ଯାଜପୁର : ଶାସକ ଦଳ ଟଳମଳ, ବିରୋଧି ମଜଭୁତ

ଗତ ୨୦ ବର୍ଷ ଧରି ଯାଜପୁର ସଂରକ୍ଷିତ ଲୋକସଭା ଆସନ ଏବଂ ଏହି ଆସନ ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ରରେ ବିଜୁ ଜନତା ଦଳର ଯେଉଁ ଆଧିପତ୍ୟ ରହିଆସିଥିଲା ତାହା ଏବେ ବିପଦରେ। ୨୦୧୪ ନିର୍ବାଚନରେ ବିଜେଡି ଏଠାରୁ ବଡ଼ ବିଜୟ ପାଇଥିଲା ବେଳେ ୨୦୧୯ ନିର୍ବାଚନ ସମ୍ପୂର୍ଣ୍ଣ ଓଲଟା ହେବ ବୋଲି ଜଳଜଳ ଦିଶୁଛି।

ଲୋକସଭା ଆସନରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଥିଲା ବେଳେ ୭ଟି ବିଧାନସଭା ଆସନ ମଧ୍ୟରୁ ୬ଟି ଆସନରେ ମୁକାବିଲା ବିଜେପି ଓ ବିଜେଡି ମଧ୍ୟରେ ରହିଛି। ଗୋଟିଏ ଆସନ ଅର୍ଥାତ କୋରେଇରେ ତ୍ରିମୁଖୀ ପ୍ରତିଯୋଗିତା ହେବାର ଆଶା କରାଯାଉଛି।

ଆସନ୍ତା କାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ବିଜେଡି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାରର ମଙ୍ଗ ଧରିଥିବା ବେଳେ ବିଜେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ଅଧ୍ୟକ୍ଷ ଅମିତ୍ ଶାହ ଜୋରଦାର ପ୍ରଚାର କରିଛନ୍ତି। ରାଜ୍ୟରେ ପରିବର୍ତ୍ତନର ଲହର ଏବଂ ମୋଦୀଙ୍କ ଡବଲ ଇଞ୍ଜିନ ସ୍ଲୋଗାନ ଯାଜପୁରରେ ମଧ୍ୟ ଦେଖିବାକୁ ମିଳିଛି।

ପ୍ରଚାରର ଶେଷ ଦିନରେ ଅର୍ଥାତ ଶନିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ଯାଜପୁର ଗସ୍ତ ଓ ସୁକିନ୍ଦା ପ୍ରଚାର ବିଜୁ ଜନତା ଦଳର ସବୁ ଗଣିତକୁ ବିଗାଡ଼ି ଦେଇଛି।

ଲୋକସଭା ଆସନ

୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ତରାଇ ୩.୨ ଲକ୍ଷ ଭୋଟ ବ୍ୟବଧାନରେ ଜିତିଥିଲେ। ହେଲେ ଏଥର ଦଳ ରୀତାଙ୍କୁ ନୁହେଁ ବରଂ ପୂର୍ବତନ ରାଜ୍ୟ ପ୍ରଶାସନିକ ଅଧିକାରୀ ଶର୍ମିଷ୍ଠା ସେଠୀଙ୍କ ଉପରେ ଭରସା ରଖିଛି। ନବୀନଙ୍କ ସାହାରାରେ ଶର୍ମିଷ୍ଠା ଏହି ଲଢେଇ ଜିତିବାର ଆଶା ରଖିଥିଲା ବେଳେ ତାଙ୍କ ଆଗରେ ପାଚେରୀ ଭାବେ ଠିଆ ହୋଇଛନ୍ତି ବିଜେପି ପ୍ରାର୍ଥୀ ଅମୀୟ କାନ୍ତ ମଲ୍ଲିକ।

ଗତ ନିର୍ବାଚନରେ ଅମୀୟ ମଧ୍ୟ ବିଜେପି ଟିକଟରେ ଲଢିଥିଲେ। ଅମୀୟଙ୍କ ପାଇଁ ବଡ଼ ସୁଯୋଗର କାରଣ ହେଉଛି ମୋଦୀ ଲହର। ସେହିପରି ରାଜ୍ୟରେ ୧୯ବର୍ଷର ସରକାର ପରିବର୍ତ୍ତନର ଯେଉଁ ବାର୍ତ୍ତା ଦେଖିବାକୁ ମିଳୁଛି ତାହା ଅମୀୟଙ୍କୁ ସହଯୋଗ କରୁଛି।

