ବିଜେପି-ବିଜେଡିରେ ବ୍ୟକ୍ତି କେନ୍ଦ୍ରିକ ପ୍ରଚାର ଶିଖର ଛୁଆଁ

ଦେଶର ରାଜନୀତି ଇତିହାସରେ ୧୬ଟି ସାଧାରଣ ନିର୍ବାଚନ ସରିଯାଇଛି। ଏବେ ୧୭ତମ ସାଧାରଣ ନିର୍ବାଚନର ସମୟ। ପ୍ରଥମ ପର୍ଯ୍ୟାୟ ଭୋଟ ପ୍ରଚାର ଆଜି ସରିବାକୁ ଯାଉଛି। ସାଧାରଣ ନିର୍ବାଚନ ସାଙ୍ଗକୁ ଓଡ଼ିଶା ସମେତ କିଛି ରାଜ୍ୟରେ ମଧ୍ୟ ରାଜ୍ୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସ୍ୱାଧୀନ ଭାରତର ନିର୍ବାଚନୀ ଇତିହାସ ଦେଖିସାରିଛି ୧୬ଟି ଲୋକସଭା ନିର୍ବାଚନ। ତା ସହ କେତେ କେତେ ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ସ୍ୱାଧୀନ ଭାରତରେ।

ବହୁ ଘଟଣାରେ ଭରପୂର ଏହି ନିର୍ବାଚନୀ ଇତିହାସ। ତେବେ ୨୦୧୯ ନିର୍ବାଚନ ଏକ ଭିନ୍ନ ବାତାବରଣ ବନାଇଛି। ବିଶେଷ ବିଶ୍ଲେଷଣର ଯାହା ଆବଶ୍ୟକ କରେ। ଆମର ପ୍ରଚଳିତ ବ୍ୟବସ୍ଥା ହେଉଛି ସଂସଦୀୟ ଗଣତନ୍ତ୍ର। ଲୋକମାନଙ୍କ ପାଖରୁ ସିଧାସଳଖ ଭାବରେ ସାଂସଦମାନେ ନିର୍ବାଚିତ ହୁଅନ୍ତି। ଲୋକସଭାରେ ଅଧିକ ଆସନ ପାଇଥିବା ଦଳ ବା ମେଣ୍ଟ ବାଛେ ନିଜ ନେତା। ଯାହାଙ୍କୁ ରାଷ୍ଟ୍ରପତି ସରକାର ଗଢ଼ିବା ପାଇଁ ନିମନ୍ତ୍ରଣ କରନ୍ତି।

ଶପଥ ଗ୍ରହଣ ପରେ ପ୍ରଥମ କାମ ହୋଇଥାଏ ନୂଆ ସରକାରର ବିଶ୍ୱାସ ମତ ପାଇବା। ଆମେରିକା ଭଳି ଆମର ଏହା ବ୍ୟକ୍ତିକେନ୍ଦ୍ରିକ ନିର୍ବାଚନ ନୁହେଁ। ଯୁକ୍ତରାଷ୍ଟ୍ର ଆମେରିକାରେ ଯେହେତୁ ରାଷ୍ଟ୍ରପତି ଶାସନ ମୂଳକ ସରକାର କାର୍ଯ୍ୟ କରେ ତେଣୁ ସେଠାରେ ନିର୍ବାଚନ ବେଳେ ଦଳ ନୁହେଁ ବ୍ୟକ୍ତିମାନଙ୍କ ଉପରେ ଅଧିକ ରହେ ଫୋକସ। ରାଷ୍ଟ୍ରପତି ହେବା ପାଇଁ ନିର୍ବାଚନ ଲଢ଼ୁଥିବା ବ୍ୟକ୍ତିଟିର କଣ ବୈଦେଶିକ ନୀତି, କଣ ଆର୍ଥିକ ନୀତି ଏବଂ ସାମାଜିକ ବ୍ୟବସ୍ଥା ପ୍ରତି କଣ ନୂଆ ଜିନିଷ ଆଣିବାକୁ ଅଛି ତାହା ଲୋକେ ଜାଣିବାକୁ ଚାହିଁଥାନ୍ତି ଆଉ ନିର୍ବାଚନ ଲଢ଼ୁଥିବା ବ୍ୟକ୍ତିମାନେ ତାହା ବତାନ୍ତି ମଧ୍ୟ।

