ଚଳିତ ମାସରେ ପାଟକୁରା ନିର୍ବାଚନ!

ଏବେ ସାରା ଓଡ଼ିଶାର ନଜର ପାଟକୁରା ବିଧାନସଭା ନିର୍ବାଚନ ଉପରେ। କେବେ ହେବ ଭୋଟ? ମିଳିଥିବା ବିଶ୍ୱସ୍ତ ସୂତ୍ର ଅନୁସାରେ ଆସନ୍ତା ୨୧ କିମ୍ୱା ୨୨ ତାରିଖରେ ପାଟକୁରା ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇପାରେ।

ପାଟକୁରା ନିର୍ବାଚନକୁ ଫୋନି ଆସୁଥିବା ଦର୍ଶାଇ ରାଜ୍ୟ ସରକାର ଘୁଞ୍ଚାଇବାରେ ଏକ ବଡ଼ ରାଜନୈତିକ ସଫଳତା ହାସଲ କରିଥିଲେ। ଯଦିଓ ଏହି ବାତ୍ୟା ଯୋଗୁଁ ପାଟକୁରାରେ ବଡ଼ ଧରଣର କୌଣସି ବିପର୍ଯ୍ୟୟ ଘଟିନଥିଲା, ତଥାପି ରାଜ୍ୟ ସରକାରଙ୍କ ଯୁକ୍ତି ଓ ଆଶଙ୍କା ସହ ନିର୍ବାଚନ କମିଶନ ସହମତ ହୋଇ ଦ୍ୱିତୀୟଥର ଲାଗି ପାଟକୁରା ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଥିଲା।

ବାତ୍ୟା ବିଧ୍ୱସ୍ତ ବ୍ରହ୍ମଗିରି ଓ ସତ୍ୟବାଦୀରେ ଯଦି କିଛି ବୁଥରେ ପୁନଃ ମତଦାନ ହୋଇପାରିଲା, ତେବେ ପାଟକୁରାରେ କାହିଁକି ହୋଇପାରି ନଥାନ୍ତା? ପାଟକୁରାରେ ଅପେରା କରିବାକୁ ଯଦି ପ୍ରଶାସନ ଅନୁମତି ଦେଇ ପାରିଲା, ସେଠାରେ ଦିନରେ ମତଦାନ କାହିଁକି ହୋଇ ପାରିନଥାନ୍ତା! ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରିବାରେ ଲାଗିଛି।

କେନ୍ଦ୍ରାପଡ଼ା ଲୋକସଭା ଓ ୭ଟି ବିଧାନସଭା ଲାଗି ଏପ୍ରିଲ ୨୯ରେ ନିର୍ବାଚନ ହେବାର ଥିଲା। କିନ୍ତୁ ପାଟକୁରା ଆସନ ଲାଗି ବିଜୁ ଜନତାଦଳ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କର ବିୟୋଗ ଘଟିଥିଲା। ତାଙ୍କ ବିୟୋଗ ଯୋଗଁୁ ମତଦାନକୁ ମେ ୧୯ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ କମିଶନ। ଅନୁକମ୍ପା ଭୋଟ ଲୋଭରେ ବିଜେଡି ବେଦୁଙ୍କ ବିଧବା ପତ୍ନୀ ସାବିତ୍ରୀଙ୍କୁ ପ୍ରାର୍ଥୀ କରିଥିଲା। ଏହା ପରେ ବିଶ୍ୱାସ ଅଭାବରୁ ଫୋନି ବାତ୍ୟା ବାହାନାରେ ନିର୍ବାଚନକୁ ସ୍ଥଗିତ ରଖିବାରେ ରାଜ୍ୟ ସରକାର ସମର୍ଥ ହୋଇଥିଲେ।

ନବୀନଙ୍କ ବିଶ୍ୱାସ ବିଜେପୁର ଉପନିର୍ବାଚନ ଷ୍ଟାଇଲ ରଣକୌଶଳରେ ପାଟକୁରାରୁ ବିଜେପିର ବିଜୟ ମହାପାତ୍ରଙ୍କୁ ପରାଜିତ କରି ହେବ। ମୋଟାମୋଟି ପ୍ରାଥମିକ ଉଦ୍ଦେଶ୍ୟ ପୁରଣ ହୋଇଛି ନବୀନଙ୍କର। କେବଳ ଗୋଟିଏ ଆସନ ଲାଗି ନିର୍ବାଚନ ହେବାକୁ ବାକି ଅଛି। ବିଜେଡି ୧୧୨ ଆସନ ଜିତିଛି। ୧୯ରେ ଭୋଟ ହୋଇଥିଲେ ବିଜେଡିର ୧୧୨ କିମ୍ୱାା ୧୧୩ ହୋଇଥାନ୍ତା। କମିବାର କୌଣସି ଆଶଙ୍କା ନଥିଲା।

