ପ୍ରଥମ ଦିନରୁ ବିଜେପି ବାଉଳା
ବୋଧହୁଏ ରାଜ୍ୟ ବିଜେପି ନିର୍ବାଚନ ଦୁଃଖରୁ ଉବୁରି ପାରିନାହିଁ। ଏହା ବି ହୋଇପାରେ ଯେ, କେନ୍ଦ୍ରରେ ପୁଣି ମୋଦୀ ସରକାର ଆସିଯାଇଥିବାରୁ ସେହି ଆନନ୍ଦ ଉଲ୍ଲାସ ଭିତରୁ ବାସ୍ତବ ପରିସ୍ଥିତିକୁ ଆସିପାରୁ ନାହିଁ ଦଳ। ତେଣୁ ଆରମ୍ଭରୁ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଦିଗହରା ହୋଇଯାଇଥିବା ମନେ ହେଉଛି।
୨୯ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ନେଲେ। ଏହା ତାଙ୍କର ୫ମ ପାଳି। ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଅନ୍ୟ ୨୦ଜଣ ମନ୍ତ୍ରୀଙ୍କ ସହ ସେ ଶପଥ ଗ୍ରହଣ କଲେ। କିନ୍ତୁ ଶପଥ ଗ୍ରହଣ ସମାରୋହରେ ବିଜେପି ବିଧାୟକମାନଙ୍କୁ ଦେଖିବାକୁ ମିଳିଲା ନାହିଁ। ଅବଶ୍ୟ ସେମାନଙ୍କର ଯୁକ୍ତି ଥିଲା, ଶପଥ ଗ୍ରହଣ ସମାରୋହକୁ ଆମନ୍ତ୍ରଣ କରାଯାଇ ନାହିଁ।
ଅବଶ୍ୟ ଏହାକୁ ସରକାରୀ ଭାବେ ଖଣ୍ଡନ କରାଯାଇ ନାହିଁ। ହୁଏତ ନବୀନ ଏବଂ ତାଙ୍କ ମାର୍ଗଦର୍ଶକ ବିଜେପି ବିଧାୟକଙ୍କ ଉପସ୍ଥିତିକୁ ସ୍ୱୀକାର କରିବାକୁ ଆଗ୍ରହୀ ନଥିଲେ। ତେଣୁ ସେ ଦୃଷ୍ଟିରୁ ବିନା ନିମନ୍ତ୍ରଣରେ ଶପଥ ଗ୍ରହଣ ସମାରୋହକୁ ନଯାଇ ବିଜେପି ବିଧାୟକମାନେ କୌଣସି ଅନୁଚିତ କାର୍ଯ୍ୟ କରି ନଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମନ୍ତ୍ରିତ ହୋଇ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହକୁ ଗଲେ ନାହିଁ। ଯେଉଁ ଯୁକ୍ତି କଲେ, ତାହା ମଧ୍ୟ ହାସ୍ୟାସ୍ପଦ ଥିଲା।
କିନ୍ତୁ ବାଚସ୍ପତି ନିର୍ବାଚନ ବେଳେ ଅଧିକାଂଶ ବିଜେପି ବିଧାୟକମାନଙ୍କ ଅନୁପସ୍ଥିତିର କାରଣ ବୁଝି ହେଉ ନାହିଁ। ଯେଉଁ ତିନି ଚାରିଜଣ ଉପସ୍ଥିତ ଥିଲେ, ସେମାନେ କ’ଣ କରିବେ, କ’ଣ ନକରିବେ ଜାଣିପାରୁନିଥିଲେ। ସୁତରାଂ କିଛି ବିଧାୟକ ଥାଇ ନଥିଲା ପରି ଲାଗିଲା। ବିଜେପିର ୨୩ଜଣ ବିଧାୟକ ବିଧାନସଭାର ସଦସ୍ୟତାର ଶପଥ ପାଠ କରିସାରିଛନ୍ତି। ବିଧାନସଭାର ଗାରିମା ଓ ମର୍ଯ୍ୟାଦା ଅକ୍ଷୂର୍ଣ୍ଣ ରଖିବା ସେମାନଙ୍କର ସାମ୍ୱିଧାନିକ ଦାୟିତ୍ୱ। କିନ୍ତୁ ବାଚସ୍ପତି ନିର୍ବାଚନ ବେଳେ ଅଧିକାଂଶ ବିଜେପି ବିଧାୟକ ଗୃହରେ ଉପସ୍ଥିତ ନରହିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ଅସ୍ପୃହଣୀୟ।