ଆମର ଯେହେତୁ ସଂସଦୀୟ ଗଣତନ୍ତ୍ରର ଧାରା ରହି ଆସିଛି ପ୍ରାୟତଃ ଦଳମାନଙ୍କର ନୀତି ଓ ଆଦର୍ଶ କଣ ଆଉ ସେମାନଙ୍କ କଣ ଦୃଷ୍ଟିଭଙ୍ଗୀ ରହିଛି ବିଭିନ୍ନ ବିଷୟରେ ତାହା ନିର୍ବାଚନ ବେଳେ ବତାଯାଏ। ଏଥର ଏସବୁ ହେଉଛି ସତ ହେଲେ ଦଳ ଅପେକ୍ଷା ବ୍ୟକ୍ତିଙ୍କ କଥା ଓ ବ୍ୟକ୍ତିତ୍ୱ ପ୍ରଚାରରେ ରହିଛି ଆଗୁଆ।

ଯଦି ଓଡ଼ିଶାର ମଣିଷ ଭାବରେ ଆମେ ଏହାକୁ ଦେଖିବା ତାହେଲେ ସିଧା ସାମ୍ନାକୁ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମସ୍ତ ପ୍ରଚାରର କେନ୍ଦ୍ରବିନ୍ଦୁ ଏହି ଦୁଇ ବ୍ୟକ୍ତିଙ୍କୁ ନେଇ ହେଉଛି। ଅନେକେ ହୁଏତ କହିପାରନ୍ତି ଅତୀତରେ ଜବାହାରଲାଲ ନେହେରୁ ଓ ଇନ୍ଦିରା ଗାନ୍ଧୀ ମଧ୍ୟ ନିର୍ବାଚନକୁ ବ୍ୟକ୍ତିକେନ୍ଦ୍ରିକ କରିଛନ୍ତି। କିନ୍ତୁ ସେତେବେଳେ ଏପରି ସ୍ତର ଛୁଇଁନଥିଲା।

ଭାରତୀୟ ଜନତା ପାର୍ଟିର ବଡ଼ ନେତା ହେଲେ ପ୍ରଧାନମନ୍ତ୍ରୀ ମୋଦୀ। ସେ ମଧ୍ୟ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟର ନେତା। ପୁଣି ଥରେ ନିର୍ବାଚନୀ ସଫଳତା ହାସଲ କରି ପ୍ରଧାନମନ୍ତ୍ରୀ ବନିବାର ପଥରେ ଅଛନ୍ତି ନରେନ୍ଦ୍ର ମୋଦୀ। ବିଜେପିର ସମ୍ପୂର୍ଣ୍ଣ ପ୍ରଚାର ଧାରାରେ ନରେନ୍ଦ୍ର ମୋଦୀଙ୍କ ଉପରେ ହିଁ ଫୋକସ ଅଧିକ। ଏହାର ସବୁଠାରୁ ବଡ଼ ଉଦାହରଣ ହେଲା ଦଳର ପ୍ରଚାର ବିଜ୍ଞାପନ। ସେ ପ୍ରିଣ୍ଟ କି ଅଡ଼ିଓ ଭିଡ଼ିଓ ହେଉ ସବୁଥିରେ କୁହାଯାଉଛି ‘ମୋଦୀ ଅଛନ୍ତି ତ ସବୁ ସମ୍ଭବ’। ଯେଉଁ ସବୁ ଅପିଲ ବିଜ୍ଞାପନ ମାଧ୍ୟମରେ ବିଜେପିର ପ୍ରକାଶ ପାଉଛି ସେଥିରେ
ମୋଦୀଙ୍କ ବୟାନ ନହେଲେ କଥା ରହୁଛି ମୁଖ୍ୟ ହୋଇ। ବିଜ୍ଞାପନରେ ପ୍ରାୟତଃ ମୋଦୀଙ୍କ ଫଟୋଚିତ୍ରର ହିଁ କରାଯାଉଛି ବ୍ୟବହାର।

