ମହାମେଣ୍ଟର ଅପମୃତ୍ୟୁ

ବିଜେପିକୁ ନିର୍ବାଚନରେ ରୋକିବା ପାଇଁ ବର୍ଷକ ତଳୁ ସମସ୍ତ ବିରୋଧି ଦଳର ନେତାମାନେ ଯେଉଁ ମହାମେଣ୍ଟର ସ୍ୱପ୍ନ ଦେଖୁଥିଲେ ତାହା ଏବେ ଦୁଃସ୍ୱପ୍ନରେ ପରିଣତ ହୋଇଛି। ଭାରତୀୟ ରାଜନୀତିକୁ ନିଜ ଇଛାରେ ଚଳାଇବାକୁ ଆସ୍ପର୍ଦ୍ଧା କରୁଥିବା ଦୁଇ ମହିଳା ନେତ୍ରୀଙ୍କ କାର୍ଯ୍ୟକଳାପ ଯୋଗୁଁ ମହାମେଣ୍ଟ ପରିକଳ୍ପନାର ମଙ୍ଗଳବାର ଦିନ ଅପମୃତ୍ୟୁ ହୋଇଛି ବୋଲି କହିଲେ ଭୂଲ ହେବ ନାହିଁ। ବିଏସପି ନେତ୍ରୀ ମାୟାବତୀଙ୍କ ପରେ ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସ ସହିତ ନିର୍ବାଚନୀ ମେଣ୍ଟ କରୁ ନାହାନ୍ତି ବୋଲି ସ୍ପଷ୍ଟ କରି ଦେଇଛନ୍ତି। ତେଣୁ ଚଳିତ ନର୍ବାଚନ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ତ୍ରିମୁଖୀ ହେବାକୁ ଯାଉଛି। ଉତ୍ତରପ୍ରଦେଶରେ ବିଏସପି-ଏସପି ମେଣ୍ଟ ବିଜେପି ଓ କଂଗ୍ରେସ ସହିତ ନିର୍ବାଚନ ଲଢ଼େଇ କରିବାକୁ ଯାଉଥିବାବେଳେ ପଶ୍ଚିମବଙ୍ଗରେ ଟିଏମସି ମଧ୍ୟ ବିଜେପି ଓ କଂଗ୍ରେସ ସହିତ ମୁକାବିଲ୍ଲା କରିବ ବୋଲି ନିଷ୍ପତ୍ତି ନେଇଛି।

ଦେଶର ସବୁଠାରୁ ଅଧିକ ଲୋକସଭା ଆସନ ଥିବା ଉତ୍ତରପ୍ରଦେଶ ଓ ତୃତୀୟ ସର୍ବାଧିକ ଆସନ ଥିବା ପଶ୍ଚିମବଙ୍ଗରେ ସମ୍ଭାବିତ ସହଯୋଗୀମାନେ ମହାମେଣ୍ଟକୁ ଖାରଜ କରିବା ସହିତ ଅନ୍ୟ ରାଜ୍ୟରେ କଂଗ୍ରେସ ପାଇଁ ସମସ୍ୟା ବୃଦ୍ଧି କରିଛନ୍ତି। ଖାସ କରି ବିହାରରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ। ବିଜେପି ବିରୋଧରେ ବିରୋଧିଦଳ ପକ୍ଷରୁ ବଡ଼ ଅଂଶୀଦାର ହୋଇ ଫ୍ରଣ୍ଟ ଫୁଟରେ ଲଢ଼େଇ କରିବାର କଂଗ୍ରେସର ରଣନୀତି ସଂକଟ ଆଡ଼କୁ ଗତି କରୁଥିବା ଦେଖିବାକୁ ମିଳୁଛି।