ପରମ୍ପରା ଅନୁସାରେ ସଂଖ୍ୟାଗରିଷ୍ଠ ଦଳର ପ୍ରାର୍ଥୀ ହିଁ ବାଚସ୍ପତି ହୋଇଥାନ୍ତି। ଯଦି ବି ନିର୍ବାଚନ ହୁଏ, ତେବେ ନିର୍ବାଚିତ ବାଚସ୍ପତିଙ୍କୁ ସବୁ ଦଳର ସଦସ୍ୟମାନେ ମଞ୍ଚ ପର୍ଯ୍ୟନ୍ତ ପାଛୋଟି ନେବାର ପରମ୍ପରା ଅଛି। ଥରେ କୌଣସି ବିଧାୟକ ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ନିର୍ଦ୍ଦଳୀୟ ଭାବେ ବିବେଚନା କରାଯାଇଥାଏ। ତେଣୁ ଶାସକ ଏବଂ ବିରୋଧୀ ସଦସ୍ୟମାନେ ନିର୍ବାଚିତ ବାଚସ୍ପତିଙ୍କୁ ସମ୍ମାନ ଜଣାଇଥାନ୍ତି ଏବଂ ତାଙ୍କ ଉଦ୍ଦେଶ୍ୟରେ ପ୍ରଶଂସାସୂଚକ ଭାଷଣ ବି ଦେଇଥାନ୍ତି।
ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ହେବେ ବୋଲି ଆଗରୁ ଜଣା ଥିଲା। ଶନିବାର ଥିଲା ବାଚସ୍ପତି ନିର୍ବାଚନ ଦିବସ। ଗୃହର ନେତା ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ସୂର୍ଯ୍ୟଙ୍କ ନାମ ବାଚସ୍ପତି ପଦ ଲାଗି ପ୍ରସ୍ତାବ ରଖିଥିଲେ। ସଂଖ୍ୟା ଦୃଷ୍ଟିରୁ ଭୋଟିଂର ଆବଶ୍ୟକତା ନଥିଲା। ବାଚନିକ କିନ୍ତୁ ସର୍ବସମ୍ମତ କ୍ରମେ ସୂର୍ଯ୍ୟ ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ।
ମାତ୍ର ପ୍ରଥମ ଥର ପାଇଁ ମୁଖ୍ୟ ବିରୋଧୀ ଦଳର ମର୍ଯ୍ୟାଦା ହାସଲ କରିଥିବା ବିଜେପିର କୌଣସି ବିଧାୟକ ନଥିଲେ। କିନ୍ତୁ କଂଗ୍ରେସ ବିଧାୟକଙ୍କ ସହ ସିପିଏମ ବିଧାୟକ ସୂର୍ଯ୍ୟଙ୍କ ପ୍ରାଥିର୍ତ୍ୱକୁ ସମର୍ଥନ ଜଣାଇଥିଲେ। କଂଗ୍ରେସ ନେତା ନରସିଂହ ମିଶ୍ର, ସଚେତକ ତାରାପ୍ରସାଦ ବାହିନୀପତି, ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖଙ୍କ ସହ ବାଚସ୍ପତିଙ୍କୁ ତାଙ୍କ ମଞ୍ଚ ଉପରକୁ ପାଛୋଟି ନେଇଥିଲେ। କିନ୍ତୁ ବିଜେପିର ଦେଖାଦର୍ଶନ ନଥିଲା।
ବିଜେପିର ୨୩ ଜଣ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରଥମଥର ପାଇଁ ମୁଖ୍ୟ ବିରୋଧୀ ଦଳ ମର୍ଯ୍ୟାଦା ଏହି ଦଳକୁ ମିଳିଛି। ବାଚସ୍ପତି ନିର୍ବାଚନ ପାଇଁ ଆମକୁ ନିମନ୍ତ୍ରଣ କରାଯାଇନଥିଲା ବୋଲି ବିଜେପି ବିଧାୟକମାନେ କହିପାରିବେ ନାହିଁ। ତେବେ ଗୃହକୁ ଆସିଲେ ନାହିଁ କାହିଁକି?