ସାଧାରଣ ସଭା ଗୁଡ଼ିକରେ ବିଜେପିର ଅନ୍ୟ ନେତାମାନେ ବିଶେଷ ଭାବରେ ମୋଦୀଙ୍କୁ ମାର୍କେଟିଂ କରିବା ଲାଗି କରୁଛନ୍ତି ପ୍ରୟାସ। ଶକ୍ତିଶାଳୀ ଦେଶ ପାଇଁ ଶକ୍ତିଶାଳୀ ସରକାର ଆବଶ୍ୟକ ଆଉ ଶକ୍ତିଶାଳୀ ସରକାର ହିଁ ନରେନ୍ଦ୍ର ମୋଦୀ କେବଳ ଦେଇପାରିବେ ବୋଲି ବିଜେପିର ନେତାମାନେ ପ୍ରକାଶ କରୁଛନ୍ତି।

ପ୍ରତିରକ୍ଷା ବାବଦର ବଡ଼ ନିଷ୍ପତ୍ତି ହେଉ କି ଆତଙ୍କବାଦୀଙ୍କ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ହେଉ ଅବା ଅର୍ଥନୀତି ବାବଦରେ କିଛି ବଡ଼ ପଦକ୍ଷେପ କେବଳ ମୋଦୀ ନେଇପାରିବେ ବୋଲି ଜନତାଙ୍କ ମନରେ ଧାରଣା ବନ୍ଧା ଯାଉଛି।

ଏଥର ଆସିବା ଓଡ଼ିଶାକୁ। ଗତ ୪ଟି ବିଧାନସଭା ନିର୍ବାଚନରେ ବଡ଼ ସଫଳତା ହାସଲ କରିଥିବା ବିଜୁ ଜନତା ଦଳ ୫ମ ଥର ପାଇଁ କ୍ଷମତାକୁ ଆସିବା ସକାଶେ ଏଥର ପ୍ରୟାସ କରୁଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଗତ ୧୮-୧୯ ବର୍ଷ ଧରି ଦଳର ପ୍ରମୁଖ ଚେହେରା ହୋଇ ରହିଛନ୍ତି ସତ। ହେଲେ ଏଥର କେବଳ ନବୀନ ଦଳର ପ୍ରଚାର କେନ୍ଦ୍ରବିନ୍ଦୁ ହୋଇଛି। ବିଜୁ ଜନତା ଦଳ ଅପେକ୍ଷା ଶଙ୍ଖ ଚିହ୍ନ ନବୀନଙ୍କର ଏହା ଜୋରଦାର ଭାବରେ ଭୋଟରଙ୍କ ମନରେ ଭର୍ତ୍ତି କରିଦେବା ସକାଶେ ବିଜ୍ଞାପନର ଝଡ଼ ବୁହାଯାଉଛି।

ମହିଳାଙ୍କ ଶକ୍ତ ହେଉଛନ୍ତି ନବୀନ, ତାଙ୍କ ଚିହ୍ନ ଶଙ୍ଖ କି ଗରିବଙ୍କ ପେଟ ଚିହ୍ନନ୍ତି ନବୀନ, ତାଙ୍କ ଚିହ୍ନ ଶଙ୍ଖ। ଏପରି ଯେଉଁ ପ୍ରଚାର ତାହା ସେହି ବ୍ୟକ୍ତିସର୍ବସ୍ୱ ପ୍ରଚାରର ଉଦାହରଣ। ଓଡ଼ିଶାର ବିକାଶ ତଥା ସବୁ ଅସୁବିଧା ଦୂର ପାଇଁ କେବଳ ନବୀନ ପଟ୍ଟନାୟକ ହିଁ ଯଥେଷ୍ଟର ବାର୍ତ୍ତା ପ୍ରଚାରର ମୁଖ୍ୟ କଥା ହୋଇଛି। ତେଣୁ ବିଜୁ ଜନତା ଦଳର ପ୍ରଚାରରେ ଦଳର ଚିହ୍ନ ଶଙ୍ଖ କୁହାଯିବା ଅପେକ୍ଷା ନବୀନଙ୍କ ଚିହ୍ନ ଶଙ୍ଖ ବୋଲି ବତାଯାଉଛି।