ବିଜେଡିର ପ୍ରାର୍ଥୀ ଶର୍ମିଷ୍ଠାଙ୍କ ପାଇଁ ସମସ୍ୟା ହେଉଛି, ଦଳୀୟ କନ୍ଦଳ। ତାଙ୍କ ପ୍ରାର୍ଥୀତ୍ୱଙ୍କୁ ଅନେକ କର୍ମୀ ଗ୍ରହଣ କରିବାକୁ ନାରାଜ। ଯଦିଓ ସମାଧାନ ପାଇଁ ବିଜେଡି ପକ୍ଷରୁ ହାତ ଖୋଲା ଉଦ୍ୟମ କରାଯାଉଛି, ତଥାପି ଏହା ଫଳପ୍ରଦ ହେଉନାହିଁ।

ଗତଥର କଂଗ୍ରେସ ଅଶୋକ ଦାସଙ୍କୁ ପ୍ରାର୍ଥୀ କରିଥିଲା ବେଳେ ଏବେ ତାଙ୍କ ସ୍ଥାନରେ ମଇଦାନରେ ଅଛନ୍ତି ମାନସ ଜେନା। ୧୯୯୮ ମସିହା ପର୍ଯ୍ୟପନ୍ତ ଯାଜପୁର ଲୋକସଭା ନିର୍ବାଚନମଣ୍ଡଳୀ କଂଗ୍ରେସର ଗଡ଼ ଭାବେ ଥିଲା। ହେଲେ ୧୯୯୯ ମସିହାରେ ବିଜେଡି ପ୍ରାର୍ଥୀ ଜଗନ୍ନାଥ ମଲ୍ଲିକ ଏହାକୁ ଛଡ଼ାଇ ଆଣିଥିଲେ। ନିର୍ବାଚନମଣ୍ଡଳୀରେ କଂଗ୍ରେସ ନିଜର ସ୍ଥତି ଏକପ୍ରକାର ହରାଇଥିବାରୁ ଲଢେଇ ଏଥର ଅମୀୟ ଏବଂ ଶର୍ମିଷ୍ଠାଙ୍କ ମଧ୍ୟରେ ହେବାକୁ ଯାଉଛି। ଆଉ ଅମୀୟଙ୍କ ପଲା ଭାରି ରହିଛି।

ବିଧାନସଭା:

ନିର୍ବାଚନ ତାରିଖ ଘୋଷଣା ହେବାର ବହୁ ପୂର୍ବରୁ ଦଳର ନେତୃତ୍ୱ ନୂଆ ପ୍ରାର୍ଥୀତ୍ୱ ଉପରେ ଭରସା ରଖିଥିଲେ। ମାତ୍ର ଏହା ହୋଇପାରିଲା ନାହିଁ। ୭ଟି ଯାକ ବିଧାନସଭା ଆସନ ବର୍ତ୍ତମାନ ବିଜେଡି ହାତରେ ଥିଲା ବେଳେ ଦଳର ସୁପ୍ରିମୋ ବରୀ ଏବଂ କୋରେଇ ଆସନରୁ ନୂଆ ପ୍ରାର୍ଥୀ ଦେଇଛନ୍ତି।

୨୦୦୦ ମସିହାରୁ ବରୀ ଆସନ ଜିତି ଆସୁଥିବା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କୁ ଟିକଟ ମିଳିନଥିଲା ବେଳେ ତାଙ୍କ ସ୍ଥାନରେ ପ୍ରାର୍ଥୀ କରାଯାଇଛି ସୁନନ୍ଦା ଦାସଙ୍କୁ। ବରୀରେ ଦେବାଶିଷଙ୍କର ନିଜସ୍ୱ ଭୋଟବ୍ୟାଙ୍କ ରହିଛି। ତେଣୁ ଦେବାଶିଷଙ୍କ ଉପରେ ନିର୍ଭର କରୁଛି ବରୀ ବିଜେଡିର ଭାଗ୍ୟ। ଏଠାରେ ସୁନନ୍ଦାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ବିଶ୍ୱରଞ୍ଜନ ମଲ୍ଲିକ। ୨୦ବର୍ଷ ମଧ୍ୟରେ ଏଠାରେ ବିଜେପି ଖାତା ଖୋଲିନଥିଲା ବେଳେ ଦେବାଶିଷଙ୍କ ଅନୁପସ୍ଥିତି ବିଶ୍ୱଙ୍କ ପାଇଁ ଏବଂ ବିଜେପି ପାଇଁ ଆଣିଛି ବଡ଼ ସୁଯୋଗ। କଂଗ୍ରେସ ପକ୍ଷରୁ ଏଠାରେ ପ୍ରାର୍ଥୀ ହୋଇଛନ୍ତି ଉମେଶ ଜେନା।

