ବିଜେଡି-କଂଗ୍ରେସ ସଲାକୁସ୍ତି
ସେପ୍ଟେମ୍ୱରରୁ ପ୍ରାର୍ଥୀ ଘୋଷଣା କରାଯିବ ବୋଲି କହିଥିଲା କଂଗ୍ରେସ। କିନ୍ତୁ ଶେଷ ପର୍ଯ୍ୟନ୍ତ ଚାଲିଛି ପ୍ରାର୍ଥୀ ଖୋଜା। ମାତ୍ର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଦଳ ବିଜେଡି ଏବଂ ବିଜେପି ନିର୍ବାଚନ ପ୍ରଚାରକୁ ଯଥେଷ୍ଟ ଆଗେଇ ନେଇଥିବା ବେଳେ ଏବେ କଂଗ୍ରେସ ପଡ଼ିଯାଇଛି ଖୁବ ପଛରେ। ବିଜୁ ଜନତା ଦଳ ଜାଲରେ ଏପରି ଛନ୍ଦି ହୋଇପଡ଼ିଛି କଂଗ୍ରେସ, ଏତେଶୀଘ୍ର ମୁକୁଳିବାର ସମ୍ଭାବନା ନାହିଁ। ଫଳରେ ଚଳିତ ନିର୍ବାଚନରେ ଅନେକ ସ୍ଥାନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ପରିବର୍ତ୍ତେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱୀତାର ସମ୍ଭାବନା ବଢ଼ିଯାଇଛି।
ବିଜେଡିର ବିଜେପୁର ଫର୍ମୁଲା

ବିଜୁ ଜନତା ଦଳ ତା’ର ବିଜେପୁର ଫର୍ମୁଲାକୁ ଅତି ସୁନ୍ଦର ଓ ନିଖୁଣ ଭାବେ ସାରା ଓଡ଼ିଶାରେ ପ୍ରୟୋଗ କରିଛି। ବିଜେପୁରରେ କଂଗ୍ରେସ ପ୍ରାର୍ଥୀଙ୍କ ବିଧବା ପତ୍ନୀଙ୍କୁ ନିଜ ପ୍ରାର୍ଥୀ କରିବାଠୁ ଆରମ୍ଭ କରି ଏହି ଦଳର ନେଟୱାର୍କକୁ କଳେବଳେ ଓ କୌଶଳେ ବିଜୁ ଜନତା ଦଳ ନିଜ ହାତକୁ ନେଇଆସିଥିଲା। ଫଳରେ ଲଗାତାର ୩ଥର ବିଜେପୁର ଆସନ ଜିଣିଥିବା କଂଗ୍ରେସ ଗତବର୍ଷର ଉପନିର୍ବାଚନରେ ଅମାନତ ହରାଇଲା। କଂଗ୍ରେସ ଭୋଟ ଚାଲିଗଲା ବିଜୁ ଜନତା ଦଳ ଖାତାକୁ। ଫଳରେ ବିଜେଡି ବିପୁଳ ବିଜୟ ହାସଲ କରିଥିଲା ବିଜେପୁରରେ।

ଏବେ ସମାନ ଫର୍ମୁଲା ଚାଲିଛି ଚାରିଆଡେ଼। ନବୀନ ପଟ୍ଟନାୟକ ଏବଂ ତାଙ୍କ ମାର୍ଗଦର୍ଶକଙ୍କ ଜାଲରେ ପଡ଼ିସାରିଛି କଂଗ୍ରେସ। ଏଥିପାଇଁ କଂଗ୍ରେସ ନେତୃତ୍ୱ ହିଁ ଦାୟୀ। ଯଥେଷ୍ଟ ଆଗରୁ ପ୍ରାର୍ଥୀ ଘୋଷଣା ହୋଇଥିଲେ ଅନ୍ତତଃ ଆଜିର ସ୍ଥିତି କଂଗ୍ରେସର ହୋଇ ନଥାନ୍ତା। କୌଣସି ନିର୍ବାଚନରେ କଂଗ୍ରେସ ଆଗୁଆ ପ୍ରାର୍ଥୀ ଚୂଡ଼ାନ୍ତ କରିପାରି ନାହିଁ। ଏଥର ବ୍ୟତିକ୍ରମ ଘଟିବ ବୋଲି ଆଶା କରାଯାଉଥିଲା। ମାତ୍ର ଏଥର ପୂର୍ବ ଅବସ୍ଥାକୁ ବଳିଗଲା କଂଗ୍ରେସ।
ବିଭୂପ୍ରସାଦ ତରାଇଙ୍କ ସାଂଘାତିକ ଅଭିଯୋଗ

