ଚନ୍ଦ୍ରାୟନ-୨ ଟିମ୍ର ୩୦% ସଦସ୍ୟ ମହିଳା
ସୋମବାର ଅପରାହ୍ଣରେ ଆରମ୍ଭ ହେବାକୁ ଯାଉଛି ଭାରତ ଐତିହାସିକ ଚନ୍ଦ୍ରଯାତ୍ରାର ଦ୍ଵିତୀୟ ଅଧ୍ୟାୟ। ସମ୍ପୂଣ୍ଣ ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ଚନ୍ଦ୍ରୟାନ-୨କୁ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଉତ୍କ୍ଷେପଣ କରାଯିବ। ୨୦୦୭ ମସିହାରୁ ଆରମ୍ଭ ହୋଇଥିବା ଏହି ମିଶନ ଚନ୍ଦ୍ରାୟନ-୨ରେ ନିୟୋଜିତ ସମସ୍ତ ବୈଜ୍ଞାନିକଙ୍କ ଭିତରୁ ୩୦% ହେଉଛନ୍ତି ମହିଳା। ଏହି ବିଷୟକୁ ଇସ୍ରୋ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଏହି ଟିମ୍ରେ ପ୍ରକଳ୍ପ ନିର୍ଦେଶକ ହେଉଛନ୍ତି ଏମ୍ ବନୀତା, ଯିଏ ଜଣେ ଇଲେକ୍ଟ୍ରନିକ୍ସ ସିଷ୍ଟମ୍ସ ଇଞ୍ଜିନିୟର। ସେ ଭାରତର ସ୍ୟାଟେଲାଇଟ୍ ରିମୋଟ୍ ସେନ୍ସିଂ ଡାଟା ନିୟନ୍ତ୍ରଣ କରିବାରେ କାର୍ଯ୍ୟ କରୁଥିଲେ। ପ୍ରଥମ ପର୍ଯ୍ୟାୟରେ ସେ ଏହି ପ୍ରକଳ୍ପ ପାଇଁ ମନା କରୁଥିଲେ କିନ୍ତୁ ପରେ ଭାରତର ଏହି ଐତିହାସିକ ପ୍ରକଳ୍ପରେ ଯୋଗ ଦେଇଥିଲେ। ଠିକ୍ ସେହିପରି ଏହି ମିଶନର ନିର୍ଦେଶକ ବି ଜଣେ ମହିଳା। ତାଙ୍କ ନାଁ ହେଲା ରିତୁ କରିଧାଲ। ସେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରୁ ପାସ୍ କରିବା ପରେ ଏରୋସ୍ପେସ୍ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଛନ୍ତି।
ପ୍ରଥମ ପର୍ଯ୍ୟାୟରେ ଏହି ମିଶନ ଋଷ ସହ ଭାଗିଦାରୀରେ ହେବାକୁ ସ୍ଥିର କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଋଷ ମିଶନ ପାଇଁ ଆବଶ୍ୟକ ଲ୍ୟାଣ୍ଡର ଦେବାକୁ ଅସମର୍ଥ ହୋଇ ମିଶନରୁ ବାହାର ହୋଇଥିଲା। ଭାରତୀୟ ବୈଜ୍ଞାନିକମାନେ ଏହାକୁ ନିଜସ୍ଵ ଜ୍ଞାନ କୌଶଳରେ ନିର୍ମାଣ କରିଛନ୍ତି। ଅର୍ଥାତ୍ ଚନ୍ଦ୍ରରେ ଆବଶ୍ୟକ ତଥ୍ୟ ଦେବାଲାଗି ନିୟୋଜିତ ହେବାକୁ ଥିବା ଅର୍ବିଟର, ଲ୍ୟାଣ୍ଡର ଓ ରୋଭର ସବୁକିଛି ଭାରତୀୟ ଜ୍ଞାନକୌଶଳରେ ତିଆରି ହୋଇଛି। ଏହି ମିଶନର ଲକ୍ଷ୍ୟ ରହିଛି ଚନ୍ଦ୍ର ପୃଷ୍ଠରେ ଜଳ ଉତ୍ସ ଖୋଜିବା।
ଚନ୍ଦ୍ରାୟନ-୨ ଜୁଲାଇ ୧୪ ତାରିଖରେ ଉତ୍କ୍ଷେପଣ ହେବକୁ ଥିଲା କିନ୍ତୁ ଯାନ୍ତ୍ରିକ ତ୍ରୁଟି ହେତୁ ଶେଷ ମୁହୂର୍ତ୍ତରେ ଏହି ଉତ୍କ୍ଷେପଣ ବାତିଲ୍ କରାଯାଇଥିଲା।