ପ୍ରଚାରରେ ନୂଆ ନୂଆ ଷ୍ଟାଇଲ କିଛି ଅଡୁଆ କଥା ନୁହେଁ। ତେବେ ଆମର ଏଠାରେ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନୀ ଢାଞ୍ଚା ଭଳି ଏକ ବ୍ୟକ୍ତିକେନ୍ଦ୍ରିକ ପ୍ରଚାର ହେବା ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଭଲ ନୁହେଁ। ବ୍ୟକ୍ତିକେନ୍ଦ୍ରିକ ପ୍ରଚାରରେ ଅନ୍ୟ ସବୁ ଜିନିଷ ଦୂରେଇ ଯାଏ।

ମୋତେ ବାଛ ମୁଁ ସବୁ ଠିକ କରିଦେବିର ଧାରା ମଧ୍ୟ ଠିକ ନୁହେଁ। ଏହି ସମ୍ପୁର୍ଣ୍ଣ ବ୍ୟକ୍ତିକେନ୍ଦ୍ରିକ ପ୍ରଚାରରେ ଦଳର ନେତା, ନୀତି ଆଗାମୀ ଯୋଜନା ସବୁ ପଛୁଆ ହୋଇ ଯାଆନ୍ତି। ଏହି ବ୍ୟକ୍ତିକେନ୍ଦ୍ରିକ ପ୍ରଚାର ଓ ସଫଳତାରେ ଅନ୍ୟ ପ୍ରାର୍ଥୀମାନଙ୍କ ଉପରୁ ମଧ୍ୟ କମିଥାଏ ଗୁରୁତ୍ୱ।

ଯେତେ ଭୁଲର କଥା ଏଭଳି ପ୍ରଚାର ବାବଦରେ କହିଲେ ମଧ୍ୟ ସ୍ୱୀକାର କରିବାକୁ ପଡ଼ିବ ବର୍ତ୍ତମାନର ସମୟ ସେଭଳି ପ୍ରଚାରର ବନିସାରିଛି। ରାଜ୍ୟ ହେଉ ଅବା ଦେଶ ଏହାର ସବୁ ସମସ୍ୟାର ସମାଧାନ ସକାଶେ ଏବଂ ସବୁ ଭଲ କାମ ହେବା ପାଇଁ ଗୋଟିଏ ବ୍ୟକ୍ତିଙ୍କ ଉପରେ ବିଶ୍ୱାସ ପ୍ରକଟ କର ବୋଲି କୁହାଯିବା ମଧ୍ୟ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ଏକରକମ ବିରୋଧାଭାସ। ଜଣଙ୍କ ଲୋକପ୍ରିୟତା ଓ କାର୍ଯ୍ୟଦକ୍ଷତାର କଥା କହି ବାକି ସବୁକୁ ଭୁଲାଇ ଜିତିଯିବାର ମାନସିକତାରୁ ସୃଷ୍ଟି ହୋଇଛି ଏହି ପ୍ରଚାର। ଏଭଳି ବ୍ୟକ୍ତିକେନ୍ଦ୍ରିକ ପ୍ରଚାରର ଭବିଷ୍ୟତ ବୋଧେ ଉଭୟ ରାଜ୍ୟ ଓ ଦେଶରେ ମେ’ ୨୩ ତାରିଖ ଦିନ ନିର୍ଣ୍ଣୟ ହୋଇଯିବ।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

୨୦୧୪ରେ ପ୍ୟାରୀ, ୨୦୧୯ରେ ଜୟ

କଂଗ୍ରେସ-ବିଜେପି ଘୋଷଣା ପତ୍ର : କାହାର ଦମ‍୍‌ କେତେ?

କିଏ ହେବେ ସାଂସଦ-୨: ଢେଙ୍କାନାଳରେ ବିଜେଡି ହାଲୁକା, ଲଢ଼େଇ ରୁଦ୍ର ବନାମ କେପି

Leave a Reply

Your email address will not be published.