ଚଳିତ ନିର୍ବାଚନରେ ଟିକଟ ପାଇବା ପରେ ଅନ୍ୟ ଦଳକୁ ଚାଲିଯିବା ୨ଟି ଉଦାହରଣ ଭାରତୀୟ ଜନତା ପାର୍ଟିରେ ଅଛି। କିନ୍ତୁ କଂଗ୍ରେସ ଅବସ୍ଥା ଅତି ଖରାପ। ପୂର୍ବତନ ସାଂସଦ ତଥା ତିର୍ତ୍ତୋଲ ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ବିଭୂପ୍ରସାଦ ତରାଇ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ ଗତଥର ଲୋକସଭା ଆସନ ପାଇଁ ଜଗତସିଂହପୁରରୁ ପ୍ରାର୍ଥୀ ହୋଇଥିଲେ। ଏଥର ମଧ୍ୟ ପ୍ରାର୍ଥୀ ହେବାକୁ ଆବେଦନ କରିଥିଲେ। ତାଙ୍କୁ ମଧ୍ୟ ଏହି ଅନୁସାରେ ସୂଚନା ଦିଆଯାଇଥିଲା। ଲକ୍ଷ୍ମଣ ମଲିକଙ୍କ କନ୍ୟା ପ୍ରତିଭା ମଲିକ ତିେର୍ତ୍ତାଲ ବିଧାନସଭା ପାଇଁ ଆଗ୍ରହୀ ଥିଲେ। କିନ୍ତୁ ବିଭୁଙ୍କୁ ତିେର୍ତ୍ତାଲ ଏବଂ ପ୍ରତିଭା ମଲିକଙ୍କ ଜଗତସିଂହପୁର ଲୋକସଭା ଆସନ ପାଇଁ ଟିକଟ ମିଳିଲା। ବିଭୁ ତିେର୍ତ୍ତାଲରୁ ଲଢ଼ିବେ ନାହିଁ ବୋଲି ମନା କରିଦେବା ସହ କଂଗ୍ରେସ ଏବଂ ବିଜୁ ଜନତା ଦଳ ଭିତରେ ଗୁପ୍ତ ବୁଝାମଣା ହୋଇଥିବା ଅଭିଯୋଗ ଆଣିଛନ୍ତି। ଏଥିପାଇଁ ସେ ଦାୟୀ କରିଛନ୍ତି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କୁ।
ଜଗତସିଂହପୁରରେ ଦାମ ରାଉତ ବିଜେଡିରୁ ଯିବା ପରେ ସମୀକରଣ ବଦଳିଛି

ଜଗତସିଂହପୁରରେ ଦାମ ରାଉତ ବିଜେଡିରୁ ଯିବା ପରେ ସମୀକରଣ ବଦଳିଛି। କିନ୍ତୁ ଏହାକୁ ଏକ ମର୍ଯ୍ୟାଦାର ପ୍ରଶ୍ନ ଭାବେ ନେଇଛନ୍ତି ବିଜେଡି ନେତୃତ୍ୱ। ଲୋକସଭାରେ ନୂଆ ପ୍ରାର୍ଥୀ ଦିଆଯାଇଛି। ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଜଗତସିଂହପୁର ବିଧାନସଭା ଆସନ ପାଇଁ ମିଳିଛି ଟିକଟ। ଏହା ସୁହାଇବ ଚିରଞ୍ଜୀବଙ୍କୁ। ବାଲିକୁଦା-ଏରସମାରେ କଂଗ୍ରେସ ଭୋଟ ଯେଭଳି ବିଜେଡି ଆଡ଼କୁ ଯିବ, ସେଥିପାଇଁ ବଡ଼ ବୁଝାମଣା କରାଯାଇ ଥାଇପାରେ ବୋଲି ବିଭୁଙ୍କ ଅଭିଯୋଗ ପରେ ସନ୍ଦେହ ଘନୀଭୁତ ହୋଇଛି।
ପିସିସି ଟିକଟ ବିକୁଛି : ଯୁଧିଷ୍ଠିର

