ବିନା କୌଣସି କପିରାଇଟ୍‍ରେ ପଢ଼ିବା, ଡାଉନ୍‍ଲୋଡ୍‍ କରିବା ଏବଂ ତାହାକୁ ନିଜ ଲାଗି ବ୍ୟବହାର କରିବାର ସୁଯୋଗ ସୃଷ୍ଟି କରିବା ନେଇ ଏହା ପ୍ରତିଷ୍ଠା କରାଯାଇଥିଲା । ୨୦୧୮ ମସିହାରେ ଏହି ଉଦ୍ୟମକୁ ଆଗକୁ ବଢ଼ାଇବା ଲାଗି ସେଣ୍ଟର ଫର ଇଣ୍ଟନେଟ୍‍ ଆଣ୍ଡ ସୋସାଇଟି ସହ ଓଡ଼ିଶା ସରକାର ଚୁକ୍ତି କଲେ । ଆଜି କେବଳ କାଲା ଆଗରେ ମୂଳା ଚୋବାଇଲା ଭଳି ଏହି ଏକାଡେମୀ ପାଠକଙ୍କୁ ଭକୁଆ କରୁଛି । ଯେଉଁସବୁ ପୁସ୍ତକ ଏଠାରେ ଅପ୍‍ଲୋଡ୍‍ ହୋଇଛି ସେଥିରେ ଅଧିକାଂଶ ତ୍ରୁଟି ରହିଛି କିନ୍ତୁ ସେ ତ୍ରୁଟିକୁ ସଂଶୋଧନ କରିବା ଲାଗି ପ୍ରସ୍ତାବ ଗ୍ରହଣ କରିବା ବ୍ୟବସ୍ଥା ନାହିଁ ।

ଅପରପକ୍ଷେ ଯେଉଁ କଣ୍ଟେଣ୍ଟସବୁ ଅପ୍‍ଲୋଡ୍‍ ହୋଇଛି ସେଥିପାଇଁ ଦାୟୀ କିଏ ତାହା ବି ଉଲ୍ଲେଖ ନାହିଁ । ଅର୍ଥାତ୍‍ ଏହା ଓପନ୍‍ ସୋର୍ସ ନୁହେଁ କି ଏଥିରେ ଭୁଲ୍‍ ଥିଲେ କେହି ଦାୟୀ ନୁହଁନ୍ତି । ଆମେ ସେ ଭୁଲ୍‍କୁ ସରକାରୀ ତଥ୍ୟ ବୋଲି ଭାବି ଠିକ୍‍ ବି କହିବାକୁ ବାଧ୍ୟ! ଏମିତି ଏକ ଘା’ ସୃଷ୍ଟି କରିବା ଓଡ଼ିଆ ଭାଷାକୁ ଏକ ଅପମାନ ନୁହେଁ କି?

ଏହି ଏକାଡେମୀ ଏବେ କିଛି ଏଜେନ୍ସୀ ପାଇଁ ଭଲ ରୋଜଗାରର ଉତ୍ସ ହୋଇଛି, ଯେଉଁମାନେ ଏଠାକୁ ମାନବସମ୍ବଳ ପ୍ରେରଣ କରୁଛନ୍ତି । ଅର୍ଥାତ୍‍ ଏଠାରେ କେହି ନିଜସ୍ୱ କର୍ମଚାରୀ ନାହାନ୍ତି । ଏହି ଏଜେନ୍‍ସୀସବୁ ଯେ ଅପ୍‍ଲୋଡ୍‍ ହେଉଥିବା ପାଠ ପାଇଁ ଦାୟୀ ତାହା ବି ଉଲ୍ଲେଖ ନାହିଁ । ଭାଷା ଏବଂ ସାହିତ୍ୟରେ ପାରଙ୍ଗମ ହାସଲ କରିଥିବା କୌଣସି ବ୍ୟକ୍ତି ଏଠାରେ ସଦସ୍ୟ ବି ନାହାନ୍ତି । ସବୁଠାରୁ ବଡ଼ କଥା ହେଲା ଜଣେ ରାଜସ୍ୱ କ୍ୟାଡରର ପ୍ରଶାସକ ଏବେ ଏହାର ସଚିବ, ସେ ଦାୟିତ୍ୱ ନେବାର ଅନେକ ଦିନ ହେଲାଣି, ତାଙ୍କ ନାଁ ୱେସାଇଟ୍‍ରେ ଆସିଲାଣି କିନ୍ତୁ ଖୋଦ୍‍ ଏମାଡେମୀ ୱେ୍‍ସାଇଟ୍‍ରେ ପୁରୁଣା ଅଧଡ଼ିକାରୀଙ୍କ ଫଟୋରେ ତାଙ୍କ ନାଁ ଚିହ୍ନିତ ।