ଗତ କିଛି ଦିନ ତଳେ କଂଗ୍ରେସ ଏକତରଫା ଭାବେ ଉତ୍ତରପ୍ରଦେଶରେ ୧୦ଟି ଆସନରେ ଆଗୁଆ ପ୍ରାର୍ଥୀ ଘୋଷଣା କରିଦେଇଥିଲା। ଖାସ‍୍‌ କରି ଏସପିର ପାରିବାରିକ ଆବଶ୍ୟକତାକୁ ଦେଖି କଂଗ୍ରେସ ତାର ବାର୍ତ୍ତା ଦେବାକୁ ପ୍ରୟାସ ଆରମ୍ଭ କରିଥିଲା। ବାର୍ତ୍ତା ଥିଲା ଏସପି-ବିଏସପି ଚଳିତ ନିର୍ବାଚନରେ କଂଗ୍ରେସର ଦାବିକୁ ନ ମାନିଲେ ଦଳ ଫ୍ରଣ୍ଟ ଫୁଟରେ ଖେଳିବ। ଏହା ଦ୍ୱାରା ବିଜେପି ସମେତ ଏସପି-ବିଏସପର ସଂଗଠନକୁ କ୍ଷତି ସହିବାକୁ ପଡ଼ିବ। ଏହି ଚାପ ଆଗରେ ବିଏସପି ନେତ୍ରୀ ମାୟାବତୀ ମୁଣ୍ଡ ନୁଆଁଇବା ପରିବର୍ତ୍ତେ ଚଳିତ ନିର୍ବାଚନରେ କଂଗ୍ରେସ ସହିତ କୌଣସି ରାଜ୍ୟରେ ମେଣ୍ଟ ହେବ ନାହିଁ ବୋଲି ମଙ୍ଗଳବାର ଦିନ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ, ଚଳିତ ନିର୍ବାଚନରେ ଏସପି-ବିଏସପ ମେଣ୍ଟ ଉତ୍ତରପ୍ରଦେଶ ସମେତ ମଧ୍ୟପ୍ରଦେଶ, ରାଜସ୍ଥାନ, ହରିଆନା ଓ ପଞ୍ଜାବରେ ପ୍ରାର୍ଥୀ ଦେବାକୁ ସ୍ଥିର କରିଛନ୍ତି। ନିର୍ବାଚନ ପୂର୍ବରୁ ମାୟାବତୀଙ୍କ ଏହି ଘୋଷଣା ଅନେକ ପ୍ରକାରର ସଂକେତକୁ ଜନ୍ମ ଦେଉଛି। ଏପରିକି ନିର୍ବାଚନ ପରେ ବି କଂଗ୍ରେସ ପାଇଁ ଅଟକଳ ଳଗାଇବାକୁ ସୁଯୋଗ ମଧ୍ୟ ଦେଇଛି।

ଦ୍ୱିତୀୟରେ ବିଗତ ଏକ ବର୍ଷ ହେଲା ବିରୋଧି ଦଳର ବୈଠକରେ ଲଗାତର ସାମିଲ ହେଉଥିବା ତଥା ନିଜ ମଞ୍ଚକୁ କଂଗ୍ରେସ ସମେତ ଅନ୍ୟ ବିରୋଧି ଦଳକୁ ଆସିବା ପାଇଁ ବାଧ୍ୟ କରୁଥିବା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ମଧ୍ୟ ପଶ୍ଚିମବଙ୍ଗର ସମସ୍ତ ୪୨ଟି ଆସନ ପାଇଁ ନିଜ ଦଳର ପ୍ରାର୍ଥୀ ଘୋଷଣା କରିଛନ୍ତି।

ପଶ୍ଚିମବଙ୍ଗରେ କଂଗ୍ରେସ ଓ ବାମଦଳଙ୍କ ସହିତ ମେଣ୍ଟ ପାଇଁ ଆଲୋଚନା ଜାରି ରହିଥିଲା। କିନ୍ତୁ ପ୍ରଶ୍ନ ଉଠୁଥିଲା କେରଳରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ଓ ବାମଦଳ କ’ଣ ଏକାଠି ନିର୍ବାଚନ ଲଢ଼ିବେ? ମାୟାବତୀ ଓ ମମତାଙ୍କ ପଦକ୍ଷେପ ଫଳରେ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରେ ତ୍ରିକୋଣୀୟ ଲଢ଼େଇ ହେବ ବୋଲି ସ୍ପଷ୍ଟ ହୋଇଯାଇଛି। ମାସକ ତଳେ ସଂସଦରେ କଂଗ୍ରେସ ସାଂସଦ ସାରଦା ଚିଟଫଣ୍ଟ ଦୁର୍ନୀତି ମାମଲା ଉଠାଇଥିଲେ। ଏଥିରେ ମମତା କ୍ଷୁବ୍ଧ ହୋଇ ଏହାକୁ ମନେ ରଖିବେ ବୋଲି ସୋନିଆ ଗାନ୍ଧୀଙ୍କୁ କହିଥିଲେ।

ମାୟା-ମମତାଙ୍କ ରାସ୍ତାରେ ଲାଲୁ!