କୋରେଇ ଆସନରୁ ପୂର୍ବରୁ ବିଧାୟକ ଥିବା ଆକାଶ ଦାଶଙ୍କୁ ଟିକଟ ମିଳିନାହିଁ। ତାଙ୍କ ସ୍ଥାନରେ ଦଳ ପ୍ରାର୍ଥୀ କରିଛି ଅଶୋକ ବଳଙ୍କୁ। ଅଶୋକଙ୍କୁ ପ୍ରାର୍ଥୀ କରିବା ପରେ ବିଜେଡିରେ ଯେଉଁ ଆଭ୍ୟନ୍ତରୀଣ କନ୍ଦଳ ସୃଷ୍ଟି ହୋଇଛି ତା’ର ଫାଇଦା ନେବା ପାଇଁ ଜୋରଦାର ଲାଗିପଡ଼ିଛନ୍ତି ବିଜେପିର ବିଶ୍ୱଜିତ ନାୟକ ଏବଂ କଂଗ୍ରେସର ବନ୍ଦିତା ପରିଡ଼ା। ପୂର୍ବରୁ ଆକାଶଙ୍କୁ ସମର୍ଥନ ଦେଉଥିବା ଅନେକ କର୍ମୀ ଏବେ ବିଜେପି ଓ କଂଗ୍ରେସ କ୍ୟାମ୍ପରେ। ଶଙ୍ଖ ଚିହ୍ନ, ନବୀନଙ୍କ ନାମ ଏବଂ ଅର୍ଥ ବଳରେ ବିଜେଡି କ୍ଷମତା ହାସଲର ଯୋଜନା କରୁଥିଲା ବେଳେ ବିଜେପି ଓ କଂଗ୍ରେସ ବିଜେଡିରେ ଫାଟ ସୃଷ୍ଟି କରି ସେମାନଙ୍କ କର୍ମୀଙ୍କୁ ନିଜ ଆଡ଼କୁ ଆଣିବା ଏହି ଆସନରେ ଏକ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତାର ସମ୍ଭାବନା ସୃଷ୍ଟି କରିଛି।

ବିଞ୍ଝାରପୁର, ବଡ଼ଚଣା, ଧର୍ମଶାଳା, ଯାଜପୁର, ସୁକିନ୍ଦାରେ ଦଳ ନିଜର ବିଧାୟକମାନଙ୍କୁ ପୁଣିଥରେ ପ୍ରାର୍ଥୀଭାବେ ମନୋନୀତ କରିଛି। ସୁକିନ୍ଦାରେ କଂଗ୍ରେସ ଶରତ ରାଉତଙ୍କୁ ପ୍ରାର୍ଥୀ କରିଥିଲା ବେଳେ ଲଢେଇ ହେଉଛି ବିଜେପିର ପ୍ରଦୀପ ବଳସାମନ୍ତ ଏବଂ ବିଜେଡିର ପ୍ରୀତିରଞ୍ଜନ ଘଡ଼ାଇଙ୍କ ମଧ୍ୟରେ। ପୁଅ ପ୍ରୀତିରଞ୍ଜନଙ୍କ ପାଇଁ ବାପା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ଦିନରାତି ଏକ କରିଦେଇଥିଲେ ମଧ୍ୟ ବିଧାନସଭା କ୍ଷେତ୍ରରେ ପ୍ରୀତିଙ୍କ ବିରୋଧରେ ଏକ ଜୋରଦାର ଅଭିଯାନ ଦେଖିିବାକୁ ମିଳୁଛି।

ଦୁଇଦିନ ତଳେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଏବଂ ଏଥିରେ ଘଡା଼ଇ ପରିବାରର ସହଯୋଗୀଙ୍କ ହାତ ଥିବା ବିଜେଡିକୁ ମହଙ୍ଗା ପଡ଼ିଛି, ପ୍ରୀତିରଞ୍ଜନଙ୍କୁ ମଧ୍ୟ ଅସୁବିଧାରେ ପକାଇଛି। ପ୍ରଫୁଲ୍ଲଙ୍କ ଅନେକ ନିକଟତର କର୍ମୀ ପ୍ରଦୀପ ବଳସାମନ୍ତଙ୍କ କ୍ୟାମ୍ପରେ ଯୋଗ ଦେଇଥିଲା ବେଳେ ନିର୍ବାଚନମଣ୍ଡଳୀରେ ପରିବର୍ତ୍ତନର ଏକ ଜୋରଦାର ହାୱା ଦେଖିବାକୁ ମିଳୁଛି। ଶନିବାର ସୁକିନ୍ଦାରେ ଅମିତ ଶାହାଙ୍କ ସଭା ପରେ ଜନମତ ଏକରକମ ବିଜେପି ଆଡ଼କୁ ଢଳିଥିବା ହୃଦବୋଧ ହେଉଛି। ତେଣୁ ପ୍ରୀତିଙ୍କ ପାଇଁ ଏହି ନିର୍ବାଚନ ଅତ୍ୟନ୍ତ ଜଟିଳ।