ଏ ଏକାଡେମୀ ବିଜ୍ଞାନ କାରିଗରୀ ବିଭାଗ ଅନ୍ତର୍ଗତ । ଯେଉଁ ରାଜ୍ୟରେ ଭାଷା ସାହିତ୍ୟ ପାଇଁ ଡିଜିଟାଲ୍‍ ଲାଇବ୍ରେରୀ ନିର୍ମାଣ ଓ ବିଷୟ ପରିଚାଳନା ଭଳି ଗୁରୁ ଦାୟିତ୍ୱକୁ ବିଜ୍ଞାନ ଓ କାରିଗରୀ ବିଭାଗକୁ ସରକାର ଦେଉଛନ୍ତି ତା’ଠୁ ବଳି ଦୁର୍ଦ୍ଦିନ ଆଉ କ’ଣ ହୋଇପାରିବ- ତାହା ଆମ ସାହିତ୍ୟ ଅନୁରାଗୀମାନେ ଚିନ୍ତା କରନ୍ତୁ । ଏହା କହିବା ପଛରେ ଯୁକ୍ତି ହେଉଛି ସରକାରଙ୍କ ପାଖରେ ଏକ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ରହିଛି, ଆଉ ତାହା ଅଯୋଗ୍ୟ ବୋଲି ପରୋକ୍ଷରେ ସ୍ୱୀକାର କରାଯାଇଛି । ପୁଣି ଏହି ଏକାଡେମୀଯେ ସମ୍ମାନର ସହ ଚାଲିଛି ତାହା ନୁହେଁ, ଏ ଏକାଡେମୀ ଓକାକ୍‍ କୋଠାର ଏକ କୋଣରେ ଏକ କୋଠରୀ ବିଶିଷ୍ଟ ଘରେ ପରିଚାଳିତ । ନାଁ ଏଠାରେ ସାଧାରଣ ପାଠକଙ୍କ ପଢ଼ିବା ପାଇଁ ଏକ କୋଠରୀ ଅଛି ନା ଆଗନ୍ତୁକଙ୍କ କଥା ଶୁଣିବା ଲାଗି କୌଣସି ଅଧିକାରୀ ନିଯୁକ୍ତ ହୋଇଛନ୍ତି!

