ମଇଦାନରେ ୨୨୯୩ ଦଳ
ନାମରେ କ’ଣ ଅଛି? ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ନିକଟରେ ଅଜବ ନାମ ସହ ଅନେକ ଦଳ ନିଜକୁ ତାଲିକାଭୁକ୍ତ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଟ୍ୱେଣ୍ଟି ୨୦ ପାର୍ଟି, ଜାଗତେ ରହେ।ପାର୍ଟି, ଇଣ୍ଡିଆନ ଲଭର୍ସ ପାର୍ଟି, ପାର୍ଟି, ସୁପର ଲାଇଫ ପିସଫୁଲ ପାର୍ଟି, ସୁପର ନେସନ ପାର୍ଟି, ସବସେ ବଡ଼ି ପାର୍ଟି, ବିଧାୟକ ପାର୍ଟି, ବିଦର୍ଭ ମାଜାପାର୍ଟି, ୟୁଥ ଇଣ୍ଡିଆ କଂଗ୍ରେସ ପାର୍ଟି, ୱାଜିବ ୟୁଥ ଇଣ୍ଡିଆ କଂଗ୍ରେସ ପାର୍ଟି, ଭରୋଷା ପାର୍ଟି, ଅଧିକାର ପାର୍ଟି, ରାଷ୍ଟ୍ରୀୟ ସାଫନୀତି ପାର୍ଟି, ଇତ୍ୟାଦି ଇତ୍ୟାଦି।
ବର୍ତ୍ତମାନ ପାଖାପାଖି ୨୨୯୩ ଟି ଦଳ ନିର୍ବାଚନ କମିଶନଙ୍କ ନିକଟରେ ତାଲିକାଭୁକ୍ତ ହୋଇଥିଲା ବେଳେ ଫେବୃଆରୀରୁ ମାର୍ଚ୍ଚ ମଧ୍ୟରେ ୧୪୯ଟି ନୂଆ ଦଳ ସାମିଲ ହୋଇଛନ୍ତି। ଏହିସବୁ ଦଳ ଏଥରର ନିର୍ବାଚନ ମଇଦାନକୁ ଆସିପାରନ୍ତି।
୨୨୯୩ ଦଳ ମଧ୍ୟରୁ ୭ଟି ମାନ୍ୟତାପ୍ରାପ୍ତ ଜାତୀୟ ଦଳ ଏବଂ ୫୯ଟି ମାନ୍ୟତାପ୍ରାପ୍ତ ରାଜ୍ୟ ଦଳ ଅଛନ୍ତି।
ଚଳିତ ବର୍ଷ ଫେବୃଆରୀ ମାସ ସୁଦ୍ଧା ଦେଶର ମୋଟ ରାଜନୈତିକ ଦଳ ସଂଖ୍ୟା ଥିଲା ୨୧୪୩। ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ମିଜୋରାମ, ଛତିଶଗଡ଼ ବିଧାନସଭା ପୂର୍ବରୁ ୫୮ଟି ନୂଆ ଦଳ ନିଜକୁ ସାମିଲ କରିଥିଲେ ନିର୍ବାଚନ କମିଶନଙ୍କ ନିକଟରେ।
ତେବେ ଫେବୃଆରୀରୁ ମାର୍ଚ୍ଚ ୯ ତାରିଖ ନିର୍ବାଚନ ତାରିଖ ଘୋଷଣା ହେବା ଠିକ ପୂର୍ବରୁ ଆଉ ୧୪୯ଟି ଦଳ ନିର୍ବାଚନ କମିଶନଙ୍କ ନିକଟରେ ନିଜର ଆବେଦନ ଉପସ୍ଥାପିତ କରିଥିଲେ। ଏମାନଙ୍କ ମଧ୍ୟରେ ଅଛି ବହୁଜନ ଆଜାଦ ପାର୍ଟି, ସାମୂହିକ ଏକତା ପାର୍ଟି, ରାଷ୍ଟ୍ରୀୟ ସାଫ ନୀତି ପାର୍ଟି ଇତ୍ୟାଦି।