ଇିହାରରେ ମଧ୍ୟ ଆରଜେଡ଼ି ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ଏପର୍ଯ୍ୟନ୍ତ ହୋଇପାରିନାହିଁ। ନିଜ କ୍ଷମତାରୁଠାରୁ ଅଧିକ ଆସନ ନ ମାଗିବା ପାଇଁ ଆରଜେଡ଼ି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ସହଯୋଗୀ ଦଳମାନଙ୍କୁ ସଂକେତ ଦେଇସାରିଛନ୍ତି। ପ୍ରଥମେ କିଏ ପ୍ରାର୍ଥୀ ତାହା ଉପସ୍ଥାପିତ କରି ଆସନ ମାଗିବାକୁ ଲାଲୁ କହିଛନ୍ତି। ଲାଲୁ ଏହି କଥା କଂଗ୍ରେସ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ କଂଗ୍ରେସ ବିହାରରେ ୧୫ଟି ଆସନ ମାଗୁଥିଲା। ଏବେ ୧୨ଟି ଆସନକୁ ଖସିଛି। କିନ୍ତୁ ଆରଜେନି କଂଗ୍ରେସକୁ ୮-୯ଟି ଆସନ ଦେବାକୁ ରାଜି ହେଉଛି।

ଚନ୍ଦ୍ରବାବୁ ନାୟଡ଼ୁ ଚିନ୍ତାରେ

ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ସହିତ ତେଲଗୁ ଦୋମ ପାର୍ଟି (ଟିଡ଼ିପି) ମେଣ୍ଟ କରି ନିର୍ବାଚନ ଲଢ଼ିଥିଲା। କିନ୍ତୁ ଏଥିରେ ଟିଡ଼ିପିର ସର୍ବାଧିକ କ୍ଷତି ହେବା କାରଣରୁ ଚନ୍ଦ୍ରବାବୁ ନାୟଡ଼ୁଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। କଂଗ୍ରେସ ସହିତ କେନ୍ଦ୍ର ରାଜନୀତି ରହିଥିଲେ ରାଜ୍ୟ ରାଜନୀତିରେ କୌଣସି ସମ୍ପର୍କ ନାହିଁ ବୋଲି ନାୟଡ଼ୁ ମତଦାତାମାନଙ୍କୁ ସ୍ୱଷ୍ଟୀକରଣ ଦେବାରେ ଲାଗିଛନ୍ତି।

ଏପରିକି ଦିଲ୍ଳୀରେ କ୍ଷମତାସୀନ ଆପ ଆଗାମୀ ନିର୍ବାଚନରେ ବିଜେପିକୁ ରୋକିବା ପାଇଁ କଂଗ୍ରେସର ସହଯୋଗ ଲୋଡ଼ୁଥିବାବେଳେ ରାହୁଲ ଗାନ୍ଧୀ ଦରାଛୁଆଁ ଦେଉନାହାନ୍ତି। ଦିଲ୍ଲୀରେ କଂଗ୍ରେସର ଆପ ସହିତ ନିର୍ବାଚନୀ ମେଣ୍ଟ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଗଲାଣି।

ମିଳିତ ଘୋଷଣା ପତ୍ରର କ’ଣ ହେବ?

ବିଜେପିକୁ ପରାଜିତ କରିବା ପାଇଁ ସମସ୍ତ ବିରୋଧି ଦଳ ପକ୍ଷରୁ ମିଳିତ ଘୋଷଣା ପତ୍ର ପ୍ରକାଶ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏବେ ଏହାର ସ୍ଥିତି କ’ଣ ହେବ ବୋଳି ପ୍ରଶ୍ନ ଉଠିଲାଣି। ବର୍ତ୍ତମାନ ସୁଦ୍ଧା ୨୧ଟି ବିରୋଧି ବିଜେପି ବିରୋଧରେ ଏକାଠି ହୋଇଥିଲେ। ଏଥିରେ ମୁଖ୍ୟତଃ କଂଗ୍ରେସ,ଟିଡ଼ିପି,ବିଏସପି,ଏସପି, ଟିଏମସି, ଆପ ଭଳି ଦଳମାନେ ସାମିଲ ହୋଇଥିଲେ।

ଅନ୍ୟ ଖବର ପାଇଁ କ୍ଲିକ୍ କରନ୍ତୁ :

Leave a Reply

Your email address will not be published. Required fields are marked *