ବଢ଼ିଚାଲିଛି ନେତାଙ୍କ ହାର୍ଟବିଟ‍୍‌

ମାତ୍ର ୬-୭ମାସ ତଳେ ବିରାଟ ହୋର୍ଡିଂ ରାଜଧାନୀରେ ଛାଇ ହୋଇଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଫଟୋ ପାଖରେ ଲେଖା ଥିଲା ‘ମାଇଁ ହାର୍ଟ ବିଟ୍ସ ଫର ହକି’। ଏହାପରେ ସୋସିଆଲ ମିଡିଆରେ ବିଜୁ ଜନତା ଦଳ ଓ ନବୀନ ପ୍ରଶଂସକମାନଙ୍କ ମଧ୍ୟରେ ଚାଲିଲା ପ୍ରତିଯୋଗିତା ଦେଖାଇବାକୁ ଯେ, ହକି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରି ସେମାନେ ଛାତି ମଧ୍ୟ ଧକ ଧକ କରୁଛି। ହକି ଲାଗି ଛାତି ଧକ ଧକ କରୁଥିଲା କି ନାହିଁ ସନ୍ଦେହ, କିନ୍ତୁ ଦୃଢ଼ତାର ସହ କୁହାଯାଇପାରେ ଯେ, ଚଳିତ ନିର୍ବାଚନକୁ ନେଇ ସବୁଠୁ ବେଶୀ ଛାତି ଧଡ଼ଧଡ଼ ହେଉଛି ଶାସକ ଦଳର ପ୍ରାର୍ଥୀଙ୍କର।

ଅନ୍ୟ ବିରୋଧି ଦଳ ନେତାମାନଙ୍କର ଛାତି ଯେ ଧଡ଼ଧଡ଼ ହେଉ ନାହିଁ ତାହା ନୁହେଁ, କିନ୍ତୁ ନବୀନ ପଟନାୟକଙ୍କ ଭବିଷ୍ୟତ ସହ ନିର୍ବାଚନ ଫଳାଫଳର ସିଧା ସମ୍ପର୍କ ଥିବାରୁ ଶାସକ ଦଳ ପ୍ରାର୍ଥୀମାନେ ଅଧିକ ଆଶଙ୍କା ଭିତରେ ଅଛନ୍ତି।

ପ୍ରଥମ ଥର ପାଇଁ ଏକ ଅନିଶ୍ଚିତତାର ବାତାବରଣ ସୃଷ୍ଟି ହୋଇଛି ଫଳାଫଳକୁ ନେଇ। ଏହାର କାରଣ ହେଲା, ଲୋକସଭା ଓ ବିଧାନସଭା ପାଇଁ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ବୋଲି ଅଟକଳ କରାଯାଉଛି। ତେଣୁ ଭୋଟରଙ୍କ ପ୍ରକୃତ ମୁଡ ଠଉରାଇବା କଷ୍ଟକର ହୋଇପଡ଼ିଛି।

ରାଜ୍ୟରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ୨୦୧୯କୁ ମିଶାଇ ୪ଟି ନିର୍ବାଚନ ହୋଇଗଲାଣି। କିନ୍ତୁ ପ୍ରଥମ ଥର ସକାଶେ ନବୀନ ଏବଂ ଶାସକ ଦଳ ସବୁଠୁ କଡ଼ା ମୁକାବିଲାର ସାମ୍ନା କରିଛନ୍ତି ଚଳିତ ନିର୍ବାଚନରେ। ଯେହେତୁ କଂଗ୍ରେସ ବିଭିନ୍ନ କାରଣରୁ ନିର୍ବାଚନ ମଇଦାନରେ ନିଷ୍କ୍ରିୟ ହୋଇଗଲା, ସେହି ଦୃଷ୍ଟିରୁ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ପରିବେର୍ତ୍ତ ବହୁ ଆସନରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଲା।

ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତାରୁ ସବୁଠୁ ବେଶୀ ଫାଇଦା ମିଳୁଥିଲା ବିଜୁ ଜନତା ଦଳକୁ। ତେଣୁ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତାରେ କଂଗ୍ରେସ ଭୋଟ ବିଜେଡି ଏବଂ ବିଜେପି ଭିତରୁ କାହା ଆଡ଼କୁ ଅଧିକ ଯାଇଛି, ତାହାରି ଉପରେ ଫଳାଫଳ ଅଧିକ ନିର୍ଭର କରୁଛି।

୨୦୧୪ରେ ବହୁ ଆସନରେ ଏକତରଫା ମୁକାବିଲା ହୋଇଥିଲା। ତେଣୁ ଭୋଟ ବ୍ୟବଧାନ ୧୫ରୁ ୫୦ହଜାର ରହିଥିଲା ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ। କେହି ତ୍ରିଶଙ୍କୁ ବିଧାନସଭା ଆଶଙ୍କା କରି ନଥିଲେ ୨୦୧୪ରେ। ତେଣୁ ନିର୍ବାଚନ ଫଳ ପ୍ରକାଶ ପାଇବା ପୂର୍ବରୁ ସରକାର ଗଠନକୁ ନେଇ ବିଜୁ ଜନତା ଦଳ ଭିତରେ ଆରମ୍ଭ ହୋଇଯାଇଥିଲା ଅଙ୍କ କଷାକଷି।

ଯଦିଓ ଏକଜିଟ ପୋଲ ପୂର୍ବାନୁମାନ କରୁଛି ଯେ, ନବୀନଙ୍କ ବିଜୁ ଜନତା ଦଳ ଯେନତେନ ପ୍ରକାରେଣ ପଞ୍ଚମ ଥର ପାଇଁ କ୍ଷମତା ପାଇପାରେ, ତେବେ ଏହାର ପୂର୍ବ ଦମ୍ଭ ଓ ସଂଖ୍ୟା ଯଥେଷ୍ଟ କମିବ। କିନ୍ତୁ ଏଥର ଭୋଟରଙ୍କ ମନ କଳିବାରେ ପ୍ରାୟ ସବୁ ଦଳ ବିଫଳ ହୋଇଛନ୍ତି।

ଭାରତୀୟ ଜନତା ପାର୍ଟି ମଧ୍ୟ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ଦାବି କରୁଛି। କିନ୍ତୁ ସତରେ କ’ଣ ଓଡ଼ିଶାର ଭୋଟର କେନ୍ଦ୍ରରେ ବିଜେପିକୁ ଏବଂ ରାଜ୍ୟରେ ବିଜେଡିକୁ ଭୋଟ ଦେଇଛନ୍ତି?

ପୂର୍ବ ନିର୍ବାଚନଗୁଡ଼ିକରେ ଏଭଳି ଚିତ୍ର କଦାପି ଦେଖିବାକୁ ମିଳିନାହିଁ। କାଁଭାଁ କେତୋଟି ଆସନରେ ଏଭଳି ପୃଥକ ମତଦାନ ହୋଇଥାଇ ପାରେ। ମାତ୍ର ପୂର୍ବ ନିର୍ବାଚନଗୁଡ଼ିକରେ ବିଧାନସଭାରେ ଯେଉଁ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିଛି, ସେହି ଦଳକୁ ଲୋକସଭାରେ ଅଧିକ ଆସନ ମିଳିଛି। ଯେଉଁ ଗୋଟିଏ ସାଧାରଣ ନିର୍ବାଚନ ବିଜେଡି ଓ ବିଜେପି ଏକାଠି ହୋଇ ଲଢ଼ିଥିଲେ (୨୦୦୪), ସେହି ନିର୍ବାଚନରେ ମେଣ୍ଟକୁ ଉଭୟ ଲୋକସଭା ଏବଂ ବିଧାନସଭାରେ ସବୁଠୁ ବେଶୀ ଆସନ ମିଳିଥିଲା।