ପାଟକୁରାକୁ ନେଇ ନବୀନ ପଟ୍ଟନାୟକ ଏତେ ସ୍ପର୍ଶକାତର କାହିଁକି? କେନ୍ଦ୍ରାପଡ଼ାକୁ ନେଇ ବୈଜୟନ୍ତଙ୍କ ସକାଶେ ଅତି ସମ୍ୱେଦନଶୀଳ ଥିଲେ ନବୀନ। କିନ୍ତୁ ପାଟକୁରାରେ ବିଜୟଙ୍କୁ ରୋକିବା ଲାଗି ଏତେ ପ୍ରଚେଷ୍ଟା! ବିଧାନସଭାକୁ ବିଜୟ ନିର୍ବାଚିତ ହେଲେ ସରକାର ଗଡ଼ିଯିବାର କୌଣସି ଆଶଙ୍କା ନଥିବା ବେଳେ ତାଙ୍କୁ ସରକାରୀ ଦଳ ଏତେ ଛାନିଆ ହୋଇପଡ଼ୁଛି କାହିଁକି?

ଆସନ୍ତା ସପ୍ତାହରେ ପାଟକୁରା ସକାଶେ ନିର୍ବାଚନ କମିଶନ ତାରିଖ ଘୋଷଣା କରିବାକୁ ଯାଉଛନ୍ତି। ଜୁନ ୨୧ କିମ୍ୱା ୨୨ ତାରିଖରେ ଭୋଟ ତାରିଖ ଧାର୍ଯ୍ୟ ହୋଇପାରେ। କିନ୍ତୁ ବହୁ ଦିନରୁ ବିଜେଡି ଭୋଟ ଲାଗି ସରକାରୀ କଳକୁ ଲଗାଇ ସାରିଲାଣି। ବିଜେଡିର ଶଙ୍ଖ ଚିହ୍ନ ଲଗାଇ ରିଲିଫ ବଣ୍ଟାଯାଇଛି। ଏହି ସରକାରୀ କାର୍ଯ୍ୟରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ସାମିଲ କରାଯାଉଛି।

ବେ ନିର୍ବାଚନ ପରିଚାଳନା ଲାଗି ଦୁଇଜଣ ମନ୍ତ୍ରୀ ଓ ଜଣେ ବିଧାୟକଙ୍କୁ ବିଶେଷ ଦାୟିତ୍ୱ ଦିଆଯାଇଛି। ସେମାନେ ହେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ ଏବଂ ପ୍ରଣବ ପ୍ରକାଶ ଦାସ। ଏହାଛଡ଼ା ସରକାରୀ ବାବୁ ମଧ୍ୟ ଅଛନ୍ତି।

ବିଜେଡିର ରଣନୀତି ସରକାରୀ ବାବୁ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଉପରେ ନିର୍ଭର କରୁଛି। ପାଟକୁରାର କଂଗ୍ରେସର ନେତା ଓ ଭୋଟକୁ କିଣିବା ଲାଗି ବିଜେଡି ବିଶେଷ ପ୍ରଯତ୍ନ କରିବ। ବିଜେପୁର ଫର୍ମୁଲା ଗଲା ବିଧାନସଭା ନିର୍ବାଚନରେ ବଡ଼ ସହାୟକ ହୋଇଛି ବିଜୁ ଜନତାଦଳକୁ। ପାଟକୁରାରେ ମଧ୍ୟ ସମାନ ନୀତି ଗ୍ରହଣ କରିବ ଶାସକ ଦଳ। ଏହି ତିନିଟି ବିଷୟକୁ ବିଜୟ ଓ ବିଜେପି ଜଗି ଦେଇପାରିଲେ ଲଢେଇ ଅତି ରୋଚକ ଓ ମଜାଦାର ହେବ ଏଥିରେ ସନ୍ଦେହ ନାହିଁ।

Leave a Reply

Your email address will not be published.