ବଡ଼ଚଣାରେ ମଧ୍ୟ ବିଧାୟକ ଅମର ଶତପଥୀଙ୍କ ପାଇଁ ଯାତ୍ରା ସହଜ ହେଉନାହିଁ। ତାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ଅମର ନାୟକ, କଂଗ୍ରେସର ଅଜୟ ସାମଲ। ବଡ଼ଚଣା ଆସନରୁ ୫ଥର ବିଧାୟକ ନିର୍ବାଚିତ ହୋଇଥିଲେ ମଧ୍ୟ ପ୍ରଚାର ପ୍ରସାରରେ ଅମରଙ୍କ ଠାରୁ ଢେର ଆଗରେ ଅଛନ୍ତି ବିଜେପି ପ୍ରାର୍ଥୀ ଅମର ନାୟକ। ବିଜେପିର ଜୋରଦାର ପ୍ରଚାର ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛି।

ଶେଷ ମୁହୂର୍ତ୍ତରେ କଂଗ୍ରେସ ଅଜୟ ସାମଲଙ୍କୁ ପ୍ରାର୍ଥୀ କରିଥିଲା ବେଳେ ସେ ମଧ୍ୟ ଲଢ଼େଇ ପାଇଁ ଏକାକୀ ଜୋରଦାର ପ୍ରସ୍ତୁତି ଚଲାଇଛନ୍ତି। ତେବେ ବଡ଼ଚଣା ବିଜେଡି ଅସନ୍ତୁଷ୍ଟଙ୍କୁ ମନାଇବାରେ ସଫଳ ହୋଇ ନଥିବାରୁ ଲଢ଼େଇ ବିଜେଡି ଓ ବିଜେପି ମଧ୍ୟରେ ହେବାର ବଡ଼ ସମ୍ଭାବନା ରହିଛି।

ଧର୍ମଶାଳାରେ ବିଜେଡିର ପ୍ରଣବ ବଳବନ୍ତରାୟଙ୍କ ପଲା ଏକ ପ୍ରକାର ଭାରୀ ଥିଲେ ମଧ୍ୟ ତାଙ୍କୁ ବିଜେପିର ତୁଷାର ପରିଡ଼ା ଟକ୍କର ଦେଉଛନ୍ତି। ନୂଆ ରଣନୀତି ସହ ତୁଷାର ଏବଂ କଂଗ୍ରେସ ସ୍ମୃତିରେଖା ପହି ପ୍ରଚାର କରୁଛନ୍ତି।

ତେବେ ଯାଜପୁର ଆସନ ବିଜେଡି ପାଇଁ ଅନେକ ମାତ୍ରାରେ ଚିନ୍ତା ସୃଷ୍ଟି କରିଛି। ତୃତୀୟ ମହଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ଘନିଷ୍ଠ କୁହାଯାଉଥିବା ପ୍ରଣବ ପ୍ରକାଶ ଦାସଙ୍କ ଆଗରେ ପାଚେରୀ ଭାବେ ଠିଆ ହୋଇଛନ୍ତି ବିଜେପିର ଅଭିଜ୍ଞ ଗୌତମ ରାୟ। ନବୀନଙ୍କ ଗୁଡ ବୁକରେ ପ୍ରଣବ ଥିଲେ ମଧ୍ୟ ନିର୍ବାଚନମଣ୍ଡଳୀରେ ଲୋକେ ପରିବର୍ତ୍ତନ ଆଡ଼କୁ ଢଳୁଥିବାର ଦେଖିବାକୁ ମିଳୁଛି।

ପୂର୍ବରୁ ଡାଲି ଦୁର୍ନୀତି ଓ ଅନ୍ୟ ଦୁର୍ନୀତିରେ ଛନ୍ଦି ହୋଇପଡ଼ିଥିବା ୫ଥରର ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲିକଙ୍କ ପାଇଁ ଏଥର ମଧ୍ୟ ସ୍ଥିତି ସହଜ ନୁହେଁ। ତାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ବବିତା ମଲ୍ଲିକ ଏବଂ କଂଗ୍ରେସର ମନୋରଞ୍ଜନ ଦାସ। ମୋଟାମୋଟି ଦେଖିିବାକୁ ଗଲେ ଯାଜପୁର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ରରୁ ୬ଟି ଆସନରେ ବିଜେଡି-ବିଜେପି କଡ଼ା ମୁକାବିଲା ହେଉଛି। ଏହି ୬ଟି ଆସନ ମଧ୍ୟରୁ ୫ଟିରେ ବିଜେପିର ପଲା ଭାରୀ ରହିଥିଲା ବେଳେ କୋରେଇର ତ୍ରିମୁଖୀ ଲଢ଼େଇ କାହା ପଟକୁ ଯାଉଛି, ତାହା ଫଳାଫଳ ପରେ ହିଁ ଜଣାପଡ଼ିବ

Leave a Reply

Your email address will not be published. Required fields are marked *