୨୦୦୯ ଏବଂ ୨୦୧୪ରେ ବିଜେଡି ଉଭୟ ଲୋକସଭା ଏବଂ ବିଧାନସଭାରେ ଆନୁପାତିକ ଭାବେ ଅଧିକ ଆସନ ଦଖଲ କରିଥିଲା। ୨୦୧୪ରେ ଲୋକସଭାର ୨୧ରୁ ୨୦ ଏବଂ ବିଧାନସଭାର ୧୪୭ରୁ ୧୧୭ ଆସନ ପାଇଥିଲା ବିଜୁ ଜନତା ଦଳ। ୨୦୧୯ ନିର୍ବାଚନରେ ଓଡ଼ିଶାର ଭୋଟରଙ୍କ ରାଜନୈତିକ ପରିପକ୍ୱତା ଏମିତି ବଦଳି ଯିବକି ଯେ, ସେମାନେ ଲୋକସଭା ପାଇଁ ମୋଦୀଙ୍କୁ ଏବଂ ବିଧାନସଭା ପାଇଁ ନବୀନଙ୍କୁ ଭୋଟ ଦେବେ?

ଯଦି ଏହା ହୋଇଥାଏ, ତେବେ ସାରା ଭାରତରେ ଏହା ଏକ ଭିନ୍ନ ଚିତ୍ର ପ୍ରଦାନ କରିବ। କିନ୍ତୁ ଏହି ପୃଥକ ମତଦାନ ଅଟକଳ ହିଁ ବିଜେଡି ପ୍ରାର୍ଥୀଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଜେଡି ସମର୍ଥକମାନେ ଲୋକସଭା ପାଇଁ ବିଜେପି ପ୍ରାର୍ଥୀଙ୍କୁ କାହିଁକି ଭୋଟ ଦେଇଥିବେ? ଯଦି ଲୋକସଭାରେ ଭିନ୍ନ ଦଳକୁ ଭୋଟ ଦେଇଛନ୍ତି, ତେବେ ଏମିତି ବି ହୋଇପାରେ, ବିଧାନସଭାରେ ମଧ୍ୟ ଚାପା ଅସନ୍ତୋଷକୁ ଭୋଟରେ ବ୍ୟବହାର କରି ସେମାନେ ଶାସକ ଦଳ ପ୍ରାର୍ଥୀଙ୍କ ବିରୋଧରେ ମଧ୍ୟ ଭୋଟ ଦେଇପାରିଥାନ୍ତି। ସେଥିସକାଶେ ଏଥର ଅସମ୍ଭବ ନିରବତା ଶାସକ ଦଳ ଶିବିରରେ ଦେଖିବାକୁ ମିଳୁଛି।

ଗୋଟିଏ ଦିନ ପରେ ଭୋଟ ଗଣତି। ସନ୍ଧ୍ୟା ବେଳକୁ ଚିତ୍ର ସ୍ପଷ୍ଟ ହୋଇସାରିଥିବ। ତେଣୁ ଫଳ ପ୍ରକାଶ ପାଇବା ପର୍ଯ୍ୟନ୍ତ ଆଉ ଯେତିକି ସମୟ, ସେତିକି ଘଣ୍ଟା ସବୁ ପ୍ରତିଦ୍ୱନ୍ଦ୍ୱୀଙ୍କ ହୃଦକମ୍ପନ ବଢ଼ାଇ ଦେବ। ବୁଧବାର ରାତି ସେମାନଙ୍କ ଆଖିରୁ ଛଡ଼ାଇ ନେଇପାରେ ନିଦ। ଗୁରୁବାର ଅପରାହ୍ନ ବେଳକୁ ଯେଉଁ ଦଳ କ୍ଷମତାର ଗନ୍ଧ ବାରିବ, ସେହି ଦଳର କାର୍ଯ୍ୟାଳୟରେ ଦୀପାବଳିର ପରିବେଶ ମିଳିବ ଦେଖିବାକୁ।

Leave a Reply

Your email address will not be published. Required fields are marked *