ଦେଶର ୨୫୫ ଜଳ କ୍ଳିଷ୍ଟ ଜିଲାରେ ଜଳଶକ୍ତି ଅଭିଯାନ ଆରମ୍ଭ
ଜଗତୀକରଣର ପ୍ରଭାବ ତଥା ବିକାଶ ନାମରେ ପ୍ରଚୁର ଜଙ୍ଗଲ କ୍ଷୟ କାରଣରୁ ଆମ ଦେଶରେ ପରିବେଶ ସନ୍ତୁଳନ ବିଗିଡ଼ି ସାରିଛି। ଏହାର ସବୁଠାରୁ ବଡ଼ ଉଦାହରଣ ହେଲା କେଉଁଠି ପ୍ରବଳ ବର୍ଷା ହେଉଥିଲା ବେଳେ ଆଉ କେଉଁଠି ପ୍ରଚଣ୍ଡ ତାତି। ସବୁଠାରୁ ଆଶଙ୍କାର ବିଷୟ ହେଉଛି ଦେଶରେ ଭୂତଳ ଜଳ ପରିମାଣ କମିକମି ଯିବା। ବିଶେଷଜ୍ଞମାନେ ଆକଳନ କରୁଛନ୍ତି ଆଗାମୀ କିଛିବର୍ଷ ଭିତରେ ଦେଶର ବହୁ ସହରରେ ସୃଷ୍ଟି ହୋଇଯିବ ଜଳକଷ୍ଟ। ଅତ୍ୟନ୍ତ ବିପଜ୍ଜନକ ଅବସ୍ଥା ୨୦୪୦ ମସିହା ବେଳକୁ ଦେଶ ସମ୍ମୁଖୀନ ହେବ ବୋଲି ଆଶଙ୍କା କରାଯାଉଛି।
ଏଭଳି ସ୍ଥିତିରେ କେନ୍ଦ୍ର ସରକାର ସାରା ଦେଶରେ ବିଶେଷ କରି ସବୁଠାରୁ ଅଧିକ ଜଳକ୍ଳିଷ୍ଟ ଅଞ୍ଚଳରେ ବର୍ଷାଜଳ ଅମଳ ଏବଂ ଜଳ ସଂରକ୍ଷଣ ସକାଶେ ଏକ ଜାତୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜଳଶକ୍ତି ଅଭିଯାନ ନାଁରେ ଏହି କାର୍ଯ୍ୟକ୍ରମ କାମ କରିବା ଆରମ୍ଭ କରିଛି। ଦେଶର ସବୁଠାରୁ ଜଳକ୍ଳିଷ୍ଟ ୨୫୫ଟି ଜିଲାରେ ଏହି ଜଳଶକ୍ତି ଅଭିଯାନ କାର୍ଯ୍ୟକ୍ରମ ଚଳାଯିବ।
ଏହି ଅଭିଯାନ ମାଧ୍ୟମରେ ଜଳ ସଂରକ୍ଷଣକୁ ଲୋକ ଆନ୍ଦୋଳନରେ ପରିଣତ କରାଯିବ। ଦେଶରେ ଜଳ ଅଭାବ ଏକ ବଡ଼ ଘଟଣାହେବାକୁ ଯାଉଛି। ତେଣୁ ସେ ଅବସ୍ଥା ପୂର୍ବରୁ ଦେଶକୁ ଜଳଶକ୍ତିରେ ପରିଣତ କରିବା ଏହି ଅଭିଯାନର ଲକ୍ଷ୍ୟ। ଜଳ ସଂରକ୍ଷଣ କ୍ଷେତ୍ରରେ ମହାରାଷ୍ଟ୍ର, ଗୁଜରାଟ ଏବଂ ରାଜସ୍ଥାନରେ କିଛି ଭଲକାମ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ବିଶେଷ ଅଭିଯାନକୁ ସଫଳ କରିବା ଲାଗି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି।
ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ଶାସନରେ ଜଳ ଏକ ଫୋକସ ବିଷୟ ହେବ ବୋଲି ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହାରି ଅନ୍ତର୍ଗତ ଏହି ଜଳଶକ୍ତି ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି ଏହି ୨୫୫ଟି ଜଳକ୍ଳିଷ୍ଟ ଜିଲାରେ ଯେଉଁ କାର୍ଯ୍ୟକ୍ରମ ଚଲାଯିବ ତାହାର ସିଧାସଳଖ ମନିଟରିଂ ୨୫୫ଜଣ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଆଇଏଏସ ଅଧିକାରୀମାନେ କରିବେ। ଯୁଗ୍ମ କି ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀମାନଙ୍କୁ ଏହାର ଦାୟିତ୍ୱ ଦିଆଯାଇଛି।
ଦକ୍ଷିଣ-ପଶ୍ଚିମ ମୌସୁମୀବେଳେ ଯେଉଁ ରାଜ୍ୟଗୁଡ଼ିକରେ ଅଧିକ ବର୍ଷାହୁଏ ସେଠାରେ ଜୁଲାଇ ପହିଲାରୁ ସେପ୍ଟେମ୍ୱର ୧୫ ପର୍ଯ୍ୟନ୍ତ ଏହି ଅଭିଯାନ ଚଳାଯିବ। ଅକ୍ଟୋବର ପହିଲାରୁ ନଭେମ୍ୱର ୩୦ ମଧ୍ୟରେ ଯେଉଁ ଜିଲାଗୁଡ଼ିକରେ ଉତ୍ତର-ପୂର୍ବ ମୌସୁମୀ ବେଳେ ବର୍ଷା ହୋଇଥାଏ ସେତେବେଳେ ସେଠାରେ ଅଭିଯାନ ଚଳାଯିବ।
୨୫୫ଟି ଜିଲା ମଧ୍ୟରେ ଥିବା ୩୧୩ଟି ଅତି ଜଳକ୍ଳିଷ୍ଟ ବ୍ଲକରେ ଏହି ଅଭିଯାନକୁ ଜୋରଦାର ଚଳାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ନରେଗା ଅଧୀନରେ ଏହି ଅଭିଯାନ ଚଳାଯାଇ ଜଳ ଅମଳ ପ୍ରକଳ୍ପଗୁଡ଼ିକ ସୃଷ୍ଟି କରିବାର ଟାର୍ଗେଟ ହୋଇଛି। ଏଥିସହ ଜଙ୍ଗଲ ସୃଷ୍ଟି ଏବଂ ଜଳ ଉତ୍ସଗୁଡ଼ିକର ଉନ୍ନତିକରଣ ପାଇଁ ମଧ୍ୟ ପ୍ରୟାସ କରାଯିବ। ବ୍ଲକ ଓ ଜିଲା ସ୍ତରରେ ଜଳ ସଂରକ୍ଷଣର ଯୋଜନା ହେବା ସାଙ୍ଗକୁ କିଷାନ ବିଜ୍ଞାନ କେନ୍ଦ୍ରଗୁଡ଼ିକ ଏ ବାବଦରେ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରିବେ।
କେନ୍ଦ୍ର ସରକାରଙ୍କର ୨୫୫ଜଣ ଯୁଗ୍ମ କି ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀଙ୍କ ସହ ୫୫୦ଜଣ ଉପସଚିବ ପାହ୍ୟାର ଅଧିକାରୀମାନଙ୍କୁ ଏହି ଅଭିଯାନ କାର୍ଯ୍ୟକ୍ରମରେ ଦାୟିତ୍ୱ ଦିଆଯାଇଛି। ବିଭିନ୍ନ ବିଭାଗରୁ ଅଣାଯାଇଥିବା ଏହି ଅଧିକାରୀମାନଙ୍କୁ ଅଭିଯାନ ସମୟରେ ଅତିକମ ୩ଦିନ ତୃଣମୂଳ ସ୍ତରକୁ ଗସ୍ତକରି ଚଳାଯାଉଥିବା କାର୍ଯ୍ୟକ୍ରମ ତଦାରଖ କରିବାକୁ ନିଦ୍ଦେର୍ଶ ଦିଆଯାଇଛି।