ଆଉ ଏକ ବଡ଼ ଅଭିଯୋଗ ଆଣିଛନ୍ତି ପୂର୍ବତନ ପିପିଲି ବିଧାୟକ ଯୁଧିଷ୍ଠିର ସାମନ୍ତରାୟ। ତାଙ୍କୁ ଶେଷ ମୁହୂର୍ତ୍ତରେ ପିପିଲି ଟିକଟ ଦିଆଯାଇଥିଲା। କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରି ପିସିସି ଟିକଟ ବିକୁଛି ବୋଲି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିବା ସକାଶେ ଅର୍ଥ ମଗାଯାଇଥିଲା। କିନ୍ତୁ ସେ ଦେଇପାରି ନଥିଲେ। ପ୍ରଦୀପ ମହାରଥୀ ପ୍ରାର୍ଥୀ ହେବା ପରେ ତାଙ୍କୁ ପ୍ରାର୍ଥୀ କରିବା ପାଇଁ ପିସିସି ନିଷ୍ପତ୍ତି ନେଲା ବୋଲି କହିଛନ୍ତି ଯୁଧିଷ୍ଠିର। ଲଢ଼ିବା ପାଇଁ ମନା କରିଦେବା ପରେ ଅଜିତଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ।

ବଡ଼ଚଣା ପରି ଏକ ଆସନରୁ କଂଗ୍ରେସକୁ ପ୍ରାର୍ଥୀ ମିଳୁ ନାହିଁ। ଗତଥରର ବିଦ୍ରୋହୀ କଂଗ୍ରେସ ପ୍ରାର୍ଥୀ ପୂର୍ବତନ ବିଧାୟକ ସୀତାକାନ୍ତ ମହାପାତ୍ରଙ୍କ ପୁଅ ଏବେ ବିଜେଡି ଶିବିରରେ। ଗତ ଥରର କଂଗ୍ରେସ ପ୍ରାର୍ଥୀ ଶୁଭେନ୍ଦୁ ମହାନ୍ତି ଲଢ଼ିବାକୁ ମନା କରିଛନ୍ତି। କୁହାଯାଉଛି, ତାଙ୍କୁ ବିଜେଡି ହାତେଇ ନେଇସାରିଛି। ଏବେ ସନ୍ଦେହ ପ୍ରକାଶ ପାଇଲାଣି ଯେ, ଅନେକ କଂଗ୍ରେସ ପ୍ରାର୍ଥୀ ଚୂଡ଼ାନ୍ତ ପ୍ରତ୍ୟାହାର ଦିବସରେ ଓହରିଯାଇ ପାରନ୍ତି ମଇଦାନରୁ। ଚାରିଆଡେ଼ ଏଭଳି ବାତାବରଣ କଂଗ୍ରେସର ସ୍ଥିତିକୁ ଦୁର୍ବଳ କରିଛି।
ରାହୁଲ ଗାନ୍ଧୀ ଆସିବା ପରେ ଆଶା କରାଯାଉଥିଲା ଯେ, କଂଗ୍ରେସରେ ନୂତନ ଉତ୍ସାହ ଏବଂ ଆଗ୍ରହ ସୃଷ୍ଟି ହେବ। କଂଗ୍ରେସ ପୁଣି ମଇଦାନରେ ଚଳଚଞ୍ଚଳ ହୋଇଉଠିବାର ସୂଚନା ମଧ୍ୟ ମିଳୁଥିଲା। ହେଲେ ରାସ୍ତା ମଝିରୁ କଂଗ୍ରେସ ଗାଡ଼ି ତଳକୁ ଖସି ପଡ଼ିବାର ସବୁ ଲକ୍ଷଣ ଦେଖାଗଲାଣି।
ଏପରି ହେଲା କାହିଁକି?
ପ୍ରଥମତଃ ଟିକଟ ମିଳିବାରେ ଅତ୍ୟଧିକ ବିଳମ୍ୱ।
- ଦ୍ୱିତୀୟରେ ଅନେକ ସ୍ଥାନରେ କଂଗ୍ରେସନେତାମାନେ ବିଜେଡି ମନ୍ତ୍ରୀ ଏବଂ ବିଧାୟକଙ୍କ ଦ୍ୱାରା ଗତ ୫-୧୦ ବର୍ଷ ଧରି ଅନୁଗୃହୀତ ହୋଇଆସୁଥିଲେ। ତେଣୁ ସହଜରେ ସେମାନଙ୍କୁ କରାୟତ୍ତ କରିବାରେ ସଫଳ ହୋଇଛି ବିଜେଡି।
- ତୃତୀୟରେ ବିଜେପିକୁ ଚେକ ଦେବା ପାଇଁ ଏହା ଏକ ପ୍ରାୟୋଜିତ ଯୋଜନା ହୋଇଥାଇପାରେ। ଏହାର ସତ୍ୟତା ଥାଉ କି ନଥାଉ, ଗୋଟିଏ ବିଷୟ ସ୍ପଷ୍ଟ ହୋଇଯାଉଛି ଯେ, ଭାରତୀୟ ଜନତା ପାର୍ଟିକୁ ମୁଖ୍ୟ ବିରୋଧୀ ଦଳର ଦର୍ଜା ଦେଇସାରିଲାଣି କଂଗ୍ରେସ।
- ମଇଦାନରୁ ଲଢ଼େଇ ପୂର୍ବରୁ କଂଗ୍ରେସର ଏଭଳି ଅବସ୍ଥା ବିଜେପିକୁ ଏକ ବଡ଼ ସୁଯୋଗ ଦେଇପାରେ।
କଂଗ୍ରେସର ମନୋବଳ ଭାଙ୍ଗୁଛି
ଏପର୍ଯ୍ୟନ୍ତ ପ୍ରଚାର ଆରମ୍ଭ କରିପାରି ନାହିଁ ଏହି ଦଳ। ବିଜ୍ଞାପନ ନାହିଁ। କେନ୍ଦ୍ରୀୟ ନେତାମାନେ ଆସିନାହାନ୍ତି। ହୋର୍ଡିଂ ନାହିଁ। ଅନ୍ୟ ପକ୍ଷରେ ବିଜେଡି ଏବଂ ବିଜେପି ଭିତରେ ମୁକାବିଲା ହେଉଥିବାର ସବୁ ଝଲକ ଦେଖିବାକୁ ମିଳୁଛି ଚାରିଆଡେ଼। ଯଦି ଜଗତସିଂହପୁରରେ ବିଜେଡି ସପକ୍ଷରେ କଂଗ୍ରେସ ଗୋଟି ଖେଳିପାରେ, ତେବେ ଅନ୍ୟତ୍ର କାହିଁକି ନୁହେଁ?
ଦୁଇମୁଖୀ ପ୍ରତିଦ୍ୱନ୍ଦ୍ୱିତାରୁ କାହାକୁ ଅଧିକ ଫାଇଦା ମିଳିବ