ଗୁଗୁଲ୍‍ ସର୍ଚରେ ଓଡ଼ିଆ ଭାଷା

ମାର୍ଚ ୨୪, ୨୦୧୮; ଓଡ଼ିଶାର ଗଣମାଧ୍ୟମରେ ପ୍ରଚାର ହେଲା “ଏହା ଓଡ଼ିଶା ପାଇଁ ଏକ ସ୍ମରଣୀୟ ଦିନ’ । ଆମେ ଯେତେବେଳେ ଓଡ଼ିଆ ଭାଷା କଥା ଚିନ୍ତା କରୁଛୁ ସେତେବେଳେ ଏକଥା କେମିତି ଭୁଲିଯିବା? ଏଣୁ ସ୍ମରଣ କରିବାକୁ ଯାଇ ସେ କଥା ମନେ ପକାଇବା । ଘଟଣା ଏହା ଯେ, ଗୁଗୁଲ୍‍ ସର୍ଚ ଇଞ୍‍ଜିନ୍‍ରେ ଓଡ଼ିଆ ଭାଷାକୁ ସାମିଲ୍‍ କରାଇବା । ଏନେଇ ରାଜ୍ୟ ସରକାର ସେହିବର୍ଷ ଏପ୍ରିଲ୍‍ରେ ଗୁଗୁଲ୍‍ ଏବଂ ମାଇକ୍ରୋସଫ୍ଟ ଅଧିକାରୀଙ୍କ ସହ ଚୁକ୍ତିନାମା ସ୍ୱାକ୍ଷର କରିବେ ବୋଲି ଗଣମାଧ୍ୟମରେ କୁହାଗଲା । ଏହା ଯେ, ଗଣମାଧ୍ୟମ ଶୂନ୍ୟରୁ କହିଲା ତାହା ନୁହେଁ, ଏହାର ଆଧାରରେ ଓଡ଼ିଶା ସରକାରଙ୍କ ଅଧିକାରୀ ଥିଲେ । ଉନ୍ନୟନ କମିଶନର ଆର୍‍ ବାଲାକ୍ରିଷ୍ଣନ୍‍ ଏନେଇ ଏକ ବୈଠକ କରିଥିଲେ ଏବଂ ସେଥିଲାଗି ପ୍ରୟାସ ଚାଲିଥିବା ସେତେବେଳର ଓଡ଼ିଆ ଭର୍ଚୁଆଲ୍‍ ଏକାଡେମୀ ସମ୍ପାଦକ ସଂଗ୍ରାମ ମହାପାତ୍ର ଏ ବାବଦରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ଆଜି ତାହା ବି ସ୍ୱପ୍ନ । ବୁଝାମଣା କେମିତି ହେଲା, କେଉଁଠି ହେଲା ତାହା ଅପେକ୍ଷା ଗୁରୁତ୍ୱପୂଣ୍ଣ ଆମ ଭାଷା ଗୁଗୁଲ୍‍ ସର୍ଚ ଇଞ୍ଜିନ୍‍ରେ ସାମିଲ୍‍ ହୋଇପାରିଲା ନାହିଁ । ଆଜି ଓଡ଼ିଆ ଭାଷାରେ ଅନେକ ୱେ୍‍ସାଇଟ୍‍, ଅନେକ କଣ୍ଟେଣ୍ଟ ତିଆରି ହେଉଛି ପ୍ରତିଦିନ ପ୍ରତି ମୁହୂର୍ତ୍ତରେ କିନ୍ତୁ ଏହାକୁ ସର୍ଚ କରିବା ପାଇଁ ଟୁଲ୍‍ ନାହିଁ । ଏହି କଣ୍ଟେଣ୍ଟ ବିକାଶ କରୁଥିବା ଯୁବାବର୍ଗ ବିନା କୌଣସି ପାରିଶ୍ରମିକ ବା ବିଜ୍ଞାପନରେ ଏ କାର୍ଯ୍ୟ ଜାରି ରଖିଛନ୍ତି । ଏମାନେ ପୁରାତନ ଯୁଗର ଫକୀରମୋହନ ସେନାପତି, ମଧୁସୁଦନ ରାଓ ଗୋପୀନାଥ ମହାନ୍ତି, ସୁରେନ୍ଦ୍ର ମହାନ୍ତିଙ୍କ ଠାରୁ କିଛି କମ୍‍ ନୁହନ୍ତି; ଆମ ଭାଷାକୁ ଇଣ୍ଟରନେଟ୍‍ରେ ଉପଲବ୍ଧ କରାଇ ସାରା ବିଶ୍ୱରେ ଅତିକମ୍‍ରେ ବଞ୍ଚାଇ ରଖିବାରେ ସକ୍ଷମ ହୋଇଛନ୍ତି ।

ଯେଉଁମାନେ ଏମାନଙକ୍‍ ମୌଳିକତା ଏବଂ ଲେଖା ଶୈଳୀ ଉପରେ ପ୍ରଶ୍ନ ଉଠାଉଛନ୍ତି ତାହା ଭିନ୍ନ ପ୍ରସଙ୍ଗ କିନ୍ତୁ ଆମକୁ ସରକାର ଦେଇଥିବା ପ୍ରତିଶ୍ରୁତି କୁଆଡ଼େ ଗଲା? ଏହା ବି କ’ଣ ଏକ ନିର୍ବାଚନ ଗଣିତ ଥିଲା?