ତେବେ ଏହି ତାଲିକାଭୁକ୍ତ କିନ୍ତୁ ଅଣମାନ୍ୟତାପ୍ରାପ୍ତ ରାଜନୈତିକ ଦଳଙ୍କୁ ଏକ ନିର୍ଦ୍ଦିଷ୍ଟ ନିର୍ବାଚନୀ ଚିହ୍ନରେ ନିର୍ବାଚନ ଲଢିବାର ସୁଯୋଗ ଓ ସୁବିଧା ମିଳିବ ନାହିଁ। ସେମାନଙ୍କୁ ନିର୍ବାଚନ କମିଶନଙ୍କ ଦ୍ୱାରା ଉପଲବ୍ଧ ୮୪ଟି ଫ୍ରି ସିମ୍ୱଲ (ମହଜୁଦ ଥିବା ଚିହ୍ନ)ରେ ଲଢିବାକ ହେବ।
ଯେତେବେଳେ ଏହି ଅଣମାନ୍ୟତାପ୍ରାପ୍ତ ରାଜନୈତିକ ଦଳମାନେ ନିର୍ବାଚନରେ ଏକ ନିର୍ଦ୍ଧିଷ୍ଟ ପ୍ରତିଶତର ଭୋଟ ହାସଲରେ ସମର୍ଥ ହେବେ ତଥା ଲୋକସଭା ହେଉ କିମ୍ୱା ବିଧାନସଭାରେ କିଛି ପରିମାଣର ଆସନ ହାସଲ କରିବେ ସେତେବେଳେ ସେମାନଙ୍କୁ ରାଜ୍ୟ କିମ୍ୱା ଜାତୀୟସ୍ତରର ମାନ୍ୟତା ମିଳିବ।
ତେବେ ବଡ଼ କଥା ହେଉଛି ଦଳ ଗଠନ ନାମରେ କଳାଟଙ୍କାକୁ ଧଳା କରିବାର ପ୍ରୟାସ ହେଉ ନାହିଁ ତ? ଏହାକୁ ମଧ୍ୟ ନଜର ରଖିଛନ୍ତି ନିର୍ବାଚନ କମିଶନ। କେନ୍ଦ୍ରୀୟ ପ୍ରତ୍ୟେକ୍ଷକର ବୋର୍ଡକୁ ଏହି ରାଜନୈତିକ ଦଳମାନଙ୍କର ଆର୍ଥିକ କାରବାର ଉପରେ କଡ଼ା ନଜର ରଖିବା ପାଇଁ ନିର୍ବାଚନ କମିଶନ ପୂର୍ବରୁ ନିର୍ଦ୍ଦେଶ ଦେଇସାରିଛନ୍ତି।
୨୦୧୬ରେ ତାଲିକାଭୁକ୍ତ ହୋଇଥିବା ମାତ୍ର ଅଣମାନ୍ୟତାପ୍ରାପ୍ତ ୨୫୫ଟି ଦଳକୁ ଅଣତାଲିକାଭୁକ୍ତ କରାଯାଇଥିଲା। କାରଣ ସେତେବେଳେ ସେମାନେ ଦଳ ସିନା ଗଠନ କରିଥିଲେ ହେଲେ ନିର୍ବାଚନରେ ଲଢିନଥିଲେ।
୨୦୦୫ ରୁ ୨୦୧୫ ମଧ୍ୟରେ ନିର୍ବାଚନ କମିଶନଙ୍କ ନିକଟରେ ତାଲିକାଭୁକ୍ତ ହୋଇଥିବା ଦଳ ମଧ୍ୟରୁ ଯେଉଁ ଦଳମାନେ ଆଦୌ ନିର୍ବାଚନ ଲଢିନଥିଲେ ସେମାନଙ୍କୁ ତାଲିକାରୁ ୨୦୧୬ରେ ହଟାଯାଇଥିଲା। ଏବେ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳର ସଂଖ୍ୟା ବଢୁଥିବା ମଧ୍ୟ କମିଶନଙ୍କ ପାଇଁ ଚିନ୍ତା ସୃଷ୍ଟି କରିଛି।