ଦୁଇମୁଖୀ ପ୍ରତିଦ୍ୱନ୍ଦ୍ୱିତାରୁ ବିଜେଡି ନା ବିଜେପି କାହାକୁ ଅଧିକ ଫାଇଦା ମିଳିବ, ତାହା ଭୋଟ ଫଳାଫଳ ପରେ ହିଁ ସ୍ପଷ୍ଟ ହେବ। କିନ୍ତୁ ଏବେଠାରୁ ସ୍ପଷ୍ଟ ଯେ, କଂଗ୍ରେସ କିଛି ଶିଖିଲା ନାହିଁ। କଂଗ୍ରେସ ଘରକୁ ବିଜେଡି ନେତୃତ୍ୱ ଭାଙ୍ଗିରୁଜି ଚାଲିଥିଲା ବେଳେ ସେହି ଦଳର ଜାଲରେ କଂଗ୍ରେସ ନେତୃତ୍ୱ ପଡ଼ିବା ସବୁଠୁ ବଡ଼ ବିଡମ୍ୱନା। ଯଦି ଏହାହିଁ ନିର୍ବାଚନ ଫଳରେ ପ୍ରତିଫଳିତ ହୁଏ, ତେବେ ନିରଞ୍ଜନଙ୍କ ନେତୃତ୍ୱ ଆଗରେ ପୁଣି ଥରେ ବଡ଼ ପ୍ରଶ୍ନଚିହ୍ନ ଆଙ୍କି ହୋଇଯିବ। ବର୍ତ୍ତମାନର କଂଗ୍ରେସ ସ୍ଥିତି ନିତାନ୍ତ ଚିନ୍ତାଜନକ।