କେନ୍ଦ୍ରୀୟ ବିଶ୍ୱବିଦ୍ୟଳୟରେ ଓଡ଼ିଆ ଚେୟାର

ଏ ପ୍ରସଙ୍ଗରେ ଆଲୋଚନା ନକରିବା ଭଲ । ଓଡ଼ିଶା ସରକାର ଶାସ୍ତ୍ରୀୟ ଭାଷା ମାନ୍ୟାତା ପାଇବା ପରେ ବିଧି ଅନୁସାରେ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗଙ୍କୁ ଏ ବବାଦରେ କୌଣସି ଅନୁରୋଧ କରି ନାହାନ୍ତି । ତେବେ ଜବାହରଲାଲ୍‍ ନେହରୁ ବିଶ୍ୱବିଦ୍ୟାଳୟରେ ଆଦିକବି ସାରଳା ଦାସଙ୍କ ନାମରେ ଏକ ଚେୟାର ପ୍ରତିଷ୍ଠା କରିଛନ୍ତି । ଏହାର କି ପ୍ରଗତି ହୋଇଛି ସେବାବଦରେ କେବେ ସମୀକ୍ଷା କରାଯାଇଥିବା ଗଣମାଧ୍ୟମରେ ବା ସାଧାରଣରେ ଆଲୋଚନା ହୋଇ ନାହିଁ ।

ଶେଷକଥା

ଏସବୁଥିରୁ ଏହା ସ୍ପଷ୍ଟ ଯେ ଓଡ଼ିଶା ସରକାର “ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା’ ପାଇବା ପ୍ରସଙ୍ଗରେ ସମ୍ପୂଣ୍ଣ ଭାବେ ଚୁପ୍‍ ବସିଛନ୍ତି । କେବଳ ନିର୍ବାଚନ ଥିଲା ବୋଲି ଓଡ଼ିଆ ଚିନ୍ତକ, ବୁଦ୍ଧିଜୀବୀବର୍ଗଙ୍କୁ ସନ୍ତୁଷ୍ଟ କରିବା ଲାଗି ୨୦୧୮ ମସିହାରେ ଯାହା କିଛି ଉପରୋକ୍ତ ପ୍ରକଳ୍ପ କରିଥିଲେ । ଆଦିକବି ସାରଳା ଦାସ ଚେୟାର ହେଉ ବା ଓଡ଼ିଆ ଭର୍ଚୁଆଲ୍‍ ଏକାଡେମୀ ବା ଗୁଗୁଲ୍‍ ସର୍ଚ ଇଞ୍ଜିନ୍‍ରେ ଓଡ଼ିଆ ଭାଷା ଆଣିବା ଘୋଷଣା ସବୁକିଛି ଏହାର ଅନ୍ତର୍ଭୁକ୍ତ । ବିଧି ଅନୁସାରେ କେନ୍ଦ୍ର ସରକାରଙ୍କଠାରୁ ଆମ ହକ୍‍କୁ ଆଣି ଆମ ଗୌରବ ସାଧନ କରିବା ଲାଗି ଆମ ସରକାର ଚିନ୍ତିତ ନୁହନ୍ତି । ଅର୍ଥାତ୍‍ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା କେବଳ ଶାସ୍ତ୍ରାନୁସାରେ ପୂର୍ବତନ ଦିବଙ୍ଗତ ନେତାଙ୍କ ଜୟନ୍ତୀ ପାଳନ ଭଳି ସୀମିତ ରହିଯାଇଛି ।

Leave a Reply

Your email address will not be published. Required fields are marked *