ଲାଗୁଛି ଏହି ଦଳ ସମ୍ପୂର୍ଣ୍ଣ ଦିଗହରା। ପ୍ରଥମତଃ ବିରୋଧୀ ଦଳର ନେତା କିଏ ହେବ, ତାହା ନିଷ୍ପତ୍ତି ହୋଇ ନାହିଁ। କେନ୍ଦ୍ର ନେତାମାନେ ଦିଲ୍ଲୀରୁ ଫେରିବା ପରେ ବିଧାୟକ ଦଳର ବୈଠକ ବସିବାର ସମ୍ଭାବନା ଅଛି। ଯେହେତୁ ଦଳର କୌଣସି ମୁରବୀ ନାହାନ୍ତି, ସେହେତୁ ମୁରବୀ ବିହୀନ ଭାବେ ଏହି ବିଧାୟକ ଦଳ କାର୍ଯ୍ୟ କରୁଛି। କିଏ କାହାକୁ ନିର୍ଦ୍ଦେଶ ଦେବ ଏବଂ କେଉଁ ଅଧିକାରରେ ଦେବ, ତାହା ସ୍ଥିର ହୋଇ ନଥିବାରୁ ବାଚସ୍ପତି ନିର୍ବାଚନ ବେଳେ ବିଜେପି ବିଧାୟକଙ୍କୁ ଦେଖିବାକୁ ମିଳିଲାନାହିଁ।
ଏମାନଙ୍କ ମଧ୍ୟରୁ ଅନ୍ତତଃ ୪ଜଣ ଅଭିଜ୍ଞ। ସେମାନେ ହେଲେ ଜୟନାରାୟଣ ମିଶ୍ର, ପ୍ରଦୀପ ନାୟକ, ବିଷ୍ଣୁ ସେଠୀ ଏବଂ ସୁକାନ୍ତ ନାୟକ। ମାତ୍ର କେହି ନେତା ନୁହଁନ୍ତି। ତେଣୁ ଯେପର୍ଯ୍ୟନ୍ତ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହୋଇ ନାହାନ୍ତି, ସେପର୍ଯ୍ୟନ୍ତ ଏହି ବିଧାୟକମାନେ ନିଜର ସାମ୍ୱିଧାନିକ ଦାୟିତ୍ୱ ସମ୍ପର୍କରେ ସଚେତନ ନୁହଁନ୍ତି।
ତେବେ ଏହା ବିଜେପିର ଆଭ୍ୟନ୍ତରୀଣ ବ୍ୟାପାର। ମାତ୍ର ଏହା ଏକ କୁପରମ୍ପରା ସୃଷ୍ଟି କଲା। ଲାଗିଲା, କ୍ଷମତାଠାରୁ ଯଥେଷ୍ଟ ଦୂରରେ ରହିଯାଇଥିବାରୁ ବିଜେପି ଆରମ୍ଭରୁ ମୁକାବିଲା ସକାଶେ ମାନସିକ ପ୍ରସ୍ତୁତି ଚଳାଇଛି। ବିଧାନସଭା ଆରମ୍ଭ ହେବା ପରେ ଏହି ଦଳର ନୀତି ଓ ଆଚରଣ କିପରି ରହିବ, ତାହା ଜଣାପଡ଼ିବ। ହେଲେ ବାଚସ୍ପତି ନିର୍ବାଚନରୁ ନିଜକୁ ଦୂରେଇ ରଖି ବିଜେପି ଆଦୌ ଭଲ ଉଦାହରଣ ରଖିନାହିଁ ବୋଲି ଦୃଢ଼ତାର ସହ କୁହାଯାଇପାରେ।